Latest Odisha News

ପୂର୍ବ ଭାରତରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଏମ୍‌ସ ଭୁବନେଶ୍ବର ମନୋନୀତ

ଭୁବନେଶ୍ବର : ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ପୂର୍ବ ଭାରତରେ କ୍ଲିନିକାଲ୍ ପରୀକ୍ଷଣ ପାଇଁ ଏକ ବିକାଶନ୍ମୋଖୀ କେନ୍ଦ୍ର ଭାବରେ ଏମ୍‌ସ ଭୁବନେଶ୍ବରକୁ ମନୋନୀତ କରାଯାଇଛି । ଏନେଇ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିବାକୁ ଆଇସିଏମଆର ପକ୍ଷରୁ ଏମ୍‌ସ ଭୁବନେଶ୍ବରକୁ କୁହାଯାଇଛି । ନୂଆବର୍ଷ ପୂର୍ବରୁ ଏହା ଏମ୍‌ସ ଭୁବନେଶ୍ବର ପାଇଁ ଆଉ ଏକ ସଫଳତା ଆଣିଦେଇଛି । ଏହି ପ୍ରକ୍ରିୟା ଶେଷ ହେଲେ କୋଭିଡ ମହାମାରୀ ଭଳି ବିଷମ ପରିସ୍ଥିତି ସହିତ ଲଢ଼ିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ବ୍ୟବସ୍ଥା ଅନୁଯାୟୀ ଏଠାରେ ଟୀକା, ଔଷଧ ସମେତ ବିଭିନ୍ନ ପ୍ରକାର ଚିକିତ୍ସା ସମ୍ପର୍କିକ ପରୀକ୍ଷା ନିରୀକ୍ଷା ହାତକୁ ନିଆଯିବ । ଯାହାକି ଜାତୀୟସ୍ତରରେ ଏମ୍‌ସ ସମେତ ରାଜ୍ୟର ନାମକୁ ମଧ୍ୟ ଉଜ୍ବଳ କରିବ ବୋଲି ମତପ୍ରକାଶ ପାଇଛି ।

ଏମ୍‌ସ ଭୁବନେଶ୍ବର ଅସ୍ଥିଶଲ୍ୟ ବିଭାଗର ଅତିରିକ୍ତ ପ୍ରାଧ୍ୟାପକ ଡାକ୍ତର ସୁଜିତ କୁମାର ତ୍ରିପାଠୀ ଏହି ବ୍ୟବସ୍ଥାରେ ପ୍ରମୁଖ ଆବେଦନକାରୀ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ରଶ୍ମୀରଞ୍ଜନ ମହାନ୍ତି, ଡାକ୍ତର ଋତୁପର୍ଣ୍ଣୋ ମାଇତି, ଡାକ୍ତର ଆନନ୍ଦ ଶ୍ରୀନିବାସନ୍, ଡାକ୍ତର ରଶ୍ମୀ ଦାଶ, ଡାକ୍ତର ଅରବିନ୍ଦ ସିଂ, ଡାକ୍ତର ରାମଦାସ ବାଲାମୁର୍ଗନ୍‌ ଏବଂ ଡାକ୍ତର ସରୋଜ ମଜୁମଦାର୍‌ ପ୍ରମୁଖ ଚିକିତ୍ସକଙ୍କୁ ନେଇ ଏକ ବହୁମୁଖୀ ଗବେଷକଙ୍କ ଟିମ୍‌ ଏହି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି । ଏହି ପ୍ରକ୍ରିୟାରେ ଜଡିତ ସମସ୍ତଙ୍କୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଇଛି । ବର୍ତ୍ତମାନ ସମୟରେ ଦେଶର ଅନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନ ସହିତ ଏମ୍‌ସ ଭୁବନେଶ୍ବରକୁ ସମାନ ଭାବରେ ବିଚାର କରାଯାଉଥିବା ବେଶ୍‌ ହୃଦୟସ୍ପର୍ଶୀ ବୋଲି ମତପ୍ରକାଶ ପାଇଛି ।

ଏମ୍‌ସ ଭୁବନେଶ୍ବରର ପୂର୍ବତନ ନିର୍ଦ୍ଦେଶିକା ଡାକ୍ତର ବି. ଗୀତାଞ୍ଜଳି ଏହି ବ୍ୟବସ୍ଥାର ସୂତ୍ରଧର ସାଜିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପୂର୍ବରୁ ମଧ୍ୟ ଏମ୍‌ସ ଭୁବନେଶ୍ବରରେ ମାଇକ୍ରୋବାୟୋମ୍, ମାଇକ୍ରୋଲୋଜି, ବ୍ରେନ୍ ବ୍ୟାଙ୍କ, ଅତ୍ୟାଧୁନିକ ମଲିକୁଲାର କର୍କଟ ଗବେଷଣା ସୁବିଧା ତଥା ଡାକ୍ତରୀ ଶିକ୍ଷା ପରି ବିଭିନ୍ନ ଗବେଷଣାମୂଳକ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଆଗାମୀ ବର୍ଷ ଏମ୍‌ସ ଭୁବନେଶ୍ବର ଆହୁରି ଅନେକ ଶୁଭ ଖବର ଆଣିବା ସହିତ ଜନସାଧାରଣଙ୍କୁ ସେବା ଯୋଗାଇ ଦେବ ବୋଲି କୁହାଯାଇଛି ।

Comments are closed.