Latest Odisha News

ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ବି ମରାମତି ଠପ୍

ଯାଜପୁର: ଲାଗି ରହିଛି ବର୍ଷା । ଆଉ ଆତଙ୍କିତ ହୋଇ ପଡୁଛନ୍ତି ନଦୀକୂଳିଆ ଲୋକେ । କେଉଁଠି ସମୁଦ୍ର ଜୁଆର ମାଡି ଆସିଲାଣି ତ ଆଉ କେଉଁଠି ଘାଇ ମରାମତି ହୋଇପାରୁନି । ନଦୀ ବନ୍ଧ ସଜାଡିବାକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଚାଲିଛି । ହେଲେ କାମ କିନ୍ତୁ ଠପ୍ ହୋଇ ପଡ଼ିଛି । ଏଇ ଯେମିତି ଯାଜପୁର ଜିଲ୍ଲା ଝାଲପଡ଼ା ଓ ଗୋଳକୁଣ୍ତ ପଞ୍ଚାୟତରେ ନଦୀବନ୍ଧରେ ହୋଇଥିବା ଘାଇ ମରାମତି ।

ବନ୍ୟାରେ ଏଠାରେ ୩ ଶହ ଫୁଟର ଘାଇ ହୋଇଥିଲା । ବହୁ ପରିବାର ୮ ଦିନ ପର୍ଯ୍ୟନ୍ତ ବନ୍ଧହୁଡ଼ାରେ ଓ ଛାତ ଉପରେ ବିତାଇଥିଲେ । ବନ୍ୟା ଛାଡ଼ିବାର ଏକମାସରେ ଅସ୍ଥାୟୀ ଘାଇ ମରାମତି ହୋଇଥିଲା । ଏଥିରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାର ୮ମାସ ପରେ ପୁଣି ସ୍ଥାୟୀ ରାସ୍ତା ମରାମତି କାମ ହୋଇଥିଲା । ଏଥିରେ ୩୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ ବନ୍ଧ ନିର୍ମାଣ ହୋଇଥିଲା। ନଦୀବାଲିରେ ବନ୍ଧ କାମ କରିବାରୁ ଲୋକେ ଏହାକୁ ବିରୋଧ କରିଥିଲେ । ସେତେବେଳେ ବିଭାଗୀୟ ଅଧିକାରୀ ପହଞ୍ଚି କାମ ଠିକ୍‌ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତଥାପି ରାତିଅଧିଆ ନିମ୍ନମାନର କାମ ହୋଇଥିଲା।

୨୦୨୧ ପ୍ରଥମ ବନ୍ୟାରେ ଏହି ଘାଇରେ ପ୍ରଥମେ ଘଳିଆ ହେଲା। ଲୋକେ ଦିନରାତି ଏକ କରି ଜଗି ରହିଲେ। ନିଜେ ମୂଲିଆ ହୋଇ ଘରଡିହ ବାଡ଼ିରୁ ମାଟି ନେଇ ସେଠାରେ ପକାଇ ସାରାରାତି ଜଗି ବସିଲେ। ପରେ ବିଭାଗୀୟ ଅଧିକାରୀଙ୍କ ନିର୍ଦେଶରେ ୪ ହଜାର ବାଲିବସ୍ତାରେ ଘାଇକୁ ପ୍ୟାକ କରାଗଲା। ହେଲେ ଏବେ ବି ନଦୀରେ ପାଣି ଆସିଲେ ଏହିଠାରେ ପ୍ରଥମେ ଘାଇ ହେବାର ଆଶଙ୍କା ରହିଛି ।

 

Leave A Reply

Your email address will not be published.