ଉତ୍କଳ ଦିବସ ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଆଜି ଆମେ ଉତ୍କଳ ଦିବସ ବା ଓଡିଶା ଜୟନ୍ତୀ ପାଳନ କଲାବେଳେ ଆମ ପୂର୍ବସୂରୀମାନଙ୍କୁ ନିଶ୍ଚୟ ମନେ ପକାଇବା। ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ,ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ,ବ୍ୟାସକବି ଫକୀରମୋହନ, ମୟୁରଭଞ୍ଜ ମହାରାଜା ରାମଚନ୍ଦ୍ର ଭଞ୍ଜଦେଓ ,ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଓ ତାଙ୍କ ଅନ୍ତରଙ୍ଗ ବ୍ରଜସୁନ୍ଦର ଦାସଙ୍କ ନିରଳସ ସଂଗ୍ରାମ ଓ ସାଧନାର ମହନୀୟ ଫଳ ହିଁ ଥିଲା ନବ ଗଠିତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ । ଏଥିରେ ସହଯୋଗ କରିଥିବା ବ୍ରିଟିଶ ପ୍ରଶାସକଙ୍କ ମଧ୍ୟରେ ଜନ୍ ବୀମସ୍, ଶ୍ରୀ ଟି.ଜେ . ମଲଟବିଙ୍କ ନାମ ମଧ୍ୟ ଉଲ୍ଲେଖଯୋଗ୍ୟ।
୧୯୩୬ମସିହା ଏପ୍ରିଲ ପହିଲାରୁ ୨୦୨୨ଏପ୍ରିଲ ପହିଲା ,ଦୀର୍ଘ ୮୭ ବର୍ଷର ଓଡ଼ିଶା ଆମର। ପରାଧୀନ ଓ ବିଚ୍ଛିନ୍ନ ଓଡ଼ିଶାର ଏକୀକରଣ ପାଇଁ ଦୀର୍ଘ ବର୍ଷର ସଂଘର୍ଷ ପରେ ହିଁ ମିଳିଛି ଏ ସଫଳତା ଆମକୁ। ଏହା ପଛରେ ରହିଛି ଲମ୍ବା ସଂଗ୍ରାମର କାହାଣୀ। ସେହି ସଂଗ୍ରାମର ମହାନାୟକମାନଙ୍କ ମଧ୍ୟରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳପ୍ରାଣ ବ୍ରଜସୁନ୍ଦର ଦାସଙ୍କର ନାମ ଓଡ଼ିଶା ଇତିହାସରେ ଚିର ସ୍ମରଣୀୟ। ମଧୁସୂଦନ ଦାସଙ୍କର ନେତୃତ୍ବ ମଣ୍ଡଳୀ ଭାରତର ସ୍ବାଧୀନତାକୁ ପଛକରି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଯେଭଳି କାର୍ଯ୍ୟ କରିଛନ୍ତି , ସେମାନଙ୍କ ପାଇଁ ଆମେ ଆଜି ନିଜକୁ ଓଡ଼ିଆ କହି ,ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଆମ ଓଡ଼ିଶା ବୋଲି କହିପାରୁଛୁ।
ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଏକତ୍ରୀକରଣ ଦ୍ବାରା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଅବଦାନ ସଦା ସ୍ମରଣୀୟ। ଗଂଜାମରେ ତେଲୁଗୁ, ସମ୍ବଲପୁରରେ ହିନ୍ଦୀ ଓ ଓଡ଼ିଶାରେ ସେ ସମୟରେ ବଙ୍ଗଳା ଭାଷାର ପ୍ରାଧାନ୍ୟ ବୃଦ୍ଧି ପାଉଥିବା ବେଳେ ଉଦବେଗ୍ ପ୍ରକାଶ କରି ଉତ୍କଳ ସମ୍ମିଳନୀ ମାଧ୍ୟମରେ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଉଥିଲା, ମଧୁବାବୁ ତାହାକୁ ପରିପୂର୍ଣ୍ଣ କରିଥିଲେ। । କଟକରେ ଉତ୍କଳ ସଦର, ଗଂଜାମରେ ଉତ୍କଳ ହିତୈଷିଣୀ ସଭା, ଓଡ଼ିଆ ଗ୍ରାଜୁଏଟ୍ ଆସୋସିଏସନ ଭଳି ଅନୁଷ୍ଠାନ ଏ ଦିଗରେ କାମ କରିଥିଲେ। ଉତ୍କଳ ଦୀପିକା, ଉତ୍କଳ ବାର୍ତ୍ତା, ସମ୍ବାଦ ବାହିକା, ଉତ୍କଳ ପାଟ୍ରିୟଟ, ଦି ଓଡ଼ିଆ, ଷ୍ଟାର ଅଫ ଉତ୍କଳ ଭଳି ପତ୍ରିକାର ପ୍ରଚାର ଓ ପ୍ରଚଳନକୁ ପୃଷ୍ଠପୋଷକତା ଦେଇ ମଧୁବାବୁ ବିଚ୍ଛିନ୍ନାଞ୍ଚଳ ଆନ୍ଦୋଳନକୁ ଚେତାଇ ରଖିଥିଲେ।
୧୯୨୨ମସିହା ଏପ୍ରିଲ ମାସରେ କଟକର କଲେଜିଏଟ ସ୍କୁଲରେ ଅନୁଷ୍ଠିତ ଏକ ସାହିତ୍ୟ ଆଲୋଚନା ସଭାରେ ସେ କହିଥିଲେ “ମୁଁ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛି ସତ୍ୟ କିନ୍ତୁ ଓଡ଼ିଶାର ଜାତୀୟ କବି ଜଗନ୍ନାଥ ଦାସଙ୍କ ଭାଗବତ ଯେଉଁ ପ୍ରଭାବ ପକାଇଛି, ତାହା ଭାରତର ଅନ୍ୟ କୌଣସି ପ୍ରଦେଶରେ ଦେଖାଯାଏ ନାହିଁ। ଓଡ଼ିଶାର ପ୍ରତି ଗ୍ରାମରେ ଭାଗବତ ଟୁଙ୍ଗୀରେ ପ୍ରତିଦିନ ସନ୍ଧ୍ୟାରେ ନିରକ୍ଷର ଲୋକମାନେ ଆଧ୍ୟାତ୍ମିକ ଚିନ୍ତା କରନ୍ତି ଓ ଗ୍ରାମରେ ଏକତା ଆସେ। ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ ଓ ଲାବଣ୍ୟବତୀ ଓଡ଼ିଶାର ଘରେ ଘରେ ପରିଚିତ ଓ ସେ ଓଡ଼ିଆ ସାହିତ୍ୟରେ ଏକ କୋଣାର୍କ ତିଆରି କରି ଯାଇଛନ୍ତି ।ଉପେନ୍ଦ୍ର ଭଞ୍ଜ ଗଂଜାମର ଘୁମୁସର ବାସୀ। ସେହି ଗଂଜାମ ଓଡ଼ିଶା ବାହାରେ ମାନ୍ଦ୍ରାଜ ଶାସନାଧୀନରେ ଅଛି। ଆମ ଜାତି ଓ ଭାଷାର ଗୌରବ ଯେଉଁ ଉପେନ୍ଦ୍ର ଭଞ୍ଜ ,ତାଙ୍କ ବାସସ୍ଥାନ ଭିନ୍ନ ଶାସନାଧୀନରେ ରହିନପାରେ। ଏହା ହିଁ ଆମ୍ଭମାନଙ୍କୁ ‘ଉତ୍କଳ ସମ୍ମିଳନୀ’ ଗଢ଼ିବାକୁ ପ୍ରେରଣା ଦେଇଛି”।
