Latest Odisha News

BREAKING NEWS

ମହଙ୍ଗାଇର ପ୍ରତିଶବ୍ଦ କ’ଣ ମୋଦି !

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…

ବର୍ତ୍ତମାନ ସମୟରେ ସାଧାରଣ ଲୋକମାନଙ୍କ ପାଇଁ ସବୁଠାରୁ ବଡ଼ କଷଣ କ’ଣ? ଯଦି ଆପଣ ଏହି ପ୍ରଶ୍ନର ଉତର ଦରଦାମ୍ ବୃଦ୍ଧି ବା ମହଙ୍ଗାଇ ବୋଲି କହିବେ, ତେବେ ଆପଣଙ୍କୁ ନିଜର ସୁରକ୍ଷା ନିଜେ କରିବାକୁ ହେବ । ଏଥିପାଇଁ ପ୍ରଶ୍ନକର୍ତ୍ତା ଉତ୍ତରଦାୟୀ ରହିବେ ନାହିଁ । ଆପଣଙ୍କ ଉପରେ ଦେଶଦ୍ରୋହୀଠାରୁ ଆରମ୍ଭ କରି ଖାନ୍ ଗ୍ୟାଙ୍ଗ୍ କି ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ୍ ଆଦି ଯାହା ବି ଟ୍ୟାଗ୍ ଲାଗିବ କି ଆପଣଙ୍କ ଉପରେ ଯାହା ବି ମାଡ଼ ଗାଳି ହେବ ସେଥିପାଇଁ କେବଳ ଆପଣ ହିଁ ଦାୟୀ ରହିବେ । ଏତିକି ବିଶେଷଣକୁ ବୋହି ପାରିବାର ଓ ମାଡ଼କୁ ସହିପାରିବାର ଯଦି ସତ୍‌ସାହସ ଅଛି ତେବେ ଆପଣ ବିବେକାନୁମୋଦିତ ଉତ୍ତର ଦେଇପାରନ୍ତି । ନଚେତ୍ ଜପ କରିବା ପରି ଯାହା ବି ବିକାଶ ହୋଇଛି ଓ ହେଉଛି ୨୦୧୪ ପରେ ହିଁ ହୋଇଛି କହି ନିଜ ପୈତୃକ ପ୍ରାଣ ଓ ଇଜ୍ଜତକୁ ବଞ୍ଚେଇବାର ପ୍ରୟାସ କରନ୍ତୁ ।

ବର୍ତ୍ତମାନ ସମୟରେ ଦରଦାମ୍ ବୃଦ୍ଧି ତଥା ମହଙ୍ଗାଇ ଯେତିକି ବାଧୁଛି ତା’ଠାରୁ ଅଧିକ ବାଧୁଛି ମହଙ୍ଗାଇର ସପକ୍ଷରେ ଚାଲୁଥିବା ଭକ୍ତମାନଙ୍କର ବିତଣ୍ଡା ଯୁକ୍ତି । ଦରଦାମ୍ ବୃଦ୍ଧିକୁ ସମ୍ଭାଳିବା ପାଇଁ ଯେତିକି ସାହସ ଓ ଶକ୍ତି ଦରକାର ଦରଦାମ୍ ବୃଦ୍ଧି ବିଷୟରେ ଆଲୋଚନା କରିବା ପାଇଁ ତା’ଠାରୁ ଅଧିକ ଶକ୍ତି ଆବଶ୍ୟକ ପଡ଼ୁଛି । ଦରଦାମ୍ ବୃଦ୍ଧି ଯେତେ ବି ବାଧୁଛି ବାଧୁ କିନ୍ତୁ ଏହା ଦେଶର ବିକାଶ ପାଇଁ ଜରୁରୀ ବୋଲି କହିବାକୁ ହେବ । ନହେଲେ ତୁମେ ଦେଶଦ୍ରୋହୀ ଓ ବିଧର୍ମୀ ବୋଲି ପ୍ରମାଣିତ ହେବାକୁ ବେଶି ସମୟ ଲାଗିବ ନାହିଁ । ଗୋଟେ ବିରାଟ ଆଇ.ଟି. ସେଲ୍ ନିରୋଳା ଏହି କାମରେ ଲାଗିଛନ୍ତି ।

