Latest Odisha News

BREAKING NEWS

କଂଗ୍ରେସ ଛାଡ଼ିବା ପଛର କାରଣ କହିଲେ କପିଲ ସିବଲ, ସପା ମୁଖିଆଙ୍କ ସହ କେମିତ ବଢିଲା ସମ୍ପର୍କ ?

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସହାୟତାରେ ବୁଧବାର ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ। ସେ କହିଛନ୍ତି, 30-31 ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ରହିବା ପରେ ଦଳ ଛାଡ଼ିବା ତାଙ୍କ ପାଇଁ ସହଜ ନଥିଲା।

ସିବଲ କହିଛନ୍ତି ଯେ ସେ ମେ 16 ରେ କଂଗ୍ରେସ ଛାଡିଥିଲେ। କିନ୍ତୁ ଏବେ ଦଳରେ ନିୟୁକ୍ତିଦାତା ଓ କର୍ମଚାରୀଙ୍କ ଭଳି କୌଣସି ପ୍ରକାରର ସମ୍ପର୍କ ନାହିଁ। ତେଣୁ ସେ ନିଜର ଇଚ୍ଛା ମୁତାବକ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଗୋଟିଏ ପୁରୁଣା ଦଳ ତେଣୁ ତାଙ୍କର କୌଣସି ପରାମର୍ଶ ଦଳ ପ୍ରତି ନାହଁ । କଂଗ୍ରେସ ଜାଣିଛି କେଉଁ ସମୟରେ କଣ କରିବାକୁ ହେବ।

ସଂସଦରେ ସ୍ୱାଧୀନ ଭାବେ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି । ଯଦି ତାଙ୍କୁ କେହି ଏହି ସୁଯୋଗ ଦେଉଛି ତାହେଲେ କାହିଁକି ସେ ସୁଯୋଗର ହାତ ଛାଡିବେ ବୋଲି କହିଛନ୍ତି। ଏପରି କହି ସିବଲ କହିଛନ୍ତି ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇନାହାନ୍ତି। କିନ୍ତୁ ଦଳର ସମର୍ଥନରେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି।

ତେବେ ଦୀର୍ଘ 30-31 ବର୍ଷ ସହ ଯେଉଁ ଦଳରେ ଥିଲେ ତାକୁ ବାଏ ବାଏ କରିବା ପରେ ଯେଉଁସବୁ ସମାଲୋଚନା ହେଉଛି ସେ ନେଇ କହିଛନ୍ତି, ସେ ଏ ବିଷୟରେ କିଛି କହିବାକୁ ଚାହୁଁ ନାହାନ୍ତି। ଖୁବ୍ ଶୀଘ୍ର ସଂସଦରେ ଲୋକେ ତାଙ୍କର ସ୍ୱର ଶୁଣିବେ। ଏପରି କହି ସେ ପରୋକ୍ଷରେ କେନ୍ଦ୍ରର ଶାସକ ଦଳ ବିଜେପିକୁ ଚେତାବନୀ ଦେଇଛନ୍ତି। ସିବଲ ଜଣେ ବରିଷ୍ଠ ଓକିଲ ଭାବେ ଅଖିଳେଶ ଯାଦବଙ୍କ ପରିବାର ସହ ଘନିଷ୍ଠ ସମ୍ପର୍କ ରହିଛି।

2017 ଜାନୁଆରୀରେ (ଯାଦବ ପରିବାର କଳି ସମୟରେ) ନିର୍ବାଚନ କମିସନଙ୍କ ନିକଟରେ ଯୁକ୍ତି କରିଥିଲେ ଯେ ଅଖିଳେଶ ଯାଦବଙ୍କୁ ‘ସାଇକଲ’ ଚିହ୍ନ ମିଳିବା ଉଚିତ। ଶେଷରେ ତାଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ ନିର୍ବାଚନ କମିସନ।

କପିଲ ସିବଲ ୟୁପିଏ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ। ଟୁଜି ସ୍ପେକଟ୍ରମ ଦୁର୍ନୀତି ମାମଲାରେ ଡିଏମକେ ନେତା ତଥା ସେତେବେଳର କେନ୍ଦ୍ର ଟେଲିକମ ମନ୍ତ୍ରୀ ଏ ରାଜା ଗିରଫ ହୋଇଥିଲେ। ଏହାପରେ ୟୁପିଏ ସରକାର ଅଡୁଆରେ ପଡିବା ପରେ କପିଲ ସିବଲଙ୍କୁ ଏହି ମନ୍ତ୍ରାଳୟର ଦାୟିତ୍ୱ ଦେଇଥିଲା।

କପିଲ ସିବଲଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ସେ କଂଗ୍ରେସର ଶୀର୍ଷ ନେତୃତ୍ୱକୁ ସମାଲୋଚନା କରି ଅସନ୍ତୁଷ୍ଟ 23 ନେତାଙ୍କ ତାଲିକାରେ ଥିଲେ। ତେଣୁ ସେ ପୁନର୍ବାର ରାଜ୍ୟସଭା ଯିବା ସମ୍ଭବ ନଥିଲା। ତେଣୁ ସେ ଟିଏମସି ଏବଂ ସମାଜବାଦୀ ପାର୍ଟିର ସହାୟତା କଥା ଚିନ୍ତା କରିଥିଲେ। ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରି ସମାଜବାଦୀ ପାର୍ଟିର ସମର୍ଥନ ନେଇଛନ୍ତି।

Comments are closed.