Latest Odisha News

BREAKING NEWS

ଅମୃତ କାଳରେ ଚାଷୀ କେଉଁଠି ?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… 

ଯଦି ୨୦୨୩ର ବଜେଟ୍ ଆସନ୍ତା ପଚିଶ୍ ବର୍ଷ ମଧ୍ୟରେ ଆସିବାକୁ ଥିବା ଅମୃତ କାଳକୁ ଏକ ରାସ୍ତା, ତେବେ ବୁଝିବାକୁ ହେବ ଯେ, ଏହି ଇପ୍‌ସିତ ଅମୃତ କାଳର ପରିକଳ୍ପନାରେ ଚାଷ ଓ ଚାଷୀ ନାହାନ୍ତି । ଆମ ଦେଶରେ ଥିବା ବିସମତାକୁ ନେଇ ଯେଉଁ ଇଣ୍ଡିଆ ଓ ଭାରତର ତତ୍ତ୍ୱ ବ୍ୟବହାର କରାଯାଏ, ସେହି ତତ୍ତ୍ୱ ଅନୁସାରେ ଏହି ଅମୃତ କାଳ କେବଳ ଇଣ୍ଡିଆ ପାଇଁ, ଭାରତ ପାଇଁ ନୁହେଁ । କାରଣ ଭାରତର ଜନସଂଖ୍ୟାର ସିଂହ ଭାଗ ଚାଷୀମାନଙ୍କର ପରିସ୍ଥିତି ବଦଳିବା ପରି ବଜେଟ୍‌ରେ ବିଶେଷ କିଛି ନାହିଁ । ଯଦିଓ ଏହି ବଜେଟ୍‌ରେ ପୁଞ୍ଜି ଖର୍ଚ୍ଚ, ଆର୍ଥିକ ଐକୀକରଣ, ନିରନ୍ତର ଅଭିବୃଦ୍ଧିର ଆଦିର ପ୍ରତିଶୁତିକୁ ନେଇ ବହୁତ ହୋ ହାଲ୍ଲା ଶୁଣାଯାଉଛି, କିନ୍ତୁ ଅପରପାଶ୍ୱର୍ରେ ସାଧାରଣ ଚାଷୀଙ୍କ ପରିସ୍ଥିତିର ପରିବର୍ତ୍ତନ ବିଷୟରେ ବଜେଟ୍ ଅସ୍ୱାଭାବିକ ଭାବେ ନୀରବତା ଅବଲମ୍ବନ କରୁଛି । ଏବେ ବି ଗ୍ରାମାଞ୍ଚଳର ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । କିନ୍ତୁ କାହିଁକି ଯେ ସେମାନଙ୍କର ରୋଜଗାର ବୃଦ୍ଧି ବିଷୟରେ ବଜେଟ୍‌ରେ କିଛି ବି କୁହାଯାଇନାହିଁ, ତାହା ବୁଝିବା ବାହାରେ ।

ଯେତେବେଳେ ନିରନ୍ତର ଆର୍ଥିକ ଅଭିବୃଦ୍ଧିର କଥା କୁହାଯାଉଛି, ସେତେବେଳେ ଜନସଂଖ୍ୟାର ସିଂହ ଭାଗ ଲୋକଙ୍କୁ ଛାଡ଼ି ଏହା କିପରି ସମ୍ଭବ ହେବ? ଯଦି ବି ଅଭିବୃଦ୍ଧି ଆସିବ, ତେବେ ତାହା କେବଳ କିଛି ହାତ ଗଣତି ଲୋକମାନଙ୍କର ଅଭିବୃଦ୍ଧି ହିଁ ହେବ । ଗ୍ରାମାଞ୍ଚଳ ଭାରତ, ଯେଉଁଠି ଚାଷୀମାନେ ବସବାସ କରନ୍ତି, ସେମାନେ ଏହି ଅଭିବୃଦ୍ଧିର ବାହାରେ ହିଁ ରହିଯିବେ । ଚାଷ କ୍ଷେତ୍ରରେ ଆଖି ଦୃଷ୍ଟିଆ ପୁଞ୍ଜି ନିବେଶ ଓ ଚାଷୀଙ୍କ ରୋଜଗାର ସୁରକ୍ଷା ବିନା ଚାଷୀମାନଙ୍କର ଭାଗ୍ୟରେ ପରିବର୍ତ୍ତନ ହୋଇପାରିବ ନାହିଁ । ଚାଷ କ୍ଷେତ୍ରରେ ପୁଞ୍ଜି ନିବେଶର କଥା ଯେତେବେଳେ କୁହାଯାଉଛି, ତାହା