Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୫

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଦର୍ଶନ କରିବା ମାତ୍ରେ, ପ୍ରଥମେ ଭକ୍ତଟିର ଦୃଷ୍ଟି ନିବଦ୍ଧ ହୁଏ ଦୁଇଟି ସମ୍ପୂର୍ଣ ଗୋଲାକାର, ପଲକ ବିହୀନ ନେତ୍ର ଉପରେ। ସେହି ନେତ୍ର ଭକ୍ତର ଚେତନାକୁ ଏମିତି ଆବୋରି ନିଏ ଯେ, ଭକ୍ତ ପ୍ରଭୁଙ୍କର ସବୁ ପରିଚୟକୁ ଅଣଦେଖା କରି ଆଦରରେ ନିଜ ପ୍ରଭୁଙ୍କୁ ଡାକେ “ହେ ଚକାନୟନ, ଚକାଡୋଳା, ଅବା ଚକାଆଖିଆ। ସେ ନେତ୍ରର ପ୍ରଭାବ ଏପରି ଯେ ପୁରାଣ ଶାସ୍ତ୍ରମାନଙ୍କରେ “ଶଶି ସୂର୍ଯ୍ୟ ନେତ୍ରମ “ବୋଲି ବର୍ଣିତ ହୋଇଛି। ଏହି ନେତ୍ରକୁ ପ୍ରାଧାନ୍ୟ ଦେଇ ବିଷ୍ଣୁ ସହସ୍ର ନାମରେ ଦୁଇଟି, ପ୍ରଭୁଙ୍କର ଦୁଇଟି ନାମ ଦୃଷ୍ଟି ଗୋଚର ହୁଏ : “ରୋହିତ ଓ ଅନିମିଷ “ ରୋହିତ ନାମଟି ରୋହି ମାଛ ବା ପ୍ରଭୁଙ୍କର ମତ୍ସ୍ଯ ଅବତାର ; ଯାହାଙ୍କ ଚକ୍ଷୁ ସମ୍ପୂର୍ଣ୍ଣ ଗୋଲାକାର ଓ ଅନିମିଷ ଅର୍ଥାତ ପଲକ ବିହୀନ ଅଟେ। ଗଙ୍ଗ ରାଜବଂଶର ଏକ ଶିଳାଲେଖାରେ ଏହି ଚକ୍ଷୁଙ୍କୁ ଅନନ୍ତ ବୋଲି ବର୍ଣ୍ଣନା କରାଯାଇଛି। ଯଥା : “ପାଦୌ ଯସ୍ୟ ଧରାନ୍ତରିକ୍ଷମଖିଳଂ, ନାଭିସ୍ତୁ ସର୍ବାଦିଶ, ଶ୍ରୋତ୍ରେ ନେତ୍ରଯୁଗମ ରବିନ୍ଦୁ ଯୁଗଳଂ ମୁଧ୍ରାପିଚ ଦୌରସୌ ” ଅର୍ଥାତ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଅନନ୍ତ ରୂପରେ ରବିନ୍ଦୁ ଯୁଗଳଂ ବା ଦୁଇଟି ସୂର୍ଯ୍ୟ ସମ ଚକ୍ଷୁ ଦ୍ବୟ। ଏହିଥିରୁ ଜଣାପଡେ ପରଂବ୍ରହ୍ମଙ୍କ ମହାଶକ୍ତିକୁ କାହିଁକି ଆମେ ସୂର୍ଯ୍ୟ ବୋଲି ବିବେଚନା କରିବା ଅବା ପଞ୍ଚ ଦେବତାଙ୍କ ମଧ୍ୟରେ ଅନ୍ୟତମ ଭାସ୍କର ବା ସୂର୍ଯ୍ୟ କାହିଁକି ବିବେଚିତ ହେଲେ।

ଟିକିଏ ଅଲଗା ଭାବରେ ସଂସ୍କୃତ ମହାଭାରତ ରେ ଅଛି “ନ ଦୃଶ୍ୟଶ୍ଚକ୍ଷୁସା ଯୋଅସୌ ନ ସ୍ପୃଶ୍ୟ ସ୍ପର୍ଶନେନ ଚ, ନ ପ୍ରେୟଶ୍ଚଇବ ଗନ୍ଧେନ ରସେନ ଚ ବିବର୍ଜିତ” ଅର୍ଥାତ ଯାହାଙ୍କୁ ନେତ୍ରରେ (ଏଠାରେ ଖାଲି ଆଖିରେ )ଦେଖି ହୁଏନି, ଚର୍ମରେ ଯାହାଙ୍କ ସ୍ପର୍ଶ ଅନୁଭବୀ ହୁଏନି, ଘ୍ରାଣ ଇନ୍ଦ୍ରିୟରେ ଯାହାଙ୍କୁ ଘ୍ରାଣ କରିହୁଏନି, ଅବା ରସନାନ୍ଦ୍ରିୟରେ (ଜିହ୍ୱା ରେ )ଅନୁଭବ କରିହେବ ନାହିଁ, ସେ ହିଁ ଆନ୍ତର୍ଯlମୀ ପୁରୁଷ। ଏସବୁ ଗୁଣ ଆମେ ସୂର୍ଯ୍ୟଙ୍କ ନିକଟରେ ମଧ୍ୟ ଉପଲବ୍ଧି କରିବା। ବେଦ ପ୍ରତିପାଦିତ ଦେବତା ପରଂବ୍ରହ୍ମ ଶ୍ରୀଜଗନ୍ନାଥ, ସେଭଳି ତନ୍ତ୍ର ପ୍ରତିପାଦିତ ଦେବତା ହେଲେ ଯୋଗମାୟା (ବିମଳା, ସୁଭଦ୍ରା ବା ମୂଳ ପ୍ରକୃତି ସ୍ୱରୂପିଣୀ ମା ମହାମାୟା ). ସବୁର ଏକ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଆମେ ଏକ ପରମସତ୍ତାର ଅନୁଭବ ନିଶ୍ଚୟ ପାଇବା ଆଉ ସେହି ପରମ ସତ୍ତା ହିଁ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଅବା ପରଂବ୍ରହ୍ମ ଶ୍ରୀଜଗନ୍ନାଥ। ଆସନ୍ତୁ ସେହି ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଯାହାଙ୍କ ମୂଳ ଧର୍ମ ହେଲା ପତିତ ଉଦ୍ଧାର ତାଙ୍କୁ ପ୍ରସିଦ୍ଧ ଗୁରୁ ସନ୍ଥ ରଙ୍ଗନାଥ ସ୍ୱାମୀଙ୍କ ପରି ପାର୍ଥନା କରିବା “ପ୍ରପନ୍ନ ମୋକ୍ଷ ଦାନେ ଅହଂ ସମର୍ଥ ଯବନେଶ୍ୱର, ପତିତlନାଂ ମୋକ୍ଷ ଦାନେ ଜଗନ୍ନାଥଃ ପ୍ରଦୀକ୍ଷିତଃ ” ଅର୍ଥାତ ହେ ଯବନେଶ୍ୱର (ଜଣେ ରାଜା ), ତୁମେ ଶ୍ରୀଜଗନ୍ନାଥଙ୍କ ଶରଣ ନିଅ, ସେହିଁ ପତିତ ମାନଙ୍କୁ ମୋକ୍ଷ ଦେବାରେ ସମର୍ଥ।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.