Latest Odisha News

ସଙ୍ଗାତ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

କିଛି ଦିନ ତଳେ ଆମେରିକାରୁ ଭିଡିଓ କଲ୍ କରି ମୋ ସାଙ୍ଗରେ କଥା ହେଉଥିଲେ ସଙ୍ଗାତ ବାପା। ସଙ୍ଗାତ ମାଆ ଚାଲିଯିବା ପରେ, ସେ ଏବେ ପୁଅ ପାଖରେ ରହୁଛନ୍ତି ଆମେରିକାରେ। ଗୋଟିଏ ପୁଅ। ଦୀର୍ଘ ବର୍ଷ ହେଲାଣି ସେ ଗାଁରୁ ବାହାରେ ହିଁ ରହୁଛି। ଦେଶର ବିଭିନ୍ନ ସ୍ଥାନରେ କାମ କରିବା ପରେ ସେ ବିଦେଶ ଗଲା। ବିଭିନ୍ନ ଦେଶରେ କାମ କରିବା ପରେ ଏବେ ସେ ଆମେରିକାରେ। ସେଇଠି ଘରଦ୍ୱାର କରି ରହୁଛି। ତା ପିଲାମାନେ ସେଇଠି ପାଠ ପଢୁଛନ୍ତି। ଝିଅଟି ବାର ତେର ବର୍ଷର ହେଲାଣି। ଓଡ଼ିଆ ଟିକିଏ ଟିକିଏ କହୁଛି। ପୁଅଟା ଆଠ ବର୍ଷର। ଓଡ଼ିଆ ଟିକେ ବୁଝୁଛି, କିନ୍ତୁ ଭଲରେ କହିପାରୁନି। ସଙ୍ଗାତ ବାପା ଯେବେଠୁ ଆମେରିକା ଗଲେଣି, ସେବେଠୁ ପିଲାମାନେ ବଡ଼ ଖୁସ୍। ଜେଜେଙ୍କ ପାଖରେ ସେମାନଙ୍କ ସମୟ କଟିଯାଉଛି। କିନ୍ତୁ ଜେଜେ ସେମାନଙ୍କ ସହିତ ଖାପଖୁଆଇ ପାରୁନାହାନ୍ତି। କାରଣ ପିଲାମାନଙ୍କ ଅଧା କଥା ସେ ଠିକ୍ ଭାବେ ବୁଝିପାରୁନାହାନ୍ତି। ତେଣୁ ସେ ଟିକିଏ ବିରକ୍ତ ହୋଇ ପୁଅକୁ କହିଲେ, ଆମେ ଯେତେ ବିଦେଶରେ ରହିଲେ ବି ପିଲାମାନଙ୍କୁ ଟିକିଏ ଓଡ଼ିଆ ତ ଶିଖାଇବା ଦରକାର। କାଲି ସକାଳୁ ଯେତେବେଳେ ସେମାନେ ଗାଁକୁ ଯିବେ, ଲୋକଙ୍କ ସାଙ୍ଗରେ କେମିତି କଥାବାର୍ତ୍ତା ହେବେ? ସମସ୍ତଙ୍କୁ ଦେଖିଲେ, ଏମିତି ଉଲା ଜଡ଼ା ଭଳି ରହିବେ ସେମାନେ। କିଛି ବୁଝିପାରିବେନି। ପୁଅ କହିଲା, ସମୟ ବଦଳୁଛି ବାପା। ସମୟ ସହିତ ଆମକୁ ବଦଳିବାକୁ ହେବ। ହେଲେ ସେ କି ଛାଡ଼ିବା ଲୋକ? କହିଲେ, ଆରେ ସମୟ ସହିତ ବଦଳିବା ସତ ଯେ, ହେଲେ ଆମେ କଣ ମାତୃଭାଷା ଭୁଲିଯିବା? ତା ପରେ ପୁଣି ନିଜେ ନିଜେ କହିଲେ, ହଁ .. ଏବେ ସେମାନଙ୍କ ବେଳ। ସେମାନଙ୍କୁ ଯାହା ପସନ୍ଦ ହେବ, ସେମାନେ ତାହା କରିବେ। ଏଥିରେ ଆଉ ଏତେ ଭାବିବାର କଣ ଅଛି? ସେଦିନ ମୋ ସାଙ୍ଗରେ କଥା ହେଲା ବେଳେ ସେ ଚାହିଁଲେ ମୋ ପିଲାମାନଙ୍କ ସହିତ କଥା ହେବା ପାଇଁ। ଯେତବେଳେ ମୋ ଝିଅ କଥା ହେଲା, ସେ ଟିକିଏ ଠିକ୍ ଠାକ୍ ଓଡ଼ିଆରେ କଥା ହେଲା। କିନ୍ତୁ ପୁଅ କହିଲା ବେଳେ, ଅଧା ଓଡ଼ିଆ-ଅଧା ହିନ୍ଦୀ ଆଉ ଅଧା ପଞ୍ଜାବୀ ମିଶା ଏକ ଖେଚୁଡ଼ି ଭାଷା କହୁଥିଲା। ତା କଥା ଶୁଣି ସେ ଖୁବ୍ ହସିଲେ। କହିଲେ, ଆରେ ତୋ ପିଲାମାନେ ବି ଠିକ୍ ଭାବେ ଓଡ଼ିଆ ଜାଣିନାହାନ୍ତି। ସେପଟେ ରହି ତାଙ୍କ ପୁଅ କହୁଥିଲା, ଭାଇନା .. ଆଜି ତମର ବି ଟିଉସନ୍ ହେବ। ମୁଁ ଆଉ କିଛି କହିଲି ନାହିଁ। ତା ପରେ ଭଲମନ୍ଦ କଥା ପଚାରି ଆମେ କଥା ଶେଷ କଲୁ।

