ଭୁବନେଶ୍ବର: ବିଜୟା ଦଶମୀ ସହ ସରିଲା ଜଗତଜନନୀ ମା’ଦୁର୍ଗାଙ୍କ ପୂଜା। ଗୁରୁବାର ମେଲାଣି ନେବେ ମା’। ଏପଟେ ହାଇ ଆର୍ଲଟରେ ଓଡ଼ିଶା ପୋଲିସ । ବିଶେଷକରି କଟକ ଭସାଣ ଶୋଭାଯାତ୍ରାରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ପ୍ରସ୍ତୁତ ରହିବାକୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରଖାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୃତୟନ ପାଇଁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଡିଜେ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯିବ । ଯଦି କୌଣସି ମେଢ଼ରେ ଡିଜେ ବାଜେ ତୁରନ୍ତ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ଚେତାବନୀ ଦେଇଛନ୍ତି ।
ଏଥିସହ କଟକ ମହାନଗର ନିଗମର ମେୟର ସୁବାସ ସିଂ କହିଛନ୍ତି ଯେ, ଅନ୍ୟପଟେ ମୂର୍ତ୍ତି ବିସର୍ଜନ ପାଇଁ ଦେବିଗଡ଼ା ଠାରେ ୧୨ଟି ଅସ୍ଥାୟୀ କୃତ୍ରିମ ପୋଖରୀ ସୃଷ୍ଟି କରାଯାଇଛି । ପମ୍ପ ଯୋଗେ ପାଣି ଭର୍ତ୍ତି କରାଯାଉଛି । ୨ଟି ବଡ଼ ଜେସିବି ମେସିନ ରଖା ଯାଇଛି । ଉକ୍ତ ସ୍ଥାନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହେବାକୁ ଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ୨୪ ଘଣ୍ଟିଆ ପିଇବା ପାଣିର ବ୍ୟବସ୍ଥା କରାଯିବା ସହ, ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି ।
ପୂଜା ଭସାଣି ନେଇ ପୋଲିସ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ଯେ, “ଶାନ୍ତି ଶୃଙ୍ଖଳା ସହ ରାଜ୍ୟରେ ଦଶହରା ପାଳନ ହେଉଛି । ଆଶା ଅଛି ଭସାଣ ଶୋଭାଯାତ୍ରା ମଧ୍ୟ ଶାନ୍ତିରେ ଶେଷ ହେବ । କଟକ ସମେତ ଭସାଣୀ ହେଉଥିବା ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।”
“ଡିଜେ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ମୋଡିଫାଏଡ୍ ଗାଡ଼ି ଆଣିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାଗଜ ପତ୍ରରେ ଗୋଟିଏ ଡକ୍ୟୁମେଣ୍ଟ ଦେଇ, ଶୋଭାଯାତ୍ରାରେ ଡିଜେ ବ୍ୟବହାର କରିବାର ପୂର୍ବରୁ ନଜିର ରହିଛି । ଚଳିତ ବର୍ଷ ଭସାଣ ଶୋଭାଯାତ୍ରାରେ ଯେଉଁ ମେଢ଼ରେ ଏମିତି କରାଯିବ, ତାହା ଉପରେ ପୋଲିସ କଡ଼ା ନଜର ରଖିବ । ଗାଡିକୁ ଜବତ କରାଯିବା ସହ ଲାଇସେନ୍ସ ବି ବାତିଲ କରାଯିବ । ସେହିପରି ଦଶହରା ବହୁତ ଶାନ୍ତି ଶୃଙ୍ଖଲାରେ ସରିଛି । ସାଧାରଣ ଲୋକ ସହଯୋଗ କରିଛନ୍ତି । ଏହି ପରି ସହଯୋଗ ଆସନ୍ତାକାଲି କରିବାକୁ,” ନିବେଦନ କରିଛନ୍ତି ଡିଜି ।
