ଭୁବନେଶ୍ବର : ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । କିପରି ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ କରାଯିବ, ତାଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଏଥିପାଇଁ ଆଜି ଅନୁଷ୍ଠିତ ହୋଇଥିଲା ସର୍ବଦଳୀୟ ବୈଠକ । ତେବେ ବୈଠକରେ ଭୋଟରଙ୍କ ସ୍ବାର୍ଥକୁ ପ୍ରାଥମକତା ଦେଇ ନିର୍ବାଚନ କରିବାକୁ ଦାବି କରିଛି ବିଜେପି ।
ରାଜ୍ୟ ମ୍ୟୁନିସିପାଲ କର୍ପୋରେସନ ଆଇନ୍ – ୨୦୦୩କୁ ସଂପୂର୍ଣ୍ଣ ଭାବେ ଉଲ୍ଲଂଘନ କରାଯାଇ ପୌର ନିର୍ବାଚନ କରିବାକୁ ଷଡଯନ୍ତ୍ର କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଏହାଦ୍ବାରା ବହୁ ଭୋଟର ହଇରାଣ ହେବା ସହ ମତଦାନରୁ ବଞ୍ଚିତ ହେବେ । ପ୍ରାଥମିକ ଭୋଟର ତାଲିକା ଆଜି ପ୍ରକାଶ ପାଇଥିବା ବେଳେ, ଏଥିରେ ତ୍ରୁଟି ଥିଲେ ଅଭିଯୋଗ ସମୟ ସୀମାକୁ ୧୦ରୁ ୬ଦିନକୁ ହ୍ରାସ କରାଯାଇଛି । ସେହିପରି ଦାଖଲ ହୋଇଥିବା ଅଭିଯୋଗର ତଦନ୍ତ ଓ ଫଇସଲା ପାଇଁ ମାତ୍ର ଗୋଟିଏ ଦିନ ରଖାଯାଇଛି । ଅଳ୍ପ ସମୟରେ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ ପାଇଁ ଆବେଦନ କରିବା ଆଦୌ ସମ୍ଭବ ନୁହେଁ ବୋଲି କହିଛି ବିଜେପି ।
ସେହିପରି ବିଜ୍ଞପ୍ତି ପ୍ରକାଶ ହୋଇଥିବା ଫେବ୍ରୁଆରୀ ୨ ତାରିଖକୁ ଆଧାର କରି ନୂତନ ଭୋଟରଙ୍କୁ ତାଲିକାଭୁକ୍ତ କରାଯାଉ । ନଚେତ୍ ୧୮ ବର୍ଷ ବୟସ୍କ ବହୁ ନୂତନ ଭୋଟର ଭୋଟଦାନରୁ ବଞ୍ଚିତ ହେବେ । ନିର୍ବାଚନ ପ୍ରଚାର ପାଇଁ ଗାଡି, ସାଉଣ୍ଡ ଆଦିର ଅନୁମତିକୁ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ଜରିଆରେ ପ୍ରାର୍ଥୀଙ୍କୁ ପ୍ରଦାନ କରିବାକୁ ଦାବି କରିଛି ବିଜେପି । ଏହାସହ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ସରଳୀକରଣ କରିବାକୁ ସର୍ବଦଳୀୟ ବୈଠକରେ ଦାବି କରିଛି ବିଜେପି ।
Comments are closed.