ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ମୈଦାନରେ ଝାଳ ବୁହାଉଥିବା ବେଳେ ଆସନ୍ତାକାଲି ଖାଲିପଡିଥିବା ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଆରମ୍ଭ ହେବ। ବିଧାୟକ ସଂଖ୍ୟା ଦୃଷ୍ଟିରୁ ଖାଲି ଥିବା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହିଁ ନାମାଙ୍କନ ଭରିବେ । ତେଣୁ ବିଜେପି ଏବଂ କଂଗ୍ରେସରୁ କୌଣସି ପ୍ରାର୍ଥୀ ନାମାଙ୍କନ ଭରିବେ ନାହିଁ ବୋଲି ସୂଚନା ରହିଛି।
୩ ଆସନ ବିଜେଡି ଖାତାକୁ ଯିବ ବୋଲି ଏକ ପ୍ରକାର ସ୍ଥିର ହୋଇଥିଲେ ମଧ୍ୟ ଦଳ ସୁପ୍ରିମୋ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି। ଅନ୍ୟପଟେ ବିଧାୟିକା ଉଷା ଦେବୀ କହିଛନ୍ତି, ରାଜ୍ୟସଭାରେ ମହିଳାଙ୍କୁ ଗୁରୁତ୍ୱ ମିଳିବ । ପଞ୍ଚାୟତ ଏବଂ ପୌର ନିର୍ବାଚନ ବେଳେ ମହିଳାଙ୍କୁ ଦଳ ଗୁରୁତ୍ୱ ଦେଇଥିଲା । ତେଣୁ ରାଜ୍ୟସଭାରେ ଖାଲିଥିବା ଆସନ ପାଇଁ ଦଳ ସୁପ୍ରିମୋ ମହିଳାଙ୍କୁ ଗୁରୁତ୍ୱ ଦେବେ ବୋଲି ଉଷା ଦେବୀ କହିଛନ୍ତି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସୁସ୍ମିତା ବାଗଚୀଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଷା ଦେବୀଙ୍କ ଏହି ବୟାନ ପରେ ଅନ୍ୟାନ୍ୟ ମହିଳା ନେତାଙ୍କ ନାମକୁ ନେଇ ଚର୍ଚ୍ଚା ବଢିଛି।
ତେବେ ମିଳିଥିବା ସୂଚନା ଅନୁଯାୟୀ ସସ୍ମିତ ପାତ୍ରଙ୍କୁ ଦଳ ପୁଣିଥରେ ରାଜ୍ୟସଭାକୁ ପଠାଇପାରେ । କାରଣ ରାଜ୍ୟସଭାରେ ତାଙ୍କର ଦକ୍ଷତା ଭଲ ଥିଲା ତେଣୁ ସୁପ୍ରିମୋ ପୁଣିଥରେ ଏହି ନେତାଙ୍କୁ ରାଜ୍ୟସଭାକୁ ପଠାଇ ପାରନ୍ତି। ସେହିପରି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ପ୍ରଦୀପ ମାଝୀଙ୍କୁ ନେଇ ଚର୍ଚ୍ଚା ବଢିଛି । ନିକଟରେ ହୋଇଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନରେ ପ୍ରଦୀପଙ୍କ ନେତୃତ୍ୱରେ ବିଜେଡି ଦକ୍ଷିଣ ଓଡିଶାରେ ଭଲ ପ୍ରଦର୍ଶନ କରିଛି।
ମିଳିଥିବା ସୂଚନା ଅନୁଯାୟୀ ତିନି ଆସନରୁ ଜଣେ ମହିଳା ପ୍ରାର୍ଥୀ ଦଳରୁ ରହିବେ ଏବଂ ଅନ୍ୟ ଦୁଇ ମହିଳା ଦଳ ବାହାରୁ ରହିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ସେପଟେ ଆଳିର ବିଧାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ପ୍ରତାପ ଦେବ କହିଛନ୍ତି, ଦଳ ଯେଉଁ ପ୍ରାର୍ଥୀଙ୍କ ନାମ ଉପରେ ମୋହର ମାରିବ ସେ ଠିକଣା ସମୟରେ ନାମାଙ୍କନ ଭରିବେ । ପୂର୍ବରୁ ସୁପ୍ରିମାେ ନେଇଥିବା ନିଷ୍ପତ୍ତି ସଠିକ ପ୍ରମାଣିତ ହୋଇଛି।
ସେପଟେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କଂଗ୍ରେସର ସଂଖ୍ୟା ନାହିଁ । ତେଣୁ ରାଜ୍ୟ ସଭା ବିଷୟରେ ଚିନ୍ତା କରିବାର କୌଣସି କାରଣ ନାହିଁ ।
Comments are closed.