ସୁନ୍ଦରଗଡ଼ : ରାଜଗାଙ୍ଗପୁର ପରେ ପଟବ ଗ୍ରାମରେ ଖୋଲିଲା ଜିଲ୍ଲାର ଦ୍ବିତୀୟ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର । ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ନୂଆଗାଁ ବ୍ଲକ ଅନ୍ତର୍ଗତ ପଟବ ଗାଁରେ ଏହି ଟିଫିନ୍ ସେଣ୍ଟର ଖୋଲାଯାଇଛି । ଏହି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟରର ପରିଚାଳନା ଦାୟିତ୍ବ ସ୍ଥାନୀୟ କୁନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି ।
ମିଶନ ଶକ୍ତି ମା’ମାନେ ମାଣ୍ଡିଆ ଏବଂ ପୁଷ୍ଟିଶସ୍ୟରୁ ଇଡଲି, ବରା, ପକୁଡ଼ି, ଲଡୁ, ଗୁଲୁଗୁଲା, ଜିଲାପି ଆଦି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ପୂର୍ବରୁ ରାଜଗାଙ୍ଗପୁରରେ ଜିଲ୍ଲାର ପ୍ରଥମ ମିଲେଟ ଶକ୍ତି ଟିଫିନ ସେଣ୍ଟର ଖୋଲା ଯାଇଥିଲା । ପୁଷ୍ଟିଶସ୍ୟରୁ ବିଭିନ୍ନ ପ୍ରକାର ରୁଚିକର ଖାଦ୍ୟ ପ୍ରସ୍ତୁତ କରିବା ଲାଗି ତାଲିମ୍ ଦିଆଯାଇଥିଲା । ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୧୦ ଜଣ ସଦସ୍ୟା ପୁଷ୍ଟିଶସ୍ୟରୁ ବିଭିନ୍ନ ସୁଆଦିଆ ଜଳଖିଆ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ।
ମାଣ୍ଡିଆ ଏବଂ ବିଭିନ୍ନ ପୁଷ୍ଟିଶସ୍ୟରେ ପ୍ରଚୁର ପରିମାଣର ପୋଷଣ ରହିଥିବାରୁ ସୁନ୍ଦରଗଡ଼ ଜିଲ୍ଲାରେ ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ବ୍ଲକରେ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୧ଟି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲିବାକୁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଏହାର ପରିଚାଳନା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଆବଶ୍ୟକ ତାଲିମ୍ ଦିଆଯାଉଛି । ୭ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ ସହିତ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି ।
Comments are closed.