Latest Odisha News

ଲିଙ୍ଗରାଜଙ୍କ ଜମିରେ କାମ ବନ୍ଦ କଲା ପ୍ରଶାସନ

ଭୁବନେଶ୍ୱର :ଲିଙ୍ଗରାଜଙ୍କ ଜମିରେ କାମ ବନ୍ଦ କଲା ପ୍ରଶାସନ । କଂଟେନର ସିଜ୍ ସହ ନାଲି ପତାକା ଓ ନୋଟିସ୍ ଲଗାଇଛନ୍ତି ତହସିଲଦାର । ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିର୍ମାଣ କାମ ବନ୍ଦ କରିଛନ୍ତି ।

ବିବାଦୀୟ ଜମିକୁ ନେଇ ବୋର୍ଡ ଅଫ୍ ରେଭିନ୍ୟୁରେ ମାମଲା ବିଚାରାଧୀନ ରହିଛି ।୨୦୧୬ ମସିହାରେ ଭୁଲବଶତଃ ପ୍ରଭୁ ଲିଙ୍ଗରାଜଙ୍କ ୨ ଏକର ଜମିକୁ ୨ ଜଣ ସାଧାରଣ ଲୋକଙ୍କ ନାଁରେ ଟ୍ରାନ୍ସଫର ହୋଇଥିଲା। ଏହାପରେ ଜଣେ ବ୍ୟକ୍ତି ଜମିକୁ ବିକ୍ରି କରିଥିଲେ । ଏହି ଜମି ଉପରେ ଘରୋଇ ସଂସ୍ଥା ନିର୍ମାଣ କାମ କରୁଥିଲା।

ତେବେ ପରବର୍ତ୍ତୀ ସମୟରେ ଲିଙ୍ଗରାଜଙ୍କ ଜମିକୁ ପୁଣି ଥରେ ଫେରାଇ ନେବାକୁ ରାଜସ୍ୱ ସଚିବ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଏହାପରେ ବୋର୍ଡ ଅଫ୍‌ ରେଭିନ୍ୟୁରେ ମାମଲା ବିଚାରାଧିନ ଥିବାବେଳେ ଘରୋଇ ସଂସ୍ଥା ଏହି ଜମିରେ ନିର୍ମାଣ କାମ କରୁଥିବାରୁ ଏହାକୁ ବନ୍ଦ କରିବା ସହ କଣ୍ଟେନରକୁ ସିଲ୍‌ ଓ ନାଲି ପତାକା ପୋତି ବାଟ ବନ୍ଦ କରିଛି ପ୍ରଶାସନ।

ଏହି ସରକାରରେ ଠାକୁର ବି ସୁରକ୍ଷିତ ନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି । ସେପଟେ  ଶ୍ରୀଲିଙ୍ଗରାଜଙ୍କ ଜମିକୁ ନେଇ ବିରୋଧୀଙ୍କୁ କଡ଼ା ଜବାବ ଦେଲେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଯେଉଁ ବିରୋଧୀ ଅଭିଯୋଗ ଉଠାଇଛନ୍ତି, ମୁଁ ତାଙ୍କ ନାଁ ନେବାକୁ ଚାହୁଁନି। ବହୁତ କଥା ବାହାରିବ । ତାଙ୍କ ଉପରେ ବି ବାହାରି ବ। ଯେଉଁ ଲିଙ୍ଗରାଜ ଜମି କଥା ବିରୋଧୀ କହୁଛନ୍ତି, ସେଥିରେ ଏକ ସେବାୟତ ପରିବାର ରହୁଥିଲେ । ତାଙ୍କର ଦାୟିତ୍ୱ ଥିଲା ଭଣ୍ଡାର ରକ୍ଷା ଓ ସେବା ପୂଜା। ସେଇଟା ଯେହେତୁ ଦେବୋତ୍ତର ବିଭାଗର, ତେଣୁ ନିଷ୍ପତ୍ତି ହୋଇଛି ଯେ ସମ୍ପୂର୍ଣ୍ଣ ଅଧିକାର ମନ୍ଦିରର ଓ ସାଧାରଣ ପ୍ରଶାସନ ବିଭାଗର।

କୌଣସି ପରିସ୍ଥିତିରେ ଲିଙ୍ଗରାଜ ଜମି ଅନ୍ୟତ୍ର ହସ୍ତାନ୍ତରର ପ୍ରଶ୍ନ ଉଠୁ ନାହିଁ । ଠାକୁରଙ୍କ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାରଙ୍କର  ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

Comments are closed.