ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”
ଅଙ୍ଗ ଶିଖର – କାରୁକାର୍ଯ୍ୟ ମଣ୍ଡିତ ବିମାନର ଗଣ୍ଡିରେ ଅନୁରଥ ପଗମାନଙ୍କରେ ଉଲମ୍ବ ଭାବରେ ରହିଥିବା ଅଙ୍ଗଶିଖର ଗୁଡ଼ିକ ସ୍ଥାପତ୍ୟ ଗତ ଅଳଙ୍କରଣର ପ୍ରମୁଖ ଅଂଶବିଶେଷ । ପଞ୍ଚରଥ ଶୈଳୀରେ ଦେଉଳରେ ପ୍ରତିପାଶ୍ୱର୍ରେ କେନ୍ଦ୍ରରେ ଥିବା
ରାହା ପଗ ଓ ଶେଷରେ ଥିବା କୋଣିକପଗର ମଧ୍ୟବର୍ତ୍ତିୀ ଅନୁରଥ ପଗ ଦୁଇଗୋଟି ଲେଖାଁଏ ରହିଥାଏ । ଅର୍ଥାତ ପ୍ରତ୍ୟେକ ପାଶ୍ୱର୍ରେ ରାହାପଗର ବାମ ଓ ଦକ୍ଷିଣକୁ ଦୁଇଗୋଟି କରି ଚତୁଃପାଶ୍ୱର୍ରେ ସମୁଦାୟ ଆଠଗୋଟି ଅନୁରଥ ପଗ ରହିଅଛି । ଏହି ଅଙ୍ଗଶିଖର ବା ରେଖମୁଣ୍ଡି ପ୍ରତ୍ୟେକ ଅନୁରଥ ପଗରେ ତିନିଗୋଟି କରି ସମୁଦାୟ ଚବିଶଗୋଟି ରହିଥିବାର ଦେଖାଯାଏ । ଏଗୁଡ଼ିକ ଶ୍ରୀ ଜଗନ୍ନାଥ ମନ୍ଦିରର ରେଖ ବିମାନର କ୍ଷୁଦ୍ରତମ ରୂପାୟନ ମାତ୍ର । ନିମ୍ନରୁ ଦେଖିଲେ ପ୍ରଥମ ଅଙ୍ଗଶିଖର ବ୍ୟତିିତ ଦ୍ୱିତୀୟ ଓ ତଦୁର୍ଦ୍ଧ୍ୱରେ ଥିବା ଅଙ୍ଗଶିଖରର ନିମ୍ନଦେଶରେ ଶୂନ୍ୟସ୍ଥାନ ରହିଛି ଯାହାକୁ ବିପଦପୂର୍ଣ୍ଣ ମନେକରି ବିଂଶ ଶତାବ୍ଦୀର ଅଶୀଦଶକରେ ଅର୍ଥାତ୍ ବିମାନରୁ ଚୂନର ଆସ୍ତରଣ ଛଡ଼ାଯିବା ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା ଦ୍ୱାରା କେତେଖଣ୍ଡି କ୍ଷୁଦ୍ର ପଥର ସ୍ତମ୍ଭ ଖଞ୍ଜାଯାଇଛି । ଏହି ପ୍ରସ୍ତର ସ୍ତମ୍ଭଗୁଡ଼ିିକ ନିମ୍ନରେଥିବା ଅଙ୍ଗଶିଖରର ଅଁଳାବେଢ଼ା ଉପରେ ରହି ଉପରିସ୍ଥ ଅଙ୍ଗ ଶିଖରକୁ ଆଶ୍ରା ପ୍ରଦାନ କରୁଅଛି । ଏହାଦ୍ୱାରା ବିମାନର ସୌନ୍ଦର୍ଯ୍ୟ କିଛିଟା ବ୍ୟାହତ ହେଲେ ମଧ୍ୟ ନିରାପଦ ମନେହୁଏ ।
ପଞ୍ଚରଥ ଶୈଳୀରେ ନିର୍ମିିତ ଏହି ଅଙ୍ଗଶିଖରର ରାହାପଗ ଏକ ଉଲମ୍ବ ବନ୍ଧନୀ ଭଳି ପ୍ରତ୍ୟୟମାନ ହୁଏ । ଏଗୁଡ଼ିକର ଗଠନ ମଧ୍ୟ ରେଖ ଦେଉଳ ଭଳି ଉଲମ୍ବ ଭାବରେ ପଞ୍ଚକର୍ମ ସମୃଦ୍ଧ ଯଥା ନିମ୍ନରୁ ପୀଠ, ପାଭାଗ, ବାଡ଼, ଗଣ୍ଡି ଓ ମସ୍ତକ ଇତ୍ୟାଦି ରହିଅଛି । ଏଗୁଡ଼ିକ ଅନୁରଥ ପଗରେ ଉଲମ୍ବ ଭାବରେ ରହିଥିଲେ ମଧ୍ୟ ସଳଖ ଭାବରେ ରହିନାହାନ୍ତି । ଦେଉଳର ଗଠନରେ ନିମ୍ନସ୍ଥ ଚତୁଷ୍କୋଣ ଭୂମି କ୍ରମଶଃ ବେକି ସ୍ତରରେ ବିସମରେ ପ୍ରାୟତଃ ଗୋଲାକାରରେ ପରିବତ୍ତିିତ ହୋଇଅଛି । ଏହା ହିଁ ପୁରୀ ମନ୍ଦିରର ବିଶେଷତ୍ୱ । ଏହି ପ୍ରକ୍ରିୟାରେ ଗଣ୍ଡିରେ ଥିବା ପଗଗୁଡ଼ିକ କ୍ରମଶଃ କେନ୍ଦ୍ରାଭିମୁଖୀ ହୋଇ ଚତୁଃପାଶ୍ୱର୍ରେ ସନ୍ତୁଳନ ରକ୍ଷା କରିଛନ୍ତି । ସେହି ଶୃଙ୍ଖଳାରେ ଏହି ଅଙ୍ଗଶିଖରଗୁଡ଼ିକ ମଧ୍ୟ ସାମାନ୍ୟ କେନ୍ଦ୍ର ଆଡ଼କୁ ଢ଼ଳି ରହିଛନ୍ତି । ନିମ୍ନର ଅଙ୍ଗ ଶିଖରର ଉଚ୍ଚତା ଅଧିକ ଓ ତଦୁର୍ଦ୍ଧ ଦ୍ୱିତୀୟ ଓ ତୃତୀୟର ଉଚ୍ଚତା କ୍ରମଶଃ ଅପେକ୍ଷାକୃତ ହ୍ରାସ ପାଇଛି । ପ୍ରଚ୍ଛଦରେ ପଟଳର କଣିପଟିଗୁଡ଼ିକ ଅଙ୍ଗଶିଖରର ଦୁଇ ପାଶ୍ୱର୍ରେ ରହିଥିବାର ଦେଖାଯାଏ । ରେଖ ଦେଉଳ ଶୈଳୀରେ ଖୋଦିତ ଅଙ୍ଗ ଶିଖରଗୁଡ଼ିକର ପାଭାଗର ବସନ୍ତରେ ବିଭିନ୍ନ ଜନ୍ତୁମାନଙ୍କ ଧାଡ଼ି ରହିଛି । ବାଡ଼ରେ ତଳଜଙ୍ଘା ଓ ଉପର ଜଙ୍ଘା ମଝିରେ ଆନୁଭୂମିକ ବନ୍ଧନା ରହିଛି । ପଗ ଅନୁସାରେ ଜଙ୍ଘାମାନଙ୍କର ଚତୁଃଷ୍କୋଣରେ ଅନେକ ସୂକ୍ଷ୍ମ କାରୁକାର୍ଯ୍ୟ ଉତ୍କୀର୍ଣ୍ଣ ହୋଇଛି ।
ବାଡ଼ର ରାହାପଗରେ ସୃଷ୍ଟି ହେଇଥିବା ଦୁଇ ପାର୍ଶ୍ଵରେ ଦ୍ୱାରବନ୍ଧ ଓ ଉପରେ ଉଦ୍ଗତ ଚାଜା ରହିଥିବା ଆସ୍ଥାନରେ ଜଣେ ଦେବତା ଉପବିଷ୍ଟ । ସମସ୍ତ ଅଙ୍ଗ ଶିଖରରେ ଏହିଭଳି ଭିନ୍ନଭିନ୍ନ ଦେବତା ମୂର୍ତ୍ତି ରହିଛି । ଏହି ଦେବସ୍ଥାନ ଉପରକୁ ବଜ୍ରମସ୍ତକ ଏବଂ ତଦୁର୍ଦ୍ଧରେ ଗଜସିଂହ ସଂଯୁକ୍ତ ହୋଇ ଅଳଙ୍କାର ସଦୃଶ ଶୋଭା ବୃଦ୍ଧି କରୁଅଛି । ରାହାପଗର ମଝିରେ ଏକ ଉଲମ୍ବବନ୍ଧନା କ୍ଷୀଣାକାରରେ ରହିଛି । ଅଙ୍ଗଶିଖରର ସର୍ବାଙ୍ଗ କୁଟିକମରେ ପୂର୍ଣ୍ଣତା ଲାଭ କରିଛି । ମନ୍ଦିର ସ୍ଥାପତ୍ୟର ଏହି ଅଂଶ ନିମ୍ନରୁ ଦୃଶୀଭୂତ ହେଉନଥିଲେ ମଧ୍ୟ ସେ ଯୁଗର ଶିଳ୍ପୀଙ୍କ କର୍ମନିଷ୍ଠା ତଥା ପାରଦର୍ଶିତା ପ୍ରଣିଧାନଯୋଗ୍ୟ ।
