Latest Odisha News

BREAKING NEWS

ସହଜ ନୁହେଁ ଗାନ୍ଧୀଙ୍କୁ ମାରିବା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… 

ଗାନ୍ଧୀଙ୍କୁ ଗୁଳିରେ ମାରି ହୁଏନି କି ମୂର୍ତ୍ତି ତିଆରି କରି ନାଥୁରାମକୁ ମହାନ କରି ହୁଏନି । ବର୍ତ୍ତମାନକୁ ହୁଏତ ରଙ୍ଗ ମାଖି ଲୁଚାଇ ଦିଆଯାଇପାରେ, କିନ୍ତୁ ନିଷ୍ଠୁର ଇତିହାସ ସମସ୍ତଙ୍କ ମୂଖା ଖୋଲିଦିଏ । ଇତିହାସ ଗାନ୍ଧୀ ଓ ନାଥୁରାମଙ୍କୁ ନିଜ ନିଜ ସ୍ଥାନରେ ରଖିଦେଇଛି ଓ ଯୁଗ ଯୁଗ ଯାଏ ରଖିଥିବ ମଧ୍ୟ । ଇତିହାସକୁ କିଛି କ୍ଷଣ ପାଇଁ ବିକୃତ କରାଯାଇପାରେ କିନ୍ତୁ ଇତିହାସକୁ ବଦଳା ଯାଇପାରିବ ନାହିଁ । ଇତିହାସକୁ ବିକୃତ କରିବାର ଧାରା ସଂପ୍ରତି ଖୁବ୍ ଯୋଜନାବଦ୍ଧ ଭାବେ କରାଯାଉଛି । କିନ୍ତୁ ଏହା କହିବା ନିଷ୍ପ୍ରୟୋଜନ ଯେ, ଏହା କେବଳ ଏକ ନିଷ୍ଫଳ ପ୍ରୟାସ ହୋଇ ହିଁ ରହିଯିବ । ଗତ ବର୍ଷ ପଶ୍ଚିମବଙ୍ଗର ଏକ ଦୁର୍ଗା ପୂଜାରେ ମହିଷାସୁରର ଚେହେରାକୁ ଏପରି ତିଆରି କରାଯାଇଥିଲା ଯେ ତାହା ମହାତ୍ମା ଗାନ୍ଧୀଙ୍କ ଚେହେରା ସହିତ ମିଶୁଥିଲା । ମୋଟାମୋଟି ଭାବେ କହିଲେ ସେହି ଦୁର୍ଗା ପୂଜାରେ ଦେବୀ ଦୁର୍ଗାଙ୍କ ଦ୍ୱାରା ଗାନ୍ଧୀଙ୍କୁ ହତ୍ୟା କରାଯାଉଥିବାର ଦେଖାଯାଇଥିଲା । ଭାଗ୍ୟ ଭଲ ତାହା ଦେବୀ ଦୁର୍ଗାଙ୍କ ପ୍ରତିମା ଥିଲା, ନହେଲେ ଦୁର୍ଗା ପୂଜାର ଆୟୋଜକମାନଙ୍କ ସେପରି ମୁର୍ଖାମୀରେ ସବୁଠାରୁ ବେଶି ଲଜ୍ଜିତ ହୋଇଥାନ୍ତେ ଦେବୀ ଦୁର୍ଗା । ମହିଷାସୁରର ଚେହେରାକୁ ଗାନ୍ଧୀଙ୍କ ଭଳି ତିଆରି କରି ଆୟୋଜକମାନେ କେବଳ ଦେବୀଙ୍କୁ ଅପମାନିତ କରିନାହାନ୍ତି, ମହିଷାସୁରକୁ ମାନବୀୟ ରୁପ ପ୍ରଦାନ କରି ନିଜ ସ୍ଖଳିତ ନୀତି ଓ ଆଦର୍ଶର ଖୋଲା ପରିଚୟ ଦେଇଛନ୍ତି । ସାରା ଦେଶରେ ଏପରି କାମର ବିରୋଧ ହେବାରୁ ଶେଷରେ ଆୟୋଜକମାନେ ଗାନ୍ଧୀଙ୍କ ଭଳି ଦିଶୁଥିବା ମହିଷାସୁର ମୂର୍ତ୍ତିରେ ଚୁଟି, ଦାଢ଼ି ଓ ନିଶ ଲଗାଇ ନିଜ ଦୋଷ ଲୁଚେଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଆୟୋଜକମାନଙ୍କ କୁତ୍ସିତ ଉଦ୍ଦେଶ୍ୟ ଲୁଚିନଥିଲା । କେବଳ ସେହି ଦୁର୍ଗା ପୂଜାର ଆୟୋଜକ ନୁହଁନ୍ତି, ପୂର୍ବରୁ ଆହୁରି କେତେ ଲୋକ ଗାନ୍ଧୀଙ୍କ ଫଟୋ ଉପରେ ଗୁଳି ଚଳାଇଛନ୍ତି, ଗାନ୍ଧୀ ହତ୍ୟାକାରୀ ନାଥୁରାମର ମହିମାଗାନ କରିଛନ୍ତି । ଏହା ବାରମ୍ବାର ଦେଖାଯାଉଛି ଯେ, ଏକ ନିର୍ଦ୍ଦିଷ୍ଟ ସଙ୍ଗଠନର ଲୋକମାନେ ଗାନ୍ଧୀଙ୍କ ହତ୍ୟାକୁ ଏକ ଉତ୍ସବ ଭାବେ ପାଳନ କରୁଛନ୍ତି ଓ ଗାନ୍ଧୀଙ୍କ ହତ୍ୟାକୁ ଉଚିତ୍ ଦେଖାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହା ବାରମ୍ବାର ଦେଖାଯାଇଛି ଯେ, ଯେତେ ଯେତେ ଗାନ୍ଧୀଙ୍କୁ ମାରିବାର ପ୍ରୟାସ କରାଯାଇଛି, ସେତେ ସେତେ ଗାନ୍ଧୀଙ୍କ ବିଚାର କୋଇଲା ଭିତରେ ହୀରା ପରି ଅଧିକ ଚକ୍‌ଚକ୍ କରିଛି । ଏଠାରେ ପ୍ରଶ୍ନ ଉଠୁଛି, ଦେବୀ ଦୁର୍ଗାଙ୍କ ଦ୍ୱାରା ଗାନ୍ଧୀଙ୍କୁ ହତ୍ୟା କରାଯାଉଥିବାର ଦେଖାଯିବାର କାରଣ କ’ଣ? ଗାନ୍ଧୀ ତାଙ୍କ ଜୀବନ ସାରା ସତ୍ୟ, ଅହିଂସା ଓ ସର୍ବଧର୍ମ ସମନ୍ୱୟ କଥା କହିଛନ୍ତି, ସେଇ କଣ ତାଙ୍କର ଅପରାଧ! ଅସଲ କଥା ହେଉଛି, କିଛି ଲୋକଙ୍କ ପାଇଁ ତଥା କିଛି ସଂଗଠନ ପାଇଁ ସତ୍ୟ, ଅହିଂସା ଓ ସର୍ବଧର୍ମ ସମନ୍ୱୟ ହଜମ ହେଉନାହିଁ । କାରଣ ସେମାନେ ଘୃଣାର ସୌଦାଗର ଓ ଧର୍ମକୁ ଘୃଣା ବଢ଼େଇବା ପାଇଁ ବ୍ୟବହାର କରି ଆସୁଛନ୍ତି । ସେଇଥିପାଇଁ ସେମାନେ ଗାନ୍ଧୀଙ୍କ ଉପରକୁ ୧୯୪୮ ଜାନୁଆରୀ ୩୦ ତାରିଖରେ ଗୁଳି ଚଳାଇଥିଲେ ଓ ଆଜି ବି ତାଙ୍କ ପ୍ରତିମୂର୍ତ୍ତି ଉପରକୁ ବାରମ୍ବାର ଗୁଳି ଚଳାଇ ଚାଲିଛନ୍ତି । ଗାନ୍ଧୀଙ୍କ ହତ୍ୟାର ଦଶ ଦିନ ପୂର୍ବରୁ ଜାନୁଆରୀ ୨୦ ତାରିଖ ଦିନ ଗାନ୍ଧୀଙ୍କ ପ୍ରାର୍ଥନା ସଭା ଉପରକୁ ବମ୍ ପକାଯାଇଥିଲା । ଲୋକମାନେ ଦୌଡ଼ାଦୌଡ଼ି ଆରମ୍ଭ କରିଦେବା ଯୋଗୁ ସେତେବେଳେ ଗାନ୍ଧୀ କହିଥିଲେ, ଡ଼ର ନାହିଁ । ଡର ନାହିଁ ।