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉତ୍କଳ ଗୌରବ ମଧୁସୂଦନଙ୍କ ପଟ୍ଟ ଶିଷ୍ୟ ଉତ୍କଳ ପ୍ରାଣ ବ୍ରଜସୁନ୍ଦର ଦାସ ନିଜର ଅକୁଣ୍ଠ ଶ୍ରମଦାନ, ସମୟଦାନ ଓ ଅର୍ଥଦାନ ସହ ନିଜକୁ ଯେପରି ଏଥିରେ ସାମିଲ କରିଥିଲେ ତାହା ବିରଳ। ତାଙ୍କର ପ୍ରଭୁତ ଜମିଦାରୀ ଏହି ଉଦ୍ଦେଶ୍ୟରେ ଖର୍ଚ୍ଚ କରି ସେ ସର୍ବସ୍ବାନ୍ତ ଓ ଦେବାଳିଆ ହୋଇ ଯାଇଥିଲେ। ଦେଶ ଓ ଜାତି ପାଇଁ ନିଜର ସମ୍ପତ୍ତି ଓ ଆୟ କିପରି ଅକାତରେ ଖର୍ଚ୍ଚ କରାଯାଇପାରେ ମଧୁବାବୁଙ୍କ ପରେ ବ୍ରଜସୁନ୍ଦରଙ୍କଠାରେ ଏହା ସୁପରିଲିଖିତ ହୁଏ। ମହାନ ନାରୀନେତ୍ରୀ ସରଳା ଦେବୀଙ୍କ ଭାଷାରେ – “ତାଙ୍କୁ ଧପାଇ ବହୁଲୋକ ତାଙ୍କଠାରୁ ଟଙ୍କା ନିଅନ୍ତି, କିନ୍ତୁ ଠକିଦିଅନ୍ତି। ଟଙ୍କା ନେଇଥିବା ଲୋକ ବିରୋଧରେ କିଛି କାର୍ଯ୍ୟ କରିବା ଦୂରେ ଥାଉ, କାହାକୁ ଠକ ବୋଲି ମଧ୍ୟ ସେ କହନ୍ତି ନାହିଁ। ବ୍ରଜସୁନ୍ଦର ଅତିଶୟ ହୃଦୟବାନ, ଉଦାରମନା, ସ୍ନେହଶୀଳ ବ୍ୟକ୍ତି ଥିଲେ। ଦେଶ ମିଶ୍ରଣରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ସହକର୍ମୀ ଥିଲେ। ଜନହିତ ଓ ଦେଶହିତ ପାଇଁ ତାଙ୍କର ଦାନ ଓ ତ୍ୟାଗ ଅମାପ।
ସ୍ବତନ୍ତ୍ର ଉତ୍କଳ ଗଠନ ପାଇଁ ମଧୁବାବୁଙ୍କ ପରେ ଯଦି ଅତ୍ୟନ୍ତ ନିର୍ଭିକ ଓ ଯୁକ୍ତିନିଷ୍ଠ ଭାବେ କାହାକୁ ସ୍ମରଣ କରାଯାଏ ତେବେ ସେ ହେଉଛନ୍ତି ବ୍ରଜସୁନ୍ଦର ଦାସ। ତାଙ୍କ ଉତ୍କଳ-ପ୍ରାଣତା ଓ ଦେଶ- ପ୍ରାଣତା ଥିଲା ଅନନ୍ୟ। ୧୯୨୪ ମସିହାରେ ଫିଲିପ୍ ଡ଼ଫ କମିଟିଙ୍କ ନିକଟରେ ସ୍ବତନ୍ତ୍ର ଓଡିଶା ଗଠନ ପାଇଁ ଦୃଢ଼ ଦାବି ଉପସ୍ଥାପନ କରି ଏହି ଆନ୍ଦୋଳନକୁ ତୀବ୍ରତ୍ତର