(ପ୍ରବୀଣା ମହାନ୍ତି ଆମ ସମୟର ଜଣେ ସମ୍ବେଦନଶୀଳ କଥାଶିଳ୍ପୀ । ତାଙ୍କ ଗଳ୍ପରେ ଆମେ ସମକାଳୀନ ସମୟ ଓ ସମାଜକୁ ବେଶ୍ କଳାତ୍ମକ ଢଙ୍ଗରେ ଭେଟିବାକୁ ପାଉ । ୨୦ ଫେବୃଆରୀ ୧୯୫୭ରେ ଜନ୍ମ ହେଇଥିବା ଶ୍ରୀମତୀ ମହାନ୍ତି ଗଳ୍ପ ଓ ଉପନ୍ୟାସ ବ୍ୟତୀତ ପିଲାଙ୍କ ପାଇଁ ଫିଚର୍ ମଧ୍ୟ ଲେଖନ୍ତି । ସ୍ୱାତୀ, ନୀଡ଼, ଏବେ ବି ସୁନ୍ଦର ଧରା, ଶ୍ୟାମଳ ସୁଗନ୍ଧ, ନିବିଡ଼ ନିସ୍ୱନ, ଶ୍ରେୟସୀ ଓ ପୁନଶ୍ଚ ମୌସୁମୀ, ସ୍ତିମିତ ନକ୍ଷତ୍ର, ତନୁ ତନିମା ତବସୁମ୍ ଆଦି ଉପନ୍ୟାସ ଏବଂ ଆଉଜଣେ ଏକଲବ୍ୟ ଓ ଅନ୍ୟାନ୍ୟ କାହାଣୀ, ଜହ୍ନର ଠିକଣା, ବିମ୍ବିତ ଅନୁରାଗ, ଅନ୍ୟା ଅନନ୍ୟା, ଇତି ତୋର ଆତ୍ମଜା ଆଦି ଗଳ୍ପ ସଂକଳନର ସଫଳ ସ୍ରଷ୍ଟା ପ୍ରବୀଣା ମହାନ୍ତି ଅନୁଭବର ଉଚ୍ଛ୍ୱାସକୁ କଥାସାହିତ୍ୟରେ ରୂପାନ୍ତରିତ କରିବାରେ ସତରେ ପ୍ରବୀଣା । ‘ମନୋଜ ଦାସଙ୍କ ଗଳ୍ପରେ ବ୍ୟଙ୍ଗ’ ବିଷୟକୁ ନେଇ ସେ ଗବେଷଣା ମଧ୍ୟ କରିଛନ୍ତି । ଆସଂତୁ ପଢ଼ିବା ତାଂକର ଏକ ଚମତକାର ଗପ)
ଆତ୍ମଜା
ପ୍ରବୀଣା ମହାନ୍ତି
ପ୍ରିୟାଂଶୁଙ୍କୁ ଏୟାରପୋର୍ଟରେ ବିଦାୟ ଦେଇ ଆସିବା ପରେ ଶ୍ରେୟାର ଚତୁର୍ଦିଗ ନିଃସ୍ତବ୍ଧ ହୋଇଯାଇଥିଲା । ଏତେ ଲୋକଙ୍କର କୋଳାହଳ, ଗାଡ଼ିମୋଟର୍ର ପେଁ ପାଁ ଶବ୍ଦ କିଛି ଆଉ ଶୁଭୁ ନଥିଲା ତାକୁ । ଛାତି ଭିତରୁ ଉତୁରି ଆସୁଥିବା ହାବୁକା ହାବୁକା କୋହକୁ କେମିତି ଅଟକାଇବ, ସେ ବୁଝି ପାରୁନଥିଲା । ଅଳ୍ପ କିଛି ଦିନ ତଳେ ସମ୍ପୂର୍ଣ୍ଣ ଭାବରେ ଅପରିଚିତ ଥିବା ଜଣେ ବ୍ୟକ୍ତି ତା’ ଭିତରଟାକୁ କେତୋଟି ମାତ୍ର ଦିନରେ ଏତେ ବେଶି ଆବୋରି ବସିଥିଲେ ଯେ ତାଙ୍କ ବିନା ସବୁ ଶୂୂନ୍ୟ ଲାଗୁଥିଲା । କେତେ ଦିନ ହେଲା କ’ଣ ହୋସ୍ରେ ଥିଲା ସେ? ସିଏ ତ କୋଉ ପରୀରାଇଜରେ କି ସ୍ୱପ୍ନପୁରୀରେ ପହଞ୍ଚି ଯାଇଥିଲା । ଜୀବନରେ ଏତେ ସୁଖ ସମ୍ଭବ ହୋଇପାରେ – ଏ କଥା ସେ ବିଶ୍ୱାସ କରି ପାରୁନଥିଲା । ପ୍ରିୟାଂଶୁଙ୍କ ପରି ଜୀବନସାଥୀ ପାଇ ଧନ୍ୟ ହୋଇଯାଇଥିଲା ସେ । ତାଙ୍କଠାରୁ ମୁହୂର୍ତ୍ତେ ମଧ୍ୟ ଅଲଗା ରହିବାପାଇଁ ଚାହୁଁ ନଥିଲା । ଅଥଚ ପ୍ରିୟାଂଶୁ ଯେତେବେଳେ କାଲିଫର୍ଣ୍ଣିଆ ଯିବାକୁ ବାହାରିଲେ, ଶ୍ରେୟା ତାଙ୍କ ସହିତ ଯିବାର ଉପାୟ ନଥିଲା । ବିଦେଶ ଯାତ୍ରା ପାଇଁ ଯାହା ସର୍ବପ୍ରଥମ ଆବଶ୍ୟକତା, ସେଇ ପାସପୋର୍ଟ କି ଭିଜା ନଥିଲା ତା’ର । ଏତେ ଶୀଘ୍ର ସେସବୁ ତା’ର ଆବଶ୍ୟକ ହେବ ବୋଲି ସେ ଜାଣିଥିଲା, ନା ଜାଣିଥିଲା ଏତେ ଶୀଘ୍ର ତା’ର ବାହାଘର ହୋଇଯିବ ବୋଲି? ସବୁ କଥାରେ ଯେମିତି ଜିଦ୍ ଧରି ବସେ, ସେମିତି ଅଡ଼ିବସିଥିଲା ଏବେ ବାହା ହେବନାହିଁ । ଯେପର୍ୟ୍ୟନ୍ତ ପ୍ରିୟାଂଶୁଙ୍କୁ ଦେଖି ନଥିଲା, ଜାଣିନଥିଲା – ସେପର୍ୟ୍ୟନ୍ତ ନିଜ ଜିଦରେ ଅଟଳ ଥିଲା ସେ । କିନ୍ତୁ ଯେଉଁ ଦିନ ତାଙ୍କୁ ପ୍ରଥମେ ଦେଖିଲା, ତାଙ୍କ ସହିତ କଥାବାର୍ତ୍ତା କଲା – ନିଜର ମତ ବଦଳାଇବାକୁ ବାଧ୍ୟ ହୋଇଥିଲା । ପ୍ରିୟାଂଶୁଙ୍କର ମଧ୍ୟ ବର୍ତ୍ତମାନ ବାହା ହେବାର ନଥିଲା । ଜଣେ ସମ୍ପର୍କୀୟଙ୍କର ବାହାଘରରେ ଯୋଗଦେବାକୁ ନିଜର ବାପା ମାଆଙ୍କ ସହିତ ସେ କାଲିଫର୍ଣ୍ଣିଆ ଆସିଥିଲେ ।
ବିବାହଯୋଗ୍ୟ ପୁଅ ଝିଅ ଥିଲେ ବାହାଘର କଥା ପଡେ଼ । ବିଭିନ୍ନ ମାଧ୍ୟମରେ ପ୍ରସ୍ତାବମାନ ଆସେ । ନିଜ ସମ୍ପର୍କୀୟଙ୍କ ବାହାଘରରେ ପ୍ରିୟାଂଶୁଙ୍କର ବାପା ମାଆ ଶ୍ରେୟାକୁ ଦେଖିଥିଲେ । ଦେଖିବା ମାତ୍ରେ ଭାରି ପସନ୍ଦ ହୋଇଥିଲା ସେମାନଙ୍କର । ପ୍ରିୟାଂଶୁଙ୍କର ବାହାଘର ପାଇଁ ପାତ୍ରୀର ସନ୍ଧାନ କରିବା ମଧ୍ୟ ତାଙ୍କ ଭାରତ ଆସିବାର ଅନ୍ୟତମ ଲକ୍ଷ୍ୟ ଥିଲା । କଥା ଥିଲା – ଏଥର ଝିଅ ଦେଖି ପସନ୍ଦ କରି କଥା ପକ୍କା କରି ଚାଲିଯିବେ । ବାହାଘର ହେବ ଆସନ୍ତା ବର୍ଷ । ଶ୍ରେୟା ବିଷୟରେ ସନ୍ଧାନ କରି ମଧ୍ୟସ୍ଥିଙ୍କ ଜରିଆରେ ପ୍ରସ୍ତାବ ପଠାଇଥିଲେ ସେମାନେ । ସେ ପ୍ରସ୍ତାବକୁ ନାକଚ କରି ଦେଇଥିଲା ଶ୍ରେୟା ।
– “ବାହାଘର! ନେଭର୍, ଏବେ ନୁହେଁ କି କେବେ ନୁହେଁ ।” – କହିଥିଲା ଶ୍ରେୟା ।
– “ମୋ ମାଆଟା ପରା – ଏତେ ଭଲ ପ୍ରସ୍ତାବ, ପିଲାଟା ଭାରି ସୁନ୍ଦର – ତୋ ସହିତ ଭଲ ମାନିବ । କମ୍ପୁ୍ୟଟର୍ ଇଞ୍ଜିନିୟର୍ ଅଛି କାଲିଫର୍ଣ୍ଣିଆରେ । ସେମାନଙ୍କ ପରିବାର ସେଠିକାର ବାସିନ୍ଦା ହୋଇ ରହିଯାଇଛନ୍ତି । ତାଙ୍କ ପୁଅ ପାଇଁ ଓଡ଼ିଆ ଘରର ଝିଅଟିଏ ଦରକାର ।” – ବାପା କହିଥିଲେ ।