ବର୍ତ୍ତମାନ ବଜାରର ପରିସ୍ଥିତିକୁ ଯଦି ଟିକେ ମଜାଳିଆ ଢ଼ଙ୍ଗରେ କୁହାଯିବ, ତେବେ ଏତିକି କୁହାଯିବ ଯେ, ଯଦି ଆପଣଙ୍କର ହୃଦରୋଗ ଅଛି ତେବେ ଆପଣ ବଜାରକୁ ଯାଆନ୍ତୁ ନାହିଁ । କାରଣ ଅସମୟରେ ହୃଦଘାତ ହେବାର ସମ୍ଭାବନା ଅଛି । ପ୍ରଥମେ ଯଦି ଖାଦ୍ୟ ଦ୍ରବ୍ୟର ଦରଦାମ୍‌ର ପରିସ୍ଥିତିକୁ ଦେଖିବା ତେବେ ଜଣାପଡ଼ିବ ଯେ, ବଜାରରେ ନିଆଁ ଲାଗିଛି, ଯାହାର ତାପରେ ସାଧାରଣ ଲୋକମାନେ ବଜାର ଭିତରକୁ ପ୍ରବେଶ କରିପାରିବା ବି ମୁସ୍କିଲ୍ । ସୋରିଷ ତେଲ ଲିଟର ବିକ୍ରି ହେଉଛି ୨୫୦ ଟଙ୍କାରେ ।

ଯେତିକି ଟଙ୍କାରେ ଲିଟରେ ସୋରିଷ ତେଲ ମିଳୁଥିଲା, ସେତିକି ଟଙ୍କାରେ ଏବେ ଅଧ ଲିଟର ମିଳୁଛି । ଡାଲି ଦେଢ଼ଶହ । ରିଫାଇନ୍ ତେଲ ଦେଢ଼ଶହ । ଆଳୁ ପିଆଜ ତ ପ୍ରତିଦ୍ୱିନ୍ଦିତା କରି ବଢ଼ିଚାଲିଛନ୍ତି । ପନିପରିବା ଦାମ୍ ତ ନକହିବା ଭଲ । ଅଶି ଟଙ୍କା ତଳେ କୌଣସି ବି ପନିପରିବା ମିଳୁନାହିଁ । ପୂର୍ବରୁ ପାଞ୍ଚଶହ ଟଙ୍କା ବଜାରକୁ ନେଇକରି ଗଲେ ଯେତିକି ପନିପରିବା ମିଳୁଥିଲା, ଏବେ ତାର ଅଧା ବି ମିଳୁନାହିଁ । ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ଯଥା ସିମେଣ୍ଟ , ଲୁହା ରଡ଼, ବିଦ୍ୟୁତ ଉପକରଣ, ପାଣି ପାଇପ୍ ସଂଯୋଗ ଉପକରଣ ଆଦିର ଦାମ୍ ମଧ୍ୟ ଆକାଶ ଛୁଆଁ ହୋଇଛି ।

ଗତ ବର୍ଷେ ମଧ୍ୟରେ ସବୁ ଜିନିଷର ଦାମ୍ ଦୁଇ ଗୁଣ ହୋଇଯାଇଛି । ଇତି ମଧ୍ୟରେ ଲୋକମାନଙ୍କର ରୋଜଗାରରେ ପାଞ୍ଚ ପ୍ରତିଶତ ବି ବଢ଼ିନାହିଁ । ବରଂ ଆମ ଦେଶର ସିଂହଭାଗ ଲୋକମାନଙ୍କର ରୋଜଗାର କମିଛି । କରୋନା ସଂକ୍ରମଣ ଓ ତଦ୍‌ଜନିତ ଲକ୍ ଡାଉନ୍ ଯୋଗୁ ଅଧିକାଂଶ ଲୋକଙ୍କ ହାତରେ ରୋଜଗାର ନାହିଁ । ଲକ୍ ଡାଉନ୍‌ର ପ୍ରଭାବରୁ ଏଇ ଏବେ ଏବେ ତ ମୁକ୍ତି ମିଳିଛି । ଠିକ୍ ଭାବେ ରୋଜଗାରର ବ୍ୟବସ୍ଥା ହୋଇନାହଁ । କିନ୍ତୁ ଇତି ମଧ୍ୟରେ ବଜାରର ଦରଦାମ୍ ଏପରିକି ଖାଦ୍ୟ ଦ୍ରବ୍ୟ ଓ ପେଟ୍ରୋଲିୟମ୍ ଜାତ ଦ୍ରବ୍ୟର ଦାମ୍‌ ଆକାଶରେ ଉଡ଼ୁଛି । ଏପରି ପରିସ୍ଥିତିରେ ବିଚରା ସାଧାରଣ ଲୋକଟିଏ କରିବ କ’ଣ?

