ଭୁବନେଶ୍ୱର: ଫିଟନେସ କିମ୍ବା ବୀମା ନଥାଇ ରାଜଧାନୀ ରାଜରାସ୍ତାରେ ସ୍କୁଲ ବସ୍ ଚଳାଇବା ମହଙ୍ଗା ପଡିଛି । ଆଜି ଚେକିଂ ବେଳେ ଏକ ସ୍କୁଲ ବସ ଉପରେ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍ ଲଗାଇଛି ଭୁବନେଶ୍ୱର ଆରଟିଓ । ପଟିଆ ଡମଣା ଛକରେ ଆଜି ପରିବହନ ବିଭାଗ ଚେକିଂ କରୁଥିବା ବେଳେ ବସଟି ହାବୁଡରେ ପଡିଥିଲା । ଏହି ବସ ଉପରେ ଫାଇନ୍ ଲାଗୁ ହେବା ସହ ବସ୍ଟିକୁ ଜବତ କରାଯାଇଛି। ବସ ପରମିଟ୍, ବୀମା, ପଲ୍ୟୁସନ୍ ବାବଦରେ ଏହି ଫାଇନ୍ କଟାଯାଇଛି । ଟିକସ ବକେୟା ଅଭିଯୋଗରେ ୨ ଲକ୍ଷ ୫ ହଜାର, ପଲ୍ୟୁସନ୍ ପାଇଁ ୧୦ ହଜାର ଓ ପରମିଟ୍ ପାଇଁ ୧୦ ହଜାର ଟଙ୍କା ଫାଇନ୍ କଟା ହୋଇଛି ।
ଉଲ୍ଲେଖଯୋଗ୍ୟ, ଗତକାଲି ପାଖରୁ ସାରା ରାଜ୍ୟରେ ସ୍କୁଲ ଗାଡ଼ିର ଫିଟନେସ୍ ଯାଞ୍ଚ ଆରମ୍ଭ କରାଯାଇଛି। ଯାଞ୍ଚ ନେଇ ପୂର୍ବରୁ ଆରଟିଓ ପକ୍ଷରୁ ସୂଚନା ଦିଆଯାଇଥିଲା। ପ୍ରଥମ ଦିନ ଚଢ଼ାଉ ସମୟରେ କୋରାପୁଟର ସେମିଳିଗୁଡ଼ାର ନେତାଜୀ ଇଂରାଜୀ ମିଡିୟମ ସ୍କୁଲ ବସ୍ ଉପରେ ୪ ଲକ୍ଷ ଟଙ୍କା ଫାଇନ୍ ପକାଇଥିଲା ପରିବହନ ବିଭାଗ। ଟିକସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍ ପାଇଁ ୨୧ ହଜାର ୫୦୦ ଜରିମାନା କରିଥିଲା ପରିବହନ ବିଭାଗ।
ପ୍ରଥମ ଦିନରେ ସାରା ରାଜ୍ୟରେ ୨୩୫ଟି ଚାଲାଣ କଟାଯାଇଥିଲା। ବିନା ବୈଧ ଫିଟନେସ୍ ସାର୍ଟିଫିକେଟରେ ୧୭୩ଟି ଗାଡ଼ି ଜବତ ହୋଇଥିବା ବେଳେ ସେଥିମଧ୍ୟରୁ ୮୫ଟି ଗାଡ଼ିର ପରମିଟ୍ ନଥିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟୁଇଟ୍ କରି ସୂଚନା ଦେଇଛନ୍ତି। ୯୮ଟି ଗାଡିର ବୀମା ନଥିବା ବେଳେ ୫୧ଟି ବିନା ପିୟୁସି ସାର୍ଟିଫିକେଟ୍, ୨୫ଟି ଗାଡିର ଟ୍ୟାକ୍ସ ପୈଠ ହୋଇନଥିବା ବେଳେ ୫୯ଟି ଗାଡି ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାହିଁ।
Comments are closed.