– “ଓଃ – ଆମେରିକାନ୍ ଡଲାର୍ ଆଉ ଇଣ୍ଡିଆନ୍ କଲ୍ଚର୍ ଦରକାର ପରା! ସେମିତି ଲୋକଙ୍କୁ ବାହା ହେବାକୁ ବହୁତ ଝିଅ ଲମ୍ବା କିଉ’ ରେ ଠିଆ ହୋଇଯିବେ; ମୋର ପସନ୍ଦ ନୁହେଁ । ମୋ ପାଇଁ ‘ମେରା ଭାରତ ମହାନ୍’- ମୋ ପାଇଁ ମୋ ଓଡ଼ିଶା ସବୁଠୁ ଭଲ, ଆଉ ଓଡ଼ିଶା ଭିତରେ ଆମ ଭୁବନେଶ୍ୱର ମୋର ସବୁଠୁ ପ୍ରିୟ – ଭୁବନେଶ୍ୱରରେ ପୁଣି ଆମ ଘର – ମୋ ବାପା- ଏମାନଙ୍କୁ ଛାଡ଼ି କୋଉ ସ୍ୱର୍ଗକୁ ବି ଯିବାକୁ ଇଚ୍ଛା ନାହିଁ ମୋର ।” – ଶ୍ରେୟା କହିଥିଲା ।
– “ଆଉ ମୁଁ ଯଦି ସ୍ୱର୍ଗକୁ ଚାଲିଯାଏ, କେମିତି ରହିବୁ ଏକା?” – ବାପା ଅକସ୍ମାତ୍ ପଚାରିଦେଇଥିଲେ ।
ବାପାଙ୍କର ଏ ପ୍ରଶ୍ନରେ ଶ୍ରେୟା ଆଖିରେ ଲୁହ ଆସିଯାଇଥିଲା । କୁନି ଝିଅଟିଏ ଭଳି ବାପାଙ୍କୁ କୁଣ୍ଢାଇ ଧରି ଆଖି ଛଳଛଳ କରି କହିଥିଲା, “ତୁମ ସାଙ୍ଗରେ ମୁଁ ବି ସ୍ୱର୍ଗକୁ ପଳେଇବି ।”
– “ଛି ମା, ସେମିତି କହନି । ତୋର ଏଇନେ ପିଲା ବୟସ । ତୋ ପାଇଁ କ’ଣ ଦରକାର ତୁ ବୁଝି ପାରୁନାହୁଁ ବୋଲି ଏମିତି କହୁଛୁ । ହଉ, ବାହା ନ ହ’ ପଛେ ପିଲାଟାକୁ ଥରେ ଦେଖିଦେ ତ! ସେମାନେ କୋଉ ଏବେ ବାହାଘର ପାଇଁ ତରତର କରୁଛନ୍ତି କି? ସେମାନଙ୍କର ପସନ୍ଦ ହେଲେ ନିର୍ବନ୍ଧ କରି ରଖିଦେବେ । ବର୍ଷକ ପରେ ବାହାଘର ହେବ । ତାଙ୍କର ତ ସବୁ ବନ୍ଧୁବାନ୍ଧବ ବିଦେଶରେ । ସମସ୍ତଙ୍କର ଏକାଠି ହେବାର ସୁବିଧା ଦେଖି ବାହାଘର ଦିନ, ତାରିଖ ଠିକ୍ କରିବେ । ବର୍ଷକ ଭିତରେ କ’ଣ ହେବ, କିଏ କହିବ?” ବାପା ଶ୍ରେୟାକୁ ବୁଝାଇ କହିିଥିଲେ ।
ତଥାପି ଶ୍ରେୟା ଅବୁଝା ହେଉଥିଲା, “ସେମାନଙ୍କର ପସନ୍ଦଟା ଜରୁରୀ- ମୋ ପସନ୍ଦର କିଛି ବି ମୂଲ୍ୟ ନାହିଁ? ମୁଁ ଯଦି ନାପସନ୍ଦ କରିଦେବି ତୁମର କାଲିଫର୍ଣ୍ଣିଆବାଲା କମ୍ପୁ୍ଟର୍ ଇଞ୍ଜିନିୟରକୁ ?”
– “ତା’ହେଲେ ଆଉ ବାହାଘରର ପ୍ରଶ୍ନ ଉଠୁଛି କୋଉଠୁ?” – ବାପା କହିଥିଲେ ।
– “ଠିକ୍ ଅଛି, ତେବେ ଡାକ ସେମାନଙ୍କୁ । ମୁଁ ତାଙ୍କୁ ନାପସନ୍ଦ କରିବି ନିଶ୍ଚୟ, ଏଥିରେ ସଂଦେହ ନାହିଁ ।” ଶ୍ରେୟା ଦୃଢ଼ କଣ୍ଠରେ ଜଣାଇ ଦେଇଥିଲା ।
ପ୍ରଥମ ଦେଖାରେ ପ୍ରିୟାଂଶୁ ବେଶ୍ ଭଲ ଲାଗିଥିଲେ ଶ୍ରେୟାକୁ । ଭଦ୍ର, ମାର୍ଜିତ, ସୁଦର୍ଶନ ଏବଂ ରୁଚିସମ୍ପନ୍ନ ସେହି ତରୁଣ ଜଣଙ୍କୁ କୋଉ ଆଳ ଦେଖାଇ ନାପସନ୍ଦ କରିଦେବ, ଭାବି ପାରୁନଥିଲା ସେ । ପ୍ରିୟାଂଶୁଙ୍କୁ ମଧ୍ୟ ଶ୍ରେୟା ଖୁବ୍ ଭଲ ଲାଗିଥିଲା । ଅଳ୍ପ ସମୟର କଥାବାର୍ତ୍ତା ଏବଂ ସାକ୍ଷାତ୍ ପରେ ଦୁହେଁ ଅନୁଭବ କରିଥିଲେ ସେମାନେ ଯେମିତି ପରସ୍ପରର ପରିପୂରକ, ଜଣକ ବିନା ଅନ୍ୟଜଣେ ଅସମ୍ପୂର୍ଣ୍ଣ । ଯୋଉ ଶ୍ରେୟା ବାହା ହେବ ନାହିଁ ବୋଲି ଅଡ଼ି ବସିଥିଲା, ସିଏ ହିଁ ଜଣାଇଦେଲା – ଯଦି ବାହା କରିବା ନିହାତି ଦରକାର, ପି୍ରୟାଂଶୁଙ୍କ ସହିତ ତା’ର ଯଥାଶୀଘ୍ର ବାହାଘର ହୋଇଯାଉ ।
ବାପାଙ୍କର ବନ୍ଧୁ ଏବଂ ଶୁଭେଚ୍ଛୁମାନେ, ସେମାନଙ୍କର ଆତ୍ମୀୟସ୍ୱଜନମାନେ ପରାମର୍ଶ ଦେଇଥିଲେ- ପ୍ରିୟାଂଶୁ ଏବଂ ତାଙ୍କ ପରିବାର ସମ୍ପର୍କରେ ଖୋଜ୍ ଖବର ନେବା ପରେ ବାହାଘର କରିବାକୁ । ଏଡେ଼ ସୁନ୍ଦର ପିଲା, ଯୋଗ୍ୟ ପିଲା – ଆମେରିକା ଭଳି ଦେଶରେ ପୁଅଝିଅଙ୍କ ମଧ୍ୟରେ ଯୋଉ ଖୋଲାମେଲା ମିଳାମିଶା – କିଏ ଜାଣେ ପ୍ରିୟାଂଶୁର କାହା ସହିତ ସମ୍ପର୍କ ନଥିବ ବୋଲି! ଏମିତି ତ ବହୁତ ଦେଖିବାକୁ ଓ ଶୁଣିବାକୁ ମିଳେ । ଶ୍ରେୟା କାହାରି କଥା ଶୁଣିନଥିଲା । ଅଗତ୍ୟା ସବୁଥର ଭଳି ତା’ ବାପା ତା’ର ଜିଦ୍କୁ ବଜାୟ ରଖି ପ୍ରିୟାଂଶୁଙ୍କର ବାପାମାଆଙ୍କ ସହିତ କଥାବାର୍ତ୍ତା କଲେ । ସେମାନେ ଏତେ ଶୀଘ୍ର ବାହାଘର କରିବାକୁ ପ୍ରସ୍ତୁତ ନଥିଲେ ବି କେଜାଣି କାହିଁକି ରାଜି ହୋଇଗଲେ ।
ଆର୍ୟ୍ୟସମାଜ ରୀତିରେ ସେମାନଙ୍କର ବାହାଘର ହୋଇଗଲା । ହୋଟେଲ୍ରେ ରିସେପ୍ସନ୍ ଦିଆଗଲା । ଭୋଜି ପରଦିନ ପ୍ରିୟାଂଶୁଙ୍କର ବାପା ମାଆ କାଲିଫର୍ଣ୍ଣିଆ ଫେରିଗଲେ । ତାଙ୍କ ବାପାଙ୍କର ଛୁଟି ସରି ଯାଇଥିଲା । ପ୍ରିୟାଂଶୁ ତାଙ୍କର ଛୁଟି ବଢେ଼ଇ ଶ୍ରେୟାକୁ ନେଇ ଦକ୍ଷିଣଭାରତ ବୁଲିବାକୁ ଗଲେ । ଶ୍ରେୟାକୁ କହିଥିଲେ, ତାଙ୍କର ପ୍ରକୃତ ହନିମୁନ୍ ସୁଇଜର୍ଲାଣ୍ଡରେ ହେବ । ଏଠୁ ଗଲା ପରେ ସେ ଶ୍ରେୟାକୁ ଯଥାଶୀଘ୍ର କାଲିଫର୍ଣ୍ଣିଆ ନେବାର ବଂଦୋବସ୍ତ କରିବେ ଏବଂ ତା’ପରେ ସେମାନେ ସାଙ୍ଗ ହୋଇ ସୁଇଜର୍ଲାଣ୍ଡ୍ ଯିବେ ।
