ପୁରୀ: ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ବିନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ନିର୍ମାଣ କାମ ଜାରି ରଖିବା ଠିକ୍ ନୁହେଁ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ ଅଧୀନରେ ଥିବା ସଂସଦୀୟ କମିଟିର ସଦସ୍ୟ ସାମ୍ଭାଜୀ ରାଜେ ଛତ୍ରପତି ପୁରୀ ଗସ୍ତରେ ଆସି ଏହା କହିଛନ୍ତି । ଯାହା ରାଜ୍ୟ ସରକାରଙ୍କ ନିର୍ମାଣଧୀନ କାମକୁ ନେଇ ପରୋକ୍ଷରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଟିଜି ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ଗଠିତ 22 ଜଣିଆ କମିଟି ଗୁରୁବାର ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଟିମ୍ ସହ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ)ର ଏଡିଜି ମଧ୍ୟ ଉପସ୍ଥିତ ଥିଲେ। ଏଏସଆଇକୁ ବିଶ୍ୱାସକୁ ନେଇ କାମ ଆରମ୍ଭ କରାଯାଉ। ମନ୍ଦିର ପାଇଁ ନିର୍ମାଣ ସୁରକ୍ଷିତ ଅଛି କି ନାହିଁ ତାହା ଏଏସ୍ଆଇର ଅଧିକାରଭୁକ୍ତ। ବିନା ଡିପିଆରରେ କୌଣସି ପ୍ରକଳ୍ପ କରିବା ଭୁଲ୍ ବୋଲି ଛତ୍ରପତି କହିଛନ୍ତି।
କମିଟିର ଅନ୍ୟତମ ସଦସ୍ୟ ରାମ ଦାସ ଚଢା କହିଛନ୍ତି, ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କରିବା ଉଚିତ । ସେପଟେ ପରିକ୍ରମା ପ୍ରକଳ୍ପକୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ଗଠିତ ଗୃହ କମିଟି ଉପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଗୃହ କମିଟିର ବୈଠକ ଡକାଇବାରେ କୌଣସି ଅସୁବିଧା ନାହିଁ କିନ୍ତୁ ମାମଲା କୋର୍ଟରେ ଅଛି। ଆମେ ପରିସ୍ଥିତିକୁ ବିଶ୍ଳେଷଣ କରୁଛୁ ଏବଂ ଯଦି ଗୃହ କମିଟି ବିଚାରଧୀନ ମାମଲାରେ ହସ୍ତକ୍ଷେପ କରିବା ସମ୍ଭବ ହୁଏ, ତେବେ ସେ ଶୀଘ୍ର ଏକ ବୈଠକ ଡାକିବେ ।
Comments are closed.