ଏପଟେ ରାଜଧାନୀର ୬ଟି ସ୍ଥାନରେ ଅସ୍ଥାୟୀ ବିସର୍ଜନ ସ୍ଥଳୀ କରାଯାଇଛି। ଭସାଣି ଉତ୍ସବ ପାଇଁ ୪୮ ପ୍ଲାଟୁନ ପୁଲିସ ଫୋର୍ସ ଏବଂ ୧୦୦ ଅଫିସର ନିୟୋଜିତ ହେବେ। ଭସାଣି ଉତ୍ସବରେ ଡିଜେ ବାଜିବାକୁ ଅନୁମତି ଦିଆଯାଇନାହିଁ। ଡିଜେ ବାଜିଲେ ତାହା ଜବତ ହେବ ଏବଂ ଅପରାଧ ମାମଲା ମଧ୍ୟ ରୁଜୁ ହେବ ବୋଲି ଡିସିପି ଶ୍ରବଣ ଏମ୍ ବିବେକ୍ କହିଛନ୍ତି।
ଗୁରୁବାର ଅପରାହ୍ନ ୨ଟାରୁ ଭସାଣି ଉତ୍ସବ ଆରମ୍ଭ ହେବ । ନୂଆପଲ୍ଲୀ ପୂଜା କମିଟି ସହ ୨୦ଟି ପୂଜା କମିଟିର ମେଢ଼ ସାମିଲ ହେବାକୁ ଥିବା ବେଳେ ସହିଦନଗର ସହ ୨୪ଟି ମେଢ଼ ଯୋଗଦେବେ। ନୂଆପଲ୍ଲୀର ଭସାଣି ଉତ୍ସବ ନୂଆପଲ୍ଲୀ ଛକରୁ ଆରମ୍ଭ ହେବ। ଆଗପଛ ହୋଇ ମେଢ଼ଗୁଡ଼ିକ ନୂଆପଲ୍ଲୀ,ସିଆରପି,ଡିଏଭି ଛକ ଡାହାଣ ମୋଡ଼ ନେଇ ଗୋପବନ୍ଧୁ ଛକ,ସିରିପୁର ଦେଇ ଏୟାରପୋର୍ଟ ଛକକୁ ଯିବେ। ଏହି ଶୋଭାଯାତ୍ରା ବେଳେ ସିଆରପି ଛକ ପାର୍ଶ୍ବରୁ ଜୟଦେବ ବିହାର ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହନଗୁଡ଼ିକ ସିଆରପି ଛକଠାରୁ ଏକାମ୍ର ପାର୍କ ରାସ୍ତା ଦେଇଯିବେ।
ସହିଦନଗର ଭସାଣି କମିଟିର ସମସ୍ତ ମେଢ଼ ସହିଦନଗରରରୁ ବାହାରି ରାମମନ୍ଦିର,ମାଷ୍ଟରକ୍ୟାଣ୍ଟିନ ଦେଇ ରାଜମହଲ ଛକ ଯାଏ ଯିବେ। ଏହି ଶୋଭାଯାତ୍ରା ବେଳେ ଯାନାବାହନଗୁଡ଼ିକ ସଚିବାଳୟ ମାର୍ଗ ଓ ସଂଲଗ୍ନ ରାସ୍ତାରେ ଯାତାୟତ କରିବେ।ଉତ୍ତର ଭୁବନେଶ୍ବର ଦୁଇଟି ଭସାଣି କମିଟିର ସମସ୍ତ ମେଢ଼ କ୍ଲବ ଟାଉନ ଆପାର୍ଟମେଣ୍ଟ ପଡ଼ିଆ ଓ ଡମଣା ପଡ଼ିଆରେ ଏକାଠି ହୋଇ ନାଲକୋ ଛକ ହୋଇଯିବେ। ଶୋଭଯାତ୍ରା ବେଳେ ନନ୍ଦନକାନନ ଛକ ପଟୁ ଜୟଦେବ ବିହାର ଛକକୁ ଆସୁଥିବା ଯାନବାହନ ଗୁଡ଼ିକୁ କିଟ୍ କିମ୍ବା କଳାରାହାଙ୍ଗ ଛକରେ ଥିବା ସଂଲଗ୍ନ ରାସ୍ତା ଦେଇ ଯିବେ। ଏହି ସବୁ କଟକଣା ଅପରାହ୍ଣ ୨ଟାରୁ ରାତି ୧ଟା ପର୍ଯ୍ୟନ୍ତ ଲାଗୁ ରହିବ।
ସୂଚନାଥାଉକି,ବିଏମସି ପକ୍ଷରୁ କୁଆଖାଇ ନଦୀ ନିକଟ ପଳାଶୁଣି,ହଂସପାଳ,ବାସୁଆଘାଇ,ଟଙ୍କପାଣି ରୋଡ୍,ଲିଙ୍ଗିପୁରସ୍ଥିତ ଦୟାନଦୀଠାରେ ଅସ୍ଥାୟୀ ପୁଷ୍କରିଣୀ ହୋଇଛି। ସେହିପରି ସେଞ୍ଚୁରିଆନ,ଚନ୍ଦକା,କୁଶଭଦ୍ରା ନଦୀରେ ପ୍ରତିମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଛି। ସମସ୍ତ ପୁଷ୍କରିଣୀ ନିକଟରେ ଜେସିବି,ଟ୍ରାକ୍ଟର,ସହଯୋଗୀ ଟିମ୍ ରହିଛନ୍ତି । ଏହି ସବୁ ଅସ୍ଥାୟୀ ପୁଷ୍କରିଣୀକୁ ସ୍ବତନ୍ତ୍ର ରାସ୍ତା କରାଯାଇଛି ।