ପ୍ରିୟାଂଶୁଙ୍କର ଭଲ ପାଇବାର ସମ୍ମୋହନରେ ‘ମେରା ଭାରତ ମହାନ୍’ ଇତ୍ୟାଦି ସ୍ଳୋଗାନ୍ ଭୁଲି ଯାଇଥିଲା ଶ୍ରେୟା । କେବଳ ପି୍ରୟାଂଶୁମୟ ହୋଇଯାଇଥିଲା ତା’ର ଜୀବନ । ସିଏ ଚାଲିଯିବା ପରେ ଶ୍ରେୟା ଅନୁଭବ କରି ପାରୁଥିଲା ଏକାକୀତ୍ୱର ଯନ୍ତ୍ରଣା କ’ଣ? ଯୋଉ ବାପାଙ୍କୁ କେନ୍ଦ୍ର କରି ଶ୍ରେୟାର ପୃଥିବୀ ଘୂରି ବୁଲୁଥିଲା-ସେଇ ବାପା ସେଇମିତି ରହିଥିଲେ ନିଜ ଜାଗାରେ-ନିଜ ପୂର୍ବ ଅବସ୍ଥାରେ; ଶ୍ରେୟାର ପୃଥିବୀ କିନ୍ତୁ ଗତିପଥ ପରିବର୍ତ୍ତନ କରି ଦେଇଥିଲା । ଜୀବନସାଥୀର ସାହଚର୍ୟ୍ୟ ବିନା ଜୀବନ କେମିତି ନିରର୍ଥକ ମନେହୁଏ, ରଙ୍ଗହୀନ ବିସ୍ୱାଦ ପାଲଟିଯାଏ- ସେଇ କଥା ସେ ଏବେ ମର୍ମେ ମର୍ମେ ଉପଲବ୍ଧି କରୁଥିଲା । ଶ୍ରେୟାର ମାଆ ନଥିଲେ । ସିଏ ହାଇସ୍କୁଲ୍ରେ ପଢ଼ୁଥିବା ବେଳେ ଗୋଟାଏ ଦୁର୍ଘଟଣାରେ ଚାଲିଯାଇଥିଲେ ସେ । ମାଆଙ୍କ ଅବର୍ତ୍ତମାନରେ ବାପାଙ୍କ ଜୀବନ କେମିତି ହାହାକାରରେ ଭରି ଯାଇଥିଲା- ସେକଥା ଜାଣିବାର ସେଭଳି ବୟସ ତା’ର ହୋଇନଥିଲେ ମଧ୍ୟ ଅଳ୍ପ ଅଳ୍ପ ବୁଝୁଥିଲା ଶ୍ରେୟା । ତା’ର ପିଲାବୁଦ୍ଧିରେ ବାପାଙ୍କୁ କେମିତି ଖୁସି ରଖିପାରିବ- ସେଥିପାଇଁ ସେ ଯଥାସମ୍ଭବ ଚେଷ୍ଟା କରୁଥିଲା ।
ବାପାଙ୍କର ଗୁରୁଜନ ସ୍ଥାନୀୟ ଲୋକମାନେ, ବନ୍ଧୁମାନେ, ଶୁଭେଚ୍ଛୁମାନେ ତାଙ୍କୁ ପ୍ରରୋଚିତ କରୁଥିଲେ ଆଉଥରେ ବିବାହ କରିବା ପାଇଁ । ସେତେବେଳେ କେତେ ଅବା ବୟସ ତାଙ୍କର? ନ ଜାଣିଥିବା ଲୋକ ତାଙ୍କୁ ଯୁବକ ବୋଲି ହିଁ କହିବ । ଅନେକ ନାହିଁ ନାହିଁ କରିବା ପରେ ଶେଷରେ ରାଜି ହୋଇଯାଇଥିଲେ ଶ୍ରେୟାର ବାପା; ରାଜି ହୋଇଥିଲେ କେବଳ ଶ୍ରେୟା ମୁହଁକୁ ଚାହିଁ । ତାଙ୍କର ଆଦରିଣୀ କନ୍ୟାଟି ଅନଭ୍ୟସ୍ତ ହାତରେ ଘରକାମ, ରୋଷେଇ ଇତ୍ୟାଦି କରିବାକୁ ଯାଇ ସବୁଦିନ ଗୋଡ଼ହାତ ଖଣ୍ଡିଆ କରିବାଠାରୁ ଆରମ୍ଭ କରି ଚେଙ୍କ ଲାଗିବା ଯାଏ କିଛି ନା କିଛି ଦୁର୍ଘଟଣା ଘଟାଉଥିଲା । କାମ କରି କରି ଏତେ ହାଲିଆ ହୋଇଯାଉଥିଲା ଯେ ପାଠପଢ଼ି ପାରୁନଥିଲା ଠିକ୍ରେ । ବଢ଼ନ୍ତା ବୟସର ଝିଅଟି ପାଇଁ ବାପା ଅପେକ୍ଷା ମାଆର ଆବଶ୍ୟକତା ଖୁବ୍ ବେଶି; ଏଇ କଥା ହିଁ ବୁଝାଇ ଦିଆଯାଇଥିଲା ତାଙ୍କୁ ।
କିନ୍ତୁ ଯୋଉଦିନ କୋର୍ଟ୍ ମ୍ୟାରେଜ୍ କରି ଆଉ ଜଣେ ନାରୀଙ୍କୁ ସାଙ୍ଗରେ ଧରି ସେ ଘରକୁ ଫେରିଥିଲେ, କି ପ୍ରକାର କାଣ୍ଡ କରିଥିଲା ଶ୍ରେୟା! ତା’ ଭଳି ଜିଦ୍ଖୋର ଝିଅ ଆଉ ସଂସାରରେ ନଥିବେ କେହି । ସେ ଏକାଜିଦ୍ ଧରି ବସିଥିଲା, “ସେଇ ସ୍ତ୍ରୀଲୋକ ଜଣକ ଯଦି ଘରେ ରହିବ- ମୁଁ କୁଆଡେ଼ ନାଇଁ କୁଆଡେ଼ ଚାଲିଯିବି- ନ ହେଲେ ଆତ୍ମହତ୍ୟା କରିବି ।” ଯେତେ ଯିଏ ବୁଝେଇଲେ ମଧ୍ୟ ସିଏ ବୁଝିବାକୁ ନାରାଜ । କାନ୍ଦିକାଟି ନ ଖାଇ ନ ପିଇ ଏମିତି ଅବସ୍ଥା ସୃଷ୍ଟି କଲା ଯେ ବାପା ବାଧ୍ୟ ହୋଇ ସେଇ ସ୍ତ୍ରୀଲୋକ ଜଣଙ୍କୁ ଅନ୍ୟତ୍ର ରଖିବାର ବ୍ୟବସ୍ଥା କରିଦେଲେ । ସେକଥା ବି ବରଦାସ୍ତ କରିପାରିନଥିଲା ଶ୍ରେୟା । ବାପାଙ୍କର ଅଫିସ୍ରୁ ଫେରିବାକୁ ସାମାନ୍ୟ ଡେରି ହେଲେ ସେ ଘରେ ପ୍ରଳୟ କରୁଥିଲା ।
– “ଯାହା ହେଲେ ବି ସେ ଏବେ ତୋ’ ବାପାଙ୍କର ସ୍ତ୍ରୀ, ସେଇ ହିସାବରେ ତୋ’ର ମାଆ ମଧ୍ୟ ।” ଶ୍ରେୟାକୁ କେହି କେହି ବୁଝାଇବାକୁ ଚେଷ୍ଟା କରିଥିଲେ ।
– “ନା, ମୋ ମାଆ ଜାଗାରେ ଆଉ କେହି ରହିବେ ନାହିଁ, ଘରେ ନୁହେଁ କି ବାହାରେ ନୁହେଁ । ମୋ ମାଆର ଅଧିକାର ଆଉ କାହାକୁ ଦେଲେ ମୁଁ ସହିପାରିବି ନାହିଁ । ଯୋଉଦିନ ଜାଣିବି- ବାପା ଏ କଥା କରିଛନ୍ତି, ସେଇଦିନଠୁ ତାଙ୍କ ପାଇଁ ଶ୍ରେୟା ମରିଯିବ ।”
ବାପା ତାକୁ କେତେ ଭଲ ପାଉଥିଲେ – ସେ କଥା ଶ୍ରେୟା ଉପଲବ୍ଧି କରିପାରିନଥିଲା । ତେଣୁ ନିପଟ ଗାଉଁଲୀ, ଅଶିକ୍ଷିତ ସ୍ତ୍ରୀଲୋକଟେ ପରି ନିଜ ମୁଣ୍ଡ ଛୁଆଇଁ ବାପାଙ୍କୁ ଶପଥ କରାଇଥିଲା ସେଇ ସ୍ତ୍ରୀଲୋକଟି ସହିତ ସମ୍ପର୍କ ନ ରଖିବାକୁ ।
କି ଅଦ୍ଭୁତ ପ୍ରକାର ପାଗଳାମି ଥିଲା ତା’ର! ତା’ରି ପାଗଳାମି ଯୋଗୁଁ ବାପା ସାରା ଜୀବନ ଏକାକୀତ୍ୱ ମଧ୍ୟରେ କାଟିବାକୁ ବାଧ୍ୟ ହୋଇଥିଲେ; ବିବାହର ଆବଶ୍ୟକତା ଅନୁଭବ କରିନଥିଲେ ଶ୍ରେୟାର ମଙ୍ଗଳ ପାଇଁ । ସେଇ ଶ୍ରେୟା ଯେତେବେଳେ ନୂଆ ମା’ଟିକୁ ଗ୍ରହଣ କରିପାରିଲା ନାହିଁ, ପ୍ରଚଣ୍ଡ ପ୍ରତ୍ୟାଖ୍ୟାନର ଆଘାତରେ ସବୁକିଛି ଭାଙ୍ଗିରୁଜି ଦେବା ପାଇଁ ଚାହିଁଲା, କ’ଣ ଦରକାର ଆଉ ସେ ସମ୍ପର୍କରେ? କୋଉ ପ୍ରକାରରେ ସେଇ ମହିଳା ଜଣଙ୍କୁ ବାପା ତାଙ୍କ ଜୀବନରୁ ବିଦାୟ ଦେଇଥିଲେ ଶ୍ରେୟା ଜାଣେନାହିଁ । କିନ୍ତୁ ସିଏ ଯେ ତାଙ୍କର ଆଖ ପାଖରେ କୋଉଠି ବି ନାହାନ୍ତି ସେକଥା ଉପଲବ୍ଧି କରି ନିଶ୍ଚିନ୍ତ ହୋଇଥିଲା । କେବଳ ନିଜର ଖିଆଲ୍ ଖୁସିକୁ ପ୍ରାଧାନ୍ୟ ଦେଇ ଆସିଥିଲା ସେ । ବାପାଙ୍କର ମଧ୍ୟ ଜୀବନରେ କିଛି ଆବଶ୍ୟକତା ରହିଛି – ଆନନ୍ଦ ପାଇବାର କିଛି ଅଧିକାର ରହିଛି – ସେ ସବୁ କଥା କେବେ ତା’ ମନକୁ ଆସିନାହିଁ । କେଡେ଼ ସ୍ୱାର୍ଥପର ସେ ସତେ?
