Latest Odisha News

BREAKING NEWS

ପ୍ରାଚୀ ନଦୀର ପୁନରୁଦ୍ଧାର: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‌ଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା

ଦିଲ୍ଲୀ: ପ୍ରାଚୀନଦୀର ପୁନରୁଦ୍ଧାର ନିମନ୍ତେ ୨୯୭.୮୧ କୋଟି ଟଙ୍କାର ପ୍ରକଳ୍ପ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାକ୍ଷାତ କରିଛନ୍ତି । ଏହି ପ୍ରକଳ୍ପରେ ମୋଟ ୭ଟି ସେତୁ ନିର୍ମାଣ, ନଦୀ ଶଯ୍ୟା ଖନନ, ଜଳାଶୟ ତିଆରି, ପାର୍ଶ୍ୱ ରାସ୍ତା ନିର୍ମାଣ, ପାଚେରି ନିର୍ମାଣ, ମୃତ୍ତିକା/ଜଳ କ୍ଷୟ ରୋକିବା ପାଇଁ ପ୍ରାଚୀର, ବୃକ୍ଷରୋପଣ, ସମୁଦ୍ର ମୁହାଣ ନବୀକରଣ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ ।

ଏହି ପ୍ରକଳ୍ପ ଯୋଗୁଁ ଅପାତତଃ ୮୭୦୦ ହେକ୍ଟର ଚାଷଜମି ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇପାରିବ। ଫଳତଃ, କୃଷି ମତ୍ସ୍ୟଚାଷ ଓ  ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ବ୍ୟାପକ ଅଭିବୃଦ୍ଧି ହୋଇ ପାରିବ। ୭୮ କିଲୋମିଟର ଦୀର୍ଘ ପ୍ରାଚୀନଦୀ ଓଡ଼ିଶାର ରାମଚନ୍ଦ୍ରପୁରଠାରେ କୁଶଭଦ୍ରା ନଦୀରୁ ଉତ୍ପତ୍ତି ହୋଇ ଖୋର୍ଦ୍ଧା, କଟକ, ପୁରୀ ଜିଲ୍ଲାର ବାଲିଅନ୍ତା, ବାରଙ୍ଗ, କଣ୍ଟାପଡା, ନିଆଳି, କାକଟପୁର ଅସ୍ତରଙ୍ଗ ଆଦି ୬ଟି ବ୍ଲକ୍‌ ଦେଇ ବଙ୍ଗୋପସାଗରରେ ପଡ଼ିଛି।
ଏହାର କ୍ୟାଚ୍‌ମେଣ୍ଟ୍‌ ଅଞ୍ଚଳ ହେଉଛି  ୪୨,୫୫୨ ହେକ୍ଟର । ଐତିହାସିକମାନଙ୍କ ମତରେ, ଦ୍ୱାଦଶ ଶତାବ୍ଦୀରେ ବିଶ୍ୱ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ନିର୍ମାଣରେ ବ୍ୟବହୃତ ବୃହଦ୍‌କାୟ ପଥରଗୁଡିକୁ ପ୍ରାଚୀନଦୀ ବାଟେ ଅଣାଯାଇଥିଲା। ଆମ୍ଭମାନଙ୍କର ଆରାଧନାସ୍ଥଳୀ ମା ମଙ୍ଗଳାଙ୍କ ପୀଠ ମଧ୍ୟ ପ୍ରାଚୀନଦୀ କୂଳରେ ଅବସ୍ଥିତ। ଦୁର୍ଭାଗ୍ୟବଶତଃ ମହାନଦୀର ଶାଖାନଦୀ କୁଶଭଦ୍ରା ନଦୀରୁ ଜଳ ପ୍ରବାହ ବନ୍ଦ ହେବା କାରଣରୁ ଆଜି ପ୍ରାଚୀ ନଦୀ ମୃତାବସ୍ଥାରେ ରହିଅଛି।

ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀଙ୍କଦ୍ୱାରା ପ୍ରସ୍ତୁତ ଏହି ବ୍ୟାପକ ପ୍ରକଳ୍ପର ସଫଳ ରୂପାୟନ ହେଲେ ପ୍ରାଚୀନଦୀ କୂଳବର୍ତ୍ତୀ ଏବଂ ତତ୍‌ସଂଲଗ୍ନ ଅଞ୍ଚଳର ଜନସାଧାରଣଙ୍କ ଜୀବନରେ ଅଭୂତପୂର୍ବ ଏବଂ ପ୍ରଗତିଶୀଳ ପରିବର୍ତ୍ତନ ସମ୍ଭବ ହୋଇପାରିବ। ଏହି ପ୍ରକଳ୍ପର ଶୁଭାରମ୍ଭ ନିମନ୍ତେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଥିବା କଥା ଟୁଇଟର୍‌ରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.