ଭୁବନେଶ୍ୱର: ଉଦ୍ଧାର ହେଲା ଏକ ବିରଳ ବରକୁଦିଆ ସରୀସୃପ ଗଞ୍ଜାମ ଜିଳ୍ଲାର ବୁଦ୍ଧଖୋଲ ପାହାଡରୁ ଏହି ବିରଳ ବରକୁଦିଆକୁ ଉଦ୍ଧାର କରିଛି ସ୍ନେକ୍ ହେଲ୍ପଲାଇନ୍। ଗୋଡ଼ ନଥିବା ଏହି ସରୀସୃପ ଚମ୍ପେଇନେଉଳ ପ୍ରଜାତିର ବୋଲି ଜଣାପଡ଼ିଛି । ଏହା ଓଡ଼ିଶାର ଦୁଇଟି ସ୍ଥାନରେ ରହିଥିବା ଚିହ୍ନଟ ହୋଇଥିଲା ।
ଏହାର ସାଧାରଣ ନାଁ ହେଉଛି ବରକୁଦିଆ ଲିମ୍ବ ଲେଓ୍ ସ୍ପିଙ୍କ ଓ ବୈଜ୍ଞାନିକ ନାଁ ହେଉଛି ବରକୁଦିଆ ଇନ୍ସୁଲାରିସ୍ । ତେବେ ଏହି ବରକୁଦିଆ ଇନ୍ସୁଲାରିସକୁ ୧୯୧୭ ମସିହାରେ ଚିଲିକାରେ ଥିବା ବରକୁଦ ଦ୍ବୀପରୁ ଆବିଷ୍କାର କରାଯାଇଥିବାରୁ ନାମ ବରକୁଦିଆ ନାମକରଣ କରାଯାଇଥିଲା । ୧୯୧୭ ରେ ନେଲସନ ଆନନ୍ଦଲେ ଏହାକୁ ପ୍ରଥମ କରି ଆବିଷ୍କାର କରିଥିଲେ ।
ଓଡିଶାରୁ ଆଉଥରେ ଏଇ ବରକୁଦିଆ ପାଇବାକୁ ଦୀର୍ଘ ବର୍ଷ ଲାଗିଗଲା, ୧୯୭୯ ମସିହାରେ ନନ୍ଦନକାନନ ପକ୍ଷରୁ ଏହାକୁ ରେକର୍ଡ କରାଯାଇଥିଲା । ଏହାପରେ ୨୦୦୩ ମସିହାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଆହୁରି ଥରେ ସେଇ ବରକୁଦ ଦ୍ବୀପରୁ ଏହାକୁ ପାଇଥିଲେ । ଏହାପରେ କିନ୍ତୁ ଆଉ କେହି ଓଡ଼ିଶାରେ ଏହାକୁ ଦେଖିବାର ସୁଯୋଗ ପାଇନଥିଲେ ।
ଗୋଡ଼ ନଥିବା ଏହି ସରୀସୃପ ଓଡ଼ିଶାର ନନ୍ଦନକାନନ ଓ ବରକୁଦ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳୁନଥିଲା। ତେବେ ଏହି ବୁଦ୍ଧଖୋଲ ହେଉଛି ତୃତୀୟ ସ୍ଥାନ ଯେଉଁଠାରୁ ଏହି ବରକୁଦିଆ ସରୀସୃପ ଉଦ୍ଧାର ହୋଇଛି ।
୨୦୧୦ ମସିହାରୁ ଏହି ପ୍ରଜାତି ଲିଜାର୍ଡକୁ IUCN ରେଡ଼ ଲିଷ୍ଟରେ କ୍ରିଟିକାଲି ଏଣ୍ଡେଞ୍ଜରଡ଼୍ ଶ୍ରେଣୀରେ ରଖା ଯାଇଛି ।