ପ୍ରିୟାଂଶୁଙ୍କର ଅନୁପସ୍ଥିତି ଆଜି ପ୍ରଥମ କରି ତାକୁ ନିଜର ଭୁଲ୍ ସମ୍ପର୍କରେ ସଚେତନ କରିଦେଇଛି । ତା’ ଜୀବନରେ ଏବେ ଏବେ ଆସିଛନ୍ତି ପି୍ରୟାଂଶୁ । କିନ୍ତୁ ଲାଗୁଛି ସିଏ ଯେମିତି ତା’ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ମାଆ ସହିତ ବାପାଙ୍କର ସମ୍ପର୍କ ବି କିଛି କମ୍ ମଧୁର ନଥିଲା । ପ୍ରେମମୟୀ ପତ୍ନୀଟିଏ ହରାଇବାର ଦୁଃଖ ସହିତ ଗୋଟିଏ ନିରାପଦ ସୁଖୀ ଜୀବନରୁ ବଞ୍ଚôତ ହେବାର ଦୁଃଖ କିଛି କମ୍ ନଥିଲା । ନିଜର ଉଜୁଡ଼ା ସଂସାରକୁ ପୁଣିଥରେ ସଜାଡ଼ିବାକୁ ହୁଏତ ଚାହିଁଥିଲେ ସେ – ଚାହିଁଥିଲେ ଆଉଥରେ ସ୍ୱପ୍ନ ଦେଖିବା ପାଇଁ- ହସିବା ପାଇଁ । ସେଇ ଅନୁମତି ତାଙ୍କୁ ଦେଇନଥିଲା ତାଙ୍କର ଆତ୍ମଜା । ବିଚାରପତିର ଆସନରେ ବସି ବାପାଙ୍କୁ ଆଜୀବନ ଏକାକୀତ୍ୱର ଦଣ୍ଡ ଭୋଗିବାର ରାୟ ଶୁଣାଇ ଦେଇଥିଲା ଶ୍ରେୟା । ତା’ ପ୍ରତି ରହିଥିବା ପ୍ରଚଣ୍ଡ ସ୍ନେହ ତା’ ବାପାଙ୍କୁ ବାଧ୍ୟ କରିଥିଲା ନିଜ ପ୍ରତି ଉଦାସୀନ ହେବାକୁ ।
ବିଚାରା ବାପା! ଯୋଉ ଶ୍ରେୟା ତାଙ୍କ ଜୀବନ ବଞ୍ଚôବାର ଏକମାତ୍ର ଅବଲମ୍ବନ ଥିଲା, ଉଦେ୍ଧଶ୍ୟ ଥିଲା, କର୍ତ୍ତବ୍ୟ ଥିଲା – ସେଇ ଶ୍ରେୟା ଏବେ କେଡେ଼ ଅନାୟାସରେ ତାଙ୍କୁ ପର କରିଦେଇ ଆଉ ଜଣଙ୍କ ପାଇଁ ଉନ୍ମୁଖ ହୋଇ ଚାଲିଯିବାକୁ ପ୍ରସ୍ତୁତ ହେଉଛି । ସାତ ସାଗର ପାରିହୋଇ ଶ୍ରେୟା ଭିନ୍ନ ଦେଶକୁ ଚାଲିଗଲେ ବାପା କେମିତି ରହିବେ – ସେ ତ ଆଉ ସବୁବେଳେ ଦେଖିବାକୁ ଆସି ପାରିବ ନାହିଁ । ସତରେ କେମିତି ରହିବେ ତା’ ବାପା? ସର୍ବହରା, ନିଃସ୍ୱ ପାଲଟି ଯାଇଥିବା ଅସହାୟ ମଣିଷ ଭାବରେ ବାପାଙ୍କୁ କଳ୍ପନା କରି ଶ୍ରେୟା ଆଖିରେ ଲୁହ ଚାଲିଆସିଲା । ଏଇ ବୟସରେ ସାଥୀଟିଏର ଆବଶ୍ୟକତା କେତେ ବେଶି ରହିଥାଏ- ସେ ଏବେ ଜାଣୁଛି । କିନ୍ତୁ କ’ଣ କରିବ – ନିଜ ଅବୁଝାପଣରେ ନିଜେ ତ ନଷ୍ଟ କରିଦେଇଛି ସବୁ । କିଶୋରୀ ବୁଦ୍ଧିରେ କେତେ ବଡ଼ ଆଘାତ ଦେଇଛି ଦୁଇଜଣ ମଣିଷଙ୍କୁ! ବାପା ତ ଜନ୍ମଦାତା – ସିଏ ତା’ର ଆଘାତକୁ ସହିବାକୁ ବାଧ୍ୟ । ଆଉ ଜଣେ – ଯିଏ ତାଙ୍କର ଭଙ୍ଗା ସଂସାରକୁ ନୂଆ ଭାବରେ ସଜାଡ଼ି ଦେବାର ମନଟିଏ ନେଇ ବାପାଙ୍କ ପାଇଁ ଶଙ୍ଖା, ସିନ୍ଦୂର ପିନ୍ଧି ଏ ଘରେ ପାଦ ଦେଇଥିଲେ, ଶ୍ରେୟାର ଅସହଣିପଣ ଯୋଗୁଁ ତାଙ୍କୁ ବିଦାୟ ନେବାକୁ ପଡ଼ିଲା । ସେ ଏବେ କୋଉଠି – କିଏ କହିବ?
ପି୍ରୟାଂଶୁ କାଲିଫର୍ଣ୍ଣିଆ ଚାଲିଗଲା ପରେ ବାପାଙ୍କ ପାଖରେ ହିଁ ରହୁଥିଲା ଶ୍ରେୟା । ଯେଉଁ କେତେଦିନ ଭାରତରେ ଅଛି – ସେତକ ବାପାଙ୍କ ପାଖେ ପାଖେ ରହିବାକୁ ଚାହିଁଥିଲା । କିନ୍ତୁ ବାପାଙ୍କୁ ଯେତିକି ଦେଖୁଥିଲା, ସେତିକି ସେତିକି ବିଷଣ୍ଣ ହୋଇଯାଉଥିଲା ତା’ର ମନ । ଏତେବର୍ଷ ଧରି ସବୁଠାରୁ ଅନ୍ତରଙ୍ଗ ହୋଇ ପାଖେ ପାଖେ ରହିଥିଲେ ବି ବାପାଙ୍କୁ ଯେମିତି ପ୍ରଥମ କରି ଦେଖୁଥିଲା ସେ । ତାଙ୍କର ପ୍ରାଣଠାରୁ ବଳି ପି୍ରୟ ଏକମାତ୍ର ସନ୍ତାନଟି ତାଙ୍କ ନିକଟରୁ ସବୁଦିନ ପାଇଁ ଦୂରକୁ ଚାଲିଯିବ – ଏ କଷ୍ଟ ତାଙ୍କ ହୃଦୟକୁ ବିଦୀର୍ଣ୍ଣ କରି ଦେଉଥିଲେ ବି କାହାକୁ ସେକଥା ଜାଣିବାର ସୁଯୋଗ ଦେଉନଥିଲେ । ଶ୍ରେୟାକୁ ଖୁସି ରଖିବାକୁ ଯାହା ଯାହା କରିବା ତାଙ୍କ ଦ୍ୱାରା ସମ୍ଭବ, ସେ କରୁଥିଲେ । ଶ୍ରେୟାକୁ ଖୁସି ରଖିବା ବ୍ୟତୀତ ତାଙ୍କ ଜୀବନର ଆଉ କୌଣସି ଲକ୍ଷ୍ୟ ବା ଉଦେ୍ଧଶ୍ୟ ନଥିଲା । ଜୀବନଟା ସାରା ସିଏ ତ ଏଇଆ ହିଁ କରି ଆସିଛନ୍ତି । କିନ୍ତୁ ଶ୍ରେୟା ଚାଲିଗଲା ପରେ କ’ଣ କରିବେ ସେ- କେମିତି କାଟିବେ ତାଙ୍କର ନିଃସଙ୍ଗ ଜୀବନ? ବାପାଙ୍କୁ ସାଙ୍ଗରେ ନେଇ ଯାଇହୁଅନ୍ତାନି? ସେଇ ଦୂର ଦେଶରେ ବାପାଙ୍କ ବିନା ଶ୍ରେୟାକୁ କ’ଣ ଭଲ ଲାଗିବ?
