Latest Odisha News

୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ବର : ପାଞ୍ଚ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ । ୨୪ ତାରିଖ ରାତିରେ ସେ ଭୁବନେଶ୍ବରରେ ପହଞ୍ଚିବେ । ୫ ଦିନିଆ ଗସ୍ତ ସାରି ସେ ଅଗଷ୍ଟ ୨୯ ତାରିଖରେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ସୂଚନା ଦେଇଛନ୍ତି ।

ଗସ୍ତ ଅବସରରେ ମୋହନ ଭାଗବତ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିବେ। ଅଗଷ୍ଟ ୨୬ ତାରିଖରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ । ପରେ ସେ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟ କରିବେ । ଏହା ପରେ ସଂଘର ବିଭିନ୍ନ ବୈଠକରେ ଯୋଗଦେବେ । ବୈଠକରେ ସାଧାରଣତଃ ସାଙ୍ଗଠନିକ ବିଷୟ ଉପରେ ଧ୍ୟାନ ଦିଆଯିବ । ଏଥିସହିତ କରୋନା ସଂକ୍ରମଣରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱୟଂ ସେବକମାନଙ୍କ ଦ୍ୱାରା କରାଯାଇଥିବା ରାଜ୍ୟବ୍ୟାପୀ ସେବା କାର୍ଯ୍ୟର ସମୀକ୍ଷା କରାଯିବ । ସମ୍ଭାବ୍ୟ ତୃତୀୟ ଲହର ପ୍ରଭାବକୁ ଆକଳନ କରିବା ସହିତ ଏଥିପାଇଁ ଆବଶ୍ୟକ କାର୍ଯ୍ୟ ଯୋଜନା ଉପରେ ବିଚାର କରାଯିବ । ଏହି ପରିପ୍ରେକ୍ଷୀରେ ଆବଶ୍ୟକ ପ୍ରଶିକ୍ଷଣ ଓ ପ୍ରସ୍ତୁତି ଉପରେ ମଧ୍ୟ ବିଚାର କରାଯିବ । କୋଭିଡ୍‌ ନିୟମ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କରୋନା କାରଣରୁ କୌଣସି ସାଧାରଣ ସଭା ଅନୁଷ୍ଠିତ ହେବ ନାହିଁ ବୋଲି ରବିନାରାୟଣ ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.