ରାୟଗଡ଼ା : ଖୋଲିଲା ରାୟଗଡ଼ାର ପ୍ରସିଦ୍ଧ ମଝିଘରିଆଣୀଙ୍କ ମନ୍ଦିର । ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ଅନୁମତି ଦେବା ପରେ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ । ମଝିଘରିଆଣୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ କରୋନା କଟକଣାକୁ କଡ଼ାକଡି କରିବାକୁ ପରିଚାଳନା କମିଟିକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ନିର୍ଦ୍ଦେଶ ଅନୁସାରେ, ମାଙ୍କ ପୀଠର ଗର୍ଭଗୃହ ମଧ୍ୟରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି । ବେଢା ବାହାରେ ରହି ସୀମିତ ସଂଖ୍ୟକ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରିବାକୁ ଦିଆଯାଇଛି ଅନୁମତି । ସେହିପରି ମନ୍ଦିର ପରିସରରେ ଭକ୍ତମାନେ ନଡିଆ ଭୋଗକୁ ଦେବାକୁ ବାରଣ କରାଯାଇଛି । କେବେଳ ମାଙ୍କ ପାଦୁକ ମଣ୍ଡପରେ ନଡିଆ ଭୋଗ ଦେଇପାରିବେ ବୋଲି କୁହାଯାଇଛି । ସେହିପରି ସପ୍ତାହର ପ୍ରତି ମଙ୍ଗଳବାର, ବୁଧବାର ଓ ରବିବାର ଦିନ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ କଡ଼ା ସୁରକ୍ଷା କରିବାକୁ ମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନରେ ୫୦ ପ୍ରତିଶତ ଶ୍ରଦ୍ଧାଳୁ ଦର୍ଶନ କିମ୍ବା ପ୍ରାର୍ଥନାରେ ଭାଗ ନେଇପାରିବେ ବୋଲି କୁହାଯାଇଛି । ତେବେ ଧର୍ମାନୁଷ୍ଠାନକୁ ପ୍ରବେଶ କରିବା ପୂର୍ବରୁ କରୋନା ଟିକା ସାର୍ଟିଫିକେଟ୍, ଆଧାର କାର୍ଡ କିମ୍ବା କରୋନା ନେଗେଟିଭ୍ ରିପୋର୍ଟ ଦାଖଲ କରିବାକୁ ପଡିବ । ଏହାସହ ୬୫ ବର୍ଷରୁ ଅଧିକ, ୧୦ ବର୍ଷରୁ କମ୍ ଓ ଗର୍ଭବତୀଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କଟକଣାକୁ ଉଲ୍ଲଂଘନ କଲେ ପରିଚାଳନା କମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାୟଗଡା ଜିଲ୍ଲାପାଳ କହିଛନ୍ତି ।
Comments are closed.