US Flight Chaos: ଆମେରିକା ବିମାନ ଚଳାଚଳ ବିଶୃଙ୍ଖଳାରେ କ’ଣ ତ୍ରୁଟି? କାହିଁକି ଆମେରିକା ଆକାଶ ହେଲା ଠପ୍ ? କ’ଣ ପରବର୍ତ୍ତୀ ପଦକ୍ଷେପ?
ଆମେରିକା: ପ୍ରାୟ ସମ୍ପୂର୍ଣ୍ଣ ଠପ୍ ହୋଇଗଲା ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ବିମାନ ଚଳାଚଳ ନେଟୱାର୍କ । ଯୋଗାଯୋଗ ବିଫଳତାରୁ ଦେଶବ୍ୟାପୀ ଅବ୍ୟବସ୍ଥା । ସିଷ୍ଟମରେ ବାରମ୍ବାର ରାଡାର ଓ ଯୋଗାଯୋଗ ବିଫଳତା ଦେଖାଦେଲା । ଫଳରେ ଶୁକ୍ରବାର ଅପରାହ୍ନରେ ଆମେରିକା ଆକାଶ ହୋଇଗଲା ନୋ ଫ୍ଲାଇଂ ଏରିଆ । କୌଣସି ଘୋଷଣା ନୁହେଁ ବରଂ କୋମା କମ୍ୟୁନିକେସନରୁ ହେଲା ବିମାନ ଚଲାଚଳରେ ଲାଗିଲା ରୋକ୍ । ଯାତ୍ରୀ ଫସିଲେ, ଦେଖାଦେଲା ଅଚଳାବସ୍ଥା । ଆମେରିକାରେ ଉଡାଣ ବିଭ୍ରାଟ ପରେ ଆମେରିକାର ଫେଡେରାଲ ଆଭିଏସନ ଆଡମିନଷ୍ଟ୍ରେସନ ଏଫଏଏ ଦେଶବ୍ୟାପୀ ବିମାନ ଉଡାଣ ବନ୍ଦ କରିଦେଲା । ଫଳରେ ପ୍ରାୟ ୩ହଜାର ୫ଶହ ଉଡାଣ ବାତିଲ୍ ହୋଇଥିବା ବେଳେ ୧୦ ହଜାରରୁ ଅଧିକ ବିମାନ ବିଳମ୍ବରେ ଉଡାଣ ଭରିଛି ।
ତେବେ ତ୍ରୁଟି କେଉଁଠି ରହିଲା କାରଣ ଖୋଜିବା ସହ ସମାଧାନ ପାଇଁ ଏଫଏଏର ବୈଷୟିକ ଟିମ୍ ତଦନ୍ତ ଆରମ୍ଭ କରିଥିଲେ । ବହୁ ପୁରୁଣା ସୁଇଚ୍ ଓ ରାଉଟର ରହିଛି, ୧୯୮୦ ଦଶକର ଛୋଟ ତମ୍ବା ତାର ବ୍ୟବହାର ହେଉଛି । ପୁରୁଣା ଉପକରଣ ପାଇଁ ବିଭ୍ରାଟ ହୋଇଥିବା କୁହାଯାଇଛି । ଆଗକୁ ତାର ନବଦଳାଇଲେ ପୁଣି ଖରାପ ହେବ ବୋଲି ଆମେରିକା ପରିବହନ ସଚିବ ସିନ୍ ଡଫି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୂଚନା ଦେଇଛନ୍ତି । ପୁରା ଘଟଣା ଉପରେ ପୂର୍ଣ୍ଣ ଭାବେ ନିୟୋଜିତ ରହି ତଦାରଖ କରୁଛନ୍ତି ଟ୍ରମ୍ପ । ଏହାପଛରେ କୌଣସି ସାଇବର ଆକ୍ରମଣ କିମ୍ବା ଆତଙ୍କୀ ଷଡଯନ୍ତ୍ର ଥିବା ପ୍ରମାଣ ମିଳିନି । ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ସଚିବ କହିଛନ୍ତି । ନୂଆ ଏଆଇ ଆଧାରିତ ଏୟାର ଟ୍ରାଫିକ ବ୍ୟବସ୍ଥା ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ ତାର ଯାଂଚ ହେଉଛି । ୧.