ନୂଆଦିଲ୍ଲୀ: ଧର୍ମସଙ୍କଟରେ ପଡ଼ିପାରନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଯଦି ସେ କଂଗ୍ରେସରେ ସାମିଲ ହେବେ । କାରଣ କଂଗ୍ରେସରେ ସାମିଲ ହେବା ନେଇ ସମ୍ଭାବନା ଭିତରେ ତାଙ୍କ ସଂସ୍ଥା ଆଇ-ପିଏସି ତେଲେଙ୍ଗାନର ଶାସକ ଦଳ ଟିଆରଏସ ସହ ଏକ ଚୁକ୍ତି କରିଛି । ଆସନ୍ତାବର୍ଷ ତେଲେଙ୍ଗାନରେ ବିଧାନସଭା ନିର୍ବାଚନ ରହିଛି । ଚୁକ୍ତି ଅନୁଯାୟୀ ଟିଆରଏସ ପାଇଁ ପ୍ରଶାନ୍ତ କିଶୋରଙ୍କ ଆଇପିଏସି ନିର୍ବାଚନ ରଣନୀତି ପ୍ରସ୍ତୁତି କରିବ ।
ସବୁଠୁ ବଡ଼ କଥା ହେଲା ତେଲେଙ୍ଗାନାରେ ଟିଆରଏସର ପ୍ରମୁଖ ବିରୋଧୀ ହେଉଛି କଂଗ୍ରେସ । ଯଦି ପ୍ରଶାନ୍ତ କଂଗ୍ରେସରେ ସାମିଲ ହୋଇଯିବେ ତାହେଲେ ତାଙ୍କ ସଂସ୍ଥା ବା ତାଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଟିଆରଏସକୁ ସୁହାଇବା ଭଳି କିଭଳି ରଣନୀତି ତିଆରି କରିବେ? ଏପରି ସ୍ଥିତିରେ କଂଗ୍ରେସ ହାଇକମାଣ୍ଡ ଅସନ୍ତୋଷ ପ୍ରକାଶ କରିପାରନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତ କିଶୋର କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟି ତାଙ୍କର ରୋଡ୍ ମ୍ୟାପ ଦେଖାଇଛନ୍ତି । ଏବେ ସୋନିଆଙ୍କ ଅନୁମୋଦନ କ୍ରମେ ଗଠିତ ହୋଇଥିବା କମିଟି ଏହି ରୋଡ୍ ମ୍ୟାପକୁ ନେଇ ତର୍ଜମା କରୁଛି । ଆଜି ଗାନ୍ଧୀ ପରିବାର ସହିତ ପ୍ରଶାନ୍ତ କିଶୋର ପୁଣିଥରେ ଆଲୋଚନା କରିପାରନ୍ତି । ଏହି ସମୟରେ ଦଳରେ ତାଙ୍କର ଭୂମିକାକୁ ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି । ସେହିପରି ମେ ଦୁଇ ତାରିଖ ସୁଦ୍ଧା ଚୂଡାନ୍ତ ନିଷ୍ପତ୍ତି ନେବାକୁ ପ୍ରଶାନ୍ତ କିଶୋର କଂଗ୍ରେସ ହାଇକମାଣ୍ଡଙ୍କୁ କହିଥିବା ସୂଚନା ରହିଛି।
ସେହିପରି ଏନଡିଟିଭିର ରିପୋର୍ଟ ଅନୁଯାୟୀ ସୋନିଆ ଗାନ୍ଧୀ ପ୍ରଶାନ୍ତଙ୍କୁ ଦଳରେ ସାମିଲ କରିବାକୁ ଇଚ୍ଛା ରଖିଛନ୍ତି କିନ୍ତୁ ନିର୍ଦ୍ଦିଷ୍ଟ ସର୍ତ୍ତରେ । ଯଦି ପିକେ କଂଗ୍ରେସରେ ସାମିଲ ହେବେ ତାହେଲେ ତାଙ୍କ ସଂସ୍ଥା କୌଣସି ଦଳ ପାଇଁ ନିର୍ବାଚନ ରଣନୀତି ତିଆରି କରିପାରିବ ନାହିଁ ଯେ ପର୍ଯ୍ୟନ୍ତ ସେ ଦଳରେ ଥିବେ । ଏହି ସମୟରେ ସେ କେବଳ କଂଗ୍ରେସ ପାଇଁ କାମ କରିବେ । ଯଦି ପ୍ରଶାନ୍ତ ଏଥିରେ ରାଜି ହୁଅନ୍ତି ତାହେଲେ ଅଡୁଆରେ ପଡିବେ ତେଲେଙ୍ଗାନାର ଟିଆରଏସ, ଆନ୍ଧ୍ର ପ୍ରଦେଶର ଶାସକ ଦଳ ଓ୍ୱାଇଏସସିଆର, ପଶ୍ଚିମବଙ୍ଗର ଟିଏମସି ଭଳି ଦଳ। କାରଣ ଏହି ସବୁ ଦଳ ପାଇଁ ପ୍ରଶାନ୍ତ କିଶୋର ଏବଂ ତାଙ୍କ ସଂସ୍ଥା ନିର୍ବାଚନ ରଣନୀତି ତିଆରି କରି କ୍ଷମତାରେ ବସାଇଛି।
Comments are closed.