Latest Odisha News

BREAKING NEWS

ପୁସ୍ତକ ପରିଚୟ : ଧାନ ସାଉଁଟା ଝିଅ

ଧାନ ସାଉଁଟା ଝିଅ
କବି : ହୃଷିକେଶ ମଲ୍ଲିକ
ପ୍ରକାଶକ : ବ୍ଲାକ ଇଗଲ ପବ୍ଲିକେସନ
ପୃଷ୍ଠା : ୯୨
ମୂଲ୍ୟ : ୧୪୫

ଓଡ଼ିଆ ସାହିତ୍ୟର ଯୁଗାନ୍ତକାରୀ ସ୍ରଷ୍ଟା, ଓଡ଼ିଆ ଗଦ୍ୟ, ପଦ୍ୟ, ସମାଲୋଚନାରେ ଦକ୍ଷ, ଅଧ୍ୟାପନା ଓ ସମ୍ପାଦନାରେ ପାରଙ୍ଗମ,  ଆଧୁନିକ ଓଡ଼ିଆ ସାହିତ୍ୟର ପଞ୍ଚ ସଖାଙ୍କ ଭିତରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା କବି ହୃଷିକେଶ ମଲ୍ଲିକଙ୍କ କବିତା ସଙ୍କଳନ  “ଧାନ ସାଉଁଟା ଝିଅ ” ଭରତୀୟ ଗ୍ରାମୀଣ ଜୀବନ ଓ ଅର୍ଥନୀତିର ବାସ୍ତବ ରୂପରେଖ ସୂଚାଉଥିବା କବିତା ପୁସ୍ତକଟି ୧୯୮୮ ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ପାଠକଙ୍କ ମନ ଜିଣି ପାରିଛି l ନିଜର ଶୈଶବ ଓ ଯୌବନରେ କବି ଗାଁର ସରଳ ଓ ନିରାଡ଼ମ୍ବର ଜୀବନକୁ ଅତି ନିକଟରୁ ପୁଙ୍ଖାନୁପୁଙ୍ଖ ଅନୁଶୀଳନ କଲା ପରେ କିପରି ଉଦବୁଧ ହୋଇଛନ୍ତି ତାହା “ଧାନ ସାଉଁଟା ଝିଅ” ର କବିତା ଗୁଡିକରେ ବର୍ଣ୍ଣିତ ହୋଇଥିବା ଗ୍ରାମୀଣ ନିଚ୍ଛକ ସରଳ ଜୀବନ ଶୈଳୀ, ଆର୍ଥିକ ଅଭାବ ଅନାଟନରେ ଟଣା ଓଟରା ଜୀବନ, ସ୍ରଷ୍ଟାଙ୍କ ଶବ୍ଦର ଚିତ୍ର ରେ ବାସ୍ତବ ରୂପ ନେଇଛନ୍ତି l

ଏକବିଂଶ ଶତାବ୍ଦୀରେ ବି ରକ୍ଷଣଶୀଳତା ଓଢଣୀର ଆବରଣ ଭିତରେ ରହିଥିବା ନାରୀ ପାଇଁ ପ୍ରତିନିଧିତ୍ବ କରୁଥିବା ଅନେକ କବିତା ଭିତରୁ ଶେଷ କବିତା “ଧାନ ସାଉଁଟା ଝିଅ” ଯାହାର ନାୟିକା ସାର୍ଟ ପ୍ୟାଣ୍ଟ ପିନ୍ଧିବାକୁ ନପାଇ ଶାଢ଼ୀ ପିନ୍ଧି କାଳି ଅନ୍ଧାରୁ ରାତିଯାଏ ବ୍ୟସ୍ତ ବିବ୍ରତ ତଥାପି ସେ ମା ‘ ଛେଉଣ୍ଡ ଝିଅ ର କାମ ସରେନି କି ଦୁଃଖ ଯାଏନି l ବରିଷ୍ଠ କବିଙ୍କ କଲମ ତୁଳୀରେ ଖୁବ ସୁନ୍ଦର ଶବ୍ଦ ବିନ୍ୟାସ କବିତାଟି l ଏକ ଗ୍ରାମୀଣ ଚଳଣି, ସରଳ ଗାଉଁଲି ଜୀବନ, ଚାଷୀ, ଚାଷୁଣୀ, ଚାଷୀ କନ୍ୟାଙ୍କ ଜୀବନ ଶୈଳୀ କୁ ସୁନ୍ଦର, ସାବଲୀଳ ଭାବେ ଉପସ୍ଥାପନା କରେ ଧାନ ସାଉଁଟା ଝିଅ l ଅନେକ କଟକଣା, ବାରଣ ସତ୍ୱେ, ଆଉଜି ନଯାଇ ମୁଣ୍ଡ ଟେକୁଥିବା ସମାଜର ତଳ ଶ୍ରେଣୀର ଝିଅଙ୍କ ଜୀବନ ଓ ବିପର୍ଯ୍ୟର କାହାଣୀ କୁହେ ଧାନ ସାଉଁଟା ଝିଅ l

