Latest Odisha News

BREAKING NEWS

କବିତା : ଅଳକାନନ୍ଦା

ସ୍ନିଗଧା ନାୟକ

ନୀଳ ଜୀମୂତ ଆକାଶ କୋଳେ
ଯେବେରେ ଦୋଳି ଖେଳେ ,
ତଟିନୀ ତଟେ ପୁଛ ଖେଳଇ
କେକୀ ନାଚଇ ଧିରେ ।

ପ୍ରୀତି ପୂରବି ରାଗିଣୀ ତୋଳି
ମଧୁ ଯାମିନୀ ଶେଷେ,
ନବୀନବାଳା ସତେ କି ହସେ
ପରାଚୀ ତୁଠ ଦେଶେ ।

ଗବାକ୍ଷ ଛୁଇଁ ଯାଉଛି ନଇଁ
ଦୂରେ କୁମୁଦ ପତି,
ମନ ସିଲଟେ ଲେଖୁଛି ବସି
ମିଳନ ମଧୁଗୀତି ।

ଉଛୁଳା ନଈ ଯାଉଛି ବହି
ସାଗର ସଙ୍ଗମେ ମାତି,
ଅଳକାନନ୍ଦା ପ୍ରୀତିର ଛନ୍ଦା
ଚଞ୍ଚଳ ପ୍ରଜାପତି ।

ଅଳସ ରାତି ସପନ କୁଞ୍ଜେ
କାମନା ଫୁଲ ଶେଜେ,
ଉଦାସୀ ଆଖି ସତେ କି ଆଜି
ଅନୁରାଗରେ ଭିଜେ ।

ଓଡ଼ିଆ ବିଭାଗ,
ଚିତ୍ରୋତ୍ପଳା ମହିଳା ମହାବିଦ୍ୟାଳୟ,
କେନ୍ଦ୍ରାପଡା

Leave A Reply

Your email address will not be published.