ଆମ କଥା ସରିଛି କି ନାହିଁ, ମୋ ଝିଅର ପ୍ରଶ୍ନ .. ଏ ସଙ୍ଗାତ କଣ? ମୁଁ ତ କେବେ ଆଗରୁ ଏମିତି କୌଣସି ଶବ୍ଦ ଶୁଣିନି। ପ୍ରକୃତରେ ସେ କୁଆଡ଼ୁ ଶୁଣିବ? ଆଜି କାଲି ତ ଆଉ କେହି ସଙ୍ଗାତ ହେଉନାହାନ୍ତି। ଆଜିକାଲି କଣ, ବୋଧ ହୁଏ ଗତ କୋଡ଼ିଏ ବର୍ଷ ଭିତରେ ଗାଁ ଗହଳିରୁ ବି ସଙ୍ଗାତ ବୋଲିବା ଶବ୍ଦଟି ଧୀରେ ଧୀରେ ଉଭେଇ ଗଲାଣି। ମୁଁ ତାକୁ ବୁଝାଇବାକୁ ଯାଇ କହିଲି, ତୋର ଯିଏ ସବୁଠୁ ବଡ଼ ସାଙ୍ଗ ବୋଲି ଭାବୁଛୁ, ତା ସହିତ ଯଦି ତୋର ଝଗଡ଼ା ହେଲା, ଆଉ ତା ପରେ ତୁମେ ଦୁଇଜଣ ଆଉ କେବେ ହେଲେ କଥା ହେଲନି। ତା ପରେ ଅନ୍ୟ କାହାର ହସ୍ତକ୍ଷେପ ପରେ ଯେତେବେଳେ ତୁମେ ଦୁଇ ଜଣ ପୁଣି ଏକାଠି ହେବ, ସେତେବେଳେ ଦେଖିବୁ ତମ ଭିତରେ ବନ୍ଧୁତା ସବୁଠୁ ଅଧିକ ମଜଭୁତ୍ ହୋଇଛି। ଆଉ ସେତେବେଳେ ତୋର ସେ ସାଙ୍ଗ ଆଉ ସାଙ୍ଗ ହୋଇ ରହିବ ନାହିଁ, ସିଏ ପାଲଟି ଯିବ ତୋର ସଙ୍ଗାତ। ଗାଁ ଗହଳିରେ କେବଳ ସଙ୍ଗାତ ନୁହେଁ, ଝିଅମାନେ ପରସ୍ପର ଭିତରେ ମକର, ବଉଳ ଏମିତି କେତେ କଣ ବସନ୍ତି। କିଛି ଲୋକ ତ ନିଜ ପିଲାଭଳି ଆଉ କାହାର ପିଲାକୁ ଦେଖିଦେଲେ, ତା ପରେ ସଙ୍ଗାତ ବସିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି। ତା ପରେ ମନ୍ଦିରରେ ଭୋଗ ଲଗାଇ, ନଡ଼ିଆ ବାଡ଼େଇ ଉଭୟ ପିଲାଙ୍କୁ ସମାନ ରଙ୍ଗର ନୂଆ ପୋଷାକ ପିନ୍ଧାଇ ସଙ୍ଗାତ ବସାନ୍ତି। ଅଧିକାଂଶଙ୍କ କ୍ଷେତ୍ରରେ ସେ ସମ୍ପର୍କଟା ପିଢ଼ି ପରେ ପିଢ଼ି ଯାଏଁ ଅତୁଟ ରହେ। ଏଇ ଯେମିତି ମୋ ସଙ୍ଗାତ ବାପା।