କେବଳ ଚାଷୀମାନଙ୍କୁ ଋଣ ଯୋଗାଇଦେବା ନୁହେଁ । କାରଣ ଚାଷ ଉପକରଣ ତଥା ଯନ୍ତ୍ରପାତି ପାଇଁ ଯୋଗାଇ ଦିଆଯାଉଥିବା ଋଣର ଅସଲ ଲାଭ ନେଉଛନ୍ତି ଉପକରଣ ବିକ୍ରେତା କମ୍ପାନୀମାନେ । ତେଣୁ ସେସବୁ ବ୍ୟୟ ଅଟକଳକୁ ଚାଷୀଙ୍କ ପାଇଁ ତଥା ଚାଷ କ୍ଷେତ୍ରରେ ବ୍ୟୟ ବରାଦ ବୋଲି କହିବା ସତ୍ୟର ଅପଳାପ ହେବ । ଗତ କିଛି ବର୍ଷର ବଜେଟ୍‌କୁ ଲକ୍ଷ କଲେ ଦେଖାଯାଉଛି ଯେ, ସର୍ବସାଧାରଣ କ୍ଷେତ୍ରରେ ପୁଞ୍ଜି ନିବେଶ ନିୟମିତ ଭାବେ କମି ଚାଲିଛି ନହେଲେ ସ୍ଥିର ଅଛି । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ତଥ୍ୟ ଅନୁସାରେ ୨୦୧୧-୧୨ରୁ ୨୦୧୭-୧୮ ମଧ୍ୟରେ ସର୍ବସାଧାରଣ କ୍ଷେତ୍ରରେ ପୁଞ୍ଜି ନିବେଶ ଜି.ଡି.ପି.ର ୦.୩ ରୁ ୦.୪ ପ୍ରତିଶତ ମଧ୍ୟରେ ଥିବା ବେଳେ ଏହି ସମୟ ମଧ୍ୟରେ ଶିଳ୍ପ ସଂସ୍ଥାମାନଙ୍କୁ ଯେତିକି ଆର୍ଥିକ ଛାଡ଼ ଦିଆଯାଇଛି ତାହା ଜି.ଡି.ପି.ର ୫.୫ ପ୍ରତିଶତ । ଏହି ଗୋଟିଏ ପରିସଂଖ୍ୟାନରୁ ଅନୁମାନ ଲଗା ଯାଇପାରେ ଚାଷ କ୍ଷେତ୍ର ଯେଉଁଥିରେ ପାଖାପାଖି ୫୦% ପ୍ରତିଶତ ଶ୍ରମଶକ୍ତି ନିୟୋଜିତ ଅଛି ତାହା କାହିଁକି ଅବହେଳିତ । ଏଥି ସହିତ ୨୦୨୩ର ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି ଯେ, ୨୦୨୦-୨୧ରେ କୃଷି କ୍ଷେତ୍ରରେ ଯେତିକି ପୁଞ୍ଜି ନିବେଶ କରାଯାଇଛି, ତାହା ଏ ଦଶନ୍ଧିରେ ସର୍ବନିମ୍ନ । ତେଣୁ ଗୋଟିଏ କଥା ଏଥିରୁ ବୁଝି ହେଉଛି ଯେ, ଚାଷ ଓ ଚାଷୀ ସରକାରଙ୍କ ପ୍ରାଥମିକତା ତାଲିକାରେ ନାହାନ୍ତି । ଯାହା ଚାଷୀଙ୍କୁ ଅଧିକରୁ ଅଧିକ ଦୁର୍ବିସହ ଅବସ୍ଥାକୁ ଠେଲି ଦେଉଛି । ଚଳିତ ବର୍ଷ ବଜେଟ୍‌ରେ କୃଷି ଓ ଏହାର ଆନୁସଙ୍ଗିକ କ୍ଷେତ୍ର ପାଇଁ ଯେତିକି ବ୍ୟୟ ବରାଦ ହୋଇଛି, ତାହା ସ୍ପଷ୍ଟ ପ୍ରମାଣ କରୁଛି ଯେ ସରକାରଙ୍କ ଅମୃତ କାଳରେ ଚାଷ ଓ ଚାଷୀ ନାହାନ୍ତି । ଦେଶକୁ ଯଦି ସତରେ ଅମୃତ କାଳକୁ ନେବାର ଅଛି ତେବେ ଦେଶର ଅନ୍ୟାନ୍ୟ କ୍ଷେତ୍ର ସହିତ ତାଳ ଦେଇ କୃଷି କ୍ଷେତ୍ରର ଅର୍ଥନୈତିକ ବିକାଶ ପାଇଁ ବ୍ୟବସ୍ଥା କରିବାକୁ ହେବ ।