ପରିସ୍ଥିତି ଆଜି ଏପରି ହୋଇଛି ଯେ, ଗରିବ ଲୋକଙ୍କ ପାଇଁ ଭାତ ପିଆଜି କି ରୁଟି ଲୁଣ ବି ଆଜି କଷ୍ଟସାଧ୍ୟ ହୋଇଯାଇଛି । କାରଣ ଆଜିର ମହରଗ ବଜାରରେ ପିଆଜ ଓ ରନ୍ଧନ ଗ୍ୟାସ୍ ଅପୂର୍ବ ପାଲଟି ଯାଇଛି । ଗତ ଚାରି ମାସ ମଧ୍ୟରେ ଗ୍ୟାସ୍ ବି ଆସି ହଜାରେ ପାଖାପାଖି ହେଲାଣି । ପେଟ୍ରୋଲ୍ ଡ଼ିଜେଲ୍ ତ ପ୍ରତିଦିନ ବଢ଼ୁଛି । ମାତ୍ର ପନ୍ଦର ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ୍ ୭୦ରୁ ବଢ଼ି ଶହେ ଟପିଗଲା । କିଛି କିଛି ସ୍ଥାନରେ ପେଟ୍ରୋଲ୍ ଶହେ କୋଡ଼ିଏ ହୋଇଯାଇଥିଲା । କେଜାଣି କେମିତି ମୋଦି ସରକାର ମନରେ ଦୟା ହେଲା ଯେ, ପେଟ୍ରୋଲ ଉପରୁ ପାଞ୍ଚ ଟଙ୍କା ଓ ଡିଜେଲ୍‌ ଉପରୁ ଦଶ ଟଙ୍କା କମ୍ କରିଛନ୍ତି । କିନ୍ତୁ ତଥାପି ବି ପେଟ୍ରୋଲ ଡିଜେଲ୍ ଶହେ ଦଶରେ ପହଂଚିଛି ।

ଏଭଳି ପରିସ୍ଥିତିରେ ବିଚରା ସାଧାରଣ ଲୋକଟିଏ ବଞ୍ଚିବ କେମିତି! ଯେତେବେଳେ ନିଜ ପିଲାଙ୍କ ପେଟକୁ ଦାନା ଯୋଗାଇ ପାରୁନି କି ଗାଡ଼ି ପାଇଁ ଟୋପାଏ ପେଟ୍ରୋଲ୍ କିଣିପାରୁନି, ସେତେବେଳେ ତା ମନରେ କ୍ଷୋଭ ଆସିବା ତ ସ୍ୱଭାବିକ । କିନ୍ତୁ ଯଦି କଷ୍ଟ ସହିନପାରି ଆପଣ ପାଟି କରିବେ ବା ଦରଦାମ୍ ବାଧୁଛି ବୋଲି କହିବେ, ତେବେ ଭକ୍ତମାନେ ଦୌଡ଼ି ଆସିବେ । ସତେ ଯେମିତି ମହଙ୍ଗାଇର ଅନ୍ୟ ନାମ ମୋଦି! ମହଙ୍ଗାଇ ବିଷୟରେ କହିବା ଅର୍ଥ ଆପଣ ମୋଦି ବିରୋଧୀ । ଆପଣ ଦେଶଦ୍ରୋହୀ । ତେଣୁ ମନର କ୍ଷୋଭ ବାହାର କରିବେ କ’ଣ ଆପଣଙ୍କୁ ଆପଣଙ୍କ ଭାଈଙ୍କ ସହିତ ଯୁକ୍ତି କରିବାକୁ ହେବ । ପ୍ରଥମ ଥର ପାଇଁ ଆମ ଦେଶରେ ଏପରି ପରିସ୍ଥିତି ଉପୁଜିଛି । ଯେ ଆପଣ ମହଙ୍ଗାଇ ମାଡ଼ରେ ହନ୍ତସନ୍ତ ହେଉଥିବେ କିନ୍ତୁ ଆପଣ କହିପାରିବେ ନାହିଁ । କଷ୍ଟ ହେଉଥିବ କିନ୍ତୁ କାନ୍ଦି ପାରିବେ ନାହିଁ । ଆପଣଙ୍କୁ ହସିବାକୁ ପଡ଼ିବ । କାରଣ କେନ୍ଦ୍ରରେ ମୋଦି ସରକାର ଓ ମୋଦି ଆଲୋଚନାର ଉର୍ଦ୍ଧ୍ୱରେ । ଗଣମାଧ୍ୟମ, ଆଇ.ଟି. ସେଲ୍ ଆଦି ମାଧ୍ୟମରେ କେନ୍ଦ୍ରରେ ସରକାରରେ ଥିବା ଦଳ ଏମିତି ମସ୍ତିସ୍କ ଧୂଲେଇ କରିଛନ୍ତି ଯେ, ସରକାର ଯଦି ଧଳାକୁ କଳା କହିବେ ଏମାନେ କଳା କହିବାକୁ ବାଧ୍ୟ । ଏପରିକି ଦରଦାମ୍‌ ବୃଦ୍ଧିର ମାଡ଼ ସେମାନଙ୍କ ଉପରେ ସେତିକି ବସୁଥିଲେ ବି, ସେମାନଙ୍କୁ ସେତିକି ବାଧୁଥିଲେ ବି ସେମାନେ ମୁହଁରେ ପାଉଡର ମରା ହସ ମାଖି କହୁଛନ୍ତି, ଏହା ବିକାଶ ପାଇଁ ଜରୁରୀ ।

