Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୪

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପିଣୀ ମା ଯୋଗମାୟାଙ୍କ ଉତ୍ପତି ରୂପକ ମହାରାତ୍ରି (ମହାଷ୍ଟମୀର ଅବସାନ ଘଟିଛି, ମା ଙ୍କ ମହାନବମୀ ସାରା ସଂସାରକୁ ନିଜର ମାତୃ ସୁଲଭ ଦେବୀ କଳାରେ ମୋହିତ କରିବାର ଦିନ। ଆମେ ଜାଣିଛେ ଦେବୀ ଦୁର୍ଗାଙ୍କୁ ସପ୍ତମତୃକା ଅବା ଅଷ୍ଟମାତୃକା ସମାହାର ରୂପେ ପୂଜା କରାଯାଏ। କଥିତ ଅଛି ଶ୍ରୀଜଗନ୍ନାଥଙ୍କ ଦୃଶ୍ୟମାନ ନେତ୍ରର ଅଷ୍ଟକୋଣରେ ଅଷ୍ଟମାତୃକା ଅବସ୍ଥାନ କରନ୍ତି। ଏହାତ ତାତ୍ୱିକ ବିଚାର, କିନ୍ତୁ ଶ୍ରୀକ୍ଷେତ୍ରରେ ଅସ୍ତଶମ୍ଭୁ ଓ ଅଷ୍ଟମାତୃକାଙ୍କ ଅବସ୍ଥିତି ଯୋଗୁ ହିଁ ଏହା କ୍ଷେତ୍ରର ମାନ୍ୟତା ସହ ଉଡ୍ଡୀୟାନ ତନ୍ତ୍ର ପୀଠ ରୂପେ ପରିଗଣିତ ହୋଇଛି। ଶ୍ରୀଜଗନ୍ନାଥଙ୍କ ପରାଶକ୍ତି ମା ଯୋଗମାୟା (ଦେବୀ ଦୁର୍ଗା )ଙ୍କ ସ୍ଵଅଙ୍ଗରୁ ଏହି ଅଷ୍ଟମlତୃ ଶକ୍ତିର ଉଦ୍ଭବ ଘଟିଛି। ଅସୁର ରକ୍ତବୀର୍ଯ୍ୟକୁ ସଂହାର କରିବା ପାଇଁ ଏହି ଅଷ୍ଟ ମାତୃ ଶକ୍ତିର ଆବିର୍ଭାବ ଘଟିଥିଲା। ସପ୍ତଚଣ୍ଡୀର ବର୍ଣ୍ଣନା ଅନୁସାରେ ପ୍ରତେକ ମାତୃଶକ୍ତି ଦେବୀ ରୂପରେ ଅବ୍ରିଭୁତା ହୋଇ ସଙ୍ଗେ ସଙ୍ଗେ ଜଣେ ଜଣେ ଦେବତାଙ୍କ ଆୟୁଧ ଓ ବାହାନରେ ଅରୁଢ଼ ହୋଇଥିଲେ। ତେଣୁ ପରଂବ୍ରହ୍ମଙ୍କ ସତ୍ତା (ସାକାର ରୂପ )ବିଭିନ୍ନ ଦେବତା ନିଜ ନିଜର ପରାଶକ୍ତିଙ୍କୁ ସ୍ଵ ସ୍ଵ ଆକାର, ଭୂଷଣ ଓ ବାହାନ ପ୍ରଦାନ ପୂର୍ବକ ଉଭୟ ଏକ ବ୍ରହ୍ମର ଅଂଶ ବୋଲି ପ୍ରମାଣିତ କଲେ। ପ୍ରଥମେ ବ୍ରହ୍ମlଙ୍କ ଶକ୍ତି ହଂସ ବାହାନରେ ବ୍ରହ୍ମଣୀ, ମହେଶ୍ୱରଙ୍କ ଶକ୍ତି ମାହେଶ୍ୱରୀ, ବୃଷଭ ବାହାନରେ, ମୟୁର ବାହାନରେ କାର୍ତ୍ତିକେୟଙ୍କ ଶକ୍ତି କୌମାରି, ଗରୁଡ଼ବାହାନରେ ବିଷ୍ଣୁ ଶକ୍ତି ମା ବୈଷ୍ଣବୀଦେବୀ, ସେହିବିଷ୍ଣୁଙ୍କ ଯଜ୍ଞବରାହ ରୁପର ଶକ୍ତି ବାରାହୀ, ନରସିଂହ ରୁପର ଶକ୍ତି ନାରସିଂହୀ, ଇନ୍ଦ୍ରଙ୍କ ଶକ୍ତି ସ୍ବରପା ଐରାବତରେ ଐନ୍ଦ୍ରି(ଇନ୍ଦ୍ରାଣୀ ), ଏବଂ ଶେଷରେ ସମସ୍ତ ଦେବତାଙ୍କ ମିଳିତ ଶକ୍ତି ସିଂହବାହିନୀ ଦେବୀ ଦୁର୍ଗା (ଉଗ୍ରଶିବା) ।

