Latest Odisha News

ବରିଷ୍ଠ ସେବକ ଭଗବାନ ସୁଆରଙ୍କ ଅନୁଭୂତିର କଥା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାରେ ଶତାଧିକ ବର୍ଗର ସେବକ ସେମାନଙ୍କର ପାଳି ମୁତାବକ ଅଦମ୍ୟ ନିଷ୍ଠା ଓ ପ୍ରଭୁଙ୍କ ନିକଟରେ ସମର୍ପଣ ଭାବ ସହିତ କର୍ତ୍ତବ୍ୟ ସମ୍ପାଦନ କରିଥାଆନ୍ତି । ସେବା କରିବା ଅବସରରେ ଶ୍ରୀମନ୍ଦିରରେ ସେମାନଙ୍କର ଜୀବନର ବହୁ ସମୟ କାଟିବା ପରିପ୍ରେକ୍ଷୀରେ ବହୁ ରୋଚକ ଅନୁଭବ ମଧ୍ୟ ରହିଥାଏ । ସେମାନଙ୍କ ସହିତ ଅନ୍ତରଙ୍ଗ ଆଳାପ ମାଧ୍ୟମରେ ଦିବ୍ୟ ସେବା-ସର୍ବସ୍ୱ
ଜୀବନ ତଥା ଅତୀତରେ ଶ୍ରୀମନ୍ଦିରର ସ୍ଥିତି ବିଷୟରେ ଅନେକ କଥା ଜାଣିହୁଏ । ସେଥିରେ ସେ କାଳର ଅର୍ଥନୈତିକ ଦୁରବସ୍ଥା, ଅବ୍ୟବସ୍ଥିତ ପରିମଳ ବ୍ୟବସ୍ଥା, ଅଲୌକିକ ଘଟଣାବଳୀ ଆହୁରି କେତେ କ’ଣ ରହିଥାଏ । ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଉଛନ୍ତି ଶହଶହ ବର୍ଷ ଧରି ମାତ୍ର ମନ୍ଦିରର ପାରିପାଶ୍ୱିର୍କ ଅବସ୍ଥା ଆମେ ଏବେ ଦେଖିବାରେ କେତେ ସୁଧୁରିଛି, ବ୍ୟବସ୍ଥାରେ ସଂସ୍କାର ଆସିଛି ତାହା ପୁରୁଖା ସେବକମାନଙ୍କ ତୁଣ୍ଡରୁ ଶୁଣିଲେ, ଅନେକ ଜୀବନ୍ତ ଲାଗେ ।

ଭଗବାନ ସୁଆର(କଣ୍ଡୁରୀ)ପ୍ରାୟ ଷାଠିଏ ବର୍ଷ ଧରି ଶ୍ରୀମନ୍ଦିରରେ ସୁଆର ଭାବରେ ସେବା କରିଆସୁଛନ୍ତି । ସେ ସୁଆର, ମହାସୁଆର ନିଯୋଗର ପ୍ରାକ୍ତନ ସଭାପତି ଓ ଶ୍ରୀମନ୍ଦିର ପରିଚାଳନା ପରିଷଦର ସଦସ୍ୟ ରହିଥିଲେ । ଏହା ଛଡ଼ା ଅନେକ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ସକ୍ରିୟ ଭାବେ ଜଡ଼ିତ ।

ବରିଷ୍ଠ ସେବକ ଭଗବାନ ସୁଆରଙ୍କ ସହିତ ଦେବୀ ପ୍ରସନ୍ନ ନନ୍ଦଙ୍କ ଆଳାପ

ପ୍ରଶ୍ନ – ଆପଣଙ୍କ ପିଲାବେଳ କଥା କିଛି କୁହନ୍ତୁ ।

ଉତ୍ତର : ମୋ ବାବା ଦୁଃଖା ସୁଆର ମତେ ଭାରି ଗେଲବସର କରି ବଢ଼େଇଥିଲେ । ମତେ କାନ୍ଧରେ ବସାଇ ସବୁଆଡ଼େ ନିଅନ୍ତି । ଦେଉଳକୁ ବି ଯାଏ । ଜେଗାରେ ପିଲାଟି ବେଳୁ ମିହନ୍ତ କରିବାକୁ ସେ ମତେ ବତେଇଥିଲେ । ମୁଁ ଦଣ୍ଡ ବୈଠକ ପକାଇବା ସହ କୁସ୍ତି ଲଢ଼ିବା ଅଭ୍ୟାସ କଲି । ଆମ ଘରେ ସେତେବେଳେ ଦଶ ବାରଟି ଗାଈ ବାଛୁରୀ ଥିଲେ । ପାହାନ୍ତାରୁ ବାବା ଉଠି ଦାଣ୍ଡ ଦୁଆରେ ତାଳି ମାରି ସେମାନଙ୍କୁ ଡାକିଦେଲେ ସେମାନେ ଯିଏ ଯୋଉଠି ଥିଲେ ଆସିଯାଆନ୍ତି । ବାବା ସେମାନଙ୍କୁ ଖାଇବାକୁ ଦେଇ ଯାହାଠାରୁ ଦୁହିଁବା କଥା ଦୁଧ ନିଜେ ଦୁହଁନ୍ତି । ତା’ପରେ ଦୁଧ ଫୁଟି ମୋଟା ସର ପଡ଼ିଲେ ମତେ ଦି’ବେଳା ପିଇବାକୁ ଦିଅନ୍ତି । ମୁଁ ଜେଗାରେ ଜୋର(କସ୍‌ରତ) କରିବାକୁ ମୋର ଆଗ୍ରହ ବଢ଼େ ।

ପ୍ରଶ୍ନ – କେବେ ମନ୍ଦିରରେ ସେବା ଆରମ୍ଭ କଲେ?