– “ପାଗଳୀଟାଏ କି? ଏମିତି କ’ଣ ହୁଏ? ଝିଅର ଶାଶୂଘରେ ଯାଇ ମୁଁ ରହିବି କୋଉ ଦୁଃଖରେ? ମୋ ପାଇଁ ବ୍ୟସ୍ତ ହ’ନା । ମୋର ଏଠି କିଛି ବି ଅସୁବିଧା ହେବନାହିଁ । ରଘୁଭାଇନା ତ ଅଛି – ଘରକାମ, ରୋଷେଇବାସ, ବଜାର ସଉଦା ସବୁ ସେ କରୁଛି । ମୋର ଆଉ ଅସୁବିଧା କ’ଣ?” – ଶ୍ରେୟାର ପ୍ରସ୍ତାବ ଶୁଣି ବାପା କହିଥିଲେ । ତାଙ୍କ ଜୀବନର ଆବଶ୍ୟକତା କ’ଣ ଏତିକି?
ପି୍ରୟାଂଶୁ ସବୁଦିନ ଫୋନ୍ କରୁଛନ୍ତି । ଶ୍ରେୟାକୁ ଏଠାରେ ଛାଡ଼ିଦେଇ ଯାଇଥିବାରୁ ଖୁବ୍ ବ୍ୟାକୁଳ ସେ । ଶ୍ରେୟା କେବେ ଯାଇ ତାଙ୍କ ପାଖରେ ପହଞ୍ଚôବ- ସେଥିପାଇଁ ଦିନ ଗଣୁଛନ୍ତି ସେ । ତା’ ଶାଶୂଶ୍ୱଶୁର ମଧ୍ୟ ତା’ ସହିତ କଥା ହେଉଛନ୍ତି ଟେଲିଫୋନ୍ରେ । ବାପାଙ୍କଠାରୁ ପଚାରି ବୁଝୁଛନ୍ତି ଶ୍ରେୟାର ଯିବା ବ୍ୟବସ୍ଥା କେତେଦୂର ଆଗେଇଲା । ପୂର୍ବ ଭଳି ଆମେରିକା ଯିବାକୁ ଭିଜା ଏତେ ସହଜରେ ମିଳୁନାହିଁ । ବିଶ୍ୱ ବାଣିଜ୍ୟକେନ୍ଦ୍ରର ଦୁର୍ଘଟଣା ପରେ ଖୁବ୍ କଡ଼ାକଡ଼ି ବ୍ୟବସ୍ଥା ଲାଗୁ ହୋଇଛି ବିଦେଶୀମାନଙ୍କ ପାଇଁ ।
ଅବଶେଷରେ ଶ୍ରେୟାର ଯିବାର ଦିନଟି ଘୋଷଣା କଲେ ବାପା । ସେକଥା ଶୁଣି ଶ୍ରେୟା ଉଚ୍ଛ୍ୱସିତ କ୍ରନ୍ଦନରେ ଭାଙ୍ଗି ପଡ଼ିଥିଲା । ସେଇ କାନ୍ଦ ଥିଲା ଉଭୟ ଆନନ୍ଦ ଓ ଦୁଃଖର । ନିଜର ପି୍ରୟତମ ମଣିଷଙ୍କୁ ଏତେଦିନ ପରେ ଭେଟିବାର ଖୁସି ସହିତ ବାପାଙ୍କଠାରୁ ପ୍ରାୟ ସବୁଦିନ ପାଇଁ ଦୂରକୁ ଚାଲିଯିବାର ଦୁଃଖ ସେ ଅନୁଭବ କରୁଥିଲା । ବାପା ତାକୁ ଆଦର କରି ସାନ୍ତ୍ୱନା ଦେଇଥିଲେ ଏବଂ ଜିନିଷପତ୍ର ସଜାଡ଼ିବା ପାଇଁ କହିଥିଲେ ।
ନିଜର ଜିନିଷପତ୍ର ସଜାଡ଼ି ରଖୁଥିବାବେଳେ ଶ୍ରେୟା ସ୍ଥିର କଲା ଯିବା ପୂର୍ବରୁ ବାପାଙ୍କର ସବୁ ଜିନିଷପତ୍ର ସଜାଡ଼ି ବ୍ୟବସ୍ଥିତ କରିଦେଇଯିବ ସେ । ବାହାଘରର ଝାମେଲା ମଧ୍ୟରେ ସବୁ କୁଆଡେ଼ ବିକ୍ଷିପ୍ତ ହୋଇ ରହିଛି । ଏତେଦିନ ଏଠାରେ ରହିବା ଭିତରେ ନିଜର ଭାବନା ନେଇ ସେ ଏତେ ବ୍ୟସ୍ତ ରହୁଥିଲା ଯେ ସେସବୁ ପ୍ରତି ଦୃଷ୍ଟି ଦେଇ ପାରିନଥିଲା । ମାଆ ଚାଲିଯିବା ପରଠାରୁ ବାପାଙ୍କର ଜିନିଷପତ୍ର ସଜାଡ଼ି ସାଇତି ରଖିବାର ଦାୟିତ୍ୱ ସିଏ ନିଜେ ନିଜେ ହାତକୁ ନେଇ ଯାଇଥିଲା । ବାପା କ’ଣ ପିନ୍ଧିବେ, କ’ଣ ଖାଇବେ ସେ କଥା ଶ୍ରେୟା ହିଁ ସ୍ଥିର କରୁଥିଲା । ବାପାଙ୍କର ପୋଷାକ ଆଲମାରି, ବୁକ୍ ସେଲ୍ଫ୍, ଟେବୁଲ୍ ଇତ୍ୟାଦି ମଧ୍ୟ ସେ ସଜାଡ଼ି ଦେଉଥିଲା । ବହୁତଦିନ ପରେ ସେ ସବୁ ସଜାଡ଼ି ରଖିବାକୁ ମନ ହେଲା ଶ୍ରେୟାର । ବାପା ଅଫିସ୍ରୁ ଫେରି ଘରର ବ୍ୟବସ୍ଥିତ ରୂପ ଦେଖି ନିଶ୍ଚୟ ଖୁସି ହେବେ ।
କେତେ ଆଳିମାଳିକା ଜିନିଷପତ୍ର, ପୁରୁଣା ଚିଠି, କାଗଜପତ୍ର ଜମି ଗଲାଣି ଟେବୁଲ୍ ଡ୍ରୟାର୍୍ରେ । ସେଥିରୁ କ’ଣ ଦରକାରୀ କ’ଣ ଅଦରକାରୀ ଦେଖିଲା ପରେ ଯାଇ ସଫା କରିବ ସେ । ବାହାଘରବେଳେ କିଣା ହୋଇଥିବା କେତେ ଜିନିଷପତ୍ରର ବିଲ୍ ମଧ୍ୟ ପଡ଼ିଛି ସେଥିରେ । ଏଗୁଡ଼ା ଆଉ କ’ଣ ହେବ? ଅଦରକାରୀ କାଗଜପତ୍ର ଚିରୁ ଚିରୁ ଚିଠିଟିଏ ହାତରେ ପଡ଼ିଲା ତା’ର । ଅଦ୍ଭୁତ ଲାଗିଲା ଚିିଠିର ବକ୍ତବ୍ୟ । ଠିକଣାରେ ବାପାଙ୍କ ନାଁ ରହିଛି- ସମ୍ବୋଧନ କିଛି ନାହିଁ କି ପତ୍ରପ୍ରେରକର ନାମ ନାହିଁ । ଚିଠି ଭିତରେ ଶ୍ରେୟା କଥା ରହିଛି । ଅନ୍ୟର ଚିଠି ପଢ଼ିବା ଅନ୍ୟାୟ ଜାଣି ମଧ୍ୟ ଶ୍ରେୟା ଚିଠିଟିକୁ ନ ପଢ଼ି ରହିପାରିଲା ନାହିଁ । ଲେଖାଅଛି- “ନିମନ୍ତ୍ରଣପତ୍ର ପାଇଲି । ଖୁବ୍ ଇଚ୍ଛା ହେଉଛି ଯାଇ ପହଞ୍ଚôଯିବାକୁ । ଦୂରରୁ ହେଉ ପଛେ ଶ୍ରେୟାକୁ ବୋହୂବେଶରେ ଦେଖିବି- ଜ୍ୱାଇଁଙ୍କୁ ଦେଖିବି । ଭାରି ସୁନ୍ଦର ନାଆଁଟି ଜ୍ୱାଇଁଙ୍କର । ମୋ ଭାଗ୍ୟରେ ତ ନାହିଁ- ଦୂରରେ ଥାଇ ସେମାନଙ୍କୁ ଆଶୀର୍ବାଦ କରୁଛି ସଂସାରର ସବୁ ସୁଖ, ସବୁ ଆନନ୍ଦ ସେମାନଙ୍କୁ ମିଳୁ । ଖୁବ୍ ଭଲରେ ରହନ୍ତୁ ସେମାନେ ।”
କିଏ ଏଇ ପତ୍ରପ୍ରେରକ – ନା ପତ୍ରପ୍ରେରିକା? ବାପାଙ୍କ ସହିତ – ଶ୍ରେୟା ସହିତ ତାଙ୍କର ସମ୍ପର୍କ କ’ଣ? ତା’ପାଇଁ, ପି୍ରୟାଂଶୁଙ୍କ ପାଇଁ ଯାହା ହୃଦୟରୁ ଏଭଳି ଶୁଭେଚ୍ଛାର ବାର୍ତ୍ତା ଉତ୍ସାରିତ ହେଉଛି, ସେ କିଏ? କାହିଁକି ସେ ଚିଠିରେ କିଛି ସମ୍ବୋଧନ କରି ନାହାନ୍ତି କି ନିଜର ପରିଚୟ ପ୍ରକାଶ କରିନାହାନ୍ତି? ଶ୍ରେୟା କୌତୂହଳୀ ହୋଇଉଠିଲା । ଖୋଜୁ ଖୋଜୁ ଆଉ ଖଣ୍ଡିଏ ସେଇଭଳି ପତ୍ର ତା ଆଖିରେ ପଡ଼ିଲା । ଲେଖାଅଛି- “ଜାଣେ,ମୋ ଚିଠିର ଉତ୍ତର କେବେ ବି ପାଇବିନି ତୁମଠାରୁ । କିନ୍ତୁ ତୁମ କଥା ନ ଭାବି ରହିପାରୁନି । ଶ୍ରେୟାକୁ ଛାଡ଼ି କେମିତି ବଞ୍ଚôବ ତୁମେ? ଭଗବାନ ତୁମକୁ ଅନେକ ଧୈର୍ୟ୍ୟଶକ୍ତି ଦେଇଛନ୍ତି । ସେଇ ଧୈର୍ୟ୍ୟର ପରୀକ୍ଷା ସମୟ ଏବେ । ତୁମେ ନିଶ୍ଚୟ ସେଥିରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବ । ଦୟାକରି ତା’ ଆଗରେ ଟିକିଏ ହେଲେ କାନ୍ଦିବନି । ଯୋଉଠିକୁ ବି ସିଏ ଯାଉ- ଯୋଉଠି ଥାଉ – ଭଲରେ ଥାଉ ।”
