Latest Odisha News

BREAKING NEWS

ଭାଷା ଭାଗବତ : ଜ୍ଞାନାନୁବର୍ତୀ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୫୮ 

ନିସଂପର୍କିତ ହୋଇ ଜଣେ
ପ୍ରତ୍ୟେକ ମୁହୂର୍ତକୁ ଗଣେ
ଭାଷଣ ଶୁଣେ ଦିଏନାହିଁ
ତଥାପି ପାରେ ଏକା ରହି

ମଣିଷ ସାମାଜିକ ପ୍ରାଣୀ
କେ କେବେ କହିଲା କେଜାଣି
ସେହି କଥାରେ ରଖି ଆସ୍ଥା
ହୋଇଛି ଏପରି ଅବସ୍ଥା

ପରସ୍ପରକୁ ଭଂଡି, ଠକି
କେହି ବି ଯାଆଂତିନି ଥକି
ଏହାକୁ କହଂତି ଚାଲାକି
ଶୁଣେ କାନ ଓ ଦେଖେ ଆଖି

ଏକାକୀ ରହିବାକୁ ଭୟ
ନ କରି ନିଜ ପରିଚୟ
ରଖେ ଯେ ନିଜର ଭିତରେ
ସେ ଜିଏଁ ଅତି ଆନଂଦରେ

ଯେ ଲୋଡ଼େ ବାହ୍ୟ ସମର୍ଥନ
କରିବା ପାଇଁ କାର୍ଯମାନ
ସେ ହୁଏ ସର୍ବଦା ଉଦାସ
ଘଟାଏ ବ୍ୟକ୍ତିତ୍ବ ବିନାଶ

କରି ଅସରା ବୁଝାମଣା
ସେ ହୋଇଯାଏ ବାଟବଣା
ପାଏନି କୌଣସି ଉପାୟ
ନିଜକୁ କରେ ସେ ଅଥୟ

ବ୍ୟକ୍ତି ହେବାରୁ ଶକ୍ତିହରା
ଗଢ଼ିଲା ମିଛ ଭକ୍ତିକାରା
ନାରଖାର କଲା ଏ ଧରା
ଏ ଅତ୍ୟାଚାର ଅପାସୋରା

ଜ୍ଞାନକୁ ନ କରି ପ୍ରୟୋଗ
ହରାଇ ସମସ୍ତ ସୁଯୋଗ
ଲୋଡ଼ିଲା ଧନ ଓ କ୍ଷମତା
ଦୂଷିତ ହେଲା ବ୍ୟକ୍ତିସତ୍ତା

ଏବେ ବି ରହିଛି ସମୟ
ଘଟାଇ ହେବ ଜ୍ଞାନୋଦୟ
ମିଳିଛି ଅନନ୍ୟ ଜୀବନ
ନ ହେଉ ଦ୍ରୁତ ଅବସାନ

ନିଜର ଭଳି ନିଜେ ହୋଇ
ସଂସାରେ ହେବ ଏବେ ଜିଇଁ
କେହି କାହାର ଗୁରୁ ନୋହୁଁ
ଜ୍ଞାନାନୁବର୍ତୀ ହୋଇ ଜିଉଁ

ଯାହା ପଢ଼ିଛୁଁ, ତାହା ଲେଖି
ଭାଷାକୁ ପାରିବାନି ଟେକି
ସ୍ବାନୁଭୂତି ପ୍ରତ୍ୟକ୍ଷ ଜ୍ଞାନ
ଅର୍ଜନ ପାଇଁ ଦେଉଁ ଧ୍ୟାନ

ଘରରୁ ମୋଟେ ନ ବାହାରି
ପାରିବା ଭାବନା ବିସ୍ତାରି
ବୌଦ୍ଧିକ ସଂପର୍କ ଏପରି
ପାରିବା ଆମେ ଦୃଢ଼ କରି

 

Leave A Reply

Your email address will not be published.