ଉତ୍ତର : ପିଲାବେଳ ମୁଁ ବାବାଙ୍କ ସହିତ ଦେଉଳକୁ ଯାଏ । ରୋଷଘର ରନ୍ଧାକାମକୁ ନଜର କରେ । ସେତେବେଳେ ରୋଷଘର ଏବେ ଭଳି କୋଠା ନଥିଲା । ଲମ୍ବା ଦାଣ୍ଡି ଚାଳଘରେ ରୋଷ ହେଉଥିଲା । ପରେ ରାମଚନ୍ଦ୍ର ଦେବଙ୍କ ବେଳେ କଲିକତାର ଜଣେ ଶେଠଙ୍କ ଦାନରେ ନୂଆ ରୋଷଘର ତୋଳାହେଲା । ଚୁଲିସବୁ ସଜଡ଼ା ହେଲା । ମତେ ଏଗାର ବର୍ଷ ବୟସରେ ହଠାତ୍ ବାବା ଚାଲିଗଲେ । ତା’ପରେ ମତେ ରୋଷକୁ ଯିବାକୁ ପଡ଼ିଲା । ମୁଁ ସେତେବେଳେ ବଡ଼ୁ (ବ୍ରତ) ହେଇନଥିଲି । ରୋଷଘର ନିୟମ ଅନୁସାରେ ବଡ଼ୁ ହୋଇନଥିଲେ ଚୁଲି ଛୁଇଁବା ମନା । ଅନ୍ୟ ଭାଇମାନଙ୍କ ସହଯୋଗରେ ମୋ ପାଇଁ ଅଳ୍ପ କିଛି ଭୋଗ ଉଠିଥାଏ । ମୁଁ ତାକୁ ବିକି ଘରକୁ ଆସେ । କିଛି ଦିନ ପରେ ମତେ ଭଲ ଲାଗିଲାନି । ଏଣେ ମାତ୍ର ଦ୍ୱିତୀୟ ଶ୍ରେଣୀରୁ ମୋ ପାଠପଢ଼ା ବନ୍ଦ ହେଇଗଲା । ବାବା ଯିବାର ପ୍ରାୟ ଦେଢ଼ବର୍ଷ ପରେ ବଡ଼ୁ ହେଇ ନିୟମିତ ପାଳି କଲି, ଭୋଗ ତୋଳିଲି ।

ପ୍ରଶ୍ନ – ମହାପ୍ରସାଦ ରନ୍ଧନ ଓ ବିକ୍ରୟରୁ ସେତେବେଳେ ଆୟ କ’ଣ ହେଉଥିଲା ?