ଦେଉଳର ପୂର୍ବ ପାର୍ଶ୍ୱରେ ରାହା ପଗରେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ ଅନ୍ୟ ଏକ ବୃହତ ଅଙ୍ଗ ଶିଖର ଦେଖିବାକୁ ମିଳେ । ଗଣ୍ଡିର ପ୍ରାରମ୍ଭରୁ ଏହାର ପାଭାଗର ଓସାର, ରାହାର ଓସାର ସହିତ ସମାନ । ଏହି ଅଙ୍ଗଶିଖରର ଶୀର୍ଷରେ ରହିଥିବା କଳସ, ମନ୍ଦିରର ଗଣ୍ଡିର ମଧ୍ୟାଂଶରେ ରହିଥିବା ବୃହଦାକାର ଉଦ୍ଗତ ଗଜସିଂହର ସାମାନ୍ୟ ତଳକୁ ରହିଅଛି । ଏହାର କାରୁକାର୍ଯ୍ୟ ଅପେକ୍ଷାକୃତ ଅଧିକ ନିଖୁଣ । ଅନୁରଥ ପଗରେ ରହିଥିବା ଅଙ୍ଗଶିଖର ଅପେକ୍ଷା ଏହା ଅଧିକ ଉଦ୍ଗତ ତଥା ଏହାର କୁଟିକମ ଅଧିକ ପ୍ରାଞ୍ଜଳ । ଏହା ମଧ୍ୟ ସେହିଭଳି ପଞ୍ଚରଥ ଓ ପଞ୍ଚକର୍ମ ସମୃଦ୍ଧ ମାତ୍ର ବ୍ୟତିକ୍ରମ ଏହି ଯେ ପୂର୍ବପାଶ୍ୱର୍ର ଏହି ସୁଦୃଶ୍ୟ ଅଙ୍ଗଶିଖରକୁ ସମ୍ମୁଖରୁ ଦେଖିବାର ଅବକାଶ ରହିନାହିଁ । ବିମାନର ପୂର୍ବଦିଗରେ ବାଡ଼ର ଉପରଜଙ୍ଘା ପାଖରୁ ବିଶାଳ ଜଗମୋହନ ଗଣ୍ଡିର ପ୍ରଥମ ପୀଢ଼ ରହିଅଛି । ଏଣୁ ପାଟଅଗଣାରୁ ଏହାର ପାଶ୍ୱର୍ଦୃଶ୍ୟ କେବଳ ଉପଭୋଗ କରିହୁଏ । ପୂର୍ବ ପାର୍ଶ୍ୱରେ ରାହା ପଗ ଓ ଅନୁରଥ ପଗର ମଧ୍ୟବର୍ତ୍ତୀ ଉଲମ୍ବ ଶୂନ୍ୟସ୍ଥାନ କାର୍ନିସମାନଙ୍କରେ ପାଦରଖି ଚୂନରା ସେବକମାନେ ଉପରେ ନୀଳଚକ୍ରରେ ବାନା ବଦଳ କରିବାକୁ ଚଢ଼ିଥାଆନ୍ତି ।
ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରର ବିମାନ ମଧ୍ୟ ରେଖ ଦେଉଳ ପର୍ଯ୍ୟାୟର । ଏଥିରେ ସେହିଭଳି ପ୍ରତ୍ୟେକ ଅନୁରଥ ପଗର ତିନୋଟି କରି ଅଙ୍ଗଶିଖର ରହିଛି । ମନ୍ଦିରର ଉଚ୍ଚତା ଅଧିକ ହେଇଥିବାରୁ ସର୍ବୋଚ୍ଚ ଅଙ୍ଗଶିଖରର ଉପରେ କିଛି ଅଧିକ ବରଣ୍ଡ ତଥା ବେକି ସ୍ଥାପିତ ହୋଇଛି । ପ୍ରଥମେ ଶ୍ରୀ ଲିଙ୍ଗରାଜ ମନ୍ଦିର ନିର୍ମାଣ ହୋଇଥିବାରୁ ତାହାର ଶୈଳ୍ପିିକ ପ୍ରଭାବ ପରବର୍ତ୍ତୀ ଶତାବ୍ଦୀରେ ଶ୍ରୀ ଜଗନ୍ନାଥ ମନ୍ଦିର ଗଢ଼ିଥିବା ଶିଳ୍ପୀକୁଳର ଯୋଗ୍ୟ ଦାୟାଦଙ୍କ ଉପରେ ରହିଥିବା ସ୍ୱାଭାବିକ । ରାଜାରାଣୀ ମନ୍ଦିର ଦେହରେ ଅଙ୍ଗଶିଖରମାନ ଉପରକୁ ଉପର ଚତୁଃପାର୍ଶ୍ୱରେ ଖଞ୍ଜାଯାଇଛି । ଏହି ବିରଳ ସଂଯୋଜନା ଯୋଗୁଁ ଅନେକ ଛୋଟ ମନ୍ଦିରର ପରିବେଷ୍ଟନୀ ଭିତରୁ ମୁଖ୍ୟ ମନ୍ଦିରଟି ଆତ୍ମପ୍ରକାଶ କଲା ଭଳି ପ୍ରତ୍ୟୟ ହୁଏ ।
