ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୫
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ପ୍ରକାଶର ଏକ ଅନନ୍ୟ ଉପାଖ୍ୟାନ “ଗଜ ଉଦ୍ଧାରଣ “ର ଆଲୋଚନା ଭିତରେ ଆମେ ମନକୁ ଗଜ ଓ ଇନ୍ଦ୍ରିୟମାନଙ୍କୁ କୁମ୍ଭୀର ବୋଲି ତତ୍ତ୍ୱତଃ ଜାଣିଲେ ଏବଂ କଥା ପ୍ରସଙ୍ଗରେ ମନ ରୂପୀ ଗଜଙ୍କୁ ଇନ୍ଦ୍ରିୟ ରୂପୀ କୁମ୍ଭୀର, ଅଜ୍ଞାନ ଜଳ ମଧ୍ୟରେ ବୁଡ଼ାଇବାକୁ ଚେଷ୍ଠା କରୁଥିବା ସମୟରେ ମନ (ଗଜ )ନାରାୟଣ ଚିନ୍ତା ଆରମ୍ଭ କଲା। ଏହା ପରର ବର୍ଣ୍ଣନା
“ମନର ଶୁଣ୍ଢ ଅଟେ ବାଇ
ସମୀରେ ଭଜନ କରଇ
ପବନ ତୋଳିଲା ଉର୍ଦ୍ଦ୍ବକୁ
ଲୟ ଲଗାଇ ଅମନକୁ
ଶୁଣିଛି ପୂର୍ବେ ଶୂନ୍ୟ ମୁଖୁ
ପ୍ରଭୁ ତାରନ୍ତି ଦୁଃଖୀ ଦୁଃଖୁ
ପୂର୍ବେ ବୋଲି ଯାହାକୁ କହି
ମାତୃ ଗର୍ଭେ ହେତୁ ଅଟଇ
ତହିଁ ଯେ ନର ନାରାୟଣ
ଧ୍ୟାନ କରନ୍ତି ମୁନିଗଣ
ସେ କଥା ମନ ଦେଖିଥିଲା
ଏବେ ହୃଦରେ ଚେତାଇଲା
ବସିଲା ଏକ ଲୟ କରି
ଇନ୍ଦ୍ରିୟ ଗଣକୁ ନିବାରି
ଗଜର ଚିନ୍ତା ପ୍ରଭୁ ଜାଣି
ଖଗବରକୁ ପାଶେ ଆଣି
ନାସାରମ୍ୟକ ଦ୍ବୀପ କହି
ସମୀର ଗରୁଡ଼ ଅଟଇ
ପରମବ୍ରହ୍ମ ଜ୍ୟୋତିର୍ମୟ
ତତକ୍ଷଣେ ହୋଇଲେ ଉଦୟ । “
(ଭାଗବତ ତତ୍ତ୍ୱ ପରମlର୍ଥ )କବି ଅନନ୍ତ ଚରଣ ଦାସଙ୍କ ତତ୍ତ୍ୱ ପରେ ଦେଖିବା ଜଗନ୍ନାଥ ଦାସଙ୍କ ଭାଗବତ ବର୍ଣ୍ଣନା
“ସେ ଗଜ ପତି ବଳବନ୍ତ,
ବ୍ରଜ ହୁଁ ତୀକ୍ଷ୍ଣ ତାର ଦନ୍ତ
କି କରିପାରେ ତାର ମତ
ବିଷ୍ଣୁର ମାୟାର ଆୟତ୍ତ
ଗଜ ସ୍ଵଭାବେ ମହାବଳି
ଚରଣ ନ ପାରିଲା ଚାଳି
କରିଣୀ ଯୁଥ ତାହା ଦେଖି
ଦୁଃଖେ ହୋଇଲେ ଅଶ୍ରୁମୁଖୀ
ସ୍ଵଭାବେ ଅତି ଶୀତପାଣି
ଗଜ ନପାରେ ପାଦ ଆଣି
* * * *
ଏମନ୍ତେ ଗଜ ଗ୍ରାହ ଯୁଦ୍ଧ
ଗଗନେ ଦେଖନ୍ତି ବିବୁଧ
ଗଜେ ଟାଣନ୍ତି ଅତି ଖରେ
ପୁଣି ଗଭୀର ଜଳେ ଭରେ
ଏମନ୍ତେ ସହସ୍ର ବରଷ
ଯୁଦ୍ଧ ନୋହିଲା ଅବଶେଷ
ଗଜ ଉଦ୍ଧାରଣର ତାତ୍ତ୍ୱିକ ଓ ସ୍ଥୁଳ ଉଭୟ ଵର୍ଣ୍ଣନା ଆମେ ଜାଣିଲେ ଏହା ମଧ୍ୟ ଜାଣିଲେ ଯେ ଏହି ଗଜ ଓ କୁମ୍ଭୀର ଯୁଦ୍ଧ ସହସ୍ର ବର୍ଷ ଲାଗିଲା।
ବାମନ ପୁରାଣ ତ କହିଲା “ଦେବ ବର୍ଷେ ବହିଗଲା ସହସ୍ର ବରଷ ” ଆଗକୁ ଆମେ ଏ ଦେବ ବର୍ଷ କଣ ସେ ବିଷୟ ବିଷଦ ଆଲୋଚନା କରିବା ଏବେ ତତ୍ତ୍ୱତଃ ଏତିକି ଜାଣିବା ଯେ ଏ ମନ ଓ ଇନ୍ଦ୍ରିୟର ଯୁଦ୍ଧ ଅନନ୍ତ କାଳରୁ ଚାଲିଛି ଏବଂ ଚାଲିଥିବ ଅନନ୍ତ କାଳ ପର୍ଯ୍ୟନ୍ତ। ଯେଉଁମାନେ ଯୋଗୀ ବା ସାଧନାରେ ସିଦ୍ଧ ସାଧକ ସେମାନେ ନାରାୟଣ କୃପା ପ୍ରାପ୍ତ ହୋଇ ଏଥିରୁ ନିସ୍ତାର ପାଇବେ। ଆମ ନିସ୍ତାର ପାଇବାର ରାସ୍ତା ହେଉଛି ଆରାଧନା
“ତୋ ନାମ କରୁ ଥିଲେ ଲୟ,
କୋଟିଏ ଜନ୍ମ ପାପ କ୍ଷୟ”
ଆଗାମୀ ସମୟରେ ଆହୁରି ଆଲୋଚନା କରିବା। ବର୍ତ୍ତମାନ ଆରାଧନା :
ଜୟ ଜଗନ୍ନାଥ, (ଦ. ତ୍ରି. ଉବାଚ )
Comments are closed.