Latest Odisha News

ଜେଏସଡବ୍ଲ୍ୟୁ ବିରୋଧୀଙ୍କ ଆନ୍ଦୋଳନର ସ୍ବର ନରମିଲା

ପାରାଦୀପ: ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି। ଗୋଟିଏ ପଟେ ଢ଼ିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର, ପାଟଣା, ମାହାଳ ଓ ପରେ ଢ଼ିଙ୍କିଆ ଗାଁରେ ପାନବରଜ ମାପଚୁପ କରାଯିବା ସହିତ ଭଙ୍ଗା କାର୍ୟ୍ୟ ଜାରି ରହିଛି। ସେହି ସମୟରେ କେବଳ ଢ଼ିଙ୍କିଆ ଗାଁରେ କିଛି ଲୋକ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। କିନ୍ତୁ ବିଶେଷ କରି ଢ଼ିଙ୍କିଆ ଗାଁର ଏକାଧିକ ପରିବାର ନିଜ ଇଛାରେ ପାନବରଜ ମାପଚୁପ କରି ଭାଙ୍ଗୁଛନ୍ତି। ଏପରିକି କିଛି ଜେଏସଡବ୍ଲ୍ୟୁ ବିରୋଧୀ ଆନ୍ଦୋଳନର ଆଗଧାଡିର ଲୋକ ମଧ୍ୟ ବରଜ ଭାଙ୍ଗିବାକୁ ସହମତି ଦେଇଛନ୍ତି। ଯାହାଫଳରେ ପ୍ରକଳ୍ପ ବିରୋଧୀଙ୍କ ଆନ୍ଦୋଳନ ଯେଉଁ ମାତ୍ରାରେ ଥିଲା ସେଥିରେ ଅନେକ ପରିବର୍ତନ ଦେଖିବାକୁ ମିଳିଛି। ଇଛା ବିରୋଧରେ କିଛି ଲୋକ ଶୋଭାଯାତ୍ରାରେ ଯୋଗ ଦେଉଥିବା ବେଳେ ଅନ୍ୟ ସମ୍ପର୍କୀୟମାନଙ୍କ ସହାୟତାରେ ବରଜ ମାପ କରିବାକୁ ସହମତି ଦେଉଛନ୍ତି।

ଆଜି ସଂଯୁକ୍ତ କିଶାନ ମୋର୍ଚ୍ଚାର ରାଜ୍ୟର ଏକ ୧୫ ଜଣିଆ ପ୍ରତିନିଧି ଦଳ ଢ଼ିଙ୍କିଆ ଗାଁରେ ପହଞ୍ଚିଥିଲେ। ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ବରିଷ୍ଠ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ସୁରେଶ ପାଣିଗ୍ରାହୀ, ସୁଦର୍ଶନ ପ୍ରଧାନ, ଵସ୍ତି ସୁରକ୍ଷା ମଞ୍ଚ ନେତ୍ରୀ ପ୍ରମିଳା ବେହେରା, ଶଙ୍କର ସାହୁ, ସିପିଆଇର ବରିଷ୍ଠ ନେତା ଶଶୀଭୂଷଣ ସ୍ବାଇଁ ପ୍ରମୁଖ ଢ଼ିଙ୍କିଆରେ ପହଞ୍ଚିଥିଲେ। ବିରୋଧୀମାନଙ୍କ ସହିତ ଆଲୋଚନାରେ ଯୋଗ ଦେବା ପରେ ସ୍ଥାନୀୟ ଆନ୍ଦୋଳନକାରୀମାନଙ୍କ ସହିତ ଜେଏସଡବ୍ଲ୍ୟୁ ପ୍ରକଳ୍ପର ଅସ୍ଥାୟୀ କାର୍ୟ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଆନ୍ଦୋଳନକାରୀ କିଛି ଦୂରରେ ରହିଥିଲା ବେଳେ ଏକ ପ୍ରତନିଧି ଦଳ ଏରସମା ତହସିଲଦାର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା କରିଥିଲେ। କୋୖଣସି ବଳ ପ୍ରୟୋଗ ନ କରି ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ କରି ପ୍ରକଳ୍ପ କରିବାକୁ ନିବେଦନ କରିଥିଲେ।

ଅପରପକ୍ଷେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପୋଲିସ ବଳ ପ୍ରୟୋଗ କରାଯାଇ ନ ଥିବା ବେଳେ ଏଭଳି କାର୍ୟ୍ୟ କରାଯିବ ନାହିଁ ବୋଲି ଏରସମା ତହସିଲଦାର ଚୌଧୁରୀ ପ୍ରଞ୍ଜାନନ୍ଦ ଦାସ ପ୍ରକାଶ କରିଥିଲେ। ଲୋକଙ୍କ ଯାହା ସମସ୍ୟା କିମ୍ବା ଦାବି ରହିଛି ସିଧାସଳଖ ତହସିଲଦାରଙ୍କ ନିକଟକୁ ଆସନ୍ତୁ ବୋଲି ତହସିଲଦାର ପ୍ରକାଶ କରିଥିଲେ।

ତେବେ ଆଜି ମଧ୍ୟ ଢ଼ିଙ୍କିଆ ପଞ୍ଚାୟତର ପାଟଣା ମାହାଳ ଓ ଢ଼ିଙ୍କିଆ, ଗୋବିନ୍ଦପୁର ଗାଁରେ ପାନବରଜ ମାପଚୁପ କରାଯିବା ସହିତ ଭଙ୍ଗା କାର୍ୟ୍ୟ ଜାରି ରହିଥିଲା। ଗତକାଲି ସୁଦ୍ଧା ଏହି ତିନି ଗାଁର ୧୬୭ ଜଣ ହିତାଧିକାରୀଙ୍କ ୧୯୨ ଟି ପାନବରଜ ମାପଚୁପ କରାଯାଇଛି । ଏଥି ମଧ୍ୟରୁ ୧୧୮ ଟି ପାନବରଜ ଭଙ୍ଗା ଯାଇଛି। ଏହି ହିତାଧିକାରୀମାନଙ୍କ ମଧ୍ୟରୁ ୫୩ ଜଣଙ୍କୁ ୧,୪୧,୯୨,୭୪୯ ଟଙ୍କା କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଢ଼ିଙ୍କିଆ, ପାଟଣା, ମାହାଳ ଗାଁ ଲୋକଙ୍କ ପ୍ରକଳ୍ପ ପାଇଁ ସହମତି ଦେଖି ଅନ୍ୟ ଲୋକମାନେ ମଧ୍ୟ ବରଜ ଭାଙ୍ଗିବାକୁ ସହମତି ଦେଉଛନ୍ତି।

Comments are closed.