ଏବେ ରାଜନୀତିର ରଙ୍ଗ ବଦଳି ଯାଇଛି । ଆଜି ଆପଣମାନଙ୍କୁ କ’ଣ ଅନୁଭବ ହେଉଛି ତାହା ଭିନ୍ନ କଥା । ଅସଲ କଥା ହେଉଛି ସରକାରଙ୍କୁ ତଥା ମହାପୁରୁଷ(?) ମୋଦିଙ୍କୁ ଯାହା ସୁହାଇବ ତାହା କହିବାକୁ ବାଧ୍ୟ । କାରଣ ସାରା ଦେଶରେ ଆଇ.ଟି. ସେଲ୍ ଓ ହ୍ୱାଟ୍‌ସଆପ୍ ୟୁନିଭର୍ସିଟି ଆଦି ମାଧ୍ୟମରେ ଗୋଟିଏ ଅଭିଯାନ ଚାଲୁଛି ; ଯାହାର ଉଦ୍ଦେଶ୍ୟ ହେଲା ସମସ୍ତ ପ୍ରକାର ସରକାର ବିରୋଧି ତଥା ଜନବାଦୀ ସ୍ୱରକୁ ତିନି ତୁଣ୍ଡରେ ଛେଳି କୁକୁର ପରି ଦବେଇ ଦେବା । ଯାଦୁଆ ଯାଦୁକୁ କୁଣ୍ଡେଇ କୁଣ୍ଡେଇ ଯାଦୁର କିଛି ପ୍ରଭାବ ପଡ଼ୁନି ବୋଲି କହିବା ଯାହା ଭକ୍ତମାନେ ମହଙ୍ଗାଇକୁ ବିକାଶ ପାଇଁ ଆବଶ୍ୟକ ବୋଲି କହିବା ତାହା । ଏବେ ଜଣେ ଉତ୍ସାହୀ ଭକ୍ତ ଫେସ୍‌ବୁକ୍‌ରେ ଲେଖିଥିଲେ ଯେ, ଲୋକମାନେ ଧନତେରାସ୍‌ରେ ହଜାର ହଜାର କୋଟି ଟଙ୍କାର ସୁନା କିଣିଲେ, ପୁଣି ପେଟ୍ରୋଲ୍ ଡିଜେଲ୍ ଦର ଶହେ କୋଡ଼ିଏ ହେଲେ ବାଧୁଛି କାହିଁକି ? କି ଅଜବ ଯୁକ୍ତି! କେଉଁ ପ୍ରକାର ମସ୍ତିସ୍କ ଧୂଲେଇ ହେଲେ ଜଣେ ଏପରି ଲେଖିପାରିବ ! ତାଙ୍କୁ କେମିତି ବୁଝାଯିବ ଯେ, ହଜାର ହଜାର କୋଟି ଟଙ୍କାର ସୁନା କିଣିଥିବା ଲୋକମାନଙ୍କର ସଂଖ୍ୟା ଆମ ଦେଶରେ ଅତି ବେଶିରେ ପାଞ୍ଚ ପ୍ରତିଶତ । ସେମାନଙ୍କୁ ତୈଳ ଦର ବାଧୁ ନଥାଇପାରେ କିନ୍ତୁ ୯୫ ପ୍ରତିଶତ ଲୋକଙ୍କୁ ଏହା ବାଧୁଛି ।