ଉତ୍ତର : ସେତେବେଳେ ଆମେ ପରସ୍ପରର ସହଯୋଗରେ ଭୋଗ ରାନ୍ଧି, ଛେକ ବୋହି ନିଜେ ତୋଳୁଥିଲୁ । ଆନନ୍ଦ ବଜାରରେ ବସି ନିଜେ ବିକ୍ରୟ କରୁଥିଲୁ କିନ୍ତୁ ଏବେ କଥା ଅଲଗା । ରାନ୍ଧିବା ଲୋକ, ଛେକ ନେବା ଲୋକ ଓ ବିକିବା ଲୋକ ଅଲଗା । ସେତେବେଳେ ସେବା ମନୋବୃତ୍ତି ଅଧିକ ଥିଲା ଆଉ ଏବେ ବେପାର । ଆଗେ ଏତେ ପରିମାଣର ଭୋଗ ରନ୍ଧା ହେଉନଥିଲା । ବରାଦ ପଡ଼ିଲେ ଅଧିକ ହେଉଥିଲା । ଏତେ ଲୋକ କୋଉଠି ଆସୁଥିଲେ? ନୀତି ଡେରି ହେଲେ ଆନନ୍ଦ ବଜାରରେ ପୋଲାଙ୍ଗ ତେଲରେ ଦୀପଟିଏ ଜାଳି ବସିବାକୁ ପଡ଼ୁଥିଲା । ପର୍ବପର୍ବାଣୀରେ ଗହଳି ଟିକେ ବେଶି ହେଉଥିଲା । ମୋ ବାବା ଗୋଟେ ମଠ କୁଡ଼ିଆ ଡାଲି ଉପରେ ଦି’ ଡଙ୍କି ଗୁଆଘିଅ ଦେଇ କରୁଥିଲେ । ପତରରେ ଲାଗିଲେ ଅନ୍ନ ଲାଗିଲା ବେଳକୁ ଡାଲି ଉପରେ ସର ପଡ଼ିଯାଉଥିଲା । ଜଣେ ସୁଆର ଗୋଟାମୁଗ ଡାଲି ରାନ୍ଧି ବିକିବାବୁ ବସୁଥିଲେ ଯେ ତାଙ୍କ ଡାଲିର ଭାରି ଆଦର ଥିଲା । ଲୋକ ଚାହିଁ, ସେ କାହାକୁ ଦୁଇ ପଇସାର ଡାଲି ଦେଉନଥିଲେ । କହୁଥିଲେ ପଇସାକର ନିଅ, ଉଦ୍ଦେଶ୍ୟ ଅଧିକ ଲୋକ ଚାଖିବେ । ଆଉ ଜଣେ ସୁଆର ମଠ ବଗଡ଼ା ଚାଉଳର ଭାତ ଆଉ ବିରିଡାଲି କରୁଥିଲେ । ସେ ଜିନିଷ ଆଉ ଏବେ ନାହିଁ । ସେ ବଗଡ଼ା ଚାଉଳ ଏବେ ଦେଖିବାକୁ ସପନ । ଏବେ ଆମଦାନୀ କଥା କହୁଛି । ଅବଢ଼ା ଖଟଣିରେ ପ୍ରାୟ ବହିଣା ରଖାଯାଏନି । ଯିଏ ବରାଦ କଲା ମୁଁ ତା’ ଘରକୁ ଭୋଗ ପଠାଇଦିଏ । ତା’ର ବାହା ପୁଆଣି କାମ ସରିଗଲେ ସେ କିଏ ନା ମୁଁ କିଏ ! ମାଗିଲେ ମୁଁ ଖରାପ ଲୋକରେ ଗଣା ହୁଏ । ପୁଣି ତା’ପରେ ଭୋଗ ରାନ୍ଧିବାକୁ ସଉଦା ବାକିରେ ଆଣିବାକୁ ପଡ଼େ । ଏମିତି ସଉଦା ଦୋକାନ ମହାଜନର ବାକି ବଢ଼ିଚାଲେ । ପୁଣି କିଏ ବରାଦ କଲେ ମୁଁ ଭୋଗ ପଠାଇ ଦିଏ । ମୋର ସରଳ ବିଶ୍ୱାସର ସୁଯୋଗ ନେଇ ଲୋକେ ମତେ ଠକିଲେ । ମୋର ବହୁ ଟଙ୍କା ବୁଡ଼ିଗଲା । ନେହୁରା ହୋଇ ମାଗିଲେ ମଧ୍ୟ କିଛି ଫଳ ମିଳିଲାନି । କ୍ରମେ ମୁଁ କାଙ୍ଗାଳ ହେଇଗଲି । ଦିନେ କିଛି ଭୋଗ ମୁଣ୍ଡେଇ ଆସିଲା ବେଳକୁ ସଉଦା ମହାଜନ ହାବୁଡ଼ରେ ପଡ଼ିଲି । ସେ ମୋ ଅଣ୍ଟାରେ ବାନ୍ଧିଥିବା ଗାମୁଛାକୁ ଧରି ଟାଣି ଟାଣି ତା ଦୋକାନ ପାଖକୁ ନେଲା । ବାରକଥା କହିଲା, ସେ ଭୋଗକୁ ଛଡ଼ାଇ ରଖିଲା । ମୁଁ ସେତେବେଳେ ଜୁଆନ ଭାବରେ ଗଣା ହେଉଥିଲେ ମଧ୍ୟ କାହା ସାଙ୍ଗେ ଗଣ୍ଡଗୋଳ କରିବା ମତେ ଜଣାନଥିଲା । ସେ ଅପମାନ ସହି ନପାରି ନୀଳଚକ୍ରକୁ ଚାହିଁ ଆଉ ରୋଷକୁ ନଯିବା ପାଇଁ ପଣ କରିଥିଲି । ତା’ପରେ ମୋ ପରିବାରର ଅବସ୍ଥା ଆହୁରି ବିଗିଡ଼ିଗଲା । ମୁଠେ ଖାଇବାକୁ ନପାଇ ଲଗାତାର ଦି’ଚାରି ଦିନ ଅନାହାରରେ ରହିବା ମୋର ମନେଅଛି । ପିଲାମାନେ ଯାଇ ମାମୁଁଘରେ ଖାଇଦେଇ ଆସନ୍ତି । ଶ୍ୱଶୁର ଘରୁ ଭାରିଯା ପାଇଁ ଦୈନିକ ଖାଇବା ଆସେ । ସେ ମତେ ଖାଇବାକୁ ଡାକେ , ମୁଁ ମୋ ସ୍ୱାଭିମାନ ରଖି ଖାଏନାହିଁ, ଏଣୁ ମୁଁ ନଖାଇବାରୁ ସେ ମଧ୍ୟ ଖାଏନି । ଭୋକରେ ରହି ମୋ ଦେହ ଶୁଖିଯାଏ, ଗୋଡ଼ହାତ ଚଳେନି ।