ଅକ୍ଷରଗୁଡ଼ିକ ବେଶ୍ ସୁନ୍ଦର । ଭାଷା ମଧ୍ୟ ଶୁଦ୍ଧ ଓ ପ୍ରାଞ୍ଜଳ । କିଏ ସେ ଏତେବଡ଼ ଶୁଭଚିନ୍ତକ ଶ୍ରେୟାର ଆଉ ତା’ ବାପାଙ୍କର? ଶ୍ରେୟାର କୌତୂହଳ ଓ ଉକ୍ରଣ୍ଠା ବଢ଼ି ଚାଲିଲା । ଯେମିତି ହେଲେ ସେ ଜାଣିବ ଏଇ ଅଜଣା ଶୁଭଚିନ୍ତକଙ୍କୁ । କିନ୍ତୁ ବାପାଙ୍କୁ ପଚାରିବ ବା କେମିତି? ତାଙ୍କର ଯଦି ଜଣାଇବାର ଥାଆନ୍ତା- କେବେଠୁ ଜଣେଇ ସାରନ୍ତେଣି । ଚିଠିର ଠିକଣା ଦେଖିଲା ଶ୍ରେୟା । ବାପାଙ୍କ ଅଫିସ୍ ଠିକଣାରେ ଆସିଛି ଚିଠି ଦୁଇଟି । ପ୍ରେରକଙ୍କର କୌଣସି ନାମ ବା ଠିକଣା ଲେଖା ନାହିଁ ଲଫାପା ଉପରେ । ତାଙ୍କର ଅନେକ ଚିଠି ତ ଘର ଠିକଣାରେ ଆସେ । ପତ୍ରପ୍ରେରକ ନିଜକୁ ଶ୍ରେୟାଠାରୁ ମଧ୍ୟ ଗୋପନ ରଖିବାକୁ ଚାହାନ୍ତି । ବାପାଙ୍କର କେହି ପ୍ରେମିକା ବା ନାରୀବନ୍ଧୁ ଥାଇପାରନ୍ତି – ଏ କଥା ତା’ର କଳ୍ପନାର ବାହାରେ । ତେବେ କିଏ ସେ ଏଇ ପତ୍ରପ୍ରେରକ? କ’ଣ ତାଙ୍କର ନାଁ, ଗାଁ, ଠିକଣା? କିଏ ତାକୁ କହିବ? କେମିତି ଜାଣିବ ସେ?
ହଠାତ୍ ଶ୍ରେୟାର ମନେପଡ଼ିଗଲା ବାପାଙ୍କର ଡାଏରୀ କଥା । ସବୁଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ସେ ଡାଏରୀ ଲେଖନ୍ତି । ଅନେକ ବର୍ଷର ଅଭ୍ୟାସ ତାଙ୍କର । ଶ୍ରେୟା ନିଜେ କେବେ ଡାଏରୀ ଲେଖେ ନାହିଁ । ତେଣୁ ବାପାଙ୍କର ଡାଏରୀ ଲେଖା ପ୍ରତି ଏତେ ବେଶି ଆଗ୍ରହ ପ୍ରକାଶ କରିନଥାଏ ସେ । ଗୋଟେ କାନ୍ଥ ଆଲମାରିରେ ବାପାଙ୍କର ବର୍ଷ ବର୍ଷର ଡାଏରୀ ସୁରକ୍ଷିତ ହୋଇ ରହିଛି । ବର୍ତ୍ତମାନର ଡାଏରୀଟି ଷ୍ଟଡ଼ିଟେବୁଲ୍ ଡ୍ରୟାରରେ ଥିବ ନିଶ୍ଚୟ । ବାପାଙ୍କ ଡାଏରୀରୁ ପତ୍ରପ୍ରେରକଙ୍କର ସନ୍ଧାନ ମିଳି ଯାଇପାରେ । ଡ୍ରୟାର୍ରେ ହିଁ ଡାଏରୀଟା ପାଇଗଲା ଶ୍ରେୟା । କାହା ଡାଏରୀ ତାଙ୍କର ଅଗୋଚରରେ ଅଥବା ତାଙ୍କ ବିନା ଅନୁମତିରେ ପଢ଼ିବା ଦୋଷାବହ ଜାଣି ମଧ୍ୟ ନ ପଢ଼ି ରହିପାରିଲାନି ଶ୍ରେୟା । ଶେଷପଟରୁ ଲେଉଟାଇ ଗଲା ବେଳକୁ ଚିଠିଟିଏ ଖସିପଡ଼ିଲା ସେଥିରୁ । ସେଇ ସୁନ୍ଦର ସୁନ୍ଦର ମୁକ୍ତାଭଳି ଅକ୍ଷରର ଛୋଟ ଚିଠିଟିଏ । “ଶ୍ରେୟାକୁ ଦେଖିବାକୁ ବହୁତ ଇଚ୍ଛା ହେଉଛି । ଜ୍ୱାଇଁଙ୍କ ସହିତ ତାକୁ ଦେଖି ନ ପାରିବାର ଅବସୋସ୍ ମଲା ଯାଏ ରହିବ । ମୋତେ ଟିକେ ସୁଯୋଗ ଦେବ- ଝିଅକୁ ଦେଖିବାକୁ? କେବେ ତାକୁ କୋଳରେ ଧରି ଆଦର କରିନି- କେବେ ତାକୁ ଖୁଆଇ ଦେଇନି, ଗୀତ ଗାଇ ଶୁଆଇ ଦେଇନାହିଁ । ଆହୁରି ଅନେକ ଅନେକ କର୍ତ୍ତବ୍ୟରୁ ତୁମେ ମୋତେ ବଞ୍ଚôତ କରିଛ । ଦୟାକରି ତୁମର ରାଣ ନିୟମ ମୋ ଉପରୁ ଥରକ ପାଇଁ ଉଠାଇ ନିଅନ୍ତ ନାହିଁ? ମନଭରି ଦୂରରୁ ଟିକେ ଦେଖନ୍ତି ତାକୁ । ଏ ଜନ୍ମରେ ତାକୁ ଆଉ ଦେଖିପାରିବି ବୋଲି ମୋର ଆଶା ନାହିଁ ।”
ଝଲକାଏ ରକ୍ତ ଉଠି ଆସିଲା ଶ୍ରେୟାର ମୁହଁକୁ? କାହାର ଏ ବ୍ୟାକୁଳତା? ଶ୍ରେୟାକୁ ଥରଟିଏ ଦେଖିବାକୁ କାହାର ଏ ବ୍ୟାକୁଳ ପ୍ରାର୍ଥନା? ବାପା ତାଙ୍କ ଚିଠିର ଉତ୍ତର ଦିଅନ୍ତି ନାହିଁ ବୋଲି ଚିଠିଗୁଡ଼ିକରୁ ବୁଝି ହେଉଛି । ତା’ ସତ୍ତେ୍ୱ ଏତେ ବେଶି ଭଲପାଇବା ହୃଦୟରେ ନେଇ କିଏ ତାଙ୍କୁ ବାରମ୍ବାର ଚିଠି ଲେଖି ଚାଲିଛନ୍ତି? ଡାଏରୀରେ ଯେଉଁ ପର୍ୟ୍ୟନ୍ତ ଲେଖା ଅଛି, ତା’ର ଶେଷପୃÂା ଉପରେ ଆଖି ପକେଇଲା ଶ୍ରେୟା । ଲେଖାଅଛି – “ସୁଦୀକ୍ଷା, ତୁମ ନିକଟରେ ମୁଁ ଆଜୀବନ ଦୋଷୀ ହୋଇ ରହିଗଲି । ତୁମ ସହିତ ପରିଚୟ ହେବା ଦିନରୁ ଅନେକ ଭାବରେ ତୁମେ ମୋ ଜୀବନକୁ ମର୍ୟ୍ୟାଦାବନ୍ତ କରିବାରେ ସାହାଯ୍ୟ କରିଛ । ତୁମର ପ୍ରତ୍ୟାଶାହୀନ ଭଲପାଇବା ନିକଟରେ ଅନେକ ପ୍ରକାରରେ ଋଣୀ ହୋଇଥିଲେ ମଧ୍ୟ ମୋର ଉପାୟ ନାହିଁ । ଦୟାକରି ତୁମେ ମୋତେ କ୍ଷମା କରିଦେବ । ମନରେ ଆଦୌ କଷ୍ଟ ନ ରଖି ଶ୍ରେୟାକୁ ଆଶୀର୍ବାଦ କରିବ । ତା’ ସହିତ ତୁମର ଦେଖା ହେବା ସମ୍ଭବ ନୁହେଁ ।”
ସୁଦୀକ୍ଷା! କିଏ ଏ ସୁଦୀକ୍ଷା? ଏତେବର୍ଷ ମଧ୍ୟରେ ଏଇ ନାଆଁଟି ସହିତ ସେ ଆଦୌ ପରିଚିତ ନୁହେଁ । ବାପାଙ୍କ ମୁହଁରୁ ଏଇ ନାଆଁଟି ସେ କେବେ ଶୁଣିଛି ବୋଲି ମନେପଡୁନି । କୋଉ ପ୍ରକାର ଅପରାଧ କରିଛନ୍ତି ବାପା ସୁଦୀକ୍ଷା ନାମକ ସେହି ମହିଳାଙ୍କ ନିକଟରେ? କାହିଁକି ସେ ତାଙ୍କ ପାଖରେ ମନେ ମନେ କ୍ଷମାପ୍ରାର୍ଥୀ ହୋଇଛନ୍ତି?
