Latest Odisha News

BREAKING NEWS

ସମବାୟ ନିର୍ବାଚନ ପ୍ରସ୍ତୁତି: ଗଞ୍ଜାମ, ଗଜପତିରେ ବୃହତ ବିଜୟ ଲକ୍ଷ୍ୟରେ ବିଜେଡ଼ି

ବ୍ରହ୍ମପୁର : ଆସନ୍ତା ଜୁନ ୧୯ ଓ ୨୬‌ ତାରିଖରେ ହେବାକୁ ଥିବା ସମବାୟ ନିର୍ବାଚନ ନେଇ ରବିବାର ଗଂଜାମ ଓ ଗଜପତି ଜିଲାର ବିଜେଡିର ସମସ୍ତ ସାଂସଦ ଓ ବିଧାୟକ ଓ ସମବାୟବିତଙ୍କୁ ନେଇ ନିର୍ବାଚନୀ ପ୍ରାକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ଗଂଜାମ ଜିଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତ୍ରିସ୍ତରୀୟ ପଞ୍ଚାୟନ ଓ ପୌର ନିର୍ବାଚନରେ ଯେଭଳି ଦଳ ସଫଳତା ହାସଲ କରିଛି, ସେପରି ସମବାୟ ନିର୍ବାଚନରେ ମଧ୍ୟ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ବିଶେଷକରି ଉଭୟ ଗଞ୍ଜାମ ଏବଂ ଗଜପତି ଜିଲାରେ ଏକପାଖିଆ ବିଜୟ ଦିଗରେ ରଣନୀତି ପ୍ରସ୍ତୁତ କରିବାକୁ ଆଲୋଚନା ହୋଇଥିଲା । ସମାଜ ପାଇଁ ସମବାୟ ଆନ୍ଦୋଳନ ଏକ ଅପରିହାର୍ଯ୍ୟ ଆନ୍ଦୋଳନର ବାର୍ତ୍ତା ବହନ କରି ଆସୁଛି । ଆଜିର ଦିନରେ ଚାଷୀ, କ୍ଷୁଦ୍ର ବ୍ୟବସାୟୀ, ଗରିବ ଖଟିଖିଆ, ମତ୍ସ୍ୟଜୀବୀ, ବୁଣାକାରଙ୍କ ଉନ୍ନତି ଓ ନାରୀ ସଶକ୍ତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାନ୍ତିକାରୀ ପଦକ୍ଷେପ ନେଇଛନ୍ତି ।

କାଳିଆ ଯୋଜନା, ବଳରାମ ଯୋଜନା, ଏସଏଚଜି ମାଧ୍ୟମରେ ନାରୀମାନଙ୍କୁ ଋଣ ପ୍ରଦାନ ଏବଂ ବିନା ସୁଦ୍ଧରେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଯୋଗାଣ, କୃଷି ଭିତ୍ତିକ ଯାନ୍ତ୍ରୀକ ଋଣ ଯୋଗାଣ, ଧାନ ଚାଷ, ପରିବା ଚାଷ, ମାଛ ଚାଷ, କୁକୁଡ଼ା ପାଳନ, ଗାଈ ଓ ଛେଳି ପାଳନ, ବୁଣାକାର, କ୍ଷୁଦ୍ର ଋଣ ସହିତ କୁଟୀର ଶିଳ୍ପ ପାଇଁ ଋଣ ଯୋଗାଣ, ଚାଷୀମାନଙ୍କୁ ଟଙ୍କା ଋଣ ସହିତ ଦ୍ରବ୍ୟ ଆକାରରେ ସାର, ବିହନ, ଜୀଟନାଶକ ଔଷଧ ଯୋଗାଣ, ମଣ୍ଡି ମାଧ୍ୟମରେ ଧାନ ବିକ୍ରିର ସୁବିଧା ସବୁ ରହିଛି।

ଏଭଳି ଜନହିତକର କାର୍ଯ୍ୟର ସଫଳ ରୂପାୟନ ସଂପର୍କରେ ଲୋକମାନଙ୍କୁ ଅବଗତ କରିବାକୁ ଆହ୍ୱାନ ଦିଆଯାଇଥିଲା । ଆସନ୍ତା ସମବାୟ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କ ବିଜୟ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଗୁରୁତ୍ୱ ଦିଆଯାଇଛି । ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ସମବାୟ ନିର୍ବାଚନ ପରିପ୍ରେକ୍ଷିରେ ଚଳିତମାସ ୩୦ ଓ ଜୁନ ୬ରେ ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଠାରୁ ଆଶାୟୀ ମାନେ ଏଥିପ୍ରତି ଗୁରୁତ୍ୱ ଦେଇ ଲୋକଙ୍କ ନିକଟତର ହେବାକୁ ନେତା ମାନେ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ରାଜ୍ୟ ସମବାୟ ନିର୍ବାଚନ କମିଟି ସଭ୍ୟ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାସ ବେହେରା, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବରିଷ୍ଠ ସମବାୟଵିତ ପ୍ରସାଦ ଦୋରା, ବୀରେନ୍ଦ୍ର ଆରୁଖ, କୈଳାଶ ରଣା, ପ୍ରଦୀପ ନାୟକ, ସନାତନ ସଂଗ୍ରାମ ସିଂହ, କାମାକ୍ଷ ପାତ୍ର, ଆପନା ସେଠି, ମମତା ବିଷୋୟୀଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.