ବାପା ଏବଂ ସଙ୍ଗାତ ବାପା ଏକାଠି ଶିକ୍ଷକତା ପାଇଁ ତାଲିମ ନେଉଥିଲେ ଫୁଲବାଣୀରେ। ସେତେବେଳେ ଆମେ ଏ ସଂସାରକୁ ଆସି ନଥିଲୁ। ସେମାନଙ୍କ ଛାତ୍ର ଜୀବନ। ହଷ୍ଟେଲରେ ଏକାଠି ରହୁଥିଲେ ଉଭୟେ। ଦିନେ କୌଣସି ଏକ କାରଣରୁ ଉଭୟଙ୍କ ମଧ୍ୟରେ ବଡ଼ ଧରଣର ଗଣ୍ଡଗୋଳ ହେଲା। କଥା ଏତେ ଦୂର ଗଲା ଯେ, ସେମାନେ ଟଣାଓଟରା ହୋଇ ପରସ୍ପରର ସାର୍ଟ ଚିରି ପକାଇଲେ।  ଦେହର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ହୋଇଗଲା। ଟିକିଏ ରାଗ ଶାନ୍ତ ହେବା ପରେ, ଉଭୟେ ଏକାଠି ବସି ପରସ୍ପରକୁ ଦେଖିଲେ। ଜାଣି ପାରିଲେ ଉଭୟେ ଉଭୟଙ୍କ ଭୁଲ୍। ତା ପରେ ସେମାନେ ସିଧା ଚାଲିଲେ ଶିବ ମନ୍ଦିରକୁ। ମହାଦେବଙ୍କୁ ସାକ୍ଷୀ ରଖି ସେମାନେ ହେଲେ ସଙ୍ଗାତ। ସେଦିନଠୁ ଆଜି ଯାଏଁ ସେମାନଙ୍କ ଭିତରେ କେବେ ବି ମନାନ୍ତର କି ମତାନ୍ତର ହୋଇନାହିଁ। ଓଷା ବ୍ରତ, ଭଲ ମନ୍ଦ, ସୁବିଧା ଅସୁବିଧାରେ ଉଭୟେ ଉଭୟଙ୍କ ପାଖରେ ଠିଆ ହୋଇଛନ୍ତି। କେବଳ ସେତିକି ନୁହେଁ, ପରସ୍ପର ପ୍ରତି ଯେଉଁ ସମ୍ମାନବୋଧ ରହିଛି, ତାହା ଅନ୍ୟମାନଙ୍କ ପାଇଁ ଉଦାହରଣୀୟ। ସେଇ ସମାନ ସମ୍ପର୍କ ପିଲାମାନଙ୍କ ପାଖରେ। କେବେ ଆମକୁ ଅନୁଭବ ହୋଇନାହିଁ ଯେ, ଆମେ ଦୁଇ ଜଣ ଭିନ୍ନ ମାଆର ପିଲା ବୋଲି। ପାରମ୍ପରିକ ଭାବେ ଆମ ସମାଜରେ ଥିବା ଏଭଳି ସଙ୍ଗାତ, ମୈତ୍ର, ମକର, ବଉଳ ଭଳି ବ୍ୟବସ୍ଥା ସମ୍ପର୍କକୁ ସୁଦୃଢ଼ କରିଛି। ଏହାସହ ପାରସ୍ପରିକ ସମ୍ମାନକୁ ଅଧିକ ମଜଭୁତ କରିଛି।