ଆଲୋଚିତ ଅଙ୍ଗଶିଖର ଗୁଡ଼ିକରେ ଦେବତାମାନଙ୍କ ପାଇଁ ଉଦ୍ଦିଷ୍ଟ ଆସ୍ଥାନ ଅତ୍ୟନ୍ତ କ୍ଷୁଦ୍ର । ବିମାନର ଗଣ୍ଡିରେ ଉର୍ଦ୍ଧ୍ୱ ଭାଗରେ ରହିଥିବାରୁ ଦୃଶୀଭୂତ ହୁଏନାହିଁ । ଗବେଷକମାନଙ୍କ ମତରେ ଏଥିରେ ୨୪ଗୋଟି ଦେବତାଙ୍କ ସ୍ୱରୂପ ସେହି ବଉଳମାଳ ପଥରରେ ଉତ୍କୀର୍ଣ୍ଣ ହୋଇଅଛି । ଚୂନଛଡ଼ା ବେଳେ ବହୁ ବିଗ୍ରହ ବିଦୀର୍ଣ୍ଣ ଅବସ୍ଥାରେ ରହିଛନ୍ତି । ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଅବଲୋକନ କଲେ ମଧ୍ୟ ପ୍ରକୃତ ରୂପ ଚିହ୍ନଟ କରିବା ସହଜ ନୁହେଁ । ଏହି କ୍ଷୁଦ୍ର ରୂପଗୁଡ଼ିକ ମୁଗୁନି ପଥରରେ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥିଲେ ହୁଏତ ଅକ୍ଷୁର୍ଣ୍ଣ ରହିପାରିଥାନ୍ତା । ଏହି ବିଗ୍ରହମାନଙ୍କ ମଧ୍ୟରେ ଗଣେଶ, ବ୍ରହ୍ମା, କାଳୀ, ନଟରାଜ, ସୂର୍ଯ୍ୟ, ବରାହ, ବିଷ୍ଣୁ, ହରିହର, ଧନ୍ୱନ୍ତରୀ, ଯମ, କୁବେର, ଶୁକ୍ର, ଅଗ୍ନି ଆଦି ଦେବତା ରହିଛନ୍ତି । କିଛି ରୂପ ଏକାଧିକବାର ଉତ୍କୀର୍ଣ୍ଣ ହୋଇଥିବାର ଦେଖାଯାଏ ।
(ପୂର୍ବଭାଗରେ ବିମାନ ବାଡ଼ରେ ଥିବା ବିଭିନ୍ନ ମନ୍ଦିରାକୃତିରେ ଥିବା ତିନିପ୍ରକାର ‘ମୁଣ୍ଡି’ ବିଷୟ ଉଲ୍ଲେଖ କରାଯାଇଥିଲା ।ସେଥିରୁ ଖାଖରାମୁଣ୍ଡିର ଗଠନ ଶୈଳୀ ଦାକ୍ଷିଣାତ୍ୟର ମନ୍ଦିରଗୁଡ଼ିକର ଗୋପୁରମ୍ ଶିଖରର ସ୍ଥାପତ୍ୟ ଆଧାରରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ । ଏହାର ଶୀର୍ଷରେ ତିନିଗୋଟି କଳସ ରହିଥାଏ ।)
ମୁଖ୍ୟ ଦେଉଳର ନକଲ ସ୍ୱରୂପ ‘ଦେଉଳ ଦେହରେ କେତେ ଦେଉଳ’ ଭାବରେ ରହିଥିବା ଚର୍ଚ୍ଚିତ ଅଙ୍ଗଶିଖର ସମୁହ ପାରମ୍ପରିକ ମନ୍ଦିର ସ୍ଥାପତ୍ୟର ଆଳଙ୍କରିକ ଅଙ୍ଗ ଭାବେ ବିଦ୍ୟମାନ ।
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯
Comments are closed.