Latest Odisha News

ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ପ୍ରସୂତିଙ୍କ ଜୀବନ

ସୁନ୍ଦରଗଡ଼: ରାସ୍ତା ନ ଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ପ୍ରସବ ପରେ ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ପ୍ରସୂତିଙ୍କ ଜୀବନ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ତଲସେରା ପାତ୍ରାଟୋଲି ବସ୍ତିରେ ଘଟିଛି ଏହି ଘଟଣା ।

ପ୍ରସବ ବେଦନା ହେବାରୁ ପରିବାର ଲୋକଙ୍କ ପକ୍ଷରୁ ସ୍ଥାନୀୟ ଆଶାକର୍ମୀଙ୍କୁ ଖବର ଦିଆଯାଇଥିଲା । ପ୍ରସୂତିଙ୍କ ଅବସ୍ଥା ଗୁରୁତର ଥିବାରୁ ଆଶାକର୍ମୀଙ୍କ ପରାମର୍ଶକ୍ରମେ ଆମ୍ବୁଲାନ୍ସ ଡକାଯାଇଥିଲା । ମାତ୍ର ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ଶେଷରେ ଘରେ ଯନ୍ତ୍ରଣାରେ ଛଟପଟ ହୋଇ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ପ୍ରସୂତି । ପରେ ହଠାତ୍‌ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା।

ଆମ୍ବୁଲାନ୍ସ ଆସି ଗାଁଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ୨୪୩ ନମ୍ବର ଜାତୀୟ ରାଜପଥରେ ପହଞ୍ଚି ସାରିଥିଲା । ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ସେଠାରେ ଛିଡ଼ା ହୋଇଥିଲା । ଏହାପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ପ୍ରସୂତିଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଉଥିବା ବେଳେ ତାଙ୍କ ଜୀବନ ଚାଲିଗଲା ।

ରାସ୍ତା ଖଣ୍ଡିଏ ଗାଁକୁ ନଥିବା ବେଳେ ବହୁବାର ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଆସିଛନ୍ତି । ହେଲେ ସେମାନଙ୍କ ସମସ୍ୟା ଶୁଣିବାକୁ ଯେମିତି କେହି ନାହିଁ । ତେବେ ଚଳିତଥର କିନ୍ତୁ ରାସ୍ତା ନହେଲେ ଭୋଟ ବର୍ଜନ କରିବାର ଚେତାବନୀ ଦେଇଛନ୍ତି ଗାଁର ଲୋକମାନେ ।

Leave A Reply

Your email address will not be published.