ଭାଗ : ୧୪
ଏହା ଏହି ସ୍ତମ୍ଭରେ ‘ଚିତ୍ରପୁରୀ’ ସମ୍ବନ୍ଧିତ ଶେଷ ଲେଖା । ଚଳଚ୍ଚିତ୍ରର ଇନ୍ଦ୍ରଜାଲରେ ଛନ୍ଦି ହୋଇଥିବା ‘ଚିତ୍ରପୁରୀ’ର ସମ୍ପୂର୍ଣ୍ଣ କଲେବରରୁ ଅଧା ସାହିତ୍ୟ ଆଉ ଅଧା ଚଳଚ୍ଚିତ୍ର ବୋଲି ମୁଁ ଆଗରୁ କହିସାରିଛି । ଏଠି ସ୍ପଷ୍ଟ କରିଦିଏ ଯେ ଯେଉଁ ଅଧା କଳେବର ଚଳଚ୍ଚିତ୍ର ବିଷୟ ଉପରେ ପର୍ଯ୍ୟବସିତ, ତାହାର ବ୍ୟଞ୍ଜନା ବା ଦ୍ୟୋତକର ସୀମା କାହିଁରେ କେତେ! ସେଥିରେ ପ୍ରଥମ ପୁରୁଷରେ ଲେଖା ଚଳଚ୍ଚିତ୍ର ପର୍ଦ୍ଦା ତାରକା ଓ ପର୍ଦ୍ଦା ପଛର ତାରକାଙ୍କ କଥା ଅଛି, ପର୍ଦ୍ଦା ପଛର କାହାଣୀ ଅଛି, ଆଗାମୀ ଚଳଚ୍ଚିତ୍ରର ସୂଚନା ଅଛି!
ସ୍ୱାଭାବିକ ଭାବରେ ଏସବୁ ଏକ ଚଳଚ୍ଚିତ୍ର ପତ୍ରିକାରେ ରହିବା କଥା ଓ ‘ଚିତ୍ରପୁରୀ’ରେ ସେସବୁ ଥିଲା । କିନ୍ତୁ ଯାହା ‘ଚିତ୍ରପୁରୀ’ ପ୍ରଥମ କରି ଆରମ୍ଭ କଲା ତାହା ହେଉଛି ବିଶେଷ ସଂଖ୍ୟାର ପ୍ରକାଶନ । ଏହି ବିଶେଷ ସଂଖ୍ୟା କୌଣସି ଚଳଚ୍ଚିତ୍ରକୁ ନେଇ ହେଉଥିଲା ବା ଏକ ବିଶେଷ ସନ୍ଦର୍ଭକୁ ନେଇ ହେଉଥିଲା । ଚଳଚ୍ଚିତ୍ରକୁ ନେଇ ହେଉଥିବା ବିଶେଷ ସଂଖ୍ୟାକୁ ପରେ ପରେ ଅନେକ ଚଳଚ୍ଚିତ୍ର ପତ୍ରିକା ଅନୁସରଣ କଲେ ।
‘ଚିତ୍ରପୁରୀ’ ଏହି ଧାରା ପ୍ରବର୍ତ୍ତନ ପଛରେ କାରଣ ଥିଲା ଅନ୍ତତଃ ଦୁଇଟି । ପ୍ରଥମରେ ସମ୍ପୃକ୍ତ ଚଳଚ୍ଚିତ୍ର ସମ୍ପର୍କରେ , ତାହାର ସବୁ ଦିଗ ସମ୍ପର୍କରେ ଆଉ ଗଳ୍ପ ଓ ଗୀତ ସମ୍ପର୍କରେ ସୂଚନା ଦେବା । ଏହାର ବିସ୍ତାର ଦିଗଟି ହେଲା ଯିଏ ଯେଉଁ ଧାରାରେ ଚଳଚ୍ଚିତ୍ର ସହ ସଂଯୁକ୍ତ ଥାଆନ୍ତୁ ନା କାହିଁକି ତାଙ୍କର ସାକ୍ଷାତକାର ଛାପିବା ବା ତାଙ୍କର ଚଳଚ୍ଚିତ୍ର ଅନୁଭବକୁ ଅବିକଳ ପ୍ରଥମ ପୁରୁଷରେ ଛାପିବା । ଏହି ପ୍ରଥମ କାରଣ ସହ ଛନ୍ଦି ହୋଇଥିଲା ଦ୍ୱିତୀୟ କାରଣ, ଦ୍ୱିତୀୟ କାରଣ ହେଉଛି ଏହି ମାର୍ଗରେ ସମ୍ପୃକ୍ତ ଚଳଚ୍ଚିତ୍ର ପ୍ରଯୋଜକଙ୍କ ପାଖରୁ ବିଜ୍ଞାପନ ଓ ପ୍ରକାଶନ ସମ୍ବନ୍ଧୀୟ ଅର୍ଥ ଆଣିବା । ଆପଣ ସେହି ସମୟର ଅର୍ଥାତ ଷାଠିଏ, ସତୁରି କି ଅଶି ଦଶକ ପର୍ଯ୍ୟନ୍ତ ଓଡ଼ିଆ ଚଳଚ୍ଚିତ୍ରର ସ୍ଥିିତି ଓ ପ୍ରଯୋଜନା ସଂଖ୍ୟାକୁ ଦେଖନ୍ତୁ । ଷାଠିଏ ଦଶକରେ ବର୍ଷକୁ ଗୋଟିଏ ବା ଦୁଇଟି, ସତୁରିରେ ପାଞ୍ଚ ବା ଛଅ ବା ଦଶ, ଅଶିରେ ଅତିବେଶିରେ ବର୍ଷକୁ ଦଶରୁ ବାର ଭିତରେ ଚଳଚ୍ଚିତ୍ର ନିର୍ମାଣ ହୋଇଛି । କେବଳ ୧୯୭୮ରେ ମୁକ୍ତିଲାଭ କରିଥିଲା ୧୬ଟି ଚଳଚ୍ଚିତ୍ର । ଅତଏବ ଷାଠିିଏରୁ ଅଶି ପର୍ଯ୍ୟନ୍ତ ଚଳଚ୍ଚିତ୍ର ପତ୍ରିକା ପାଇଁ ବିଷୟ ଏତେ ନାହିଁ । ଯେତିକି ଥିଲା ତାହାକୁ ଟିକିନିଖି କରି ଛାପିଲା ‘ଚିତ୍ରପୁରୀ’ । ଏଥିପାଇଁ ଚଳଚ୍ଚିତ୍ରର ଗଳ୍ପ ବି ରହିଲା, ଯିଏ ଯେତେ ପ୍ରକାରେ ସମ୍ପୃକ୍ତ ଥିଲେ ତାଙ୍କ ନାମ ବି ରହିଲା, କେବେ କେମିତି ସେନ୍ସର ହେଲା ତାହା ବି ରହିଲା ଆଉ ଚଳଚ୍ଚିତ୍ରର ପୂରା ଗୀତତକ ବି ଛପା ହେଲା । ମୋର ମନେହୁଏ ଗୋଟିଏ ଗୋଟିଏ ‘ଚିତ୍ରପୁରୀ ବିଶେଷ ସଂଖ୍ୟା’ ସେହି ଚଳଚ୍ଚିତ୍ର ସମ୍ବନ୍ଧିତ ଏନ୍ସାଇକ୍ଲୋପିଡ଼ିଆ ।
ବିଶେଷ ସଂଖ୍ୟା ପୁଣି ଥିଲା ଦୁଇ ପ୍ରକାରର: ଏକ ଚଳଚ୍ଚିତ୍ର ସମ୍ବନ୍ଧିତ, ଦୁଇ: ସଂସ୍କୃତି ସମ୍ବନ୍ଧିତ ବା ସ୍ୱତନ୍ତ୍ର ଆଧାର ସମ୍ବନ୍ଧିତ । ଯେମତି କଳାବିକାଶ କେନ୍ଦ୍ରକୁ ନେଇ ବିଶେଷ ସଂଖ୍ୟା ହେଲା ବା ଓଡ଼ିଶୀ ନୃତ୍ୟ ଶିଳ୍ପୀ ବା ନୃତ୍ୟଗୁରୁଙ୍କ ଅନୁଭବ ଆଧାରିତ ବିଶେଷ ସଂଖ୍ୟା ହେଲା ବା ଗୀତ ଓ ଗୀତିକାର ସଙ୍ଗୀତକାରଙ୍କୁ ନେଇ ବିଶେଷ ସଂଖ୍ୟା ହେଲା ବା ରଙ୍ଗମଞ୍ଚକୁ ନେଇ ବିଶେଷ ସଂଖ୍ୟା ହେଲା । ଏସବୁକୁ ଆପଣ ଚଳଚ୍ଚିତ୍ର ସାହିତ୍ୟ ବା ସାଂସ୍କୃତିକ ସାହିତ୍ୟ ବୋଲି କହିପାରିବେ । ଏହା ବ୍ୟତୀତ ନିରୁତା ସାହିତ୍ୟ ବି ଥିଲା ଆଉ ଯେଉଁମାନେ ‘ଚିତ୍ରପୁରୀ’ର ନିୟମିତ ଲେଖକ/ ଲେଖିକା ଥିଲେ, ସେମାନେ ଥିଲେ ଓଡ଼ିଆ ସାହିତ୍ୟର ପ୍ରଥିତଯଶା ବ୍ୟକ୍ତିତ୍ୱ । ହୁଏତ ଏବେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କାହ୍ନୁଚରଣଙ୍କ ‘ଯାହା କହିବି ସତ କହିବି’ ଉପନ୍ୟାସ ଆଗ ଛପା ହୋଇଥିଲା ‘ଚିତ୍ରପୁରୀ’ରେ । ଦେବ୍ରାଜ ଲେଙ୍କାଙ୍କ ଉପନ୍ୟାସ ‘ଏଇ ମନ ହଜାର ବନ’, ବିଭୂତି ପଟ୍ଟନାୟକଙ୍କ ‘ନାୟିକାର ନାମ ଶ୍ରାବଣୀ’ ସମେତ ପ୍ରତିଭା ରାୟ, ରାଜକିଶୋର ରାୟ, ଅକ୍ଷୟ ମହାନ୍ତି, ଉମାଶଙ୍କର ମିଶ୍ର, ବସନ୍ତ କୁମାର ଶତପଥୀ, ବାମାଚରଣ ମିତ୍ର, ଜେନାମଣି ନରେନ୍ଦ୍ର କୁମାରଙ୍କ କେତେ କେତେ ଗଳ୍ପ ଛପା ଯାଇଛି ‘ଚିତ୍ରପୁରୀ’ରେ । ଛପା ଯାଇଛି ମନୋରଞ୍ଜନ ଦାସଙ୍କ ଏକାଙ୍କିକା ‘ପ୍ରତିଦାନ’, ଗୋପାଳ ଛୋଟରାୟଙ୍କ ବେତାର ଏକାଙ୍କିକା, ଯାହା ମୂଳ ଉପନ୍ୟାସ ‘ମଲାଜହ୍ନ’ର ନାଟ୍ୟରୂପ । ଏମିତି ଅନେକ, ଏତେ ଅନେକ ଯେ ତାଲିକା ଖୁବ୍ ଦୀର୍ଘ ହେବ ।
‘ଚିତ୍ରପୁରୀ’ରେ କବିତା ବି ଛପା ହେଉଥିଲା କିନ୍ତୁ କବିତା ପାଇଁ କୌଣସି ବିଭାଗ ନ ଥିଲା । ବିଭାଗ ଥିଲା ଉପନ୍ୟାସ ପାଇଁ, ଯାହାକୁ ଉପନ୍ୟାସ ନକହି ‘ଗୋଟିଏ ବଡ଼ ଗଳ୍ପ’ ବା ‘ଗୋଟିଏ ଉତ୍ତେଜକ ବଡ଼ ଗଳ୍ପ’ ବୋଲି ଲେଖାଯାଉଥିଲା । ଅତଏବ ଏତିକି କହିହେବ ଯେ ଚଳଚ୍ଚିତ୍ର ପ୍ରତି ‘ଚିତ୍ରପୁରୀ’ର ଅବଦାନ ଯେତେ, ଓଡ଼ିଆ ସାହିତ୍ୟ ପ୍ରତି ବି ସେମିତି କିଛି କମ୍ ନୁହେଁ!
ଏହି ସ୍ତମ୍ଭ ସହ ସମ୍ପୃକ୍ତ ହୋଇଛି ‘ଚିତ୍ରପୁରୀ’ର ଏକ ବିଶେଷ ସଂଖ୍ୟାର ପ୍ରଚ୍ଛଦ ଛବି, ଯେଉଁଥିରେ ଅଛି ‘ମମତା’ର ପୋଷ୍ଟର!
Comments are closed.