Latest Odisha News

BREAKING NEWS

କନ୍ଧମାଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କନ୍ଧମାଳ : କନ୍ଧମାଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଗସ୍ତର ଦ୍ବିତୀୟ ଦିନରେ ଫୁଲବାଣୀ ଉପକଣ୍ଠ ତିଲକପଡ଼ାରେ ନିର୍ମାଣାଧୀନ ମେଡିକାଲ କଲେଜ ପ୍ରକଳ୍ପର ସମୀକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଏହାପରେ ଜି. ଉଦୟଗିରିରେ ନିର୍ମାଣାଧୀନ ଗ୍ରୀଡ୍ ସବଷ୍ଟେସନ ପ୍ରକଳ୍ପ, ବାଳିକା ଉଚ୍ଚବିଦ୍ୟାଳୟ ସ୍ମାର୍ଟ କ୍ଲାସ ରୁମ୍ ଏବଂ ସିର୍ତ୍ତିଗୁଡା ଗ୍ରୀଡ୍ ସବଷ୍ଟେସନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରି ଅଗ୍ରଗତିର ଅନୁଧ୍ୟାନ କରିଥିଲେ । ଗସ୍ତ ଅବସରରେ କୃଷି ଉଦ୍ୟୋଗୀଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ପନିପରିବା ଓ ହଳଦୀ ଚାଷ ଫାର୍ମ ପରିଦର୍ଶନ କରି ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ସହ ତାଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବିପଣନ ପାଇଁ ସରକାରୀ ସୁବିଧା ବିଷୟରେ ଅବଗତ କରାଇଥିଲେ ।

ଦୁଇ ଦିନିଆ ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ପରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ଯୋଗାଣ, ବିଦ୍ୟୁତିକରଣ, ଜଳସେଚନ, ପର୍ଯ୍ୟଟନ, ମେଡିକାଲ କଲେଜ୍, ସ୍ମାର୍ଟ ସ୍କୁଲ ଆଦି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ପ୍ରତି ପରିବାରକୁ ଯେପରି ବିଦ୍ୟୁତ୍ ସଂଯୋଗ ମିଳିପାରିବ ସେନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପର୍ଯ୍ୟଟନ ସ୍ଥଳୀ ଗୁଡିକର ସାମୁହିକ ଉନ୍ନତିକରଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଆବଶ୍ୟକତା ଥିବାରୁ ସଂପୃକ୍ତ ବିଭାଗମାନେ ସମନ୍ବିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦାରିଙ୍ଗବାଡିକୁ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ ଏବଂ ଏଥିପାଇଁ ସେଠାରେ ଥିବା ପାନ୍ଥ ନିମାସକୁ ଏକ ଉନ୍ନତମାନର ହୋଟେଲରେ ପରିଣତ କରିବା ଦିଗରେ ପ୍ରଶାସନିକ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.