କଟକ : କନ୍ଦରପୁର ବ୍ୟବସାୟୀଙ୍କୁ ଗୁଳିକରି ଲୁଟ ଘଟଣାର ପର୍ଦ୍ଦାଫାସ। କମିଶନରେଟ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି । ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ସାଗର ମଲ୍ଲିକ୍ ସମେତ କେନ୍ଦ୍ରାପଡା ମାର୍ଶାଘାଇ କରମାକୁଳ ଗ୍ରାମର ରାଜା ଓରଫ୍ ବିବେକାନନ୍ଦ ଶତପଥୀ, ନୟାଗଡ ଚାନ୍ଦପୁର ବେଣ୍ଟ ଗ୍ରାମର ସିନୁ ଓରଫ୍ ସ୍ୱପ୍ନସାଗର ପରିଡା, ଜଗତସିଂହପୁର କୁଜଙ୍ଗ ସିଂଗିପୁର ଗ୍ରାମର ରବିନ୍ଦ୍ର ସ୍ୱାଇଁ ଙ୍କୁ ଗିରଫ କରାଯାଇ କୋର୍ଟ୍ ଚାଲାଣ କରାଯାଇଛି।
ଏମାନଙ୍କ ନିକଟରୁ ନଗଦ ୧୬ ହଜାର ଟଙ୍କା, ଲୁଟ୍ ରେ ବ୍ୟବହୃତ ଦୁଇଟି ଆପାଚି ଗାଡିକୁ ଜବତ କରିଛି ପୋଲିସ। ଗିରଫ ସାଗର ନାଁରେ କଟକ ଏବଂ ଜଗତସିଂହପୁର ର ବିଭିନ୍ନ ଥାନାରେ ସଙ୍ଗୀନ ମାମଲା ରହିଥିବା ବେଳେ ସିନୁ ନାଁରେ ନୟାଗଡ ରଣପୁର ଥାନାରେ ମାମଲା ରହିଛି। ସେହିପରି ରାଜା ନାଁରେ ଜଗତସିଂହପୁର, କଟକ,କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଥାନାରେ ମଧ୍ୟ ଏକାଧିକ ମାମଲା ରହିଥିବା ସୂଚନା ଦେଇଛନ୍ତି ଏ ସି ପି।
ଗତ ସେପ୍ଟେମ୍ବର ୯ ତାରିଖ ରେ ଜଗତସିଂପୁର ବନ୍ଦାଳର ନିରଞ୍ଜନ ସାହୁ ଜଣେ ବ୍ୟବସାୟୀ ତାଙ୍କ ଟାଟା ଏସି ଗାଡ଼ି ରେ ମାଲଗୋଦାମ କୁ ପ୍ରତ୍ୟେକ ଗୁରୁବାର ତେଜରାତି ଜିନିଷ ନେବା ପାଇଁ ଯାଉଥିଲେ। କଇଜଙ୍ଗା ଅଥଙ୍ଗା ରାସ୍ତାରେ ଦୁଇଟି ବାଇକ୍ ରେ ସାଗର,ରାକା ଏବଂ ତାଙ୍କ ତିନି ସହଯୋଗୀ ପହଞ୍ଚି ବ୍ୟବସାୟୀଙ୍କ ଜଂଘକୁ ଗୁଳି କରି ବ୍ୟାଗ୍ ରେ ଥିବା ଏକ ଲକ୍ଷ ଟଙ୍କା ଛଡାଇ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ବ୍ୟବସାୟୀ ଜଣକ କନ୍ଦରପୁର ଥାନାରେ ଅଭିଯୋଗ କରିଲା ପରେ ତଦନ୍ତକୁ ଜୋରଦାର କରିଥିଲା ପୋଲିସ।
ଆସାମୀ ମାନଙ୍କୁ ଧରିବା ପାଇଁ ଡିସିପି ଙ୍କ ନିର୍ଦ୍ଦେଶରେ ସ୍ପେଶାଲ ସ୍କ୍ୱ।ର୍ଡ୍ ଅଧିକାରୀ ଅଜୟ ଦାସ, ଥାନା ଆଇଆଇସି ବିପିନ ବିହାରୀ ହୋତା ପ୍ରମୁଖ ଜାଲ ବିଛାଇଥିଲେ। ଶେଷରେ ଘଟଣାର ଅନ୍ୟତମ ଅଭିଯୁକ୍ତ ରାକେଶ ଦାସ ଓରଫ୍ ରାକାକୁ ଗତ ୧୬ ତାରିଖ ସକାଳୁ ପୋଲିସ ଏନକାଉଣ୍ଟର୍ କରିବା ପରେ ତଦନ୍ତ ପ୍ରକ୍ରିୟାକୁ ଆହୁରି ମଜବୁତ କରିଥିଲା। ପରେ ଘଟଣାରେ ସମ୍ପୃକ୍ତ ଆଉ ୪ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ଜୋନ୍ ୪ ଏ ସି ପି ଚନ୍ଦନ ଘଡେଇ ପ୍ରେସମିଟ୍ ସୂଚନା ଦେଇଛନ୍ତି।ତେବେ ଘଟଣାର ଅନ୍ୟତମ ଅଭିଯୁକ୍ତ ରାକା ଓରଫ ରାକେଶ ଦାସ ପୋଲିସ ଏନକାଉଣ୍ଟରରେ ଆହତ ହୋଇ ବଡ ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ତାଠାରୁ ପିସ୍ତଲ ସହ ଗୁଳି ଜବତ କରିଥିଲା ପୋଲିସ।
Comments are closed.