Latest Odisha News

BREAKING NEWS

ପ୍ରବଳ ବର୍ଷାରେ କାନ୍ଥ ପଡ଼ି ତାମିଲନାଡ଼ୁରେ ୪ପିଲାଙ୍କ ସମେତ ୯ମୃତ

ତାମିଲନାଡ଼ୁ: ତାମିଲନାଡ଼ୁରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ତାମିଲନାଡ଼ୁର ଭେଲୋର ଜିଲ୍ଲାରେ ଏକ କୋଠାଘରର କାନ୍ଥ ପଡ଼ିଯିବାରୁ ୪ଜଣ ପିଲାଙ୍କ ସମେତ ୯ଜଣଙ୍କ ମୃତ୍ୟୁ ହୋଇଛି । ଭେଲୋର ଜିଲ୍ଲା ଅନ୍ତର୍ଗତ ପେରନାମପଟ୍ଟୁ ଅଞ୍ଚଳରେ ଘଟିଛି ଏହି ଅଘଟଣ । ସ୍ଥାନୀୟ ଲୋକଙ୍କଠାରୁ ଘଟଣା ସମ୍ପର୍କରେ ଖବର ପାଇବା ପରେ ମାମଲା ରୁଜୁ କରି ପେରନାମପଟ୍ଟୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଡ଼ୁକ୍କମପାରାଇସ୍ଥିତ ଗୁଡ଼ିୟାତାମ୍ ସରକାରୀ ଡ଼ାକ୍ତରଖାନା ଏବଂ ଗଭର୍ଣ୍ଣମେଣ୍ଟ ଭେଲୋର ମେଡ଼ିକାଲ କଲେଜ ହସ୍ପିଟାଲରେ ଆହତ ବ୍ୟକ୍ତିମାନଙ୍କର ଚିକିତ୍ସା ଚାଲିଛି । ସୂଚନା ଅନୁଯାୟୀ, ବିଗତ କିଛି ଦିନ ହେଲାଣି ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଘରଟି ସକାଳ ପ୍ରାୟ ୬ଟା ୩୦ରେ ଭୁଶୁଡ଼ି ପଡ଼ିଥିଲା । ବର୍ଷା ପାଣି ମାଡ଼ିଯାଇଥିବାରୁ ଏହି ଘରେ ପରିବାର ବର୍ଗଙ୍କ ସହ ଆଉ କିଛି ପଡ଼ୋଶୀ ରହୁଥିଲେ ।

ଖବର ପାଇ ତାମିଲନାଡ଼ୁ ଅଗ୍ନିଶମ ଓ ଉଦ୍ଧାରକାରୀ ସେବାର କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ । ସେଠାରୁ ୯ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଘଟଣରେ ଶୋକବ୍ୟକ୍ତ କରି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ମୃତ ବ୍ୟକ୍ତିଙ୍କ ପରିବାର ପ୍ରତି ୫ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଗତ ସପ୍ତାହରୁ ତାମିଲନାଡ଼ୁରେ ଲଗାତାର ବର୍ଷା ଜାରି ରହିଛି । ଶୁକ୍ରବାର ମଧ୍ୟ ତାମିଲନାଡ଼ୁର ଉତ୍ତର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ ।

Leave A Reply

Your email address will not be published.