ଏହି ବର୍ଣ୍ଣନାରୁ ଆମେ ଜାଣିଲେ ମାତୃ ଶକ୍ତି ସହ ପୁରୁଷାକୃତି ଦେବତାଙ୍କ ସାରୁପ୍ୟ ନିହିତ ଥାଇ ସପ୍ତମାତୃକାଙ୍କ ଉତ୍ପତି ଘଟିଛି। ଦେବୀ ପୁରାଣ ମଧ୍ୟ କହେ ମାତୃଶକ୍ତି (ମହାବିଦ୍ୟା, ମହାକାଳୀ )ସର୍ବଦା ପରଂବ୍ରହ୍ମଙ୍କ ଶକ୍ତି ରୂପରେ ତାଙ୍କ ସହ ଜଡିତ ହୋଇ ରହିଥାନ୍ତି। ଆବଶ୍ୟକ ସମୟରେ ବିଭିନ୍ନ ସ୍ୱରୂପରେ ମାତୃଶକ୍ତିର ଅବତାରଣା ହୁଏ ‘ଅବା ପରିପ୍ରକାଶ ଘଟେ।

“ମହାବିଦ୍ୟା, ମହାକାଳୀ ସଦା ତିଷ୍ଠତି ନାରଦ, ସର୍ବେଷାଂ ହୃତ-ସରୋଜସ୍ଥା ସୈବ ମାୟାୟମୟୀ ଶୁଭା “(ଦେବୀ ପୁରାଣ ୧୯ /୧୨ )

ସମସ୍ତ ଜୀବଙ୍କ ହୃଦୟରେ ଥିବା ବ୍ରହ୍ମଙ୍କ ଶକ୍ତି ସ୍ୱରୂପିଣୀ ମାତୃଶକ୍ତି ହିଁ ସେହି ଜୀବ ତଥା ଜଗତର ସୃଷ୍ଟି କାରିଣୀ ଓ ପାଳନକାରିଣୀ। ଯେହେତୁ ସର୍ବଦେବଙ୍କ ଶକ୍ତିର ମହାଶକ୍ତି ରୂପ ତେଣୁ ସେ ଅଷ୍ଟାଦଶ ଭୁଜା ଏହା ରୁଦ୍ରଯlମଳରେ ବର୍ଣ୍ଣିତ

“ଅଷ୍ଟାଦଶ ଭୁଜୈଯୁକ୍ତାଂ ନୀଲେନ୍ଦିବର ଲୋଚନାମ, ମଦିରାସାଗର ଉତ୍ପନ୍ନl ଚନ୍ଦ୍ର ସୂର୍ଯ୍ୟାଗ୍ନି ରୂପୀଣାମ୍, ଚନ୍ଦ୍ର ସୂର୍ଯ୍ୟାଗ୍ନି ମଧ୍ୟସ୍ଥାଂ ସୁନ୍ଦରୀ ବରଦାୟିନୀମ୍, କାମିନୀଂ କୋଟି କନ୍ଦର୍ପ ଦର୍ପlନ୍ତକ ପତିପ୍ରିୟାମ। “

ଆଜି ସେହି ସଚ୍ଚିଦାନନ୍ଦ ପ୍ରିୟା ନୀଳକମଳ ନେତ୍ରୀ, କୋଟି କନ୍ଦର୍ପ ଦଳିନୀ, ବରଦାୟିନୀ ମା ଦୁର୍ଗେ ଦୁର୍ଗତିନାଶିନୀଙ୍କ ଅନ୍ତକରଣରେ ଆବାହନ କରିବାର ଦିନ, ଆଜି ତନ୍ତ୍ର ମନ୍ତ୍ର ବିବର୍ଜିତ ଶୁଦ୍ଧ ଭକ୍ତିପୂତ ଅଞ୍ଜଳି ନିବେଦନର ସମୟ ।କେବଳ ହୃଦୟରୁ ଡାକନ୍ତୁ ହେ ମା, ଏ ସଂସାର ତୋର, ତୁହି ତାକୁ ରକ୍ଷା କର। ଜୟ ମା ଦୁର୍ଗା, ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed.