ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୫୪
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନେକ ଗୁଣ ଆମେ ଆଲୋଚନା କରିସାରିଲେଣି। ଆଜି ତାଙ୍କର ବିଶେଷ ଗୁଣ ଯେଉଁଥିପାଇଁ ସେ ସମସ୍ତଙ୍କ ପ୍ରିୟ ତାହା ବର୍ଣ୍ଣନା କରିବା ।
ଭାବଗ୍ରାହୀ- ଓଡ଼ିଆର ପ୍ରସିଦ୍ଧ ଜଣାଣ “ସେତ ଭକତ ଭାବରେ ବନ୍ଧାରେ ସେତ ଭକତ ଜୀବନ ଧନ ।” ଏଠାରେ ଯେଉଁ ଭାବ କଥା ଉଲ୍ଲେଖ ହୋଇଛି, ସେହି ଭାବକୁ ଗ୍ରହଣ କରିବାର ଶକ୍ତି ତାଙ୍କର ଥିବାରୁ ସେ ଭାବଗ୍ରାହୀ । ଏହି ଭାବ ପ୍ରତ୍ୟେକ ଜୀବର ଏକ ବିଶେଷ ଅବସ୍ଥା । ଯେତେବେଳେ ମନୁଷ୍ୟ ନିଜର ସାମଗ୍ରିକ ଚେତନାକୁ ଶ୍ରୀଜଗନ୍ନାଥଙ୍କ ପାଦ ପଦ୍ମରେ ସମର୍ପିଦିଏ, ପ୍ରଭୁଙ୍କୁ ନିଜର ସର୍ବସ୍ବ କର୍ତ୍ତା ବୋଲି ମାନିନିଏ, ତାଙ୍କ ପାଇଁ ହସେ, କାନ୍ଦେ, ତାଙ୍କ ସହ ଖେଳେ ବୁଲେ, ତେବେ ଜାଣିବ ସେ ଭାବଗ୍ରାହୀଙ୍କ ଭାବରେ ବନ୍ଧା ପଡିଛି । ଅବା ଅନ୍ୟ ଅର୍ଥରେ ଭାବଗ୍ରାହୀଙ୍କୁ ନିଜ ଭାବରେ ବାନ୍ଧି ଦେଇଛି ଶ୍ରୀଜଗନ୍ନାଥ ତ ଆତ୍ମା ସ୍ୱରୂପରେ ସବୁ ଘଟରେ ବିରାଜିତ। ତେଣୁ ସମସ୍ତଙ୍କ ମଧ୍ୟରେ ସ୍ନେହ, ପ୍ରେମ, ପ୍ରୀତି ଓଡ଼ିଆ ଭକ୍ତି ଭାବର ଉଦ୍ରେକ କାରି ସେ ନିଜେ, କିନ୍ତୁ ଆମର ଦାୟିତ୍ୱ ସେହି ଜାଗ୍ରତ ଭାବକୁ ଗ୍ରହଣ କରି ନିଜ ମଧ୍ୟରେ ସଂଚlରିତ ଓ ବିକଶିତ କରିବା, ଥରେ ସେଭାବକୁ ଯୋଡି ଦିଅନ୍ତୁ । ଭାବଗ୍ରାହୀ ଆପଣଙ୍କ ସବୁ ଆଶା ପୂରଣ କରିବେ।
ସଚ୍ଚିଦାନନ୍ଦ – ସତ -ଚିତ -ଆନନ୍ଦ ର ଘନ ବିଗ୍ରହ ହେଲେ ମୋ ଜଗନ୍ନାଥ ଆମେ ଆମର ଦଶ ଇନ୍ଦ୍ରିୟକୁ ବଶ କରି, ସର୍ବଦା ଚିତ୍ତକୁ ଶ୍ରୀଜଗନ୍ନାଥଙ୍କ ପାଖରେ ନିବେଶ କରି ଧ୍ୟାନ କଲେ ପ୍ରଭୁଙ୍କର ଏହି ଶକ୍ତିକୁ ଅନୁଭବ କରିପାରିବା । ତେବେ ପ୍ରଥମେ ଦଶ ଇନ୍ଦ୍ରିୟ କ’ଣ ଜାଣିବା । ପାଞ୍ଚ ଜ୍ଞାନେଦ୍ରୀୟ ହେଲା, ଶ୍ରବଣ ଇନ୍ଦ୍ରିୟ, (କାନ ), ଦର୍ଶନ ଇନ୍ଦ୍ରିୟ (ଆଖି ), ଘ୍ରାଣ ଇନ୍ଦ୍ରିୟ (ନାକ ), ରସନା ଇନ୍ଦ୍ରିୟ (ଜିହ୍ୱା ), ସ୍ପର୍ଶ ଇନ୍ଦ୍ରିୟ (ଚର୍ମ )। ସେହିଭଳି ପାଞ୍ଚ କର୍ମ ଇନ୍ଦ୍ରିୟ ହେଲେ, ହାତ, ଗୋଡ଼, ପାଟି, ମଳଦ୍ୱାର, ଜନନ ଇନ୍ଦ୍ରିୟ. ଯୋଗୀ ଋଷି ମାନେ ନିଜର ଯୋଗ ସାଧନା ବଳରେ ଏସବୁକୁ ନିୟନ୍ତ୍ରଣ କରିବାର ଶକ୍ତି ହାସଲ କରିଥାନ୍ତି, କିନ୍ତୁ ସାଧାରଣ ମଣିଷଟିଏ ନିଜର ଚିତ୍ତ ଶୁଦ୍ଧି ଓ ସଂଯମତା ଆଚରଣ ଦ୍ୱାରା ଏହାକୁ କବଳିତ କରି ପାରିଲେ ସଚ୍ଚିଦାନନ୍ଦଙ୍କ ପ୍ରକୃତ ଚେତନା କୁ ଉପଲବ୍ଧି କରିପାରିବ ।
ପୁରୁଷୋତ୍ତମ- ଆମେ ଜାଣିଛେ ଆମ ଶରୀର କ୍ଷର (ନାଶବନ ), ଓ ପରମାତ୍ମା ଙ୍କ ଅଂଶ ଆତ୍ମା ଅକ୍ଷର (ଅବିନାଶୀ )। କିନ୍ତୁ ଏ ପୁରୁଷୋତ୍ତମ ପୁଣି କିଏ ! ସେ ହେଉଛନ୍ତି କ୍ଷରଠାରୁ ସମ୍ପୂର୍ଣ ଭିନ୍ନ ଓ ଅକ୍ଷରଠାରୁ ବି ଉତ୍ତମ, ତେଣୁ ପୁରୁଷୋତ୍ତମ(ପୁରୁଷ +ଉତ୍ତମ ). ଶେଷରେ ଏ ସାରା ସଂସାରର ଏକମାତ୍ର ପୁରୁଷ (ଲିଙ୍ଗ ଭେଦରେ ନୁହେଁ )ଶ୍ରୀଜଗନ୍ନାଥ ହିଁ ଆମ ସମସ୍ତଙ୍କ ଧ୍ୟେୟ, ତାଙ୍କର କୌଣସି ରୂପ କଳନା କରି ତାଙ୍କୁ ଭଜିଲେ, ଭାବରେ ବାନ୍ଧିଲେ ସେ ସେହି ରୂପରେ ହିଁ ଦର୍ଶନ ଦିଅନ୍ତି, ଯେଭଳି ଭକ୍ତ ଗଣପତି ଭଟ୍ଟଙ୍କୁ ଗଣେଶ ବେଶରେ ଦର୍ଶନ ଦେଲେ, ଆସନ୍ତୁ ଗାଇବା ତାଙ୍କରି ସ୍ତୁତି :
“ଯ ଚକ୍ଷୁଷା ନ ପଶ୍ୟତି ଯେନ ଚକ୍ଷୁଂସ ପଶ୍ୟତି, ତଦେବ ବ୍ରହ୍ମ ତ୍ବଂ ବିଦ୍ଧି ନେଦଂ ଯଦି ଦମୁପାଶତେ । “
ଅର୍ଥାତ ଯାହାଙ୍କୁ ନେତ୍ର ଦ୍ୱାରା ଦେଖି ହୁଏନି, ବରଂ ଯାହାଙ୍କ ସାହାଯ୍ୟରେ ଏ ନେତ୍ର ଦେଖେ ତାହାହିଁ ବ୍ରହ୍ମ । ତାଙ୍କରି ଉପlସନା କର, ଜୟ ଜଗନ୍ନାଥ ।
Comments are closed.