ଗୋଟିଏ ଗଣତାନ୍ତ୍ରିକ ଦେଶରେ ଏ ବିଷୟରେ ଆଲୋଚନା କରିବାର ଅଧିକାର ସମସ୍ତଙ୍କର ଅଛି । ଲୋକମାନେ ତାଙ୍କ ପୋଷ୍ଟର ଏପରି ଉତର ଦେବାରୁ ଉକ୍ତ ମହାଶୟା ଲେଖିଲେ ଯେ, ଶହେ କୋଟି ଲୋକ ଟୀକା ନେଲେ, ସରକାର କ’ଣ ତାଙ୍କ ଘରୁ ଟଙ୍କା ଆଣି ଦେଇଥାନ୍ତେ । ମୁଣ୍ଡ ତ ପୂର୍ବରୁ ଧୂଆ ହୋଇଯାଇଛି, ତେଣୁ ସେ ସଠିକ୍ କଥା କହିପାରନ୍ତେ ବା କେମିତି!

କେବଳ ଟୀକା ନୁହେଁ, ସରକାର ତ ସମସ୍ତ ପ୍ରକାର ଜନକଲ୍ୟାଣକାରୀ କାମ ପାଇଁ ଆମ ଠାରୁ ସକାଳୁ ସଞ୍ଜ ଯାଏ ପ୍ରତ୍ୟେକ କାମରେ କର ନେଉଛନ୍ତି । କୋଭିଡ଼୍ କାଳର ଏହି ଦୁଇ ବର୍ଷ ମଧ୍ୟରେ ନୂଆ ଡାକ୍ତରଖାନା ତ ସ୍ଥାପନା ହୋଇନାହିଁ । ସରକାର ସାଂସଦମାନଙ୍କ ହାତ ପାଣ୍ଠି ବନ୍ଦ କରିଦେଇଛନ୍ତି । ତଥାପି ଅଣ୍ଟିଲାନି ଯେ, ସରକାର ରାଷ୍ଟ୍ରାୟତ ସେବା ଓ ସ୍ୱାସ୍ଥ୍ୟ ଯଥା ରେଳ, ବିମାନ ଚଳାଚଳ, ଖଣି, ବିଜୁଳି, ବନ୍ଦର ଆଦି କ୍ଷେତ୍ରରେ ଥିବା ସରକାରୀ ଉଦ୍ୟୋଗ ଓ ସେବାକୁ ଘରୋଇ କମ୍ପାନୀକୁ ବିକ୍ରି କରିଛନ୍ତି । ପୁଣି ଟଙ୍କା ପାଇଁ ସରକାର ପେଟ୍ରୋଲ୍ ଡିଜେଲ୍‌ ନାଁ’ରେ ଲୋକଙ୍କ ଠାରୁ ରକ୍ତ ଶୋଷିବା ପରି କର ଆଦାୟ କରୁଛନ୍ତି । ଏଠି ଆଉ ଗୋଟିଏ କଥା ମଧ୍ୟ ବିଚାର କରାଯାଇପାରେ ଯେ, ଯଦି ଦରଦାମ୍ ବୃଦ୍ଧି କରି ଲୋକମାନଙ୍କୁ ଶୋଷଣ କରି ସେଇ ଟଙ୍କାରେ ଲୋକମାନଙ୍କୁ ଟୀକା ଦିଆଯାଇଛି, ତାହେଲେ ଟୀକାକରଣ କେବଳ ମୋଦି କରେଇଛନ୍ତି ବୋଲି ପ୍ରଚାର କରାଯାଉଛି କାହିଁକି? ଯଦି ସରକାରଙ୍କର ଟଙ୍କା ଦରକାର, ତେବେ ବଡ଼ ବଡ଼ କର୍ପୋରେଟ୍ ମାନଙ୍କ ଉପରୁ କର ଛାଡ଼ ନକରି ତାଙ୍କ ଠାରୁ କର ଆଦାୟ କରୁନାହାନ୍ତି କାହିଁକି?

