Latest Odisha News

BREAKING NEWS

ଦ୍ବିତୀୟ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି ଆଉ ୧୦ଟି ରୂପାନ୍ତରିତ ସ୍କୁଲ । ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କ ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । 5T ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ପାଞ୍ଚଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ପିଲାମାନେ ପ୍ରତିଭାରେ କାହା ଠାରୁ କମ୍ ନୁହନ୍ତି । ସେମାନଙ୍କ ପାଖରେ ଭରପୁର ସମ୍ଭାବନା ରହିଛି । ସୁଯୋଗ ପାଇଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପ୍ରସଙ୍ଗରେ ହକି ଖେଳର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହକି ଖେଳରେ ଆମର ପ୍ରଚୁର ସମ୍ଭାବନା ଥିଲା । ଯେତେବେଳେ ସେମାନଙ୍କୁ ପ୍ରୋତ୍ସାହନ ମିଳିଲା, ସେମାନେ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ଜିତି ଆମ ପାଇଁ ଗୌରବ ଆଣିଲେ । ଓଡ଼ିଶା ସରକାର ହକିକୁ ପ୍ରୋତ୍ସାହିତ କରୁଛନ୍ତି । ଓଡିଶାର ଖେଳାଳି ଦେଶ ପାଇଁ ଖେଳି ରାଜ୍ୟର ମର୍ଯ୍ୟାଦା ବଢାଇଛନ୍ତି । ତେଣୁ ସବୁ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।

ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରି ମଣ୍ଡଳର ସଦସ୍ୟ, ବିଧାୟକ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ।

Comments are closed.