Latest Odisha News

BREAKING NEWS

ପରଲୋକରେ ପଦ୍ମଶ୍ରୀ ଶାନ୍ତି ଦେବୀ

ରାୟଗଡ଼ା: ପରଲୋକରେ ବର୍ଷିୟାନ ସମାଜସେବୀ ତଥା ଗାନ୍ଧିବାଦୀ ନେତ୍ରୀ ପଦ୍ମଶ୍ରୀ ଶାନ୍ତି ଦେବୀ । ମୃତ୍ୟୁବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା । ଗୁଣୁପୁରସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଶାନ୍ତିଦେବୀଙ୍କ ଅବଦାନ କେବଳ ରାୟଗଡ଼ାରେ ସୀମିତ ନଥିଲା, ତାଙ୍କର କାର୍ଯ୍ୟ ଆଜି ସାରା ଦେଶରେ ତାଙ୍କୁ ପରିିଚିତ କରିଛି । ବିବାହ ସମୟରେ ସ୍ୱାମୀଙ୍କ ସର୍ତ୍ତ ପୂରଣ ସହ ଲୋକଙ୍କ ସେବା ପାଇଁ ବାଲେଶ୍ୱରରୁ ସେତେବେଳର କୋରାପୁଟ ତଥା ଏବର ରାୟଗଡ଼ାକୁ ସେ ଚାଲିଆସିଥିଲେ ।

୧୯୩୪ ଏପ୍ରିଲ ୧୮ତାରିଖରେ ଶାନ୍ତି ଦେବୀଙ୍କ ଜନ୍ମ । ୧୯୫୧ମସିହାରେ ସମାଜସେବୀ ଡ଼.ରତନ ଦାଶଙ୍କ ସହ ତାଙ୍କର ବାହାଘର ହୋଇଥିଲା । ପିଲାଟି ଦିନରୁ ସମାଜରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର, ଜୁଲୁମ ବିରୁଦ୍ଧରେ ପ୍ରତିବାଦ କରିଆସୁଥିଲେ । ସେହି ସମୟରେ ଗାନ୍ଧିଜୀଙ୍କ ନୀତିରେ ପ୍ରଭାବିତ ହୋଇ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିଷ୍ଠିତ ଏବଂ ପରିଚାଳିତ ଗାନ୍ଧୀ ଆଶ୍ରମରେ ଯୋଗଦେଇଥିଲେ । ୧୯୫୧ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅକାଳ ମରୁଡ଼ି ସମୟରେ ସ୍ୱାମୀଙ୍କ ସହ ଆସି ଗୁଣୁପୁର ସହରରେ ପହଞ୍ଚିଥିଲେ । ସନ୍ଥ ବିନୋବା ଭାବେଙ୍କ ସହ ଭେଟହେବା ପରେ ବଦଳିଯାଇଥିଲା ତାଙ୍କ ଜୀବନ ଗତିପଥ  ।

୧୯୫୨ରେ କୋରାପୁଟରେ ଚାଲିଥିବା ଭୁସତ୍ୟାଗ୍ରହଣ ଆନ୍ଦୋଳନରେ ସାମିଲ ହୋଇଥିଲେ । ପରେ ବଲାଙ୍ଗିର, କଳାହାଣ୍ଡି ଏବଂ ସମ୍ବଲପୁର ଭୁଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୬୪ରେ ଆଦିବାସୀଙ୍କ ସହାୟତାରେ ପଦ୍ମପୁର ବ୍ଲକସ୍ଥିତ ଜବରଗୁଡ଼ାରେ ଆରମ୍ଭ କଲେ ସେବାସମାଜ । ରାୟଗଡ଼ା ଜିଲ୍ଲାର ୧୩୧ଜଣ ଅନାଥ ଝିଅ ଓ ଗରିବ ପିଲାଙ୍କୁ ନିଜ ପାଖରେ ରଖି ମା’ ଭଳି ସେବା ଯତ୍ନ ନେଉଥିଲେ । ଅନାଥ ପିଲାଙ୍କ ପାଇଁ ରାୟଗଡ଼ା, ଗୁଣୁପୁର ଓ ପଦ୍ମପୁର ବ୍ଲକର ଜବରଗୁଡ଼ା, ନୂଆପଡ଼ା ସହରରେ ଗଢ଼ିତୋଳିଛନ୍ତି ସେବାଆଶ୍ରମ । ୬୦ବର୍ଷ ଧରି ସମାଜସେବାରେ ନିଜକୁ ନିୟୋଜିତ କରି ରଖିଥିଲେ ।

ଗତବର୍ଷ ନଭେମ୍ବରରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଥିଲେ । ଶାନ୍ତିଦେବୀ ଯମୁନାଲାଲ ବାଜଜ ପୁରସ୍କାର, ସାରଳା ପୁରସ୍କାର ପର୍ଯ୍ୟନ୍ତ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସମ୍ମାନ ଅପେକ୍ଷା ଆଦିବାସୀ, ଗରିବ, ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଇବା ହିଁ ତାଙ୍କୁ ଆତ୍ମସନ୍ତୋଷ ଦେଇଥାଏ ବୋଲି ସବୁବେଳେ କହୁଥିଲେ । ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଏସପି ବିବେକାନନ୍ଦ ଶର୍ମା, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟ ଲୋକସଭା ସାଂସଦ ସପ୍ତଗୀତି ଉଲାକା, ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ ଶୋକ ବ୍ୟକ୍ତ କରିଛନ୍ତି ।

Comments are closed.