ନାଥୁରାମର ତିନୋଟି ଗୁଳିକୁ ଛାତିରେ ଧରିବା ପରେ ତାଙ୍କ ମୁହଁରୁ ବାହାରିଥିଲା ହେ ରାମ୍ । ଯେଉଁ ଲୋକ ବମ୍ ପଡ଼ିବା ପରେ ନଡ଼ରିବା ପାଇଁ ଆହ୍ୱାନ କରେ, ଛାତିରେ ଗୁଳି ଖାଇବା ପରେ ବି ହେ ରାମ୍ କହିପାରେ, ତାକୁ ଡରେଇବା ବା ମାରିବା ଏତେ ସହଜ ନୁହେଁ । ଗାନ୍ଧୀଙ୍କ ଜୀବନ କାଳରେ ତାଙ୍କୁ ମାରିବା ପାଇଁ ସମୁଦାୟ ପାଞ୍ଚ ଥର ପ୍ରୟାସ ହୋଇଛି । ପାକିସ୍ତାନକୁ ୫୫ କୋଟି ଟଙ୍କା ଦେବା କଥାରେ ଗାନ୍ଧୀ ରାଜି ହୋଇଯିବା ଯୋଗୁ ତାଙ୍କୁ ମାରିବା ପାଇଁ ନାଥୁରାମ ନିଷ୍ପତ୍ତି ନେଲା ବୋଲି ଯାହା କୁହାଯାଉଛି, ତାହା କେବଳ ଏକ ବାହାନା । କାରଣ ଯେତେବେଳେ ଜମାରୁ ବି ୫୫ କୋଟି ଟଙ୍କାର ପ୍ରସଙ୍ଗ ଆସିନଥିଲା, ସେତେବେଳେ ବି ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ତାଙ୍କୁ ମାରିବାକୁ ପ୍ରୟାସ କରାଯାଇଛି । ମୂଖ୍ୟ କଥା ହେଉଛି, ଗାନ୍ଧୀ ମାନବିକତାର କଥା କହୁଥିଲେ, ଅହିଂସା ଓ ଭିନ୍ନ ଭିନ୍ନ ଧର୍ମ ଭିତରେ ଭାଈଚାରାର କଥା କହୁଥିଲେ । ତାଙ୍କୁ ମାରିବାକୁ ପ୍ରୟାସ କରୁଥିବା ଗୋଷ୍ଠୀଙ୍କ ରାଜନୀତି ଠିକ୍ ଏହାର ବିପରୀତ ତତ୍ତ୍ୱ ଉପରେ ପର୍ଯ୍ୟବେଷିତ ଥିଲା । ସେମାନେ ଚାହୁଁଥିଲେ, ଧର୍ମ ଧର୍ମ ଭିତରେ ଘୃଣା ଓ ହିଂସା । ଯାହାଙ୍କ ଗାନ୍ଧୀଙ୍କ ଜୀବିତ ଥିବା ଅବସ୍ଥାରେ ସମ୍ଭବ ନଥିଲା । ତେଣୁ ସେମାନେ ଗାନ୍ଧୀଙ୍କୁ ମାରିବାର ସହଜ ରାସ୍ତା ବାଛିଲେ ଓ ଇତିହାସ ସେମାନଙ୍କୁ ସେମାନଙ୍କ ସ୍ଥାନରେ ରଖିଦେଲା । ସେହି ଇତିହାସକୁ ବିକୃତ କରିବାର ପ୍ରୟାସ ହେଉଛି ନାଥୁରାମ ମନ୍ଦିର ଓ ଗାନ୍ଧୀ ରୁପୀ ମହିଷାସୁର । କିନ୍ତୁ ଗାନ୍ଧୀଙ୍କୁ ମାରିବା ଏତେ ସହଜ ନୁହେଁ ।

ଯେତେ ଦିନ ଯାଏ, ସତ୍ୟ ଓ ପ୍ରେମର ମୂଲ୍ୟବୋଧ ଘୃଣା ଓ ହିଂସା ଠାରୁ ଉପରେ ରହିଥିବ, ସେତେଦିନ ଯାଏ ଗାନ୍ଧୀ ଏକ ଉଜ୍ଜ୍ୱଳ ନକ୍ଷତ୍ର ପରି ସାରା ଦୁନିଆର ଆକାଶରେ ଚକ୍‌ଚକ୍ କରୁଥିବେ । ଯେତେଦିନ ଯାଏ ମଣିଷ ଭିତରେ ମଣିଷପଣିଆ ଟିକକ ଥିବ, ସେତେଦିନ ଯାଏ ଗାନ୍ଧୀ ଓ ନାଥୁରାମ୍‌ର ଫରକ୍ ବାରି ହୋଇପଡ଼ୁଥିବ । ଗାନ୍ଧୀ କହୁଥିଲେ ଯିଏ ଅସଲ ହିନ୍ଦୁର ଅର୍ଥ ବୁଝିଯିବ, ଯିଏ ଗୀତାର ମହତ୍ୱକୁ ବୁଝିଯିବ, ସେ ଆଉ
