Latest Odisha News

BREAKING NEWS

ଭାଷା ଭାଗବତ : ଦେଶର ସ୍ବପ୍ନ, ବାସ୍ତବତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୭ 

ଯେଉଁ ଦେଶର ବହୁ ଲୋକ
ପ୍ରତିମା, ପ୍ରତୀକ ପୂଜକ
ସେହି ଦେଶ ତ ବାସ୍ତବିକ
ସତ୍ୟର ପ୍ରଧାନ ଘାତକ

ଭାବନା ତୁଳନାରେ ଧ୍ବଜା
ଥରାଏ ଆମ ଅସ୍ଥି ମଜ୍ଜା
ଆଧ୍ୟାତ୍ମିକତା, ଦେଶପ୍ରେମ
ଏଠାରେ ମନଗଢ଼ା ଭ୍ରମ

ଏହି ଦେଶର ନାଗରିକ
ବୁଝଂତି ଉଦରର ଭୋକ
ମିଳିଲେ ମୁଠେ ଅଧେ ଭାତ
ଧ୍ବସ୍ତ କରଂତି ମତାମତ

ସ୍ବାଧୀନତା ଓ ଗଣତଂତ୍ର
କେବଳ ବିଶୁଦ୍ଧ ପ୍ରଚାର
ହୋଇ ତହିଁର ବଶୀଭୂତ
କରଂତି ଦେଶକୁ ଆହତ

କ୍ଷତ ହୁଏତ ଯାଏ ଶୁଖି
ସର୍ବେ ପାରଂତି ଦାଗ ଦେଖି
ଦାଗ ପକାଇଦିଏ ମନେ
ଜନ୍ମ ଲଭିଲାଁ କେଉଁ କ୍ଷଣେ

ଗଣତଂତ୍ରର ଜୟଗାନ
କରିବା ନୁହେ ପ୍ରୟୋଜନ
ପ୍ରଥମେ କର୍ତବ୍ୟ ପାଳନ
ଉତ୍ତାରୁ କରଂତୁ କୀର୍ତନ

ଏତେ ଅଧିକ ଆଡ଼ଂବର
ଦିଶେ ଅଶ୍ଳୀଳ, ଭୟଂକର
ତେବେ ବି ଆମୂଳ ସଂସ୍କାର
ନିମଂତେ ନୁହେ କେ ତତ୍ପର

ଭାଷାର ଭେଳିକିରେ ମଜ୍ଜି
ସବୁ କରିବା ପାଇଁ ରାଜି
ଆମ ଦେଶର ନାଗରିକ
ହେଲେଣି ନେତାଂକ ସ୍ତାବକ

ସ୍ବାଧୀନ ଚିଂତାକାରୀ ଜଣେ
ନାହାଂତି ଲୋକଂକର ମନେ
କେବଳ ପରଂପରା, ରୀତି
ପାଳନକାରୀ ସବୁ ଜାତି

ଅବହେଳିତ ହେଲେ ବ୍ୟକ୍ତି
ଉନ୍ନତି, ବିକାଶ, ପ୍ରଗତି
କେବଳ ଶବ୍ଦ, ସ୍ବପ୍ନ ହୁଏ
ବାସ୍ତବ ସ୍ବରୂପ ନ ନିଏ

 

Comments are closed.