ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୫
ସକାଳୁ ଉଠି କୁମାର ରେଡି ହେଇ ବାହାରି ପଡିଲା । ହରିଶ୍ ଚା ଜଳଖିଆ ପ୍ରସ୍ତୁତ କରିସାରିଥାଏ । ସେ ଚାଲିଲା ଆରାଧ୍ୟା ରୁମ୍ ଆଡ଼କୁ । ଦୁଇ ତିନି ଥର କବାଟ ବାଡେଇଲା । ବୋଧହୁଏ ଏ ଯାଏ ଶୋଇଛନ୍ତି । ଶୁଅନ୍ତୁ, ଖୁବ ଭଲ ।
ଶୁଣ ହରିଶ୍, ମ୍ୟାଡ଼ମ୍ ଉଠିଲେ କହିଦେବ । ମୁଁ ବାହାରିଲି । ତାଙ୍କ ଖବର ନେଉଥିବ । ହେଲା ?
ଆଜ୍ଞା ଆପଣ ନିଶ୍ଚିତ ରୁହନ୍ତୁ । ମୁଁ ବୁଝିବି ।
ଗତ ରାତିରେ ମନ ଅସ୍ଥିର ହେଉଥିଲା । ତା’ର କାରଣ କ’ଣ ଏଇୟା । ଏଠି ଏକାଉଣ୍ଟିଙ୍ଗ୍ ରେ ବହୁତ ଅଡ଼ୁଆ ଅଛି ।
ତନ୍ନତନ୍ନ କରି ସବୁ ଫାଇଲ୍ ଚେକ୍ କଲା । କିଛି ବଡ଼ ଧରଣର ହେରଫେର୍ ହେଇଛି । କିଛିର ପାସୱାର୍ଡ଼ କେବଳ ସାରଙ୍କ ପାଖରେ ।
ଏଠାକାର ମ୍ୟାନେଜର କିଛି ସଠିକ୍ କହିପାରୁନାହିଁ । ସେଥିପାଇଁ ଏ ବ୍ରାଞ୍ଚ ଲସ୍ରେ ଚାଲିଛି । ଲୋନ୍ର ଇଣ୍ଟରେଷ୍ଟ ବଢ଼ିବାରେ ଲାଗିଛି । ଲିଜ୍ରେ ନିଆଯାଇଥିବା ଶହେ ଏକର ଯାଗରେ କିଛି ଆଗେଇ ପାରୁନାହିଁ ।
ମ୍ୟାନେଜମେଣ୍ଟଙ୍କ ସହ ମିଟିଙ୍ଗ୍ ଓ ସାଇଟ୍ ଉପରକୁ ଯାଇ ଜାଞ୍ଚ କଲା । କନ୍ଷ୍ଟ୍ରକ୍ସନ୍ ଅଧା ପଡ଼ିଛି । ସବୁକିଛି ଏପଟ ସେପଟ । ଏଇ ଝମେଲା ଭିତରେ ସେ ସମ୍ପୂର୍ଣ୍ଣ ଭୁଲି ଯାଇଛି ଯେ, ସନ୍ଧ୍ୟା ହେଇସାରିଲାଣି । ସେ ଏ ଯାଏ, ଲଞ୍ଚ ବି କରି ପାରିନି ।
ସବୁଠାରୁ ବଡ଼ କଥା ହେଲା ଆରାଧ୍ୟା କଥା ତା’ ମୁଣ୍ଡରୁ ପୁରା ଆଉଟ୍ ହେଇଯାଇଛି । ମଝିରେ ଥରେ ଦିଥର ଫୋନ୍ କରି ବୁଝିବ ଭାବିଥିଲା, କିନ୍ତୁ ଏତେ ଅଡୁଆ ଭିତରେ ପାସୋରି ଗଲା ।
ସେ ଯେ ତା’ଙ୍କୁ ନିଃସଙ୍ଗତାରୁ ମୁକୁଳେଇବା ପାଇଁ ବୁଲେଇବାକୁ ଆଣିଥିଲା । ଭୁଲିଗଲା କେମିତି ! ନିଜକୁ ଦୋଷୀ ମନେକଲା । ଆଉ ଫୋନ୍ କଲାନାହିଁ । ସିଧା ଫେରିଲା ଗେଷ୍ଟ ହାଉସ । କ’ଣ ଭାବୁଥିବେ ଆରାଧ୍ୟା । ଅସୁବିଧା ତ’ କିଛି ହେଇନଥିବ ଅବଶ୍ୟ । ହରିଶ୍ ଧ୍ୟାନ ରଖିଥିବ । ହେଲେବି ସେ ତା’ର କର୍ତ୍ତବ୍ୟ ଠିକରେ କରି ପାରିଲା ନାହିଁ ।
ଆଉ ଦୁଇଟି ପରିବାର ବୁଲିବାକୁ ଆସିଥିଲେ । ସେମାନେ ସକାଳୁ ଚେକ୍ ଆଉଟ୍ କରିଗଲେଣି । ବିରାଟ ଡାକବଙ୍ଗଳା ପୁରା ଫାଙ୍କା । ହେଲେବି କୌଣସି ଲୋକ ଏଠି ବୋର୍ ହେବେନାହିଁ । ସକାଳୁ ଅରୁର କୌଣସି କଥା ମନକୁ ଆସିନାହିଁ । ଏଠାର ପ୍ରାକୃତିକ ପରିବେଶ ଭିତରେ ନିଜକୁ ହଜେଇ ଦେଇଛି ।
ହରିଶ୍ ନିଜ ହାତରେ ସାରା ବଗିଚାରେ ଫୁଲଗଛ ମାନ ଲଗେଇ ଯତ୍ନ ନିଏ । ସ୍ୱର୍ଣ୍ଣଚମ୍ପା, କାଠଚମ୍ପା, ତରାଟ, ଗୋଡି ବାଇଗଣ ଓ ସ୍ଥଳପଦ୍ମରେ ପୁରି ଉଠୁଛି ସାରା ବଗିଚା । ଗଛରେ ଆମ୍ବ ପିଜୁଳି କରମଙ୍ଗାର ସମ୍ଭାର । ଅରୁର ମନ ଭରିଯାଉଛି ।
କ୍ରମଶଃ…
Comments are closed.