ଶ୍ରେୟା ବାପାଙ୍କ ରୁମ୍ର କବାଟଟିକୁ ଭିତରୁ ବନ୍ଦ କରିଦେଲା । ତା’ପରେ ସବୁତକ ଡାଏରୀ ଆଣି ଗଦେଇ ଦେଲା ପଲଙ୍କ ଉପରେ । ଆଜି ସେ ଯେମିତି ହେଲେ ବାପାଙ୍କ ଜୀବନର ଏହି ରହସ୍ୟକୁ ଆବିଷ୍କାର କରିବ ।
କେତେବେଳଯାଏଁ ସେ ବସି ଡାଏରୀ ପଢ଼ୁଥିଲା ଜାଣି ପାରିନଥିଲା । ରଘୁକକା କବାଟ ବାଡେ଼ଇ ଖାଇବାକୁ ଡାକିବାରୁ ସେ ପରେ ଖାଇବ ବୋଲି କହିଦେଇଥିଲା । ପ୍ରଚଣ୍ଡ ଲଜ୍ଜା ଆଉ ଗ୍ଳାନିରେ ବୁଡ଼ି ଯାଇଥିଲା ଶ୍ରେୟା । କ’ଣ ସେ କରିଛି- ନିଜର ଅବୁଝାପଣରେ ଖାଲି ବାପାଙ୍କୁ କଷ୍ଟ ଦେଇନାହିଁ- ନିଜକୁ ମଧ୍ୟ କେତେବଡ଼ ସୌଭାଗ୍ୟପ୍ରାପ୍ତିରୁ ବଞ୍ଚôତ କରିଛି! ଖୁବ୍ ଜୋର୍ରେ କାନ୍ଦିବାକୁ ଇଚ୍ଛା ହେଉଥିଲା ତା’ର । କିଛି ସମୟ ମନଭରି କାନ୍ଦିବା ପରେ ଫୋନ୍ ଉଠେଇଲା ସେ । ବାପାଙ୍କ ଡାଏରୀରୁ ଯେଉଁ ଟେଲିଫୋନ୍ ନମ୍ବର୍ଟି ପାଖରେ କୌଣସି ନାଁ ଲେଖା ହୋଇନଥିଲା – ସେଇ ନମ୍ବରଟି ଡାଏଲ୍ କଲା ସେ ।
– “ହାଲୋ…..”
– “ମା, ମୁଁ ଶ୍ରେୟା ।”
ସେପାଖରେ ନୀରବତା । ନିଃଶ୍ୱାସର ଶବ୍ଦ ଶୁଭୁଥିଲା ।
– “ମୁଁ ଚବିଶି ତାରିଖରେ ଚାଲିଯାଉଛି ।”
– “ଜାଣିଛି ।”
– “ଝିଅକୁ ଆଶୀର୍ବାଦ ଦେବାକୁ ଆସିବନି ମା’?”
ନୀରବତା ।
– “ନ ଆସିଲେ ତୁମ ଶ୍ରେୟାର ରାଣ ତୁମକୁ ।”
– “କ’ଣ ତୁ ଭାବୁ ନିଜକୁ? ସମସ୍ତଙ୍କର କର୍ତ୍ତା? ତୋ ଇଚ୍ଛାରେ ସମସ୍ତେ ଜୀବନ ବଞ୍ଚôବେ? ମା’ ବୋଲି କାହାକୁ ଡାକୁଛୁ? ସେ ଅଧିକାର କ’ଣ ଦେଇଛୁ ମୋତେ?”
– “ମା’ ପ୍ଲିଜ୍….”
ସେପାଖରେ ରିସିଭର୍ ରଖାଯିବାର ସୂଚନା ।
– “ରଘୁକକା – ଭୀଷଣ ଭୋକ ।” ଶ୍ରେୟା କେତେବେଳେକେ କବାଟ ଖୋଲି ବାହାରିଲା ।
– “ତୁମେ ଆସି ଟେବୁଲ୍ ପାଖରେ ବସ । ମୁଁ ଏଇ ସାଙ୍ଗେ ସାଙ୍ଗେ ବାଢ଼ୁଛି ।” ରଘୁକକା କହିଲେ ।
କିଛି ସମୟ ପରେ ଶ୍ରେୟା ଖାଉ ଖାଉ ପଚାରିଲା, “ସୁଦୀକ୍ଷା ବୋଲି କୌଣସି ସ୍ତ୍ରୀଲୋକଙ୍କୁ ତୁମେ ଜାଣିଛ, ରଘୁକକା?” ରଘୁକକା ଖୁବ୍ ଜୋର୍ରେ ଚମକି ପଡ଼ିବା କଥା ଶ୍ରେୟାର ଆଖିରେ ପଡ଼ିଲା ।
– “କାଇଁ ନାଇଁ ତ?” ରଘୁକକା ଡରିଯାଇଥିଲେ ନିଶ୍ଚୟ ।
ଶ୍ରେୟା ଗମ୍ଭୀର ହୋଇ କହିଲା, “ଯିଏ ତୁମକୁ ଆମ ଘରେ ରଖେଇଛନ୍ତି ତାଙ୍କୁ ତୁମେ ଚିହ୍ନିନ?” ରଘୁକକା ନୀରବ ରହିଲେ ।
– “ତାଙ୍କ ଘରର ଠିକଣା ମୋର ଦରକାର ।” ଶ୍ରେୟା କହିଲା ।
– “ମୁଁ ଜାଣିନି । ଆଗରୁ ଯୋଉଠି ଥିଲେ, ମୁଁ ତାଙ୍କ ଘରେ ରହୁଥିଲି । ଭୁବନେଶ୍ୱର ଛାଡ଼ି ଚାଲିଯିବା ବେଳକୁ ମୋତେ ତୁମଘରେ ରଖେଇ ଦେଇ ସେ ଚାଲିଗଲେ । ଏବେ ସେ କୋଉଠି ରହୁଛନ୍ତି ମୁଁ ଜାଣିନି ।”
– “ଜାଣିନ ତ ତାଙ୍କୁ ଆମ ଘରର ସବୁକଥା ଜଣାଅ କେମିତି?” ଜେରା କଲା ଭଳି ପଚାରୁଥିଲା ଶ୍ରେୟା ।
– “ସିଏ ନିଜେ ଫୋନ୍ କରନ୍ତି । ବାବୁ କେବେ ବି କଥା ହୁଅନ୍ତି ନାହିଁ । ମୁଁ କଥା ହୁଏ ।”
– “ଆମ ଘରର ଟିକିନିଖି ସବୁ କଥା ତାଙ୍କୁ ଜଣାଇଦିଅ ନା? ଠିକଣା ଜାଣିନ ତ ମୋ ବାହାଘର ନିମନ୍ତ୍ରଣ କାର୍ଡ କେମିତି ପଠାଇଲ ତାଙ୍କ ପାଖକୁ?” ଶ୍ରେୟା ପଚାରିଲା ।
– “ତାଙ୍କର ଜଣେ ସାଙ୍ଗକୁ ଦେଇଥିଲି – ସିଏ ପଠେଇ ଦେଲେ ।”
– “ସତ କହୁଛ ରଘୁକକା? ଯଦି ତାଙ୍କ ଠିକଣା ଜାଣିଛ ମୋତେ କୁହ – ମୋର ଖୁବ୍ ଦରକାର ।” ଶ୍ରେୟା କହିଲା ।
ରଘୁକକା ଏଥର ମନକୁ ଟାଣ କରି କହିଲେ, “ଆଉ କାହିଁକି ସାନମା’? ବାପ ଝିଅ ମିଶି ତ ସୀତାଠାକୁରାଣୀ ପରି ମାଆକୁ ମୋର ଦେଶାନ୍ତର କରିଦେଲ । ତା’ ଦୁଃଖସୁଖରେ ସିଏ ଅଛି । ତା’ ପଛରେ ଆଉ କାହିଁକି ଲାଗୁଛ? ତୁମେ ଏବେ ସଂସାର କଲଣି । ଧୀରେ ଧୀରେ ସବୁକଥା ବୁଝିବ । କିନ୍ତୁ ମୁଁ କହିଦେଉଛି – ଦେଖିବ, ଅନୁତାପ କଲାବେଳକୁ ଆଉ କିଛି ନଥିବ ।” ରଘୁକକା ନିଜର ଉଚ୍ଛ୍ୱସିତ ଆବେଗକୁ ଲୁଚାଇବା ପାଇଁ ଶ୍ରେୟା ଆଗରୁ ଚାଲିଗଲେ ରୋଷେଇଘର ଭିତରକୁ । ତାଙ୍କର ଭାବପ୍ରବଣତା ଶ୍ରେୟାକୁ ମଧ୍ୟ ସଂକ୍ରମିତ କଲା ।