ଚଳିତ ବର୍ଷ ବଜେଟ୍‌ରେ କୃଷି କ୍ଷେତ୍ରର ଭାଗକୁ ସମୁଦାୟ ବଜେଟ୍‌ର ୩.୨୦ ପ୍ରତିଶତକୁ କମେଇ ଦିଆଯାଇଛି । ପୂର୍ବ ବର୍ଷ ଏହା ୩.୮ପ୍ରତିଶତ ଥିଲା । ଚଳିତ ବର୍ଷ କୃଷି କ୍ଷେତ୍ର ପାଇଁ ୧.୨୫ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଗତ ବର୍ଷ ସଂଶୋଧିତ ବଜେଟ୍‌ରେ ଏହାର ପରିମାଣ ୧.୫୧ ଲକ୍ଷ କୋଟି ଟଙ୍କା ଥିଲା । ଦୁଇ ବର୍ଷ ତଳେ ୨୦୨୧ ବଜେଟ୍‌ରେ କୃଷି କ୍ଷେତ୍ର ପାଇଁ ବ୍ୟୟ ବରାଦର ପରିମାଣ ଥିଲା ୧.୪୮ ଲକ୍ଷ କୋଟି ଟଙ୍କା । ପରିସଂଖ୍ୟାନକୁ ଲକ୍ଷ କଲେ ଦେଖାଯାଉଛି ଯେ, କୃଷି କ୍ଷେତ୍ରର ବଜେଟ୍‌କୁ ସ୍ଥିର ରଖାଯାଉଛି ନହେଲେ କମ୍ କରାଯାଉଛି । ବର୍ଷକୁ ବର୍ଷ ହେଉଥିବା ମୁଦ୍ରା ସ୍ଫୀତିକୁ ଦେଖିଲେ ନିୟମ ଦୃଷ୍ଟିରୁ ପରବର୍ତ୍ତୀ ବର୍ଷର ବଜେଟ୍‌ର ପରିମାଣ ପୁର୍ବବର୍ତ୍ତୀ ବର୍ଷର ପରିମାଣ ଠାରୁ ଅଧିକ ହେବା କଥା । କିନ୍ତୁ କୃଷି କ୍ଷେତ୍ରରେ ଠିକ୍ ଏହାର ଓଲଟା ଦେଖାଯାଉଛି । ଧିରେ ଧିରେ କୃଷି କ୍ଷେତ୍ରର ବଜେଟ୍‌କୁ କମେଇ ଦିଆଯାଉଛି । ତାହେଲେ ଚାଷୀମାନେ କଣ ସରକାରଙ୍କ ବିକାଶ ଯୋଜନାର ହିତାଧୀକାରୀନୁହଁନ୍ତି? ଏଥିସହିତ ଚଳିତ ବର୍ଷ ବଜେଟ୍‌ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପରିମାଣକୁ ୧୨% କମେଇ ଦିଆଯାଇଛି । ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ବଢ଼ୁଛି ଓ ସେହି ହିସାବରେ ଫସଲ ହାନୀର ପରିମାଣ ବି ବଢ଼ୁଛି । କିନ୍ତୁ ସରକାର ଫସଲ ବୀମା ଯୋଜନାରେ ବଜେଟ୍ କମ୍ କରିଛନ୍ତି । ସେହିପରି ପି.ଏମ. କିସାନ୍ ଯୋଜନାର ପରିମାଣକୁ ମଧ୍ୟ ୧୩% କମେଇ ଦିଆଯାଇଛି । ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ପ୍ରତ୍ୟେକ୍ଷ ରୋଜଗାର ସହାୟତା ବର୍ଷକୁ ୬୦୦୦ ଟଙ୍କା ଯୋଗେଇ ଦିଆଯାଉଥିଲା । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ସୁରକ୍ଷା ଆଇନ୍ ଗ୍ରାମାଞ୍ଚଳର ଗରିବ ଲୋକ ତଥା ଚାଷୀମାନଙ୍କ ଜୀବନ ଜୀବିକା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । କୋଭିଡ଼୍ ସମୟରେ ଏହି ଯୋଜନା ଯୋଗୁ ଆମ ଦେଶର ଗ୍ରାମୀଣ ଲୋକମାନଙ୍କର ପରିସ୍ଥିତି ଟିକେ ନିୟନ୍ତ୍ରଣ ହୋଇପାରିଲା । କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ସରକାର ଚଳିତ ବର୍ଷ ବଜେଟ୍‌ରେ ଏହି କ୍ଷେତ୍ରରେ ୩୩% କମ୍ କରିଛନ୍ତି । ଏଥି ସହିତ ଚାଷୀମାନଙ୍କୁ ଫସଲର ମୂଲ୍ୟ ଯୋଗାଇବାକୁ ନିଶ୍ଚିତ କରୁଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ମଧ୍ୟ ବ୍ୟୟ ବରାଦ ବହୁତ କମେଇ ଦିଆଯାଇଛି । ପି.ଏମ. ଆଶା ଯୋଜନା ଯାହା ଚାଷୀ ମାନଙ୍କୁ ତୈଳ ବୀଜ ଓ ଡାଲି ଜାତୀୟ ଫସଲର ଉଚିତ୍ ମୂଲ୍ୟ ମିଳିବାକୁ ନିଶ୍ଚିତ କରୁଥିଲା, ସେଥିରେ ବ୍ୟୟ ବରାଦ ବହୁତ କମ୍ କରି ମାତ୍ର ୧ ଲକ୍ଷ ରଖାଯାଇଛି । ପି.ଏସ.ଏସ.- ଏମ.ଆଇ.ଏସ. ଯୋଜନା, ଯାହା ଚାଷୀମାନଙ୍କୁ ବଜାର ସହାୟତା ପ୍ରଦାନ କରୁଥିଲା, ସେଥିରେ ବି ବ୍ୟୟ ବରାଦକୁ ୧ ଲକ୍ଷ ଟଙ୍କାକୁ ଖସେଇ ଦିଆଯାଇଛି । ସମ୍ପ୍ରତି ଚାଷୀମାନେ ଯେତେବେଳେ ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ନପାଇ ରାସ୍ତାରେ ଫୋପାଡ଼ୁଛନ୍ତି, ସେତେବେଳେ ଏପରି ଯୋଜନାର ଅଟକଳକୁ କମ୍ କରିବା ଚାଷୀଙ୍କ ସହିତ କେବଳ ଖେଳ ବ୍ୟତୀତ ଆଉ କିଛି ନୁହେଁ ।

ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବଜେଟ୍ ଅହେତୁକ ନୀରବତା ଅବଲମ୍ବନ କରୁଛି । ଦିଲ୍ଲୀର ପ୍ରସିଦ୍ଧ ଚାଷୀ ଆନ୍ଦୋଳନ ଯୋଗୁ ତିନୋଟି କଳା ଆଇନ୍‌କୁ ହଟେଇ
ଦିଆଯିବା ପରେ ଚାଷୀମାନେ ନିୟମିତ ଭାବେ ସମସ୍ତ ପ୍ରକାର ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ୍‌ଗତ ଭାବେ ନିଶ୍ଚିତ କରିବା ପାଇଁ ଦାବୀ କରି ଆସୁଛନ୍ତି । ଯଦିଓ ସରକାର ପ୍ରତି ବର୍ଷ ୨୩ଟି
ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରୁଛନ୍ତି, କିନ୍ତୁ ତାହା କେବଳ କାଗଜରେ ହିଁ ସିମୀତ ରହିଯାଉଛି । ଏହାକୁ କଡ଼ାକଡ଼ି ଭାବେ ଲାଗୁକରିବା ପାଇଁ ଚାଷୀମାନଙ୍କ ଦାବୀକୁ ସରକାର କାନରେ ପୁରାଉ ନାହାନ୍ତି ଓ ବଜେଟ୍‌ରେ ବି ଏହାର କିଛି ଝଲକ୍ ନାହିଁ । କୃଷକ ପରିବାରର ପରିସ୍ଥିତି ଆକଳନ ସର୍ଭେ-୨୦୧୯ ଅନୁସାରେ ଉଭୟ କୃଷି ୃଓ ଅଣକୃଷି କାର୍ଯ୍ୟକୁ ମିଶେଇ ଗୋଟିଏ ଚାଷୀ ପରିବାରର ହାରାହାରି ବାର୍ଷିକ ଆୟ ମାତ୍ର ୧୦୨୧୮ ଟଙ୍କା । ବର୍ତ୍ତମାନର ଦରଦାମ୍ ବୃଦ୍ଧି ସମୟରେ ଗୋଟିଏ ଚାଷୀ ପରିବାର ପାଇଁ ଏହି ପରିମାଣ କିଛି ବି ନୁହେଁ । ଏପରି ପରିସ୍ଥିତିରେ ଯଦି ଚାଷୀମାନଙ୍କର ଫସଲର ଉଚିତ୍ ମୂଲ୍ୟ ମିଳିବା ଉପରେ ଗୁରୁତ୍ୱ ଦିଆନଯାଏ, ତେବେ ଏହା ସେମାନଙ୍କର ଅବସ୍ଥାକୁ ଆହୁରି ବିପନ୍ନ କରିଦେବ ।

ଏଥର ବଜେଟ୍‌ରେ ୧୦ ହଜାରଟି ଜୈବିକ ସମ୍ବଳ କେନ୍ଦ୍ର ପାଇଁ ବ୍ୟବସ୍ଥା ହୋଇଛି ଏବଂ ଆସନ୍ତା ତିନି ବର୍ଷରେ ୧ କୋଟି ଚାଷୀ ପରିବାରଙ୍କୁ ରାସାୟନିକ ଚାଷରୁ ଜୈବିକ ଚାଷକୁ ଫେରେଇ ଆଣିବାର ପ୍ରତିଶ୍ରୁତି ଦିଆଯାଇଛି । ଚଳିତ ବର୍ଷ ଆନ୍ତର୍ଜାତୀୟ କ୍ଷୁଦ୍ର ଶସ୍ୟର ବର୍ଷ ହୋଇଥିବାରୁ ଆମ ସରକାର ମଧ୍ୟ ଅଧିକ ପୋଷକ ତତ୍ତ୍ୱ ଯୁକ୍ତ ଓ ପରିବେଶ ଦୃଷ୍ଟିରୁ ସୁରକ୍ଷିତ କ୍ଷୁଦ୍ରଶସ୍ୟ ଚାଷକୁ ପ୍ରାଧାନ୍ୟ ଦିଆଯିବ ବୋଲି ଘୋଷଣା କରିଛନ୍ତି । କିନ୍ତୁ ରାସାୟନିକ ଚାଷରୁ ମୁକ୍ତି ପାଇ ଜୈବିକ ଚାଷକୁ ଫେରିବାକୁ ହେଉ କି କ୍ଷୁଦ୍ର ଶସ୍ୟର ଚାଷକୁ ବଢ଼େଇବା ହେଉ, ସବୁ ପାଇଁ ପ୍ରଥମେ ଚାଷୀର ଉତ୍ପାଦନକୁ ଉଚିତ୍ ମୂଲ୍ୟ ପ୍ରଦାନର ବ୍ୟବସ୍ଥା କରିବାକୁ ହେବ । ନଚେତ୍ ସରକାରଙ୍କ ସମସ୍ତ ଘୋଷଣା କେବଳ ଘୋଷଣାରେ ହିଁ ରହିଯିବ ।

ଯେପର୍ଯ୍ୟନ୍ତ ସରକାର ଭିନ୍ନ ଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ୍‌ଗତ ଭାବେ କଡ଼ା କଡ଼ି ପାଳନ କରିନାହାନ୍ତି, ସେପର୍ଯ୍ୟନ୍ତ ଆଉ ଯାହା ବି ଯୋଜନା କଲେ ତାହା କାର୍ଯ୍ୟରେ ରୁପାନ୍ତିରିତ ହେବା କଷ୍ଟସାଧ୍ୟ ହେବ । ଆର୍ଥିକ ଦୃଷ୍ଟିରୁ ଲାଭ ଦାୟକ ଓ ପରିବେଶ ଦୃଷ୍ଟିରୁ ଉପଯୋଗୀ କରିବା ହିଁ ଏକ ଭବିଷ୍ୟତମୂଖୀ ଚାଷ ବ୍ୟବସ୍ଥାର ପ୍ରଥମ ପାହାଚ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଏ ଉଭୟ ଏହି ବଜେଟ୍‌ରେ ନାହିଁ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.