ଭୁବନେଶ୍ବର: ଭୁବନେଶ୍ବର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସଂଧାନ କରି ପଦକ୍ଷେପ ନେବେ। ଜଣେ ଡିସିପିଙ୍କ ଅଧୀନରେ ଏହି ସ୍ବତନ୍ତ୍ର ଶାଖା କାର୍ଯ୍ୟ କରିବ ।
ଏଥିରେ ଜଣେ ଅତିରିକ୍ତ ଡିସିପି, ୩ ଜଣ ଏସିପି, ୯ଜଣ ଇନ୍ସପେକ୍ଟର, ୧୨ଜଣ ସବ୍ଇନିସ୍ପେକ୍ଟର, ୩ ଜଣ ଏଏସ୍ଆଇ (ଯୋଗାଯୋଗ), ୩ ଜଣ କନେଷ୍ଟବଳ (ଯୋଗାଯୋଗ) ଓ ୨୭ ଜଣ କନେଷ୍ଟବଳ, ଏହିପରି ୫୯ ଜଣ କର୍ମଚାରୀଙ୍କୁ ନେଇ ଏହି ଶାଖା କାର୍ଯ୍ୟ କରିବ।
ସେହିପରି କମିଶନରେଟ୍ ପୋଲିସ ଅଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ପାଇଁ ଏହି ଅଞ୍ଚଳରେ ୩ ଗୋଟି ନୂତନ ଥାନାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେହି ନୂଆ ଥାନା ଗୁଡିକ ହେଲା, ପାହାଳ, ଇନ୍ଫୋଭାଲି ଓ ବୟାଳିଶମୌଜା/ବେଣ୍ଟକାର ।
ବାଲିଅନ୍ତା ଥାନା ଅଧୀନରେ କାମ କରୁଥିବା ପାହାଳ ଫାଣ୍ଡି, ଜଟଣୀ ଥାନା ଅଧୀନରେ କାମ କରୁଥିବା ଇନ୍ଫୋଭାଲି ଫାଣ୍ଡି ଓ କଟକ ସଦର ଥାନା ଅଧୀନରେ କାମ କରୁଥିବା ବେଣ୍ଟକାର ଫାଣ୍ଡିକୁ ଉନ୍ନୀତ କରାଯାଇ ଏହି ୩ଟି ନୂତନ ଥାନା ସୃଷ୍ଟି କରାଯାଇଛି ।
Comments are closed.