ଏୟାର୍ପୋଟ୍ର୍ରେ ଶ୍ରେୟା ବାପାଙ୍କ ସହିତ ଠିଆ ହୋଇଥିଲା । ପ୍ରଥମଥର ପାଇଁ ଶ୍ରେୟା ବିମାନଯାତ୍ରା କରିବ- ପୁଣି ଏତେଗୁଡ଼ାଏ ବାଟ । ବାପା ଛୋଟ ପିଲାଙ୍କୁ ବୁଝାଇଲା ଭଳିଆ ଥରକୁ ଥର ବିଭିନ୍ନ ବିଷୟରେ ତାଗିଦ୍ କରୁଥାନ୍ତି । ଶ୍ରେୟାର ଆଖିନାକ କାନ୍ଦି କାନ୍ଦି ଲାଲ୍ ହୋଇଗଲାଣି । ବାପା ସିଧାସଳଖ ତା’ ମୁହଁକୁ ନ ଚାହିଁ ଏଣେତେଣେ ଚାହିଁ କଥା ହେଉଥିଲେ । ପ୍ରାଣାଧିକା କନ୍ୟାର ଲୁହବତୁରା ମୁହଁକୁ ଚାହିଁଲେ ସେ ଆଉ ଧୈର୍ୟ୍ୟ ଧରିପାରିବେ ନାହିଁ ।
– “କିଛି ଅସୁବିଧା ହେବନି । ଦେଖିବୁ – କେତେ ସୁରୁଖୁରୁରେ ତୁ ଯାଇ ସେଠି ପହଞ୍ଚôଯିବୁ । ପି୍ରୟାଂଶୁ ଏୟାର୍ପୋଟ୍ର୍ ଆସିଥିବ ତୋତେ ନେଇଯିବାକୁ । ନିଶ୍ଚିନ୍ତରେ ଯାଇ ଘରେ ପହଞ୍ଚôଯିବୁ । ହଁ -ଘରେ ପହଞ୍ଚô ଫୋନ୍ଟେ କରିଦେବୁ ଠିକ୍ଠାକ୍ ପହଞ୍ଚôଯାଇଛୁ ବୋଲି । ତୋ’ ଶାଶୂ -ଶ୍ୱଶୁରଙ୍କୁ ବହୁତ ବହୁତ କହିଦେବୁ ମୋ ପାଇଁ । ସମସ୍ତଙ୍କ ମନ ନେଇ ଚଳିବୁ ।” ବାପାଙ୍କ କଥା ଶୁଣୁ ଶୁଣୁ ଅନ୍ୟମନସ୍କ ହୋଇଯାଉଥିଲା ଶ୍ରେୟା । ତା’ର ଆଖି ଦୁଇଟା ଯାହାକୁ ଖୋଜୁଥିଲା – କୋଉଠି ବି ପାଉନଥିଲା ତାଙ୍କୁ । ଦେଖିଲେ ବି କ’ଣ ସେ ଚିହ୍ନି ପାରିବ? କେବେ ତ ଦେଖିନାହିଁ ତାଙ୍କୁ । କେଜାଣି କାହିଁକି ତା’ର ବିଶ୍ୱାସ ହେଉଥିଲା, ସେ ନିଶ୍ଚୟ ଆସିବେ । ଯେତେ ଯେତେ ସମୟ ଅତିକ୍ରାନ୍ତ ହେଉଥିଲା – ତା’ର ଧୈର୍ୟ୍ୟଚୁ୍ୟତି ଘଟୁଥିଲା । ଏମିତି କ’ଣ ଅଭିମାନ ଯେ! ଯାହା ପାଇଁ ନିଜର ମହାମୂଲ୍ୟ ଜୀବନଟାକୁ ଅପବ୍ୟୟ କରିଦେଲେ, ତା’ର ଆହ୍ୱାନର କିଛି ମୂଲ୍ୟ ନାହିଁ ତାଙ୍କ ନିକଟରେ?
ସେପଟେ ମାଇକ୍ରୋଫୋନ୍ରେ ଶେଷଥର ପାଇଁ ଯାତ୍ରୀମାନଙ୍କର ନାମ ଘୋଷଣା କରାଗଲାଣି । ଏଥର ଶ୍ରେୟାକୁ ଯିବାକୁ ହେବ । ଅଧିକାଂଶ ଯାତ୍ରୀ ଆତ୍ମୀୟସ୍ୱଜନଙ୍କଠାରୁ ବିଦାୟ ନେଇ କୁ୍ୟ’ରେ ଠିଆ ହୋଇଗଲେଣି । ବାପାଙ୍କର ପାଦ ଛୁଇଁ ପ୍ରଣାମ କଲା ଶ୍ରେୟା । ଧୈର୍ୟ୍ୟର ବନ୍ଧ ଭାଙ୍ଗିଗଲା ବାପାଙ୍କର । ଝିଅକୁ କୋଳେଇ ନେଇ କାନ୍ଦି ଉଠିଲେ ସେ । ସେତିକିବେଳେ ଶ୍ରେୟା ଲକ୍ଷ୍ୟ କଲା ପ୍ରତୀକ୍ଷାଗୃହର ଗୋଟିଏ ଚଉକିରେ ଅନେକ ବେଳୁ ବସି ମାଗାଜିନ୍ ପଢ଼ୁଥିବା ଗଗଲସ୍ ପରିହିତା ମହିଳାଜଣକ ଆଖିରୁ ଗଗଲ୍ସ୍ ବାହାର କରି ଲୁହ ପୋଛୁଛନ୍ତି । ଶ୍ରେୟାର ଦୃଷ୍ଟି ଅନୁସରଣ କରି ତା’ ବାପା ମଧ୍ୟ ସିଆଡ଼କୁ ଚାହିଁଲେ । ତାଙ୍କ ପାଟିରୁ ଅକସ୍ମାତ୍ ବାହାରିଗଲା – ସୁଦୀକ୍ଷା!!
ଜିନିଷପତ୍ର ସବୁ ଫୋପାଡ଼ି ଦେଇ ଶ୍ରେୟା ଧାଇଁଗଲା ତାଙ୍କ ଆଡ଼କୁ । ସେ ଉଠିପଡ଼ି ଚାଲିଯିବାକୁ ବସିଥିଲେ । ଦୁଇ ହାତରେ ତାଙ୍କୁ ଭିଡ଼ିଧରି ଶ୍ରେୟା କାନ୍ଦି ଉଠିଲା ।
– “ମୋତେ ଛାଡ଼ିଦେ ମା’ – ମୋ ଦ୍ୱାରା ତୋ’ର କିଛି ଅମଙ୍ଗଳ ହେଉ ବୋଲି ମୁଁ ଚାହେଁନାହିଁ ।” କହିଲେ ସେ । ତାଙ୍କର ନିରୁପାୟତାର କଥା ଶ୍ରେୟା ଜାଣି ସାରିଥିଲା । ସେ କାନ୍ଦୁ କାନ୍ଦୁ ହସି ପକେଇଲା ।
– “ବାପାଙ୍କୁ ମୁଁ ଯେଉଁ ପ୍ରତିଜ୍ଞା କରେଇଥିଲି – ତାଙ୍କୁ ମୁଁ ସେଇ ପ୍ରତିଜ୍ଞାରୁ ମୁକୁଳେଇ ଦେଇଛି । ତେଣୁ ବାପା ତୁମକୁ ଯୋଉ ପ୍ରକାର ନିୟମ କରାଇ ନେଇଥିଲେ – ସେଥିରୁ ବି ତୁମେ ମୁକ୍ତ । ମା’ -ମୋ ବାପାଙ୍କୁ ଆଉ ମୋତେ ତୁମେ କ୍ଷମା କରିଦିଅ ।”
ଶ୍ରେୟାର ନାଁ ପୁଣି ଆନାଉନ୍ସ ହେଲାଣି । ଏଥର ତାକୁ ଯିବାକୁ ହେବ । ବିସ୍ମିତ, ଅଭିଭୂତ ବାପାଙ୍କର ହାତ ଧରି ସେ ଟାଣି ଆଣିଲା ସୁଦୀକ୍ଷା ପାଖକୁ । ଦୁହିଁଙ୍କୁ ଏକାଠି ପ୍ରଣାମ କଲା ସେ । ତା’ପରେ ବୁଲିପଡ଼ି ଜୋର୍ଜୋର୍ ପାଦ ପକେଇ ଚାଲିଗଲା ଭିତରକୁ । ଶେଷଥର ପାଇଁ ବୁଲି ଚାହିଁଲା ବେଳକୁ ଦେଖିଲା ବାପା ଓ ମାଆ ପାଖାପାଖି ଠିଆ ହୋଇ ହାତ ହଲାଉଛନ୍ତି ତା’ ଉଦେ୍ଧଶ୍ୟରେ । ହଁ- ବାପା ଏବେ ଆଉ ଏକୁଟିଆ ନୁହଁନ୍ତି – ତାଙ୍କ ପାଖରେ ଠିଆ ହେବାକୁ ଅତି ଆପଣାର ମଣିଷଟିଏ ଅଛନ୍ତି ।
(ସୌଜନ୍ୟ: ଶ୍ରେଷ୍ଠ ଗଳ୍ପ – ପ୍ରବୀଣା ମହାନ୍ତି, ଟାଇମପାସ)
https://www.amazon.in/dp/B07H5JBB19?ref=myi_title_dp
Comments are closed.