ସେହି ଅବସ୍ଥାରେ କିଛି ଖଳ ଲୋକେ ଆମ ଘର କିଣିବାକୁ ମଧ୍ୟ ଆଗେଇ ଆସିଛନ୍ତି । କିନ୍ତୁ ଘର ନବିକିବାକୁ ଶପଥ କରିଥିଲି । ସାହାଯ୍ୟ ତ ଦୂର କଥା ସହାନୁଭୂତି ମଧ୍ୟ ପାଇନି । ଏମିତି ବିକଳ ଅବସ୍ଥା ଅନେକ ଦିନ ଧରି ରହିଲା ପରେ ସେତେବେଳେ ଖଜା କାମ ଆରମ୍ଭ କରିଥିଲି । ପୁଣି ଏମିତି ଦିନେ ମହାପ୍ର୍ରଭୁଙ୍କ ସେବା କଥା ମନକୁ ଆସିଲା । ଭାରିଯା ମୋତେ ଯାଇ ସେବା କରିବାକୁ ଉତ୍ସାହିତ କଲା । ତା ବେକରୁ ସୁନାମାଳି ନେଇ ବନ୍ଧକ ରଖି ସଉଦା ନେଇ ରୋଷକୁ ଗଲି । ଖଟିଲି, ସେବା କଲି । ଅବସ୍ଥା ସାମାନ୍ୟ ସୁଧୁରିଲା । କାହାର ଭୋଗ ବରାଦ ଆଉ ଧରିଲିନି । କେବଳ ଆନନ୍ଦ ବଜାରକୁ ଭରସା କଲି । ସଉଦା ଆଉ ବାକିରେ ଆଣିବିନି ବୋଲି ଠିକ୍ କଲି । ଯେତିିକି ଚୁନାକୁ ସେତିକି ପିଠାରେ ଚଳେଇଲି । ତା’ ଭିତରେ ବହୁ କଷ୍ଟରେ ମଧ୍ୟ ବଡ଼ପୁଅକୁ ବଡ଼ୁ କଲି । ସାହିର ଜଣେ ଲୋକ ତିିନିହଜାର ଟଙ୍କା ସାହାଯ୍ୟ କରିବାରୁ କାମ ଉଠିଲା । ଲୋକଙ୍କୁ ଗଣ୍ଡେ ଖୁଆଇ ପିଆଇ ଛାଡ଼ିପାରିଲି ।

ପ୍ରଶ୍ନ – ଆପଣଙ୍କ ପିଲାବେଳେ ମନ୍ଦିର ଅବସ୍ଥା କ’ଣ ଥିଲା? ଆଉ ଏବେ କେମିତି ଅଛି ?

ଉତ୍ତର : ଗଜପତି ରାମଚନ୍ଦ୍ର ଦେବଙ୍କ ଦେହାନ୍ତ  ୧୯୫୪-୫୫କାର୍ତ୍ତିକ ମାସ ବଡ଼ ଏକାଦଶୀ ଦିନ ହେଲା । ବୀରକିଶୋର ଦେବ ରଜା ହେଇ ପଞ୍ଚତୀର୍ଥ ଦିନ ଦେଉଳକୁ ଦର୍ଶନ ପାଇଁ ଆସିଲେ । ମନେଅଛି, ରଜା ଆସିବେ ବୋଲି ଇଷ୍ଟେଟ ପକ୍ଷରୁ ଅଧିକ ଲୋକ ଲଗାଇ ସଫେଇ କରାଯାଇଥିଲା । ନହେଲେ ସବୁଆଡ଼େ କୁଢ଼ କୁଢ଼ ଅଳିଆ । ଆନନ୍ଦ ବଜାରରେ ହାଣ୍ଡିକୁଡ଼ିଆ ସେମିତି ଅନେକ ଦିନ ଧରି ଗଡ଼ୁଥାଏ । ଜଗମୋହନରେ ଗରୁଡ଼ ଖମ୍ବ ପାଖରେ ଦୀପାଳିର ଛୋଟିଆ ପାହାଡ଼ଟିଏ ହେଇଥିବ ଆଉ ଅଗଣାସାରା ସେମିତି ଦୀପାଳି, ଖପରା, ଶୁଖିଲା ଫୁଲ ପତର ଜମା ହେଇଥିବ । ସେତେବେଳକୁ ରଜାଙ୍କ ହାତରୁ ଦେଉଳ ସରକାର ନେବା ପରେ ଅବସ୍ଥା ଧିରେ ଧିରେ ସୁଧୁରିଲା । ସରକାରୀ ହାକିମ ନିଯୁକ୍ତ ହେଲେ, ନୂଆ ନୂଆ ଆଇନ ଲାଗୁ ହେଲା । ଦେଉଳ ଅଗଣାରେ ଲାଇଟ ଜଲିଲା ବୋଧେ ପ୍ରଥମ କରି ପ୍ରଶାସକ ଲକ୍ଷ୍ମଣ ମିଶ୍ରଙ୍କ ବେଳେ । ତା’ପରେ ପରମାନନ୍ଦ ତ୍ରିପାଠୀ ପରିଚାଳକ ହେଇ ଆସିବା ପରେ ବହୁ ଉନ୍ନତ୍ତିମୂଳକ କାମ ହେଲା । ଅଧିକ ଆୟ ପାଇଁ ମାହାଲ ସୃଷ୍ଟି ହେଲା । ଆନନ୍ଦ ବଜାରର ସଂସ୍କାର ହେଲା । ଜଗମୋହନ ଆଲୋକିତ ହେଲା । ନ ହେଲେ ତା ପୂର୍ବରୁ ଅବସ୍ଥା ନ କହିଲେ ଭଲ । ସଞ୍ଜ ଲାଗିଲେ ଦେଉଳ ଭିତର ପୁରା ଅନ୍ଧାର ଥାଏ । ଅଗଣା ସାରା ଆଠ ଦଶଠା’ରେ ଦୀପ ଲଗାଇ ପୁରାଣ ପାଠ ହେଉଥାଏ । କୀର୍ତ୍ତନ ଚକଡ଼ାରେ ସଂକୀର୍ତ୍ତନ ଚାଲିଥାଏ । ପଶ୍ଚିମ ଦୁଆରେ, ବଟ ମୂଳେ, ଲକ୍ଷ୍ମୀଙ୍କ ଜଗମୋହନରେ । ଏମିତି କେତେ ଯାଗାରେ ମନ୍ଦା ମନ୍ଦା ହେଇ ଲୋକେ ବସି ପୁରାଣ ଶୁଣନ୍ତି । ଝୁଲଣ ଓ ପର୍ବପର୍ବାଣୀରେ ଦିହୁଡ଼ି ଲାଗେ । ଭିତରେ ନୀତିକାନ୍ତି ସେମିତି ଦୀପ ଓ ଦିହୁଡ଼ି ଲାଗି ହୁଏ । ଦୀପ ଆଲୁଅରେ ମହାପୁରୁଙ୍କ ମୁହଁ ଲୋକଙ୍କୁ ସଫା ଦେଖାଯାଏନି ।