କେବଳ ହିନ୍ଦୁ ହୋଇ ରହିବ ନାହିଁ । ସେ ମଣିଷ ହୋଇଯିବ । ସେମିତି ଯିଏ ମୁସଲମାନ୍‌ର ଅର୍ଥ ବୁଝିଯିବ, ଯିଏ କୋରାନ୍‌ର ତତ୍ତ୍ୱକୁ ହୃଦୟଙ୍ଗମ କରିଯିବ, ସେ ଆଉ କେବଳ ମୁସଲମାନ୍ ହୋଇ ରହିବ ନାହିଁ । ସେ ମଣିଷ ହୋଇଯିବ । କିନ୍ତୁ ଯେଉଁମାନଙ୍କ ମୁଣ୍ଡରେ ସାଂପ୍ରଦାୟିକତା ବସା ବାନ୍ଧିଛି ଓ ଦେଶକୁ ସାଂପ୍ରଦାୟିକତାର ବିଷ ବଳୟରେ ଘାଣ୍ଟିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସଚ୍ଚା ହିନ୍ଦୁ ଓ ସଚ୍ଚା ମୁସଲମାନ ଉଭୟ ଅଡ଼ୁଆ । କାରଣ ସେମାନଙ୍କ ରୁଗ୍‌ଣ ମାନସିକତା ରାସ୍ତାରେ ସତ୍ୟ, ଅହିଂସା ଓ ସର୍ବଧର୍ମ ସମାନତା ଏକ ସକରାତ୍ମକ ପ୍ରତିବାଦ । ଯାହା ଗାନ୍ଧି କରୁଥିଲେ । ଯେଉଁଥିପାଇଁ ଗାନ୍ଧୀକୁ ମରିବାକୁ ପଡ଼ିଲା । ଗାନ୍ଧୀଙ୍କ ହତ୍ୟା ପରେ ବି ଆମ ଦେଶରେ ସେହି ଘୃଣା ସୃଷ୍ଟିକାରୀ ଗୋଷ୍ଠୀଙ୍କ କୁତ୍ସିତ ଉଦ୍ଦେଶ୍ୟ ଏଯାଏ ସାଧିତ ହୋଇପାରିନାହିଁ । କିନ୍ତୁ ସେମାନେ ଅତ୍ୟନ୍ତ ନିଷ୍ଠାର ସହିତ ନିଜ ପ୍ରୟାସ ଜାରି ରଖିଛନ୍ତି । ଆମକୁ ବୁଝିବା ଦରକାର ଯେ, ବ୍ରିଟିଶ ବିରୁଦ୍ଧରେ ସଂଗ୍ରାମ କରି ଗାନ୍ଧୀ ପ୍ରାଣ ହରେଇ ନାହାନ୍ତି । ଗାନ୍ଧୀ ପ୍ରାଣ ହରାଇଛନ୍ତି, ମାନବିକତାର ଜୟଗାନ କରିବାର ଅପରାଧରେ । ଗାନ୍ଧୀ ଗୁଳି ଖାଇଛନ୍ତି ଘୃଣା ପରିହାର କରି ସର୍ବଧର୍ମ ମଧ୍ୟରେ ଭାଈଚାରା ପ୍ରତିଷ୍ଠା
କରିବାର ପ୍ରୟାସରେ । ତେଣୁ ଏହା ବୁଝିବାରେ ବାକି ନାହିଁ ଯେ, ଗାନ୍ଧୀଙ୍କ ହତ୍ୟାକାରୀ ହେଉଛି ମାନବିକତାର ହତ୍ୟାକାରୀ, ପ୍ରେମର ହତ୍ୟାକାରୀ ଓ ଭାଈଚାରାର ହତ୍ୟାକାରୀ । ଆଜିର ସମାଜ ନିଶ୍ଚୟ ବିଚାର କରିବ, ଘୃଣା ଜରୁରୀ ନା ପ୍ରେମ! ଧର୍ମ ନାମରେ ସାଂପ୍ରଦାୟିକତାବାଦ୍ ଦରକାର ନା ସର୍ବଧର୍ମ ସମନ୍ୱୟର ଭାବନା ଦରକାର!

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-
୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.