ମୋ କଥାକୁ ମନ ଦେଇ ଶୁଣୁଥାଏ ମୋ ଝିଅ। ସବୁ ଶୁଣିଲା ପରେ ସେ କହିଲା, ତାହେଲେ ଏ ଜେଜେ ମୋ ଜେଜେଙ୍କ ସଙ୍ଗାତ? ବଢ଼ିଆ ତ। ବାପା .. ତାହେଲେ ମୋତେ କାହିଁକି ମୋ ସାଙ୍ଗ ସହିତ ସଙ୍ଗାତ କରାଉ ନାହଁ ତମେ? ମୋ ସାଙ୍ଗ କଣ ମୋର ସଙ୍ଗାତ ହୋଇପାରିବନି? ମୁଁ କହିଲି … ହେଇ ପାରିବ ମାମା .. କିନ୍ତୁ ଏଥିପାଇଁ ସମୟ ଦରକାର। ତମେମାନେ ପରସ୍ପରକୁ ଭଲ ଭାବେ ଜାଣିବା ଦରକାର। ତମେ ପରସ୍ପରର ଭୁଲଭଟକାକୁ ଅଣଦେଖା କରିବା ଦରକାର। ତା ହେଲେ ଯାଇ ସଙ୍ଗାତ ହୋଇପାରିବ। ନହେଲେ ନାହିଁ। ମୋ ଝିଏ ଏକ ଅବୁଝା ଦୃଷ୍ଟିରେ ମୋ ମୁହଁକୁ ଅନାଇ ବସିଥାଏ। ତାକୁ ଲାଗୁଥାଏ, ବାପା ବୋଧେ କିଛି ବଡ଼ କଥା କହୁଛନ୍ତି। ସବୁ ଯେମିତି ତା ମୁଣ୍ଡ ଉପର ଦେଇ ଚାଲିଯାଉଛି। ସେ କିଛି ବୁଝି ପାରୁନି।

ଏମିତି ଅନେକ ସଙ୍ଗାତ ଯୋଡ଼ିଙ୍କୁ ଦେଖିଛି ପିଲାଦିନରୁ। ସମସ୍ତଙ୍କୁ ଦେଖିଛି ପରସ୍ପରଙ୍କ ସୁଖଦୁଃଖରେ ସାଥୀ ହେବାର। କିନ୍ତୁ ଆଜି ଆଉ ସେହି ପରମ୍ପରା ନାହିଁ। ଆଜି ଆଉ କେହି କାହାରି ସଙ୍ଗାତ ହେଉନାହାନ୍ତି। ଆଜି ସବୁଠି ହିସାବ। ସେ ହିସାବ ଲାଭକ୍ଷତିର। ଗୋଟିଏ ନୂଆ ସମ୍ପର୍କ ଗଢ଼ିଲେ କେତେ ଲାଭ ହେବ, କେତେ କ୍ଷତି ହେବାର ଆଶଙ୍କା, ତାର ହିସାବ କରୁ କରୁ ସମ୍ପର୍କ ପଛରେ ରହିଯାଉଛି। ମଣିଷ ତାର ଧାଁ ଦଉଡ଼ ଜୀବନରେ ଖୁବ୍ ଆଗକୁ ପଳେଇ ଯାଉଛି। ଅଧିକାଂଶ ସମୟରେ ପଛକୁ ଫେରି ଚାହିଁଲା ବେଳକୁ ହାତ ମୁଠାରେ ଆଉ କିଛି ରହୁନି। ହାତ ମୁଠାରୁ ବାଲି ଖସିଗଲା ଭଳି ଖସି ଯାଉଛି ସମ୍ପର୍କ। ..

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

Comments are closed.