କେନ୍ଦ୍ରାପଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଲାଣି ଗାଁ ରାଜନୀତି । ଏବେ ଗ୍ରାଉଣ୍ଡରେ ଜୋରସୋରରେ ଚାଲିଲାଣି ପ୍ରଚାର । କିପରି ଅଧିକରୁ ଅଧିକ ଭୋଟ ମିଳିବ, ସେନେଇ ଭୋଟରକୁ ମନାଇବାରେ ଲାଗି ପଡିଛନ୍ତି ପ୍ରାର୍ଥୀ । ସାରା ରାଜ୍ୟରେ ପଞ୍ଚାୟତ ପଲିଟିକ୍ସକୁ ନେଇ ଉଠୁଛି ପଡୁଛି ଗାଁ ଗହଳି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକରେ ଥିବା ୩୨ଟି ଜିଲ୍ଲା ପରିଷଦ ଜୋନର ଜିଲ୍ଲା ପରିଷଦ ପାର୍ଥୀ, ୨୪୯ଟି ପଞ୍ଚାୟତର ସରପଞ୍ଚ ପାର୍ଥୀ ଓ ସମିତିସଭ୍ୟ ପ୍ରାର୍ଥୀ ଏବଂ ୩୬୯୮ ୱାର୍ଡ ପାଇଁ ପ୍ରାର୍ଥୀ ଚୟନ କରିବେ ଭୋଟର ।
ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ଥିବା ୩୨ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୨୨ଟି ଜିଲ୍ଲା ପରିଷଦ ଆସନ ହାତେଇଥିଲା । ସେହିପରି ବିଜେପି ୧୦ଟି ଜିଲ୍ଲା ପରିଷଦ ଆସନ ହାତେଇବାରେ ସକ୍ଷମ ହୋଇଥିବା ବେଳେ, ଖାତା ଖୋଲି ପାରିନଥିଲା କଂଗ୍ରେସ । ଚଳିତ ବର୍ଷ ୫ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ ତାରିଖରେ ଆଳି ବ୍ଲକ ଏବଂ ଡେରାବିଶ ବ୍ଲକରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଫେବ୍ରୁଆରୀ ୧୮ ତାରିଖରେ ରାଜକନିକା ବ୍ଲକ ଏବଂ ମାର୍ଶାଘାଇ ବ୍ଲକରେ ହେବ ମତଦାନ । ଫେବ୍ରୁଆରୀ ୨୦ ତାରିଖରେ ପଟ୍ଟାମୁଣ୍ଡାଇ ଏବଂ ରାଜନଗର ବ୍ଲକରେ ହେବ ମତଦାନ । ସେହିପରି ଫେବ୍ରୁଆରୀ ୨୨ ତାରିଖରେ କେନ୍ଦ୍ରାପଡା ବ୍ଲକ ଏବଂ ଗରଦପୁର ବ୍ଲକରେ ହେବ ମତଦାନ । ଫେବ୍ରୁଆରୀ ୨୪ ତାରିଖରେ ମହାକାଳପଡା ବ୍ଲକରେ ହେବ ଭୋଟ ଗ୍ରହଣ ।
Comments are closed.