ପ୍ରଶ୍ନ : ପୁରୀରେ ଖଜା ବ୍ୟବସାୟର ବିକାଶରେ ଆପଣଙ୍କ ନାମ ଆସେ, ତାହା କେବେ କେମିତି ଆରମ୍ଭ ହେଲା?

ଉତ୍ତର : ଖଜା, ଦେଉଳରେ ପ୍ରତିଦିନ ମହାପ୍ରଭୁଙ୍କୁ ଭୋଗ ଲାଗେ, ମହାପ୍ରସାଦ ଆକାରରେ ବିକ୍ରି ହୁଏ । ପୁରୀରେ ଖଜାପଟି ଥିଲା ଯାହା ଏବେ ଭାଙ୍ଗିଦିଆଗଲା । ମୁଁ ମହାପ୍ରଭୁଙ୍କ ଉପରେ ଅଭିମାନ କରି ଦେଉଳକୁ ନଯିବା ବେଳର ଘଟଣା । ଆମର ସ୍ୱର୍ଗଦ୍ୱାର ପାଖ ଅରବିନ୍ଦ
ଧାମ ସାମନାରେ ଛୋଟ ଯାଗାଟିଏ ଦଖଲରେ ଥିଲା । ମୁଁ ସେଇଠି ପ୍ରଥମେ ଅଳ୍ପ କରି ଖଜା ତିଆରି କଲି । ପୂର୍ବରୁ ରୋଷଘରେ ଖଜା ତିଆରି ଶିଖିଥିଲି । ସେତେବେଳେ ସ୍ୱର୍ଗଦ୍ୱାରଠାରୁ ବିଧବା ଆଶ୍ରମ ଭିତରେ ଏତେ ଘରଦ୍ୱାର ନଥିଲା । ମଝିରେ ହରିଦାସ ଆଶ୍ରମ ଆଉ କେତୋଟି ଘର ଥିଲା । କେବଳ ଯାତ୍ରା ଦିନ ବା ଛୁଟିଦିନରେ ବଙ୍ଗାଳି ଯାତ୍ରୀ ଆସୁଥିଲେ । ସେମାନେ କିଛି କିଛି ନେଲେ । ମୋ ଖଜାକୁ ପସନ୍ଦ କଲେ । ପଡ଼ିଆ ଦାଣ୍ଡରେ ବେପାର ମାନ୍ଦା ହେଉଥିଲା । ପରେ ହୋଟେଲ, ହଲିଡ଼େ ହୋମ ସଂଖ୍ୟା ବଢ଼ିଲା । ମୋ ଦୋକାନରେ କାକତୁଆଟିଏ ରହିଥାଏ । ସେ ମୋ ସାଙ୍ଗରେ ଘରୁ ଯାଏ ଆଉ ମୋ ସାଙ୍ଗରେ ଘରକୁ ଫେରେ । ବଙ୍ଗାଳି ଯାତ୍ରୀ ମୋ ଦୋକାନକୁ କାକତୁଆ ଦୋକାନ ବୋଲି କହିଲେ । ମୋ ଖଜାର ନାଁ କାକତୁଆ ଖଜା ବୋଲି କୁହାଗଲା । କ୍ରମେ ସେଇଟା ଗୋଟେ ମାର୍କା ହେଇଗଲା । ଏବେ କାକତୁଆ ନାଁରେ ନକଲି ଖଜା ମଧ୍ୟ ବିକ୍ରି ହେଲାଣି ।

ପ୍ରଶ୍ନ : ଆପଣ ଏବେ ବି ଘରେ କେତୋଟି କାକତୁଆ ଓ ଅନେକ ଚଢ଼େଇ ପାଳିଛନ୍ତି । ଆଉ କ’ଣ ସବୁ ଆପଣଙ୍କ ସଉକ ରହିଛି?

ଉତ୍ତର : ପ୍ରଥମେ ଆର୍ତ୍ତ ମହାସୁଆରଙ୍କ ଘରେ ମତେ ଗୋଟିଏ କାକତୁଆ ଦେଇଥିଲେ । ସେଇଟି କିଛିଦିନ ପରେ ମରି ଯିବାରୁ ମୁଁ କଲିକତାରୁ ଆଉ ଗୋଟିଏ ଆଣିଲି । ଏବେ ମୋର ତିନୋଟି କାକତୁଆ, ମାକାଉ ଆଉ ପାଞ୍ଚ ଶହ ସରିକି ବାରମାସୀ ଚଢ଼େଇ ଅଛନ୍ତି । ଗାଈ ବାଛୁରୀ ତିରିଶ ସରିକି ଥିଲେ ଏବେ ଦଶ ବାରଟି ଅଛନ୍ତି । ଏକ ସମୟରେ ଦେଢ଼ଶହ ପାରା ମୁଁ ରଖିଥିଲି । ନିଜ ପୋଷା ପାରା ଆକାଶରେ ଚକର କାଟି ଉଡ଼ିବା ଦେଖିଲେ ମନ ଆନନ୍ଦ ହୁଏ । ମୁଁ ଗୋବରା ଚଢ଼େଇ ରଖି ଲଢ଼େଇ କରିଛି । ମେଣ୍ଢା ପାଳି ତାକୁ ଲଢ଼ୁଆ କରିବା ପାଇଁ ଦଉଡ଼େଇଛି । କେତେଥର ପାକଲା ଗାମୁଛା ପ୍ରସ୍ତୁତ କରି ନିଜେ ବ୍ୟବହାର କରିଛି, ଅନ୍ୟମାନଙ୍କୁ ମଧ୍ୟ ଶ୍ରଦ୍ଧାରେ ଦେଇଛି । ତିନିଥର ସାହିଯାତରେ ପର୍ଶୁରାମ ବନ୍ଧେଇଛି ଆଉ ଶୀତଳ ଷଷ୍ଠୀରେ ନାଗା ବନ୍ଧେଇଛି । ଏମିତି ସବୁ ମୋର ସଉକ ।

ପ୍ରଶ୍ନ : ଆପଣ ଅନେକ ଦେଶ ବିଦେଶ ବୁଲିଛନ୍ତି । ଭ୍ରମଣ କ’ଣ ଆପଣଙ୍କ ଏକ ସଉକ ?

ଉତ୍ତର : ହଁ, ମୁଁ ବହୁ ଦେଶ ବୁଲିଛି । ହିସାବ କଲେ, କୋଡ଼ିଏ କି ପଚିଶ ଦେଶକୁ ଯାଇଛି । ଇଉରୋପର ବାରଟି ଦେଶ ସହ ଚୀନ, ଜାପାନ, ଆମେରିକା, ସିଙ୍ଗାପୁର, ଦୁବାଇ, କେନିଆ, ସାଉଥ ଆଫ୍ରିକା, ମାଲେସିଆ, ମରିସସ୍ , ଇଣ୍ଡୋନେସିଆ, ବାଲି, ମାକାଉ ପ୍ରଭୃତି ଦେଶ ବୁଲିବାର ସୁଯୋଗ ପାଇଛି । ଭ୍ରମଣର ସୁଯୋଗ ମିଳିଲେ ମୁଁ ଯାଇ ବୁଲିଆସେ । ଏବେ କରୋନା ସକାଶେ ବିଶେଷ କୁଆଡ଼େ ଯିବା ସମ୍ଭବ ହୋଇନି । ଭାରତ ଭିତରେ ମଧ୍ୟ ଅନେକ ଯାଗାକୁ ଯାଇଛି ।

ପ୍ରଶ୍ନ : ଆପଣଙ୍କ କସରତ ଅଭ୍ୟାସ ଆଉ କୁସ୍ତିି ଲଢ଼ିବା ବିଷୟରେ କିଛି କୁହନ୍ତୁ ?

ଉତ୍ତର : ପୁରୀର ବହୁ ଜାଗା ଘରେ ମୁଁ କସରତ କରିଛି । ଜଗତ ପଢ଼ିଆରୀ ଜାଗା, ଶଙ୍ଖକୋଟ ଜାଗା, ଢିପ ଜାଗା, ଓଡ଼ିଶା ଜାତୀୟ ବ୍ୟାୟାମ କ୍ରିଡ଼ା ପରିଷଦ , ଖୁଣ୍ଟିଆ ଜାଗା ଇତ୍ୟାଦିରେ ମୁଁ ଅଭ୍ୟାସ କରିଛି । ରାଜ୍ୟସ୍ତରରେ କଟକ , ବାରିପଦା, ଯୋଡ଼ା, ବ୍ରହ୍ମପୁରରେ ଲଢ଼ିଛି । ଅନେକ ଯାଗାରେ ଜିତିଛି, କୋଉଠି ହାରିଛି ମଧ୍ୟ ।  ହାରଜିତ୍ ତ ଲାଗିଥାଏ ଖେଳରେ । ସେହି ଖେଳୁଆଡ଼ ମନୋବୃତ୍ତି ନେଇ ଲଢ଼ିବା କଥା । ୧୯୭୪ ମସିହାରେ ଗୁଣ୍ଡିଚାଘର ପାଖରେ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଆମ ସାହିର ବିବିନା ମହାପାତ୍ରଙ୍କଠାରୁ ହାରିବା ପରେ କୁସ୍ତି ଆଉ ଲଢ଼ିନାହିଁ । ଅଭ୍ୟାସ କଲାବେଳେ ରାତି ଚାରିଟାରୁ ଉଠି ମୁଁ ଦଉଡ଼ି କରି ଚନ୍ଦନପୁର ନହେଲେ ଏପଟେ ଗିରଳ ନହେଲେ ପନ୍ତାକୂଳରେ କେନାଲ ପର୍ଯ୍ୟନ୍ତ ଯାଏ ପୁଣି ଲେଉଟି ଆସେ । କୁସ୍ତି ପାଇଁ ତିନି ପ୍ରକାର ଅଭ୍ୟାସ ଜରୁରୀ, ଦଉଡ଼, ପିଟି ଓ କୁସ୍ତି ଅଭ୍ୟାସ ।

ପ୍ରଶ୍ନ : ଆପଣ ଶ୍ରୀମନ୍ଦିର ଭିତରେ ଅନେକ ସମୟ କଟାଇଥିବେ ନିଶ୍ଚୟ, କେବେ କିଛି ଅଲୌକିକ ଘଟଣାର ସାମ୍ନା କରିଛନ୍ତି ?

