Latest Odisha News

BREAKING NEWS

‘ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ’ ର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ଫନି’

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ିଆସୁଛି ବାତ୍ୟା ଫନି । ଆସନ୍ତାକାଲି ଅପରାହ୍ନରେ ଓଡ଼ିଶା ଉପକୂଳର ଗୋପାଳପୁର ଓ ଚାନ୍ଦବାଲି ମଧ୍ୟ ଦେଇ ପୁରୀର ଦକ୍ଷିଣରେ ଅପରାହ୍ନ ୫ଟା ୩୦ ମିନିଟ ସମୟରେ ସ୍ଥଳଭାଗ ଛୁଇଁବ । ଏବେ ଏହି ବାତ୍ୟା ସମ୍ପର୍କରେ ସୂଚନା ରାଡ଼ାରରୁ ମିଳିପାରୁଛି । ତେଣୁ ସ୍ଥଳପଥ ଛୁଇଁବା ପୂର୍ବ ଏବଂ ପରବର୍ତ୍ତୀ ଗତିପଥ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିବ ।

ଏବେ ଏହି ବାତ୍ୟା ପୁରୀ ଉପକୂଳଠାରୁ ୫୧୦ କିଲୋମିଟର ଦୂରରେ ରହିଛି । ସେହିପରି ବିଶାଖାପାଟଣାଠାରୁ ୩୫୦ କିଲୋମିଟରର ଦୂରତାରେ ରହିଛି ଏହି ସାମୁଦ୍ରିକ ଝଡ଼ । ଭାରତୀୟ ପାଣିପାଗର ପୂର୍ବାନୁମାନ ଅନୁଯାୟୀ ସ୍ଥଳଭାଗ ଛୁଇଁବା ସମୟରେ ଶୁକ୍ରବାର ଦିନ ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ ୫ଟା ୩୦ ମିନିଟ ସମୟରେ ପୁରୀ ଉପକୂଳରେ ଘଣ୍ଟା ପ୍ରତି ୧୭୦ରୁ ୨୦୦ କିଲୋମିଟର ବେଗରେ ପବନ ବହିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ବେଗ ୧୦୩ କିଲୋମିଟର ରହିଛି । ପୁରୀରୁ ଏହା କ୍ରମେ ଭଦ୍ରକ ଆଡ଼କୁ ମୁହାଁଇବ ଏବଂ ପରେ ଏହା କଟକ, ଜଗତସିଂହପୁର ଏବଂ ବାଲେଶ୍ୱର ଦେଇ ବଙ୍ଗୋପସାଗର ମୁହାଁଇବାର ସମ୍ଭାବନା ରହିଛି ।

ସାମୁଦ୍ରିକ ଝଡ ‘ଫନି’ ବେଳକୁ ବେଳ ଅତି ଉଗ୍ର ରୂପ ଧାରଣ କରୁଥିବାବେଳେ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି ।

ମେ’ ୨- ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡା ଏବଂ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ମେ’ ୩- କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, ରାୟଗଡା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେଓଗଡ ଏବଂ ସୁନ୍ଦରଗଡ ଏବଂ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ମେ’ ୪- ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, କେନ୍ଦୁଝର ଏବଂ ମୟୁରଭଞ୍ଜ, କଟକ, ଢେଙ୍କାନାଳ ଏବଂ ଅନୁଗୁଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏହି ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ବେଳକୁ ପବନର ବେଗ ୨୦୫ କିଲୋମିଟର ରହିବ ।

ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ, ଏହି ସାମୁଦ୍ରିକ ଝଡ଼ ଗୋପାଳପୁର-ଚାନ୍ଦବାଲି ଉପକୂଳ ଦେଇ ଗତି କରିବାର ସମ୍ଭାବନା ରହିଥିବା ବେଳେ ପୁରୀଠାରେ ସ୍ଥଳପଥ ଛୁଇଁବ । ତେବେ ଏହି ସମୟରେ ପ୍ରାୟ ୨୦୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ପାଣିପାଗ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.