Latest Odisha News

ଶେଷ ହେଲା ଲଖିମପୁର ଖେରି ହିଂସା ଘଟଣାର ତଦନ୍ତ, ସପ୍ତାହ ମଧ୍ୟରେ ଚାର୍ଜସିଟ ଦାଖଲ କରିବ ଏସଆଇଟି

ଉତ୍ତରପ୍ରଦେଶ : ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ଘଟଣାର ଶେଷ ହୋଇଛି ତଦନ୍ତ ପ୍ରକ୍ରିୟା । ଏକ ସପ୍ତାହ ମଧ୍ୟରେ ଚାର୍ଜସିଟ ଦାଖଲ କରିବ ଏସଆଇଟି । ଗତ ଅକ୍ଟୋବର ୩ ତାରିଖରେ ଘଟିଥିବା ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୩ ଜଣ ଅଭିଯୁକ୍ତ ଅଛନ୍ତି । ବିଭିନ୍ନ ଫରେନସିକ୍ ଓ ବାଲିଷ୍ଟିକ ରିପୋର୍ଟକୁ ଆଧାର କରି ଏସଆଇଟି ତଦନ୍ତ ପ୍ରକ୍ରିୟାକୁ ଶେଷ କରିଛି ।

ତଦନ୍ତ ପ୍ରକ୍ରିୟାରେ ଅଭିଯୁକ୍ତଙ୍କ ଠାରୁ ଜବତ ମୋବାଇଲ ଓ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ଫରେନସିକ୍ ଓ ବାଲିଷ୍ଟିକ ପରୀକ୍ଷା ଲାଗି ଏସଆଇଟି ଫରେନସିକ୍ ଲାବରେଟୋରୀକୁ ପଠାଇଛି । ଏହି ସମସ୍ତ ରିପୋର୍ଟ ଏସଆଇଟି ନିକଟରେ ପହଞ୍ଚିଛି । ମାମଲାରେ ୧୩ ଜଣ ଅଭିଯୁକ୍ତ ଲଖିମପୁର ଖେରି ଜେଲରେ ଥିବା ବେଳେ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟରେ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ପତ୍ର ପଡି ରହିଛି । ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନ ପତ୍ର ଲଖିମପୁର ଖେରି କୋର୍ଟରେ ବିଚାରାଧୀନ ରହିଛି । କିଛି ଦିନ ତଳେ ଲଖିମପୁର ଖେରିର ଏକ କୋର୍ଟରେ ଏସଆଇଟି ଦର୍ଶାଇଥିଲା ଯେ, ଅକ୍ଟୋବର ୩ରେ ଘଟଣା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା । ମାମଲାକୁ ନଜରରେ ରଖି ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ଅସ୍ତ୍ରଶସ୍ତ୍ର ଆଇନ ଲାଗୁ କରିଥିଲେ । ଗାଡି ଚଢ଼ାଇବା ଘଟଣାରେ ୪ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା ।

Comments are closed.