ଧାରାବାହିକ ଉପନ୍ୟାସ : ଦେବୀ (୪୦)

0
14

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୦ 

ବାହାରେ ଲାଗିଲାଣି ଆଲୁଅର ମହୋତ୍ସବ। ଘାସ ମଥାରେ ସଞ୍ଚିତ ବିଶ୍ୱାସ ମୁଣ୍ଡରେ ବୋହିଲେଣି ଏକ ସୂର୍ଯ୍ୟ। ଖୁସିହେବାର ଘୋଷଣାରତ ପକ୍ଷୀମାନେ ଏକ ଅନିଶ୍ଚିତ ମାତ୍ର ବିଶ୍ୱାସଯୋଗ୍ୟ ପଥ ଲଙ୍ଘିବା ଦିଗରେ।ଏ କ ମଶାଣୀଆ ନିରବତା ଓ କଳଙ୍କିତ ଅନ୍ଧାରକୁ ହାତରେ ଧରି କାନ୍ଥକୁ ଆଉଜି ବସିଛି ଦେବୀ।

ଖଟ ଉପରେ ବାପା ଶୋଇଛନ୍ତି। ଖୁବ୍ କରୁଣ ଦେଖାଯାଉଛି ତାଙ୍କ ମୁହଁ। ବୋଉ ଉଠି ବାହାରକୁ ଚାଲିଗଲାଣି କେବେଠୁ।ବାପାଙ୍କ ପ୍ରଳାପ ବି ବନ୍ଦ ହୋଇଗଲାଣି।

ଦିନ ତମାମ ଗୋଟିଏ ଘରେ ବସି ଏକ ଦୃଶ୍ୟ ଅଯୋଗ୍ୟ ବାତାବରଣ ଭିତରେ ସଢ଼ି ଗଲାଣି ଦେବୀ। ଗତ କାଲି ସନ୍ଧ୍ୟାବେଳେ ବଡ଼ପୁଅ କଥା ହୋଇଥିଲା। ତା ବାପା ଆସିନାହାନ୍ତି ଦୁଇଦିନ ହେଲା । ଖୁବ୍ ବ୍ୟସ୍ତ ଏବେ ସେ ନିଜର ନୂଆ ପ୍ରୋଜେକ୍ଟକୁ ନେଇ। ଖିଆ ପିଆ ନାହିଁ, ହସଖୁସି ନାହିଁ। ନାହିଁ ବି ବୁଝିବାକୁ କାହାର ଦୁଃଖସୁଖ। ବୋଧ ହୁଏ ପନ୍ଦର ଦିନ ହେବ ସେ କଥା ହୋଇନି ତାଙ୍କ ସହ।

ସେ କଥା ହେବା ଭୁଲିଯାଇନି, ହେଲେ ଭୁଲିଯାଇଛି ବର୍ତ୍ତମାନ ସହିତ କଥା ହେବାକୁ। ସେ ଚାହେଁନା ଆଉ ଥରେ ପଡ଼ିବାକୁ ଶବ୍ଦର ମାୟାରେ। ମଣିଷର ମାୟାରେ।

ମଣିଷ ଆଉ କେଉଁଠି କାହିଁ ! ଦିନେ ଥିଲା ଏ ପୃଥିବୀର ଏକମାତ୍ର ମଣିଷ। ତା ସହିତ କଥା ହୋଇ ସେ ଜାଣିଥିଲା
ଶବ୍ଦର ବି ଜୀବନ ଅଛି। ଅଛି ଏକ ନିରନ୍ତର ପ୍ରବାହ। ସେ ପ୍ରବାହରେ ଭାସିଗଲେ ମିଳେ ଏକ ଇପ୍ସିତ ପୃଥିବୀ। ଏକ ନିରନ୍ତର ସ୍ପନ୍ଦିତ ହୃଦୟ।