୫ ମିଲିଅନ ଯାତ୍ରୀ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ପ୍ରାଥମିକ ଭାବେ ୩ହଜାର ୫ଶହ ଫ୍ଲାଇଟ୍ ଗ୍ରାଉଣ୍ଡ ଷ୍ଟପ୍ ଘୋଷଣା ପରେ ବନ୍ଦ ହୋଇଥିଲା । ପ୍ରମୁଖ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କୁ ସତର୍କ କରିବାକୁ ବାହାରିବା ପୂର୍ବରୁ ଫ୍ଲାଇଟ୍ ସମୟ ଚେକ୍ କରିବାକୁ କୁହାଯାଇଥିଲା । ତେବେ ଯୋଗାଯୋଗା ବ୍ୟବସ୍ଥାରେ ତ୍ରୁଟି ଥିବା ବେଳେ ବିମାନ ଚଳାଚଳ ଜାରି ରଖିବା ବିପଦପୂର୍ଣ୍ଣ ହୋଇପାରେ ତେଣୁ ସତର୍କତା ପାଇଁ ସବୁ ବିମାନ ଉଡାଣ ରୋକି ଦିଆଯାଇଥିବା କୁହାଯାଇଛି ।
ଏବେ ବାଧାପ୍ରାପ୍ତ ବିମାନ ଚଳାଚଳର ବ୍ୟାକଲଗ୍ ପରିଚାଳନା ଉପରେ ଗୁରୁତ୍ୱ ଦେଇ ପରିସ୍ଥିତିରେ ସୁଧାର ଆଣିବାକୁ ସମୟ ଲାଗିବ । ଘଟଣାର ବୈଷୟିକ କାରଣ ଉପରେ ତଦନ୍ତ ଚାଲିଛି ଗୁରୁତ୍ୱପୂର୍ଣ୍ଣ ନିିଷ୍ପତ୍ତି ହେବ ବୋଲି ସୂଚନା ମିଲିଛି । ତେବେ ଯାତ୍ରୀଙ୍କ ପାଇଁ ବିମାନ ସେବା ସୂଚୀ ପୁଣି କରିବାକୁ ବିମାନ ସେବା ପ୍ରଣାଳୀ କାମ କରୁଛି । ତେବେ ଏହି ସପ୍ତାହାନ୍ତ ବାଧା ଜାରି ରହିବ ବୋଲି ସୂଚନା ମିଳିଛି । ପୁରା ନେଟୱାର୍କ ରିସଫଲ କରିବାକୁ ହେବ । ଏଥିପାଇଁ ସଚିବ ଡଫି ୫୦ବିଲିଅନ ଡଲାରର ବିମାନ ଚଳାଚଳ ବ୍ୟବସ୍ଥା ସଂସ୍କାର ପାଇଁ ପ୍ରସ୍ତାବ ଦେଇଛନ୍ତି । ନଚେତ୍ ଆଗକୁ ଆହୁରି ବାଧା ସୃଷ୍ଟି ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି । ଆମେରିକା ବିମାନ ଚଳାଚଳ ନିୟନ୍ତ୍ରଣ ବ୍ୟବସ୍ଥା କାହିଁକି ଆଧୁନିକୀକରଣ ସମ୍ବନ୍ଧୀୟ ଆହ୍ୱାନର ସମ୍ମୁଖୀନ ହେଉଛି । ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଧୁନିକୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ପୁରୁଣା ତମ୍ବା ତାରକୁ ହଟାଇ ସେଠାରେ ଫାଇବର ଅପ୍ଟିକ୍ ସଂଯୋଗ କରାଯିବ ବୋଲି କୁହାଯାଇଛି । ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି କରାଯିବ ଏବଂ ଏୟାର ଟ୍ରାଫିକ କଂଟ୍ରୋଲ କେନ୍ଦ୍ର ଗୁଡିକର ନୂତନ ଉପକରଣ ସ୍ଥାପନ କରାଯିବ ।
୨୦୨୧ରେ ଆମେରିକାରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ବିମାନ ଚଳାଚଳ ବନ୍ଦ ହୋଇଥିଲା । ୨୦୨୩ରେ ଏଫଏଏର ନୋଟମ୍ ନୋଟିଫିକେସନ ସିଷ୍ଟମରେ ତ୍ରୁଟି ପାଇଁ ଘରୋଇ ବିମାନ ଉଡାଣ ପ୍ରାୟ ୯୦ ମିନିଟ୍ ବନ୍ଦ ଥିଲା । ଏବେ ୨୦୨୬ରେ ଯୋଗାଯୋଗ ବ୍ୟବସ୍ଥାରେ ବିଭ୍ରାଟ ପାଇଁ ପୁଣି ଥରେ ଦେଶବ୍ୟାପୀ ବିମାନ ଉଡାଣ ଉପରେ ରୋକ୍ ଲଗାଇବାକୁ ପଡିଛି ।
