Latest Odisha News

BREAKING NEWS

ଭାରତୀୟ ଅଲିମ୍ପିକ୍ ସଂଘ ସଭାପତି ପଦରୁ ବିଦା ହେଲେ ନରିନ୍ଦର ବାତ୍ରା

ନୂଆଦିଲ୍ଲୀ: ହକି ଇଣ୍ଡିଆରେ ‘ଆଜୀବନ ସଦସ୍ୟ’ ପଦକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏହାପରେ କ୍ରୀଡ଼ା ପ୍ରଶାସକ ନରିନ୍ଦର ବାତ୍ରାଙ୍କୁ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସଭାପତି ପଦରୁ ହଟାଇ ଦେଇଛି। ବାତ୍ରା ୨୦୧୭ ମସିହାରେ ଆଇଓଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ଏହାପରେ ସେ ସଭାପତି ପଦରେ ଥିଲେ। ଏବେ ତାଙ୍କ ସ୍ଥାନରେ ଆଇଓଏର ବରିଷ୍ଠ ଉପାଧ୍ୟକ୍ଷ ଅନୀଲ ଖାନ୍ନା କାର୍ଯ୍ୟକାରୀ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ହକି ଇଣ୍ଡିଆର ଆଜୀବନ ସଦସ୍ୟ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ ନରିନ୍ଦର । ହେଲେ ଏହାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୂର୍ବତନ ଭାରତୀୟ ଖେଳାଳି ଅସଲମ ଶେର୍ ଖାନ୍। ପରେ ଆବେଦନ ଆଧାରରେ ଦିଲ୍ଲୀ ହାଇକୋର୍ଟ ଆଜୀବନ ସଦସ୍ୟ ପଦକୁ ଖାରଜ କରିଦେଇଛନ୍ତି। ଏପରି ପଦ ଜାତୀୟ କ୍ରୀଡ଼ା ସଂହିତା ସହ ସାମଞ୍ଜସ୍ୟ ରଖୁ ନ ଥିବାରୁ ଏହାକୁ ବେଆଇନ ବୋଲି ଦିଲ୍ଲୀ ହାଇକୋର୍ଟ ଦର୍ଶାଇଛନ୍ତି।

ଏବେ ହକି ଇଣ୍ଡିଆର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ପାଇଁ ଏକ ତିନି ଜଣିଆ ପ୍ରଶାସକ କମିଟି (ସିଓଏ) ତିଆରି କରିଛନ୍ତି କୋର୍ଟ ।
ଅଖିଳ ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍)କୁ ଆଧାର କରି ଏହି କମିଟି ଗଠନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହି କମିଟିରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନୀଲ ରମେଶ ଡାଭେ ଅଧ୍ୟକ୍ଷ ରହିଛନ୍ତି। ସେହିପରି ଅନ୍ୟ ଦୁଇ ଜଣ ହେଲେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଏସବାଇ କୁରେଶୀ ଏବଂ ପୂର୍ବତନ ଭାରତୀୟ ହକି ଅଧିନାୟକ ଜାଫର ଇକବାଲ।

ଉଲ୍ଲେଖଯୋଗ୍ୟ, ହକି ଇଣ୍ଡିଆ ପାଣ୍ଠି ସହ ଜଡିତ ୩୫ ଲକ୍ଷ ଟଙ୍କା ଅପବ୍ୟବହାର ଅଭିଯୋଗରେ ସିବିଆଇ ଗତ ମାସରେ ନରିନ୍ଦର ବାତ୍ରାଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ବ୍ୟକ୍ତିଗତ ଲାଭ ପାଇଁ ବାତ୍ରା ହକି ଇଣ୍ଡିଆର ପ୍ରାୟ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.