Latest Odisha News

BREAKING NEWS

ସିସିଟିଭି ଫୁଟେଜ ଦେଖାଇ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା କୋଦଳାରେ ପୋଲିସ ଦ୍ୱାରା ବିଜେପି କାଉନସିଲରଙ୍କ ଶ୍ୱଶୁରଙ୍କୁ ଗିରଫ ଘଟଣାରେ କଡା ଜବାବ ରଖିଛି ବିଜେପି । ପୁଲିସ ମିଛ କେସରେ ବିଜେପି କାଉନସିଲରଙ୍କ ଶ୍ୱଶୂରକୁ ଗିରଫ କରିଛି ବୋଲି ବିଜେପି କହିଛି। ସିସିଟିଭି ରେକର୍ଡିଂ ଦେଖାଇ ପୁଲିସ ଶାସକ ଦଳର ହାତବାରିସି ସାଜିଛି ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଘଟଣା ସଂପର୍କରେ ବିସ୍ତୃତ ଭାବେ ଅବଗତ କରାଇବା ସହିତ ପୁଲିସ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ଏଥିସହ କୋଦଳା ପୋଲିସର ଏଭଳି ଅପରାଧିକ କାର୍ଯ୍ୟକୁ ନେଇ ବିଜେପି ଏତଲା ଦାୟର କରିବ ବୋଲି କହିଛି।

ବିଜେଡି ନିର୍ବାଚନରେ ସରକାରୀ କଳ, ପୋଲିସ ପ୍ରଶାସନ, ସାମ୍ବିଧାନିକ ବିଧି ବ୍ୟବସ୍ଥା ଏବଂ ସାମ୍ବିଧାନିକ ଅନୁଷ୍ଠାନମାନଙ୍କୁ ବ୍ୟବହାର କରିି ଜନମତକୁ ବିଭ୍ରାନ୍ତ କରୁଛି ବୋଲି ବିରୋଧୀ ବିଜେପି କହିଛି । ଏପରିକି ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କୁ ଭୟଭୀତ କରି ଭୋଟ ହାତେଇବାକୁ ବିଜେଡି ପ୍ରୟାସ କରୁଛି । ଏହା ଅଗଣତାନ୍ତ୍ରିକ ବୋଲି ବିଜେପି କହିଛି।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ,  ଆଜି ଭୋର ସମୟରେ କୋଦଳା ଏନଏସିର ୨ ନମ୍ବର ୱାର୍ଡର କାଉନସିଲର ଝିଲି ପ୍ରଧାନଙ୍କ ଶ୍ୱଶୁର ଧନୁ ପ୍ରଧାନଙ୍କ ଘରକୁ ସାଧା ପୋଷାକଧାରୀ ପୋଲିସ ଘେରିଯାଇଥିଲେ । ସ୍ଥାନୀୟ ଥାନାର ଜଣେ ପୋଲିସ ଅଧିକାରୀ ଆଉ ଜଣଙ୍କ ସହିତ ବାଇକରେ ଆସି ସିଧାସଳଖ ଧନୁ ପ୍ରଧାନଙ୍କ ଘରକୁ ପଶିଥିଲେ । ପୋଲିସ ଅଧିକାରୀଜଣକ ତାଙ୍କ ପ୍ୟାଂଟ ପକେଟରେ ଧଳା କପଡାରେ ଥିବା ବନ୍ଧୁକକୁ ଅଟୋରେ ରଖି ଦେଇ ବାହାରି ଆସିଥିଲେ । କିଛି ସମୟ ଧରି ଫୋନରେ କଥାବାର୍ତା ହୋଇ ପୁଣି ପ୍ରଧାନଙ୍କ ଘରକୁ ଯାଇ ବନ୍ଧୁକ ରଖିବାର ଅଭିଯୋଗରେ ଗିରଫ କରି ଥାନାକୁ ନେଇ ଯାଇଥିଲେ । ଏ ସମସ୍ତ ଘଟଣା ନିକଟରେ ଥିବା ସିସିଟିଭି କ୍ୟାମେରାରେ ଉତୋଳନ ହୋଇଥିବା ଲେଖାଶ୍ରୀ କହିଛନ୍ତି ।

ଦଳୀୟ ସ୍ୱାର୍ଥ ହାସଲ ପାଇଁ ଶାସକ ବିଜେଡି ପୋଲିସକୁ ବ୍ୟବହାର କରିଆସୁଛି । ଅନ୍ୟ ପଟେ ପୋଲିସ ଅଧିକାରୀମାନେ ନିଜ କର୍ତବ୍ୟ ଓ ଦାୟୀତ୍ୱ ଭୁଲି ଯାଇ ଏଭଳି ଅପରାଧିକ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ ଏବଂ ଅବିଶ୍ୱସନୀୟ । ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ସରକାରୀ ଅଧିକାରୀମାନେ ଶାସକ ବିଜେଡିର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଏଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଲେଖାଶ୍ରୀ ଦାବି କରିଛନ୍ତି । ଏହି ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଘଟଣା ସଂପର୍କରେ ବିସ୍ତୃତ ଭାବେ ଅବଗତ କରାଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । କୋଦଳା ପୋଲିସର ଏଭଳି ଅପରାଧିକ କାର୍ଯ୍ୟକୁ ନେଇ ବିଜେପି ଏତଲା ଦାୟର କରିବ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

Comments are closed.