ନିରିମାଖି, ମା ଛେଉଣ୍ଡ ଝିଅ ଧାନ ସାଉଁଟେ ଲ କାଳି ଅନ୍ଧାରରୁ ନିଶାର୍ଦ୍ଧ ଯାଏ କାମରେ ଲଟ ପଟ ହେଉଥିବା ଗ୍ରାମୀଣ ଅଶିକ୍ଷିତ ଲଳନାକୁ ପ୍ରକୃତିର ସୌନ୍ଦର୍ଯ୍ୟ, ପକ୍ଷୀର କାକଳି ବିମୋହିତ କରେନି, ଅଧିକନ୍ତୁ ସକାଳୁ ଖଡ଼ିକା ଧରି ଦାଣ୍ଡ ପହଁରାର ଶବ୍ଦରେ ଆରମ୍ଭ ହୁଏ ତାର ସକାଳ l ତା ମନ ତଳେ ଦବି ରହିଥିବା ଦୁଃଖ କେହି ବୁଝେନା l ସବୁ ପରିସ୍ଥିତିରେ ପ୍ରତିବାଦ ନକରି ସହିଯିବାକୁ ତାକୁ ଉପଦେଶ ଦିଆଯାଏ l ଯାହା କବି “ତାପାଇଁ ଅଳତା ନାଇବା ମନା, କଜଳ ନାଇବା ମନା, ଋଷିବା ମନା ପା ତୋତେ!” ତାଙ୍କ କବିତାରେ ଧାନ ସାଉଁଟା ଝିଅକୁ ବୁଝେଇବା ପାଇଁ ଲେଖିଛନ୍ତି l ଯାହା ଭାରତୀୟ ନାରୀ ଙ୍କ ଧର୍ମ l ଏହା ଛଡା ଗାଁ ର ଅର୍ଥ ନୈତିକ ବ୍ୟବସ୍ଥାର ନିଖୁଣ ଚିତ୍ର ଉପସ୍ଥାପନ ଅତି ଜୀବନ୍ତ ଭାବେ କରାଯାଇଛି ଏଥିରେ l

ଦୁଃଖର ସେ ଅସୁମାରୀ ନଈରୁ କେତେବେଳେ ପଦ୍ମଟିଏ ଜନ୍ମନିଏ ଜାଣିହୁଏନି l ବୋଧହୁଏ ଯିଏ ଯେତେ ସହିପାରେ, ତା ଉପରେ କଷ୍ଟ ଓ କ୍ଲୀଷ୍ଟର ବୋଝ ସେତେ ପ୍ରକୃତି, ପରିବେଶ ଲଦିଦିଏ l ଆଉ ସେଇ ତପ୍ତ ଉଜାଣି ନଈକୁ ପାର କଲେ ମଣିଷ ସୁନା ପରି ଝଲମଲ ହୁଏ l କବିଙ୍କ ଜୀବନର ସତ୍ୟ ଓ ସଂଘର୍ଷର କେତୋଟି ବିନ୍ଦୁ ମଧ୍ୟ ତାଙ୍କର ପ୍ରଥମ ମାନସ ସନ୍ତାନ ‘ଧାନ ସାଉଁଟା ଝିଅ’ ବହିରେ ଛିଟିକି ପଡିଛି l

କବିତା ସଙ୍କଳନର ପ୍ରତିଟି କବିତା ହୃଦୟସ୍ପର୍ଶୀ l ବିପୁଳ ପାଠକୀୟ ସ୍ୱୀକୃତି ସହ କବିଙ୍କର ଏହି ଅନୁପମ ସୃଷ୍ଟି ବହୁଳ ଭାବରେ ଆଦୃତ ହେବ ଏଥିରେ କୌଣସି ସନ୍ଦେହ ନାହିଁ l

ଅନସୂୟା ପଣ୍ଡା
କାର୍ଡଗୁଡ଼ି,ବାଙ୍ଗାଲୋର 

Comments are closed.