ଦିନେ ସେ ପାଇଥିଲା ସେଇ ସ୍ପନ୍ଦିତ କ୍ଷଣର ସ୍ପର୍ଶ। ତା ଅଳ୍ପାୟୁ ଜୀବନରେ ବାଜି ଉଠିଥିଲା ବିବିଧ ରାଗର ରାଗିଣୀ। ସେ ଫୁଲଟିଏ ପରି ଫୁଟି ଉଠିଥିଲା ତା ଏକାନ୍ତ ମନ କାନନରେ। ସମୟର ବଦ୍ଧ ବକଳ ଫଟେଇ ଉକୁଟି ଉଠିଥିଲା ଏକ ଚିତ୍ରିତ
ଅନୁଭବ।ମନ ପ୍ରାଣ ଅନୁଭବରେ ହୋଇଥିଲା ଶତ ଶତ ଚନ୍ଦ୍ରୋଦୟ। ସେ ମୟୂରୀଠୁ ଶିଖିଥିଲା ନାଚିବାର କଳା, ଜହ୍ନଠୁ ହସ ।ନଈ ଶିଖେଇଥିଲା ତାକୁ କେମିତି ନିଜ ଭିତରେ ଧରି ରଖିହେବ ନିରନ୍ତର ସମୁଦ୍ରାଭିମୁଖୀ ବ୍ୟଗ୍ରତା। ଗଛମାନେ ଶିଖେଇଲେ ନମ୍ରତା,ଲାଜକୁଳୀ-ସମ୍ଭ୍ରମତା। ଫୁଲସବୁ ବାସ ଖଞ୍ଜିଲେ ତା ପଦ୍ମିନୀ ଦେହରେ। ପ୍ରଜାପତି ମନକୁ ଉଡେଇନେଲେ କେଉଁ ଏକ ଜାଦୁନଗରୀ।ସେଠି ସେ ଆୟତ କଲା ରଙ୍ଗସବୁକୁ ଧରିରଖିବାକୁ ତା ଲାଜୁଆ ହସରେ।

ଆକାଶ ଶିଖେଇଲା ବିସ୍ତୃତି,ସମୁଦ୍ର ସିଖେଇଲା ନିଜ ସୀମା ଭିତରେ ରହିବାର କଳା,ସ୍ୱପ୍ନରେ କେମିତି ଭାସିବାକୁ ହୁଏ ସେ କଥା ଶିଖେଇବାର ଦାୟିତ୍ଵ ନେଲେ ବାଦଲ କୂଳ।

ବୟସ ସହିତ ବଢୁଥିଲା ଦେବୀର ପ୍ରକୃତି ସହିତ ସମ୍ପୃକ୍ତି । ସେ ଆନମନା ହେଉଥିଲା ସୁନୀଲ ଆକାଶରେ ଉଡନ୍ତା ବାଦଲଙ୍କୁ ଦେଖି। ତାକୁ ଡରାଉଥିଲେ ଏକାନ୍ତ ବୃକ୍ଷମୂଳ ଛାଇ । ତାର ଇଚ୍ଛା ହେଉଥିଲା ଦେହସାରା ବୋଳିବାକୁ ଇନ୍ଦ୍ରଧନୁର ସାତ ରଙ୍ଗ। ତୃଷିତା ଚକୋରୀ ପରି ପି’ ଯିବାକୁ ସାରା ଆଷାଢ଼ର ବର୍ଷା। ଗୋଲାପ ଦେଖିଲେ ତା ଦେହରେ ଫୁଟୁଥିଲା ବୈଶାଖର କୃଷ୍ଣଚୂଡ଼ା।କ୍ରମଶଃ ବଢ଼ିବାରେ ଲାଗିଥିଲା ତାର ବାସନ୍ତିକ କୋମଳ ଉନ୍ମାଦନା।

ଠିକ୍ ଏଇ ସମୟରେ ତା ଜୀବନରେ ଆସିଲା ଏକ ଅଭୂତ ପୂର୍ବ ପରିବର୍ତ୍ତନ। ମାନବୀୟ ଖୋଳପା ଭିତରେ ଉଦୟ ହେଉଥିଲା ଏକ ଦେବୀପଣ।

କ୍ରମଶଃ …..