ଏଇ ବରକୁଦିଆ ଇନ୍ସୁଲାରିସକୁ ପ୍ରଥମ ଦେଖାରେ ସାଧାରଣ ଲୋକେ ଛୋଟିଆ ସାପ ବୋଲି ଧୋକା ଖାଇପାରନ୍ତି, ହେଲେ ଟିକିଏ ନିରେଖିକି ଦେଖିଲେ ଏହା ସାପଠାରୁ ସମ୍ପୂର୍ଣ୍ଣ ଅଲଗା ବୋଲି ଜାଣି ପାରିବେ । ସାପ ଆଖିରେ ଆଖିପତା ନଥିବା ବେଳେ ବରକୁଦିଆର ଆଖିପତା ଥାଏ । ସେହିପାରେ ସାପର ବାହ୍ୟ କର୍ଣ୍ଣ ଗହ୍ବର ନଥିବା ବେଳେ, ବରକୁଦିଆରେ ତାହା ଦୁଇପାଖରେ ସ୍ପଷ୍ଟ ଦେଖାଯାଇଥାଏ । ସାପର ଦୁଇ ଫାଳିଆ ଜିଭ ଥିବା ବେଳେ ବରକୁଦିଆ ର ତାହା ନଥାଏ ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।
ତେବେ ଏହି ବରକୁଦିଆ ଇନ୍ସୁଲାରିସ ଲିମ୍ବ ଲେସ୍ ସ୍କିଙ୍କ ପ୍ରଜାତିଟି ଏତେ ବିରଳ ଯେ, ଗୁଗୁଲ, ୱିକିପେଡିଆ ଆଦିରେ ଏହାର ଗୋଟେ ଭଲ ରଙ୍ଗୀନ ଫଟୋ ମଧ୍ୟ ଉପଲବ୍ଧ ନାହିଁ । ସେହିପରି ସରୀସୃପଙ୍କ ପାଇଁ ପୃଥିବୀର ସବୁଠାରୁ ବଡ ଡାଟା ବେସ୍ ରେପଟାଇଲ ଡାଟା ବେସ୍ କିମ୍ବା ଭାରତର ସବୁଠୁ ବଡ ଡାଟା ବେସ୍ କେଉଁଥିରେ ବି ଏହାର ଫଟୋ ନାହିଁ । ଅର୍ଥାତ ସରୀସୃପ ବିଜ୍ଞାନୀ ମାନଙ୍କ ପାଖରେ ଏହି ବରକୁଦିଆକୁ ଜୀବନ୍ତ ଦେଖିବା ବା ଫଟୋ ଉଠେଇବା ସୌଭାଗ୍ୟ ମିଳିନାହିଁ ।
ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଏଇ ବିରଳ ପ୍ରାଣୀଟିକୁ କ୍ରିଟିକାଲି ଏଣ୍ଡେଞ୍ଜରଡ଼୍ ଶ୍ରେଣୀ ରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏହାର ସଂରକ୍ଷଣ ସମସ୍ତେ ଆଗେଇ ଆସିବା ଆବଶ୍ୟକ ।
ଜନସାଧାରଣ କେବେହେଲେ ବି ଏଇ ବରକୁଦିଆକୁ ମାରିବା ଅନୁଚିତ , ଏହା ଏକ ନିହାତି ନିରୀହ ତଥା ବିଷହୀନ ପ୍ରାଣୀ, ଯାହାକି ମଣିଷର ଆଦୌ କ୍ଷତି କରିପାରିବ ନାହିଁ । ଏହି ପ୍ରାଣୀକୁ ବିଲୁପ୍ତ ହେବାରୁ ବଞ୍ଚେଇବା ପାଇଁ ଭାରତୀୟ ବନ୍ୟପ୍ରାଣୀ ଆଇନ ଦ୍ବାରା ଏମାନଙ୍କୁ ସଂରକ୍ଷଣ ଦେବା ନିହାତି ଅପରିହାର୍ଯ୍ୟ” ।
Comments are closed.