ମହଙ୍ଗାଇକୁ ନେଇ ଏବେ ଗୋଟିଏ ପ୍ରକାର ନୂଆ ଆଲୋଚନା ପ୍ରାୟୋଜିତ କରାଯାଉଛି । ବିଜେପି ନେତାମାନେ ଗଣମାଧ୍ୟମ ବୁଲି ବୁଲି କହୁଛନ୍ତି ଯେ, ବିକାଶ ପାଇଁ ଦରଦାମ ବୃଦ୍ଧିର ଆବଶ୍ୟକତା ରହିଛି । ଆଶ୍ଚର୍ଯ୍ୟ କଥା! ୨୦୧୪ ପୂର୍ବରୁ ବିଜେପି ନେତାମାନେ କ’ଣ ଏହା ବୁଝିନଥିଲେ? ଉପା ସରକାର ସମୟରେ ସାମାନ୍ୟ ବି ଦରଦାମ୍ ବୃଦ୍ଧି ହେଲେ ସ୍ମୃତି ଈରାନୀଙ୍କଠୁ ଆରମ୍ଭ କରି ଅରୁଣ ଜେଟଲୀଙ୍କ ପର୍ଯ୍ୟନ୍ତ ବିଜେପି ନେତାମାନେ ରାଜରାସ୍ତାକୁ ଓହ୍ଲେଇ ଆସୁଥିବା ବେଳେ ଏବେ ଦରଦାମ୍ ବୃଦ୍ଧିଟା ଅବଶ୍ୟମ୍ଭାବୀ ହୋଇଗଲା କିପରି? ଠିକ୍ ଅଛି, ମନେକରାଯାଉ ଯେ, ବିକାଶ ପାଇଁ ଦରଦାମ୍ ବୃଦ୍ଧି ଆବଶ୍ୟକ । ହେଲେ ଏହି ଦରଦାମ୍ ବୃଦ୍ଧିରେ ସାଧାରଣ ଗରିବ ଲୋକଟିଏ, କୋଭିଡ଼୍‌ ଜନିତ ଲକ୍ ଡାଉନ୍‌ର ମାଡ଼ରେ ଯାହାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି, ସେ ବିଚରାଟି ବଞ୍ଚିବ କିପରି? ତା ପିଲା ଛୁଆ ପାଠ ପଢ଼ିବେ କିପରି? ସେହି ସାଧାରଣ ଲୋକମାନେ କ’ଣ ସରକାରଙ୍କ ତାଲିକାରେ ନାଗରିକ ନୁହଁନ୍ତି?

ଭାରତ ଇତିହାସରେ ସମ୍ପ୍ରତି ମହଙ୍ଗାଇ ଶୀର୍ଷରେ ପହଞ୍ଚିଛି । ଠିକ୍ ସେହି ହିସାବରେ ମହଙ୍ଗାଇ ସପକ୍ଷରେ ବି ଗୋଟିଏ ସେନାକୁ ଠିଆ କରାଯାଉଛି । ଯେଉଁମାନେ ଅତି ନିର୍ଦ୍ଦୟ ଭାବେ ସାଧାରଣ ଲୋକମାନଙ୍କ ପରିସ୍ଥିତିକୁ ତାଚ୍ଛଲ୍ୟ କରୁଛନ୍ତି । ତାଙ୍କ ପାଟି ଫିଟିବାକୁ ଦେଉନାହାନ୍ତି ।

ସେମାନଙ୍କୁ କିଏ ବୁଝେଇବ ଯେ, ମହଙ୍ଗାଇ ବିଷୟରେ ଆଲୋଚନା ଅର୍ଥ ମୋଦିଙ୍କ ବିରୋଧ ନୁହେଁ । ଏହା ଏକ ଭୟଙ୍କର ପରିସ୍ଥିତିର ସ୍ୱଭାବିକ ପ୍ରତିଫଳନ । କିନ୍ତୁ ମହଙ୍ଗାଇର ଆଲୋଚନାକୁ ଯେପରି ଭାବେ ବିରୋଧ କରାଯାଉଛି, ସତେ ଯେମିତି ମହଙ୍ଗାଇର ପ୍ରତିଶବ୍ଦ ମୋଦି! ମହଙ୍ଗାଇର ମାଡ଼ ଠାରୁ ଏହା ଆହୁରି ବିପଦଜନକ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର- ୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.