କରିବାରେ ବ୍ରଜସୁନ୍ଦର ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୧୯୨୯ମସିହାରେ ଅଧିକ ରୂପରେ ଏହା ସାଇମନ କମିଶନଙ୍କ ଭାରତ ଆଗମନ ସମୟରେ ଦେଖିବାକୁ ମିଳିଥିଲା। ଜାତୀୟ ଜାଗୃତିର ଦୀପ ସ୍ତମ୍ଭ ରୂପେ ବ୍ରଜସୁନ୍ଦର ଉତ୍କଳୀୟ ସାହିତ୍ୟ, ସଂସ୍କୃତି ଓ ରାଜନୀତିର ଅଭିବୃଦ୍ଧି ପାଇଁ ନିଜକୁ ପୂର୍ଣ୍ଣ ରୂପେ ଉତ୍ସର୍ଗ କରିଥିଲେ। ୧୯୩୬ ମସିହାରେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ହେବାପରେ “ଓଡ଼ିଆ ସ୍ବାର୍ଥ ରକ୍ଷା ସମିତି” ଗଠନ କରି ତାର ସଭାପତି ରହିଲେ। ନିଜ ପ୍ରେସରୁ ବିଭିନ୍ନ ପ୍ରକାର ଲେଖା ଛପାଇ ବିଚ୍ଛିନ୍ନାଞ୍ଚଳ ଓଡ଼ିଆମାନଙ୍କ ଜୀବନ ଯାପନ ସମସ୍ୟାକୁ ସେଥିରେ ଉପସ୍ଥାପିତ କରୁଥିଲେ। ମୁକୁର, ପତ୍ରିକାର ସମ୍ପାଦକ ରୂପେ ଦୀର୍ଘ ପଚିଶ ବର୍ଷ ସାହିତ୍ୟ ସେବା ଓ ସଙ୍ଗଠନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ଏହି ପତ୍ରିକା ତାର ନିଜସ୍ୱ ଗରିମା ନେଇ “ଉତ୍କଳ ସାହିତ୍ୟ” ସହ ସମତାଳରେ ଗତି କରୁଥିଲା। ଫକୀରମୋହନଙ୍କଠାରୁ ଆରମ୍ଭ କରି ସେ ସମୟର ସବୁ କୃତିବିଦ୍ୟ ସାହିତ୍ୟିକଙ୍କ ଉଲ୍ଲେଖନୀୟ ସୃଷ୍ଟି ସବୁକୁ ଏହା ଧାରଣ କରୁଥିଲା। କୁଳବୃଦ୍ଧ ମଧୁସୂଦନ ଯେପରି ପଟେ ଯୋତାର ତ୍ରୁଟି ଦେଖି ଥରେ ଟେନେରୀ ଯାକ ଯୋତା ପୋଡ଼ି ଦେଇଥିଲେ, ସେହିପରି ବ୍ରଜସୁନ୍ଦର ଗୋଟିଏ ଅକ୍ଷରର ବେଢ଼ଙ୍ଗ ଲାଗି ପୁରା ସେଟ୍ ଟିକୁ ଢ଼ଳାଇ ଦେଇଥିଲେ। ଉଭୟେ ଥିଲେ ସ୍ବାଭିମାନୀ। ଓଡ଼ିଆ ଜାତୀୟତା ଓ ଜନଜୀବନ ସହ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ନିଜକୁ ତିଳ ତିଳ କରି ଜାଳିଥିବା ଏହି ଦୁଇ ଦେଶପ୍ରେମୀ ଓ ଜାତିପ୍ରେମୀ ଉତ୍କଳ ଗୌରବ ମଧୁସୂଦନ ଓ ଉତ୍କଳପ୍ରାଣ ବ୍ରଜସୁନ୍ଦରଙ୍କ ସ୍ଥାନ ଅନନ୍ୟ , ଅମାପ ଓ ଅବିସ୍ମରଣୀୟ ।
Comments are closed.