ଉତ୍ତର : ଦେଉଳ ଭିତରେ କୁତାମ ଚଣ୍ଡୀ ବାହାରିବା ଅନେକ ଦେଖିଛନ୍ତି । ଆନନ୍ଦ ବଜାର ଭିତରେ ଏକ କଳା କୁକୁର ବୁଲି ତଳେ ପଡ଼ିଥିବା ଅବଢ଼଼ା ଖାଉଥିବା ଦେଖି ଆମେ ହଲା କରୁ । ହେ! କୁକୁୁର ପଶିଲା ବୋଲି ରଡ଼ିଟେ କଲେ ସେ ଆଖି ପିଛୁଳାକେ ଦଉଡ଼ି ଯାଇ କଳ୍ପବଟ ଆଉ ମୁକ୍ତି ମଣ୍ଡପ ମଝିରେ ଅଦୃଶ୍ୟ ହେଇଯାଏ । ସେଇଠି ପରା କାନ୍ଥରେ ଏକ ଠଣା ମନ୍ଦିରରେ ସେ ରହନ୍ତି! ଆହୁରି ମୁଁ ଆମ କକା ଓ ଅଜାଙ୍କଠୁ ବହୁ କଥା ଶୁଣିଛି । ନବକଳେବର କାଳରେ ଘଟ ପରିବର୍ତ୍ତନ ବେଳେ ଠାକୁରାଣୀମାନଙ୍କ ମନ୍ଦିର ଭିତରୁ ମାଇପିଙ୍କ କାନ୍ଦଣା ଭଳି ଶୁଭେ । ଥରେ ଜଣେ ସେବକ ରାତିରେ ମନ୍ଦିରରେ ରହିଥିବାବେଳେ ଧୁକୁଡ଼ି ଦୁଆର ଦେଇ ଜଣେ ମାଇପି ବିମଳାଙ୍କ ଦେଉଳ ଆଡ଼କୁ ଯାଉଥିବା ଦେଖି ସେ ତା’ ପଛରେ ବାହାର ଲୋକ ଭାବି ଗଲା । ସେ ମାଇପି ଜଣଙ୍କ ବିମଳାଙ୍କ ମନ୍ଦିର ଭିତରକୁ ଗଲାପରେ ସେବକ ଜଣଙ୍କର ସେଇଠି ଚେତା ବୁଡ଼ିଗଲା । ଆଉ ପରେ ମଲା । ଏମିତି କେତେ କଥା ଶୁଣିଛି । ମୋ ଅନୁଭବରେ ମତେ
ବାଇଶି ବର୍ଷ ପ୍ରାୟ ହେଇଥାଏ । ଭିଆ ହେଇ ନଥାଏ । ମୁଁ ଭୋରରୁ ଉଠି ପାଳି ଖଟିବି ବୋଲି ଦେଉଳରେ ଅନେକ ରାତି କଟେଇଛି । ମୁଁ ପଢ଼ିଆରୀ ନିଯୋଗ ପିଣ୍ଡା ଉପରେ ଗାମୁଛା ଖଣ୍ଡେ ପାରିଦେଇ ଶୋଇଛି, ଅଧରାତିରେ ନିଦ ଭାଙ୍ଗିଗଲା । ମୁଁ ନିଦରୁ ଉଠିଥିବାରୁ ସେତେବେଳେ ଦେଉଳ ଶୋଧ ହେଲାଣି କି ନାହିଁ ଜାଣି ପାରିନଥିଲି । ଲାଇଟ ନଥାଏ । ସବୁଆଡ଼େ ଅନ୍ଧକାର । ସେତେବେଳେ ମୁଁ ଦେଖିଲି, ଉତ୍ତର ଦ୍ୱାର ମା’ ଶୀତଳାଙ୍କ ଆଡ଼ୁ ପ୍ରାୟ ସାତଜଣ ମାଇପି ହାତରେ ଦୀପଟିଏ ମାନ ଧରି ଆସି ସାତ ପାହାଚ ଦେଇ ଭିତରକୁ ଗଲେ । ମୁଁ ଭାବିଲି ସେମାନେ ବୋଧେ ଦର୍ଶନ କରିବାକୁ ଆସିଛନ୍ତି କାରଣ ଆମ ସେବକ ପରିବାର ମାଇପେ ସେମିତି ଦଳ ହେଇ ଆସନ୍ତି । କିଛି ସମୟ ପରେ ସେହି ମାଇପିମାନେ ପୁଣି ଲକ୍ଷ୍ମୀଙ୍କ ଦେଉଳ ଆଡ଼ୁ ଆସି କୀର୍ତ୍ତନ ଚକଡ଼ା ପାଖରେ ଅଗଣାରେ ଦୀପଗୁଡ଼ିକୁ ରଖିଦେଇ ଯେଉଁବାଟେ ଆସିଥିଲେ ସେହିବାଟେ ଫେରିଗଲେ । ସେମାନେ ମୋ ନିକଟତର ହେବାରୁ ମୋତେ ଛନ୍‌କା ଲାଗିଲା । ମନେ ପଡ଼ିଗଲା, ବଡ଼ମାନଙ୍କଠୁ ଶୁଣିଥିବା କଥା ଯେ ନିକାଞ୍ଚନରେ ଠାକୁରାଣୀମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ମୁଁ ଗାମୁଛାଟାକୁ ମୁହଁରେ ଘୋଡ଼ାଇଦେଇ ପୁଣି ଶୋଇବାକୁ ଚେଷ୍ଟା କଲି ।

