Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ତେଜିଲା ଆନ୍ଦୋଳନ, ମମତାଙ୍କ ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ କନିଷ୍ଠ ଡ଼ାକ୍ତର

କୋଲକାତା: ମାଡ଼ମରାକୁ କେନ୍ଦ୍ର କରି ପଶ୍ଚିମବଙ୍ଗରେ ଗତ ୫ ଦିନ ଧରି ଡ଼ାକ୍ତରମାନଙ୍କ ସମୂହ ଆନ୍ଦୋଳନ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ପଶ୍ଚିମବଙ୍ଗରୁ ଡ଼ାକ୍ତରମାନଙ୍କ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବାରେ ଲାଗିଛି । କ୍ରମଶଃ ଏହି ଆନ୍ଦୋଳନ ପଶ୍ଚିମବଙ୍ଗର ସସସ୍ତ ପଡ଼ୋଶୀ ରାଜ୍ୟଗୁଡ଼ିକୁ ବ୍ୟାପୀବାରେ ଲାଗିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କନିଷ୍ଠ ଡ଼ାକ୍ତରମାନଙ୍କ ସହିତ ଆଲୋଚନା କରିବାକୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ଡ଼ାକ୍ତର ସଂଘ ଅଗ୍ରାହ୍ୟ କରିଦେଇଛି । ଡ଼ାକ୍ତରମାନେ ଅଭିଯୋଗ କରି ଏକ ବିବୃତିରେ କହିଛନ୍ତି ଯେ, ଡ଼ାକ୍ତରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ବନ୍ଦ କରିବାର ପ୍ରଶ୍ନ ଉଠୁନାହିଁ ।

ମିଳିଥିବା ସୂଚନାନୁଯାୟୀ, ଏହି ଘଟଣାକୁ କେନ୍ଦ୍ରକରି ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ ପ୍ରାୟ ୩୦୦ରୁ ଅଧିକ ଡ଼ାକ୍ତର ପଶ୍ଚିମବଙ୍ଗ ସରକାରୀ ଡ଼ାକ୍ତରଖାନାରୁ ଇସ୍ତଫା ଦେଇସାରିଲେଣି । ଏବେ ଡ଼ାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବା ଯୋଗୁଁ ରାଜ୍ୟରେ ଚିକିତ୍ସା ସେବା ଏକରକମ ଠପ୍ ହୋଇଯାଇଛି । ସୂଚନାଯୋଗ୍ୟ ଏହି କି ଯେ, ଚଳିତ ସପ୍ତାହର ପ୍ରାରମ୍ଭରେ କୋଲକାତା ଏନଆରଏସ ହସ୍ପିଟାଲରେ ଚିକିତ୍ସା ଅବହେଳା ଅଭିଯୋଗ କରି ଡ଼ାକ୍ତରମାନଙ୍କୁ ମାଡ଼ ମରାଯାଇଥିଲା । ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ କନିଷ୍ଠ ଡ଼ାକ୍ତରଙ୍କ ସମେତ ରାଜ୍ୟର ସମସ୍ତ ସରକାରୀ ଡ଼ାକ୍ତର ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନ କ୍ରମେ ସମଗ୍ର ଦେଶକୁ ବ୍ୟାପୀବାରେ ଲାଗିଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଇତିମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଭତ୍ସନା କରିବା ସହିତ ଡ଼ାକ୍ତରମାନଙ୍କୁ ଏହି ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ ଅନୁରୋଧ କରିଛନ୍ତି ।

ଆନ୍ଦୋଳନର ୫ମ ଦିବସରେ ଡ଼ାକ୍ତରମାନେ ୬ଟି ସର୍ତ୍ତ ରଖିଛନ୍ତି । ଡ଼ାକ୍ତରମାନଙ୍କ ଏହି ଆନ୍ଦୋଳନ ବିରୋଧରେ ନକାରାତ୍ମକ ବିବୃତି ପ୍ରଦାନ କରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମା ମାଗନ୍ତୁ ଏବଂ ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ଼ାକ୍ତରମାନେ ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଏସଏସକେଏମ ହସ୍ପିଟାଲ ଯାଇଥିବା ବେଳେ ଆନ୍ଦୋଳନରତ ଡ଼ାକ୍ତରମାନେ ତାଙ୍କ୍ୁ ଗାଳିଦେଇଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଡ଼ାକ୍ତରମାନେ ତାଙ୍କଠାରୁ ବେଶ୍ କମ୍ ବୟସର ଥିବାରୁ ସେମାନଙ୍କ ଗାଳିକୁ ମୁଁ ଧରୁନାହିଁ, ମାତ୍ର ଏହି ଘଟଣାରେ ସିପିଆଇ ଏବଂ ବିଜେପି ହସ୍ତକ୍ଷେପ ନକରୁ ।

ଇତିମଧ୍ୟରେ ଶନିବାର ଦିନ ଇଣ୍ଡିଆନ ମେଡ଼ିକାଲ୍ ଆସୋସିଏସନ (ଆଇଏମଏ)ର ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟି ଆଲୋଚନା କରିଛନ୍ତି । ଡ଼ାକ୍ତରମାନେ ଶୁକ୍ରବାରଠାରୁ ୪ଦିନ ବ୍ୟାପୀ ଦେଶବ୍ୟାପୀ ଧାରଣା ଦେଇଥିବା ବେଳେ ସୋମବାର ଦିନ ଠାରୁ ସମଗ୍ର ଦେଶରେ କାର୍ଯ୍ୟବନ୍ଦ ଡ଼ାକରା ଦେଇଛନ୍ତି ।

ସବୁଠାରୁ ବଡ଼ କଥା ହେଲା ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରୀପାଠୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁକ୍ରବାର ରାତିରେ ଏନେଇ ଡ଼ାକ୍ତରଙ୍କ ସହିତ ଆପୋଷ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ମମତା ଏସମ୍ପର୍କରେ ରାଜ୍ୟପାଳଙ୍କୁ କୌଣସି ଉତ୍ତର ଦେଇନାହାନ୍ତି । ଏହି ଘଟଣା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ପ୍ରକଟ କରିଛି ।

Leave A Reply

Your email address will not be published.