ପ୍ରଶ୍ନ : ପ୍ରତିବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପହଣ୍ଡିରେ ଆପଣ ସକ୍ରିୟ ରହିଥାନ୍ତି । ସେ ବିଷୟରେ କିଛି ଅନୁଭୂତି କୁହନ୍ତୁ ।

ଉତ୍ତର : ପହଣ୍ଡିବେଳେ ସବୁ ବର୍ଷ ଆମେ ସୁଆରମାନେ ଦଇତାମାନଙ୍କ ସହିତ ମିଶିଥାଉ । ମୁଁ ପ୍ରାୟ ସବୁବେଳେ ମାହାପ୍ରଭୁଙ୍କ ପିଠିପଟେ ରହିଥାଏ । ବର୍ଷେ ଗୁଣ୍ଡିଚା ପରଦିନ ଆଡ଼ପ ବିଜେ ବେଳେ ଗୁଣ୍ଡିଚାଘର ସିଂହାସନକୁ ଉଠିବା ବେଳେ ଚାର ଉପରେ ପ୍ରଭୁ ରହିଗଲେ ଯେ
ଆଉ ସେଠାରୁ ଚଙ୍କିଲେ ନାହିଁ । ସେ ଚାରର ଗୋଟିଏ କାଠ ଭାଙ୍ଗିଯାଇଥିବାରୁ ସେଥିରେ ମହାପ୍ରଭୁଙ୍କ ଗଣ୍ଡି ଫସି ରହିଗଲା । ସେଠାରୁ ତାଙ୍କୁ ଉଠାଇବା କାହାର ସାଧ୍ୟ ଅଛି! କେତେ ସମୟ ଆମେ ଚେଷ୍ଟା କରି ପାରିଲୁନି । ସେତେବେଳକୁ ଅନେକ ସେବକ ଖସିଗଲେଣି । ଆମେ ପ୍ରାୟ ଦଶ ବାର ଜଣ ରହିଥାଉ । ଶେଷରେ ମନେ ମନେ ପ୍ରଭୁଙ୍କୁ ଡାକିଲୁ । ପୁଣି କ’ଣ ହେଲା, କିଛି ସମୟ ପରେ ମହାପୁରୁ ଯେମିତି ସତେ ଅବା ନିଜେ ଡ଼ିଆଁଟେ ମାରି ଯାଇ ସିଂହାସନ ଉପରେ ପହଞ୍ଚିଗଲେ । ଏଣୁ ମୋର ବିଶ୍ୱାସ, ଆମେ କିଛି କେହି କରୁନି, ସେ ତାଙ୍କ ଇଛାରେ ଯାଆନ୍ତି, ଇଛା ନହେଲେ ସେଇଠି ରହନ୍ତି । ସେମିତି ଆଉ ବର୍ଷେ ଗୁଣ୍ଡିଚାକୁ ଚାରଉପରେ ରହିଲେ ଯେ ଘଣ୍ଟା ଘଣ୍ଟା ବିତିଗଲା । ପୁଣି ତାଙ୍କର ଯେତେବେଳେ ଇଛା ସେ ଚଳିଲେ । ଧନ୍ୟ ସେ ପ୍ରଭୁ ।

ପ୍ରଶ୍ନ: ସେତେବେଳେ ସେବକମାନଙ୍କ ସେବା ନିଷ୍ଠା କେମିତି ଥିଲା ଆଉ ଏବେ ସେମିତି ଅଛି ନା କିଛି ବଦଳିଛି ?

ଉତ୍ତର : ନିଷ୍ଠା ନରହିଲେ ମହାପ୍ରଭୁଙ୍କ ସେବା କରି ହେବନି ତେବେ ଲାଭ ମନ ବୃତ୍ତି ଓ ଲୋଭ ବଢ଼ିଛି । ସେବାରେ ପ୍ରଥମେ ମହାପ୍ରଭୁଙ୍କ ନିକଟରେ ମୁଣ୍ଡିଆ ମାରି ସେବାକାର୍ଯ୍ୟ ଆରମ୍ଭ କରିବାକୁ ହୁଏ । ଅନ୍ୟାୟ ଅନୀତି, ମାଲିକ ସେସବୁ କିଛି ସହିବେନି ।

ପ୍ରଶ୍ନ : ଆପଣ ବହୁ ଦେଶ ଭ୍ରମଣ କରିଛନ୍ତି । ବିଭିନ୍ନ ଦେଶର ନୂଆ ନୂଆ ଅନୁଭୂତି ଅନେକ ନିଶ୍ଚୟ ରହିଥିବ । ସେ ବିଷୟରେ ଆଉ ଥରେ କହିବେ, ଅନୁରୋଧ ରହିଲା ।

ଉତ୍ତର : ହଉ ! ଜୟ ଜଗନ୍ନାଥ ।

 

Comments are closed.